ଲତିକା ମହାପାତ୍ର
ମୋ ଠିକକୁ କେହି ଠିକ ନକୁହ
ତଥାପି ମୁଁ ଠିକ କହିବି
ବିବେକର ଦ୍ୱାହି ଦେଇ
ମୋତେ ପ୍ରଭାବିତ କରି ପାରିବନି
ତୁମ ଛଳନା,
ଆଡ଼ମ୍ବର,
ପଦବୀ ..
ବିବେକର ଦ୍ୱାହି ଦେଇ
ମୁଁ ଠିକ କହିବି ।
ମୁଁ ନିଃସଙ୍ଗ ନକ୍ଷତ୍ର
ପରବାୟ ନାହିଁ,
ଜଳୁଛି ନିଜ ଆଲୁଅରେ ।
ମୋ ସୀମିତ ଆଲୁଅରେ
ଯେତେ ସମ୍ଭବ
ପୋଛିଦେବି ଅନ୍ଧାର ।
କଅଁଳ ଶବ୍ଦରେ
ଭରିଦେବି ଆପଣାର ପଣ ।
ଯୁଦ୍ଧ ନୁହେଁ,ଦ୍ରୋହ ନୁହେଁ
ପ୍ରେମ ହିଁ ଜୀବନ ।
ଅହଂକାର ନୁହେଁ
ଆତ୍ମ ଅଭିମାନ ନୁହେଁ
ସମ୍ବେଦନା ହିଁ ଜୀବନ ।
ଛଳନା ନୁହେଁ, ପ୍ରେମ କର
କପଟତା ଫିଙ୍ଗ, ପ୍ରେମ କର
ନିର୍ଦ୍ଦୟତା ବିସର୍ଜି, ପ୍ରେମ କର ..
ଦୁର୍ବଳକୁ, ଦଳିତକୁ, ପୀଡ଼ିତକୁ
ଲାଞ୍ଛିତ, ଶୋଷିତକୁ,
କେବେକେବେ ହସ ନୁହେଁ
ଲୁହ ଦି’ ବୁନ୍ଦା ନିଗାଡ଼ି ଦିଅ
ଦି’ ହାତ ଯୋଡ଼ିଦିଅ
ମୁଦି ଦିଅ ଆଖିପତା,
ନୁଆଇଁ ଦିଅ ମଥା,
ତମ ଆଡ଼ମ୍ବର, ଆଭିଜାତ୍ୟ, ସୌନ୍ଦର୍ଯ୍ୟ ସାଧନାରେ
କେଉଁ ଉଦାସ ଓଠରେ
ଉକୁଟିବନି ହସ
ତମ ଲାସ୍ୟ, ତମ ହାସ୍ୟ, ତମ ଭାଷ୍ୟରେ
ବଢିବନି କାହାର ଆୟୁଷ,
ପାରିବ ତ ମଣିଷପଣିଆର ସାଧନା କର ।
କବିତା ଶବ୍ଦକୁ ଶବ୍ଦରେ ଛନ୍ଦି ନୁହେଁ
ହୃଦୟକୁ ଛନ୍ଦୁ ହୃଦୟର ସହ
ଶୁଖିଲା ପ୍ରସାଧନ ବିହୀନ
ଚେହେରାରେ ଆଣୁ ଚମକ
ତମ ପ୍ରସାଧନ, ବସନ ଆଭୂଷଣ,
ପର କଥା
ପ୍ରଥମେ ପ୍ରଣାମ କର
କୃତଜ୍ଞ ହୁଅ
ସମ୍ବେଦନାରେ, ଭାବରେ ଉଛୁଳି ପଡ଼ ।
ଐଶ୍ୱର୍ଯ୍ୟଶାଳୀ ହୁଅ ।
କେବେକେବେ ଲୁହ ଦି’ ବୁନ୍ଦା ନିଗାଡ଼ି ଦିଅ
କାହାକୁ ନକହି ।
ତାଳଚେର, ଅନୁଗୁଳ
ଲେଖକ ପରିଚୟ
ପିଲାଦିନେ ସାହିତ୍ୟ ବହି ଓ ବିଭିନ୍ନ ପତ୍ରପତ୍ରିକାରୁ କବିତା ପଢି ମୁଗ୍ଧ ହେଉଥିଲି । ବଡ଼ପାଟିରେ ଡଗଡଗ ହୋଇ ଆବୃତ୍ତି କରୁଥିଲି । ସେ ଶିଶୁଲେଖା ହେଉ କି ମନପବନ, ବାରମଜା ହେଉ କି ବିଲୁଆନନା । ଆଉଟିକେ ବଡ଼ ହେଲାପରେ ଘରକୁ ଆସୁଥିବା ଝଙ୍କାର, ସୁଚରିତାରୁ କବିତା ସବୁ ପଢୁଥିଲି ଆଉ ଏକ ବିଚିତ୍ର ଅବ୍ୟକ୍ତ ଆନନ୍ଦ ମୋତେ ଆନମନା କରୁଥିଲା । ପଞ୍ଚମ ଶ୍ରେଣୀରୁ ପଦକୁ ପଦ ଯୋଡ଼ି ମନକଥା ଲେଖିବା ଆରମ୍ଭ କରିଥିଲି । ମୋତେ ଲାଗେ କବି ଜଣେ ସଂସାର ବାହାରର ଲୋକ, ଭାବର ସମ୍ରାଟ, ଶବ୍ଦର ବିନ୍ଧାଣୀ, ପ୍ରେମର ପାରାବାର, ସଂସାରର ସବୁ ଲୋଭ-ମୋହର ଉର୍ଦ୍ଧ୍ଵରେ ଉଚ୍ଚାଙ୍ଗ ଚୈତନ୍ୟର ପ୍ରତିଭୂ ।