ଅରୁଣ କୁମାର ତ୍ରିପାଠୀ
ଛତ୍ରପତି ଶିବାଜୀ ମହାରାଜ ଥିଲେ ଭାରତୀୟଙ୍କ ହୃତଗୌରବ ଏବଂ ଅସ୍ମିତାର ପ୍ରତୀକ । ସିଏ ଦୈବୀକୃପା ହେଉ ନତୁବା ବାହୁବଳର ପ୍ରଭାବ । ଭାରତ ଯେ ବିଦେଶୀ ଶାସନ କବଳରୁ କିଛିକାଂଶର ମୁକ୍ତ ହେଇ ନିଜର ସ୍ୱତନ୍ତ୍ର ସମ୍ମାନର ବୈଜୟନ୍ତି ଉଡ଼େଇବ, ସେହି ବିଶ୍ୱାସର ରାଷ୍ଟ୍ରଦୂତ ଥିଲେ ଶିବାଜୀ ମହାରାଜ । ଷୋଡ଼ଷ ଶତାବ୍ଦୀର ସେହି ପବିତ୍ର ଦ୍ୱିତୀୟା ତିଥି , ମଙ୍ଗଳ ରାତି ବୁଧୁ ପାହାନ୍ତିରେ ପୁରୁଷ ନକ୍ଷତ୍ର ପୁନର୍ବସୁରେ ତାଙ୍କର ହେଇଥିଲା ରାଜ୍ୟାଭିଷେକ । ଭାରତୀୟ ପରମ୍ପରାରେ କ୍ଷତ୍ରିୟ ସାଧାରଣତଃ ରାଜା ହେଉଥିଲେ କିନ୍ତୁ ଶିବାଜୀ ଥିଲେ ଜାତିରେ ଶୁଦ୍ର । ତାଙ୍କର ଜାତି ପରିବର୍ତ୍ତନ ନିମିତ୍ତ ସେହି ସମୟରେ ଏକ ପବିତ୍ର ଯଜ୍ଞର ଆୟୋଜନ କରାଯାଇଥିଲା, ଯେଉଁଠି ତତ୍କାଳୀନ ସମୟରେ ୩ କୋଟି ଟଙ୍କା ଖର୍ଚ୍ଚ ହେଇଥିଲା । ବିଷୟ ଯାହା ବି ହେଉ ତାହାଙ୍କ ରାଜ୍ୟାଭିଷେକ ସହ ଏକ ନୂତନ ଯୁଗର ଅୟମାରମ୍ଭ ହୋଇଥିଲା । ତାହାର ରାଜନୈତିକ ଏବଂ ସାମାଜିକ ପ୍ରଭାବ ଆମ୍ଭେ ନିମ୍ନରେ ଆଲୋଚନା କରିବା କିନ୍ତୁ ପ୍ରଥମେ ଜାଣିନେବା ତାଙ୍କ ବିଷୟରେ କିଛି ମୌଳିକ ସୂଚନା ତଥା ତାଙ୍କ ପରିବାର ଏବଂ ସାମ୍ରାଜ୍ୟର ବିସ୍ତୃତି ସମ୍ବନ୍ଧରେ ।
ଶିବାଜୀ ମହାରାଜଙ୍କ ପୁରା ନାମ ଥିଲା ଛତ୍ରପତି ଶିବାଜୀ ରାଜ ଶାହାଜୀ ରାଜ ଭୋସଲେ । ମହାରାଷ୍ଟ୍ରର ଶିବନେରୀ ଦୁର୍ଗରେ ୧୯ ଫେବୃୟାରୀ ୧୬୩୦(ଫାଲ୍ଗୁନ କୃଷ୍ଣ ସପ୍ତମୀ)ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଶାହାଜିରାଜ ଭୋସଲେ ଏବଂ ମାତାଙ୍କ ନାମ ଜିଜାମାତା ଶାହାଜୀରାଜ ଭୋସଲେ । ଶିବାଜୀଙ୍କ ଆଠ ଜଣ ରାଣୀ ଥିଲେ ଯାହାଙ୍କ ନାମ ହେଉଛି ସାଇବାଇ, ସୋୟାରବାଇ, ପୁତାଲା ବାଇ, ଗୁଣୱନ୍ତବାଇ, ସଗୁଣବାଇ, କାଶିବାଇ, ଲକ୍ଷ୍ମୀବାଇ ଏବଂ ସକ୍ୱାରବାଇ । ସାଇବାଇଙ୍କଠାରୁ ତାଙ୍କର ଗୋଟିଏ ପୁତ୍ର ସମ୍ଭାଜୀ ଏବଂ ତିନୋଟି କନ୍ୟା ସଖୁବାଇ,ରାନୁବାଇ,ଅମ୍ବିକାବାଇ ଜନ୍ମ ହୋଇଥିଲେ । ସୋୟାରବାଇଙ୍କ ଠାରୁ ତାଙ୍କର ଗୋଟିଏ ପୁତ୍ର ରାଜାରାମ ଏବଂ ଦୀପାବାଇ ନାମରେ କନ୍ୟା ଜନ୍ମଗ୍ରହଣ କରିଥିଲେ । ସଗୁଣ ବାଇଙ୍କଠାରୁ ତାଙ୍କର ରାଜକୁଅଁର ବାଇ ନାମରେ ଏବଂ କମଳାବାଇ ନାମରେ ଝିଅ ଦ୍ୱୟ ଜନ୍ମଗ୍ରହଣ କରିଥିଲେ । ୩ ଅପ୍ରେଲ ୧୬୮୦ (ଚୈତ୍ର ଶୁକ୍ଳ ପଞ୍ଚମୀ)ରେ ତାଙ୍କର ପରଲୋକ ହୋଇଥିଲା ।
ଶିବାଜୀଙ୍କ ନେତୃତ୍ୱରେ ମରାଠା ସାମ୍ରାଜ୍ୟ ଅନେକ ଦିଗରେ ପରିବ୍ୟାପ୍ତ ଭୌଗୋଳିକ ପରୀସିମା ଅକ୍ତିଆର କରିଥିଲା । ଦକ୍ଷିଣରେ ଅଧୁନା ତାମିଲନାଡୁଠାରୁ ଉତ୍ତରରେ ସତଲେଜ ନଦୀ (ଆଧୁନିକ ପଞ୍ଜାବ, ହିମାଚଳ ପ୍ରଦେଶ, ପାକିସ୍ଥାନ ଦେଇ ପ୍ରବାହିତ) ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଭାରତର କିଛି ଉତ୍ତର ପଶ୍ଚିମ ରାଜ୍ୟ ତଥା ଓଡ଼ିଶା ମଧ୍ୟ ସେ ଅକ୍ତିଆର କରିଥିଲେ । ସେ ତିନୋଟି ଐଶୀ ଗୁଣରେ ସମ୍ପର୍ଣ୍ଣ ଖଣ୍ତା ବ୍ୟବହାର କରୁଥିଲେ ଯାହାର ନାମ ହେଲା ତୁଲଜା, ଭବାନୀ ଏବଂ ଜଗଦମ୍ବା । ଏଥିମଧ୍ୟରୁ ଜଗଦମ୍ବା ନାମକ ଖଣ୍ତାଟି ତାଙ୍କ ତପସ୍ୟାରେ ପ୍ରୀତଃ ହେଇ ଦେବୀ ଦୁର୍ଗା ପ୍ରଦାନ କରିଥିବାର କିମ୍ବଦନ୍ତୀ ରହିଅଛି, ଯେଉଁ ନିମନ୍ତେ ସେ ଅଜୟ ଥିଲେ ।
ଆମେ ଛତ୍ରପତି ଶିବାଜୀଙ୍କ ରାଜ୍ୟ ଜୟ ଏବଂ ଆନୁସଙ୍ଗିକ ବିଧିବ୍ୟବସ୍ଥାକୁ ଯଦି ଜାଣିବା ତେବେ ଆମେ ଜାଣିପାରିବା କେଉଁସବୁ ସାମାଜିକ ଏବଂ ରାଜନୈତିକ ପ୍ରଭାବ ପଡ଼ିଥିଲା । ସେଥିର ମୁଖ୍ୟ ବିଭବଗୁଡ଼ିକ ହେଲା ମହିଳାଙ୍କ ସୁରକ୍ଷା, ମୂସଲିମଙ୍କ ସହ ଉତ୍ତମ ବ୍ୟବହାର , ନିର୍ଭିକ ରାଜ୍ୟ ପରିଚାଳନା ଏବଂ ପ୍ରକୃଷ୍ଟ ପ୍ରଶାସନିକ ବ୍ୟବସ୍ଥା । ତେବେ ସେହି ବିଷୟ ଅବଗତ ହେବା ନିମିତ୍ତ ଶିବାଜୀଙ୍କ ଜନ୍ମ ପରର ବୃତ୍ତାନ୍ତରୁ ଆଲୋଚନା ପ୍ରାରମ୍ଭ କରିବା ।
ଭାରତରେ ଶାସନ କରିଛନ୍ତି ଅନେକ ଶାସକ, କିନ୍ତୁ ଶିବାଜୀ ମହାରାଜଙ୍କ ନାମ ଶୁଣିଲେ ଆଜିବି ଆମ ଲୋମକୂପରେ ଶୀହରଣ ଖେଳିଯାଏ । ଆଜି ବି ମହାରାଷ୍ଟ୍ରର ଅନେକ ସ୍ଥାନରେ ତାଙ୍କୁ ପୂଜା କରାଯାଏ । ଜୀଜାବାଇ ଏବଂ ଶାହାଜୀଙ୍କ ସନ୍ତାନ ଥିଲେ ଶିବାଜୀ ଯାହା ଆମେ ଆଗରୁ ଆଲୋଚନା କରିସାରିଛେ । ତାଙ୍କ ପିତା ମୋଗଲ୍ ସାମ୍ରାଜ୍ୟର ଦକ୍ଷିଣ ଭାଗର ସୁଲତାନ ଆଦିଲ୍ ଶାହାଙ୍କ ଅଧିନରେ କାର୍ଯ୍ୟ କରୁଥିଲେ । ଶିବାଜୀଙ୍କ ଜନ୍ମର କିଛି ବର୍ଷ ପରେ ତାଙ୍କ ବାପା ଶାହାଜୀ ଦ୍ୱିତୀୟ ବିବାହ କରିଥିଲେ ଏବଂ ଜୀଜାବାଇ ଏବଂ ତାଙ୍କୁ ଜଣେ ବ୍ରାହ୍ମଣ ଯାହାଙ୍କ ନାମଥିଲା, ଦାଦାଜୀ ଖଣ୍ତଦେୱ, ତାଙ୍କ ତତ୍ତ୍ୱାବଧାନରେ ଅନ୍ୟସ୍ଥାନରେ ଛାଡ଼ି ଦେଇଥିଲେ । ଜୀଜାବାଇ ଯିଏକି ସ୍ୱାମୀଙ୍କ ଦ୍ୱାରା ଅବହେଳିତ ହେଇଥିଲେ କିନ୍ତୁ ମାନସିକ ସ୍ତରରେ ବହୁତ ଉନ୍ନତ ତଥା ଧାର୍ମିକ ଏବଂ ସାହାସୀ ଥିଲେ । ସେ ନିଜ ଶିଶୁକୁ ବୀରତ୍ତ୍ୱ ଏବଂ ଆଧ୍ୟାତ୍ମିକତାର କାହାଣୀ ସବୁ ଶ୍ରବଣ କରେଇ ଜଣେ ନୀତିବାନ ମନୁଷ୍ୟ ଭାବେ ଗଢିଥିଲେ । ଏହି ସନ୍ଦର୍ଭରେ ମହାଦେବ ଗୋବିନ୍ଦ ରାଣାଡ଼େଙ୍କ ଗୋଟିଏ ଉକ୍ତି ଶିବାଜୀଙ୍କ ଉପଖ୍ୟାନ ଲେଖିବା ସମୟରୁ ଉଦ୍ଧାର କରାଯାଇପାରେ, “ଶିବାଜୀଙ୍କ ସମୁନ୍ନତ ଭବିଷ୍ୟତ ଗଠନରେ ଜୀଜାବାଇଙ୍କ ଏକ ପ୍ରମୁଖ ଭୂମିକା ରହିଥିଲା ।” ଶିବାଜୀଙ୍କ ଆନୁଷ୍ଠାନିକ ଶିକ୍ଷା ସମ୍ବନ୍ଧରେ ଇତିହାସ ଯଦିଓ ନିରବ କିନ୍ତୁ ତାଙ୍କୁ ସାହାସୀ ଏବଂ ଦୁର୍ଦ୍ଦଶ କରିଗଢି ତୋଳିବାରେ ଏହି କାରଣଟି ଗୁରୁତ୍ତ୍ୱପୂର୍ଣ୍ଣ ମନେହୁଏ । ତତ୍କାଳୀନ ଭାରତର ଶାସକ ମୋଗଲ୍ ଏବଂ ଆଫଗାନ ମାନଙ୍କୁ ସେ ବିଦେଶୀ ଭାବେ ଅଭିହିତ କରିଥିଲେ । ସେ ନିଜ ଅଦମ୍ୟ ସାହସରେ ଦେଶକୁ ବିଦେଶୀ ଆକ୍ରମଣକାରୀଙ୍କ କବଳରୁ ମୁକ୍ତ କରିବକୁ ପ୍ରାଣପଣେ ଉଦ୍ୟମ କରିଥିଲେ । ଜଣେ ରାଜା ପାଖକୁ ଆସୁଥିବା କ୍ଷମତା ଏବଂ ଅର୍ଥପ୍ରତି ସେ ଜମାରୁ ଲାଳାୟିତ ନଥିଲେ; ସେ କେବଳ ଚାହୁଁଥିଲେ ସ୍ୱରାଜ ଏବଂ ନିଜ ଦେଶରେ ନାଗରିକ ଖରାପ ବ୍ୟବହାର ପାଆନ୍ତୁ ନାହିଁ । ଯଦିଓ ଶିବଜୀଙ୍କ ପିତା ସେଠି କାର୍ଯ୍ୟ କରୁଥିଲେ କିନ୍ତୁ ମାତ୍ର ୧୫ ବର୍ଷ ବୟସରେ ସେ ଦାକ୍ଷିଣାତ୍ୟର ସୁଲତାନଙ୍କ କବଳରୁ ଗୋଟିଏ ଦୁର୍ଗ ବାହୁବଳରେ ଅକ୍ତିଆର କରିନେଇଥିଲେ । ଏହା ପରେପରେ ସେ ନିଜ ପରାକ୍ରମ ବଳରେ ରାଜଖର ନାମକ ସ୍ଥାନ ଗୋଟିଏ ଦୁର୍ଗ ନିର୍ମାଣ କରିଥିଲେ । କାଳକ୍ରମେ ଗୋଟିଏ ପରେ ଗୋଟିଏ ଦୁର୍ଗ ମୋଗଲଙ୍କ କବଳରୁ ଛଡ଼େଇ ନେଇଥିଲେ । ଶିବାଜୀଙ୍କ ଏହିଭଳି ପରାକ୍ରମକୁ ରୋକିବା ନିମନ୍ତେ ଆଦିଲ ଶାହା ତାଙ୍କ ପିତାଙ୍କୁ ୬ ବର୍ଷ ଧରି ବନ୍ଦୀ କରି ରଖିଲେ । ଏହି ଘଟଣା ପରେ ଶିବାଜୀଙ୍କ ପିତାଙ୍କୁ ଗୋଟିଏ ସର୍ତ୍ତ ଛାଡ଼ିବାକୁ ସେ ରାଜି ହୋଇଥିଲେ । ସେୟା ଥିଲା ଶିବାଜୀଙ୍କ ଦାକ୍ଷିଣାତ୍ୟର ସୁଲତାନ ଏବଂ ସାମ୍ରାଜ୍ୟ ପ୍ରତି ଉତ୍ତମ ବ୍ୟବହାର । ଯଦିଓ ଆଦିଲ ଶାହାଙ୍କ କବଳରୁ ନିଜ ପିତାଙ୍କୁ ମୁକ୍ତି ନିମନ୍ତେ ସେ ବାହାର ଦେଖାଣିଆ ଭାବରେ ନିରବ ରହିଲେ କିନ୍ତୁ ଏତିକି ସମୟ ମଧ୍ୟରେ ସେ ଅର୍ଜିଥିବା ଦୁର୍ଗରେ ସୈନ୍ୟସାମନ୍ତଙ୍କୁ ସଜ୍ଜିତ କରି ସୁଶୃଙ୍ଖଳିତ ସେନାବାହିନୀ ଗଠନ କରିଥିଲେ । ପରିମାଣ ସ୍ୱଋପ ୧୬୫୭ ରେ ଔରଙ୍ଗଜେବ୍ ଙ୍କ ସହ ଯୁଦ୍ଧ ହେଇଥିଲା । ଯଦିଓ ଶିବାଜୀ ଏଥିରେ ହାରିଗଲେ କିନ୍ତୁ ନିଜ ଦୁର୍ବଳ ଉତ୍ତରାଧିକାରୀଙ୍କ ଷଡ଼ଯନ୍ତ୍ରରେ ଗୃହଯୁଦ୍ଧ ସମାପ୍ତ କରୁ କରୁ ଔରାଙ୍ଗଜେବ୍ ଆଉ ଦାକ୍ଷିଣାତ୍ୟ ଆଡ଼କୁ ଦୃଷ୍ଟି ନିକ୍ଷେପ କରିପାରିଲେ ନାହିଁ । ଶିବାଜୀ କୌଶଳକ୍ରମେ ସେଥିରୁ ଖସିଯାଇଥିଲେ । ଜନ୍ମଦିନ ଉପଲକ୍ଷେ ବଣ୍ଟନ ହେବା ନିମନ୍ତେ ଆସିଥିବା ଲଡୁ କୁଣ୍ଢିରେ ଲୁଚିକି ସେ ଖସି ଆସିଥିବାର କାହାଣୀ ଶୁଣିବାକୁ ମିଳେ । ଅପରପକ୍ଷରେ କିନ୍ତୁ ଆଦିଲ ଶାହାଙ୍କୁ ଶିବାଜୀଙ୍କ ଉପରେ ନଜର ରଖିବାକୁ ଆଦେଶ ମିଳିଥିଲା । ଆଦିଲ ଶାହା ନିଜର ପରାକ୍ରମୀ ସେନାପତୀ ଅଫଜଲ୍ ଖାଁ ଙ୍କୁ ଏଥିନିମନ୍ତେ ଆଦେଶ ଦେଇଥିଲେ । ଆଫଜଲ ଖାଁ ଶିବାଜୀଙ୍କୁ ଜୀବିତ ଅବା ମୃତ ଧରିବା ନିମନ୍ତେ ପୁରସ୍କାର ମାନ ଘୋଷଣା ସହ କଳ ବଳ କୌଶଳ ସବୁ ଲଗେଇ ଦେଇଥିଲେ । ଶିବାଜୀ ଯେତେବେଳେ କୌଣସି ଉପାୟରେ ଧରାପଡ଼ିଲେ ନାହିଁ ତେବେ ସେ କୁଟନୀତି ସର୍ଜନା କଲେ । ଏକ ବିରାଟ ଯଜ୍ଞ ତଥା ଧାର୍ମିକ ସଭାରେ ଯୋଗଦାନ ନିମିତ୍ତ ଜଣେ ମରାଠା ବ୍ରାହ୍ମଣ କ୍ରୀଷ୍ଣାଜୀ ଭାଷ୍କରଙ୍କ ହାତରେ ନିମନ୍ତ୍ରଣ ପଠେଇଲେ । କିନ୍ତୁ ଶିବାଜୀ ତାଙ୍କୁ ଧର୍ମର ଦ୍ୱାହି ଦେଲେ ଏବଂ ପ୍ରକୃତ ସତ୍ୟ କଣ ଜାଣିବାକୁ ଚାହିଁଲେ । ଦୂତର କର୍ତ୍ତବ୍ୟ କରିବା ସହ ସେ ଷଡଯନ୍ତ୍ର ସମ୍ପର୍କରେ ଆଭାଷ ଦେଲେ । ଶିବାଜୀ ଯିଏ ନିଜ ବିରତ୍ୱ ଏବଂ ସାହାସ ନିମନ୍ତେ ପ୍ରସିଦ୍ଧି ଅର୍ଜନ କରିଥିଲେ, ସେ ଜାଣିଥିଲେ ତାଙ୍କ ସହ କିଛି ବି ହେଇପାରେ କିନ୍ତୁ ସେ ପଛଘୁଞ୍ଚା ଦେଲେ ନାହିଁ । ଯଦିଓ ସେ ସାଧାରଣ ପରିପାଟିରେ ସଜ୍ଜିତ ଥିଲେ କିନ୍ତୁ ସେ ବାଘନଖ ସହ ଜାଗ୍ରତ ଥିଲେ । ଆଫଜଲ ଖାଁ ଶିବାଜୀଙ୍କ ତୁଳନାରେ ବହୁତ ଲମ୍ବା ଏବଂ ମୋଟା ଥିଲେ । ଶିବାଜୀଙ୍କୁ ଦେଖନ୍ତେ ସେ ନିଜ ହତିଆର ରେ ତାଙ୍କ ଗ୍ରୀବାଦେଶକୁ ପ୍ରହାର ଉଦ୍ୟମ କରନ୍ତେ ଶିବାଜୀ ନିଜକୁ ସୁରକ୍ଷିତ କରିବା ସହ ବାଘନଖ ସହାୟତାରେ ତାଙ୍କୁ ଅଚିରେ ହତ୍ୟା କରିଦେଲେ । ଶିବାଜୀଙ୍କ ସହ ଛଦ୍ମବେଶ ରେ ଥିବା ପ୍ରଧାନ ସୈନିକଙ୍କ ସହାୟତାରେ ସେହିଦିନ ବିଜାପୁର ଦୁର୍ଗ ଅକ୍ତିଆର ହେଇଥିବା ଦୁର୍ଦ୍ଦଷ ଆଫଜଲକୁ ହତ୍ୟା କରି । ଏଥିସହ ମରାଠା ସାମ୍ରାଜ୍ୟର ବିଜୟ ବୈଜୟନ୍ତି ଚତୁର୍ଦ୍ଦିଗରେ ବିସ୍ତାର ହେଲା । ବିଜୟର ଏମିତି ଅନେକ କାହାଣୀ ରହିଛି ଯାହା ବର୍ଣ୍ଣନା କଲେ ସମୟ ସରିଆସିବ କିନ୍ତୁ ସେ ଦୁର୍ବଳ ମୂହୂର୍ତ୍ତ ମାନଙ୍କରେ ନୀତିବାନ୍ ହେବା ଏବଂ ମାନବୀୟ ମୂଲ୍ୟବୋଧକୁ ସମ୍ମାନ ଦେବା ନ୍ୟାୟରେ ଅନ୍ୟ ନରପତିଙ୍କ ଠାରୁ ବାରି ହେଇପଡୁଥିଲେ । ସୈନିକ ମାନଙ୍କ ନିମନ୍ତେ ମଧ୍ୟ ସେ ନିୟମ ବନେଇଥିଲେ ଯଦ୍ୱାରା ସେମାନଙ୍କ ମଧ୍ୟ ନିତିନିୟମ ଏବଂ ମାନବୀୟ ମୂଲ୍ୟବୋଧ ଅପରିବର୍ତ୍ତିତ ରହୁଥିଲା । ନାରୀଙ୍କୁ ଯଦି କୌଣସି ସୈନିକ ଖରାପ ବ୍ୟବହାର କରୁଥିଲେ ତେବେ ସେମାନଙ୍କର ମୁଣ୍ତକାଟ ହେବାର ବ୍ୟବସ୍ଥା ଥିଲା । ତାଙ୍କ ସୈନ୍ୟବାହିନୀରେ ସମସ୍ତ ଜାତିର ଲୋକ ରହୁଥିଲେ , ଏଭଳିକି ଅନେକ ମୁସଲିମ୍ ମଧ୍ୟ ତାଙ୍କ ସେନାବାହୀନିରେ ଉଚ୍ଚ ପଦବୀରେ ରହିଥିଲେ । ଶତ୍ରୁ ଦଳରେ ଧରାପଡିଥିବା ମୁସଲିମ୍ ପୁରୁଷ ଏବଂ ସେମାନଙ୍କ ପରିଜନଙ୍କୁ ଉପଯୁକ୍ତ ବ୍ୟବହାର ପରିବେଷଣ କରୁଥିଲେ ; କିନ୍ତୁ ସେୟା ହିନ୍ଦୁଙ୍କ ନିମନ୍ତେ ମୂସଲିମ୍ ଶାସକଙ୍କଦ୍ୱାରା କରା ଯାଉନଥିଲା । ଏଥିଯୋଗୁଁ ସେ ମୂସଲିମଙ୍କ ମଧ୍ୟରେ ଜହ୍ନମାମୁଁ ହେଇପାରିଥିଲେ । ତାଙ୍କ ସାମ୍ରାଜ୍ୟରେ ମିଶୁଥିବା ଅଞ୍ଚଳର ଭୌଗୋଳିକ ପରିସୀମା କେବଳ ନୁହଁ ସ୍ୱଇଚ୍ଛାରେ ନାଗରିକ ଗଣ ମଧ୍ୟ ତାଙ୍କର ବଶ୍ୟତା ସ୍ୱୀକାର କରୁଥିଲେ । ଶିବାଜୀଙ୍କ ପରାକ୍ରମରେ ପ୍ରଭାବିତ ହୋଇ ଦେଶୀୟ ରାଜାଗଣ ବିଦେଶୀ ଶାସନରୁ ମୁକ୍ତ ନିମନ୍ତେ ନିଜ ନିଜ ସ୍ତରରେ ଉଦ୍ୟମ ଜାରି ରଖିଲେ, ଯାହାଥିଲା ଭାରତ ନିମିତ୍ତ ସର୍ବଶ୍ରେଷ୍ଠ ରାଜନୈତିକ ଉପଲବ୍ଧି ।
ମହିଳାଙ୍କ ସୁରକ୍ଷା ପ୍ରତି ସେ ବିଶେଷ ଭାବେ ସଚେତନ ଥିଲେ । ଯୁଦ୍ଧରେ ଜୟପରେ ପରାଜିତ ସାମ୍ରାଜ୍ୟର ମହିଳାଙ୍କ ଆତ୍ମସମ୍ମାନ ଯେପରି ହାନି ନହେବ ସେଥିପ୍ରତି ସଚେତନ ରହିବାକୁ ନେ ନିଜ ଅନୁଗାମୀ ମାନଙ୍କୁ କହୁଥିଲେ ଏବଂ ତାହାର ନୀରିକ୍ଷଣ ନିଜେ କରୁଥିଲେ । ମହିଳାଙ୍କୁ ନିଜ ମାତା ଭଳି ସମ୍ମାନ ପ୍ରଦର୍ଶନ କରିବାକୁ କଠୋର ଆଦେଶ ଦେଇଥିଲେ ଏବଂ ବିରୋଧାଭାସ ସ୍ଥଳେ ଉଚିତ ଶାସ୍ତିବିଧାନ କରୁଥିଲେ । ଥରେ ସେ ଶୁଣିବାକୁ ପାଇଲେ ନିଜ ସାମ୍ରାଜ୍ୟର ଜଣେ ବୃଦ୍ଧ ମୁଖିଆ ଜଣେ କନ୍ୟା ସହ ଦୁଷ୍କର୍ମ କରିଛନ୍ତି; ସେ ତତକ୍ଷଣାତ ଆଦେଶ ଦେଲେ ସଂପୃକ୍ତ ବ୍ୟକ୍ତିର ଗୋଡ଼ ଏବଂ ହାତ କାଟିଦେବା ନିମିତ୍ତ । ସେହି ଦଣ୍ତବିଧାନ ତାଙ୍କ ସାମ୍ରାଜ୍ୟରେ ନ୍ୟାୟର ଅଘୋଷିତ ରାଷ୍ଟ୍ରଦୂତ ହେଇପାରିଥିଲା । ପରାଧିନ ଭାରତରେ ଆମେ ଶୁଣିବାକୁ ପାଉଛେ ଡିସେମ୍ବର ୪, ୧୮୨୯ ରେ ଲର୍ଡ଼ ଉଇଲିଅୟମ୍ ବେଣ୍ଟିକ୍ ସତୀଦାହ ପ୍ରଥା ବନ୍ଦ କରେଇଥିଲେ, କିନ୍ତୁ ଏହାର ବହୂ ପୂର୍ବରୁ ଶିବାଜୀଙ୍କ ଶାସନରେ ସେୟା ଦେଖିବାକୁ ମିଳିଥିଲା । ପ୍ରଥମତଃ ସେ ନିଜ ପିତାଙ୍କ ଦେହାନ୍ତ ରେ ନିଜ ମାତାଙ୍କୁ ସେହି ଘୃଣ୍ୟ କାର୍ଯ୍ୟରୁ ବିରତ ରଖିବା ସହ ସାମ୍ରାଜ୍ୟରେ ସେହି ଆଦେଶ ପାଳନ ଘୋଷଣା କରିଥିଲେ । ରାଜକାର୍ଯ୍ୟରେ ମହିଳାଙ୍କୁ ଯୋଗଦାନ କରିବା ଉଦ୍ଦେଶ୍ୟରେ ସେ ମହିଳା ପଞ୍ଚାୟତ ରଖିଥିଲେ । ସମସ୍ତ ମହିଳାଙ୍କ ଅଳି ଅର୍ଦ୍ଦଳି ସେଠି ଶୁଣାଯାଉଥିଲେ ।
ଶିବାଜୀ ସମସ୍ତ ଧର୍ମ ପ୍ରତି ସଦୟ ହେବା ନିମିତ୍ତ ଆଦେଶ ଦେଇଥିଲେ । ହିନ୍ଦୁ ଧର୍ମର ସନ୍ଥଙ୍କୁ ସେ ଆଦର କରିବା ସହ ଅନେକ ମୁସଲିମ ସାଧୁସନ୍ଥଙ୍କୁ ସମ୍ମାନିତ କରୁଥିଲେ । କୌଣସି ସାମ୍ରାଜ୍ୟ ଲୁଣ୍ଠନ ସମୟରେ ମସଜିଦ୍ ଏବଂ ମନ୍ଦିର ମାନଙ୍କୁ ସେଥିରୁ ବାଦ ଦେବାକୁ କହିଥିଲେ । ସମସ୍ତ ଧର୍ମର ଧର୍ମଗ୍ରନ୍ଥକୁ ମଧ୍ୟ ସେ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରୁଥିଲେ । ଧାର୍ମିକ ପକ୍ଷ୍ୟପାତ ଛାଡ଼ି ସମସ୍ତ ଧର୍ମାନୁଷ୍ଠାନ ମାନଙ୍କର ପରିଚାଳନା ନିମନ୍ତେ ସେ ଅନେକ ନିଷ୍କର ଭୂମି ଦାନ ଦେଇଥିଲେ । ସୁରତ ଜୟ ସମୟରେ ଖ୍ରୀଷ୍ଟିୟାନ ମାନଙ୍କୁ ମଧ୍ୟ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିଥିଲେ । ଧାର୍ମିକ ବିଦ୍ୱେଷର ହୀନ ରାଜନୀତି ନଖେଳିବା ନିମନ୍ତେ ସେ ଆଦେଶ ଦେଇଥିଲେ । ତାଙ୍କ ଜଳବାହିନୀର ମୁଖ୍ୟ ଥିଲେ ଦୌଲତ ଖାନ୍ ଏବଂ ପଦାତିକ ବାହିନୀର ମୁଖିଆ ଥିଲେ ଇବ୍ରାହିମ୍ ଖାଁ । ଧର୍ମ ମନୁଷ୍ୟକୁ ଧାରଣ କରେ ଏବଂ ଧାର୍ମକି ଉଦାର ନୀତି ବଳରେ ଶିବାଜୀଙ୍କୁ ସମସ୍ତ ଧର୍ମର ପ୍ରଜା ସମ୍ମାନ ଜଣେଇଥିଲେ ଯାହା ରାଜନୈତିକ ଏକତା ଆଡ଼କୁ ବାଟ କଢେଇ ନେବା ସହ ଏକ ସୁସ୍ଥ ପରମ୍ପରାର ବିକାଶ କରେଇଥିଲା ।
ଶାସନ କାର୍ଯ୍ୟରେ ସେ ଆଠ ଜଣ ମନ୍ତ୍ରୀଙ୍କ ପରାମର୍ଶ ଗ୍ରହଣ କରୁଥିଲେ ଯାହାଙ୍କୁ ଅଷ୍ଟପ୍ରଧାନ କୁହାଯାଉଥିଲା । ଜମିମାନଙ୍କର ସେ ମାପ କରେଇଥିଲେ । ଭୂରାଜସ୍ୱ ଛଡ଼ା ସେ ଚୌଥ ଓ ସରଦେଶମୁଖୀ ନାମକ ଦୁଇଟି କର ଆଦାୟ କରୁଥିଲେ । ତାଙ୍କର ସୈନ୍ୟବାହିନୀ ସୁଶୃଙ୍ଖଳିତ ଓ ସୁସଙ୍ଗଠିତ ଥିଲା । ଯୁଦ୍ଧ ଯାତ୍ରାବେଳେ ସାଧାରଣ ନାଗରିକଙ୍କ ଉପରେ ଅତ୍ୟାଚାର ଓ ଶସ୍ୟକ୍ଷେତ୍ର ନଷ୍ଟ ନକରିବା ପାଇଁ ସେ କଡ଼ା ନିର୍ଦ୍ଦେଶ ଦେଇଥିଲେ, ଯାହା ମୋଗଲମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁନଥିଲା ।
କୁହାଯାଏ ଆକବରଙ୍କ ହିନ୍ଦୁଙ୍କ ପ୍ରତି ସଦୟ ହେବା ଭାରତରେ ମୁସଲିମଙ୍କ ଶାସନକୁ ନୈତିକ ସ୍ୱୀକୃତି ଦେଇଥିଲା; ଅନୂରୁପ ଶୈଳୀରେ ଶିବାଜୀ ତାଙ୍କ ସାମ୍ରାଜ୍ୟ ତଥା ଅକ୍ତିଆର କରିବାକୁ ଯାଉଥିବା ଅଖଣ୍ତ ଭାରତରେ ସେୟା ପ୍ରାପ୍ତ ହେବାକୁ ଚାହୁଁଥିଲେ । ଏହି ସବୁ ଗୁଣ ତାଙ୍କୁ ଅନ୍ୟ ଶାସକଙ୍କ ଠାରୁ ଅଲଗା କରିଥିଲା ତଥା ଅଘୋଷିତ ରାଜନୈତିକ ଏବଂ ସାମାଜିକ ସଂସ୍କାର ସବୁ ଆଣିଥିଲା ।
ଜୟପୁର, ମୋ – ୯୦୭୮୮୩୮୬୨୭
ଲେଖକ ପରିଚୟ
ନବମ ଶ୍ରେଣୀ ପଢିଲା ସମୟରେ କବିତାରୁ ନିଜର ସାରସ୍ୱତ ଯାତ୍ରା ପ୍ରାରମ୍ଭ କରିଥିଲେ । ଅର୍ଥଶାସ୍ତ୍ର, ଲୋକ ପ୍ରଶାସନ, ସମାଜ ଶାସ୍ତ୍ର, ସାମ୍ବାଦିକତା ଏବଂ ଗଣଯୋଗାଯୋଗରେ ସ୍ନାତକୋତ୍ତର ହାସଲ କରିଥିବା ଶ୍ରୀ ତ୍ରିପାଠୀ ଆଦିବାସୀ ଅଧ୍ୟୟନରେ ବିଦ୍ୟାନିଶାନ୍ତ ହାସଲ କରିଅଛନ୍ତି । ସାମ୍ପ୍ରତିକ ବିଷୟକୁ ନେଇ ରାଜ୍ୟର ବିଭିନ୍ନ ଖବରକାଗଜରେ ସ୍ତମ୍ଭ, ଗଳ୍ପ ତଥା କବିତାମାନ ଲେଖନ୍ତି । ଓଡ଼ିଆ ଏବଂ ଇଂରାଜୀ ମିଶାଇ ୩ ଟି ପୁସ୍ତକ ପ୍ରକାଶିତ ହୋଇ ସାରିଥିବାବେଳେ ନିକଟରେ ତାଙ୍କର ଆଉଏକ ପୁସ୍ତକ “ସ୍ମୃତି ଓ ବିସ୍ମୃତି” ପ୍ରକାଶିତ ହୋଇଯାଇଛି ।