ବିନୟ ମହାପାତ୍ର

ମନକୁ ବୁଝାଇଦେଲି,
ଏ ପଞ୍ଜୁରୀ ତୋ ପାଇଁ
ସବୁଠାରୁ ନିରାପଦ ।
ଏଠି ନାହିଁ ବାହାରର ହେମାଳ ପବନ
ଅବା ବୈଶାଖର ଦେହଜଳା ଖରା,
ନା ଅଛି ଆଷାଢ଼ର ବଜ୍ର ବିଜୁଳି ଅବା
ଶ୍ରାବଣର ଅବିରତ ଧାରା ।

ଏଠି କେବଳ ଶାନ୍ତି ଆଉ ଶାନ୍ତି,
ନିରାପଦ ଅଭୟ ଚାନ୍ଦୁଆ,
ଆତ୍ମାର ଗଳା ଚିପି
ନିଜ ଅସ୍ମିତାର ସମର୍ପଣ କରିଦେଲେ
ତୋ ପାଇଁ ରାଜଭୋଗ ଥୁଆ ।

ମନ ମୋର ବୁଝିଗଲା
ସୁନା ପିଲାଟିଏ ପରି,
ପଞ୍ଜୁରୀ ଭିତରେ ଥାଇ
ବିନା ମାଗେ ଦାନା ଖାଇବାର
ମଜା ଜାଣିଗଲା,
ବସି ଖାଇ, ଶୋଇ ଦିନ କାଟୁଥିଲା ।

ହେଲେ, ତଥାପି ପାରୁନି ଭୁଲି,
ବାହାରର ସେଇ,
ଶାନ୍ତ ସୁନୀଳ ଆକାଶ,
ସୂର୍ଯ୍ୟର ନିର୍ମଳ ପ୍ରକାଶ,
ଶସ୍ୟଶ୍ୟାମଳା ବିସ୍ତୀର୍ଣ୍ଣ ପ୍ରାନ୍ତର
ସତେ କେତେ ମନେ ପଡୁଥିଲା ।

ପଞ୍ଜୁରୀ ବାହାରେ ଜୀବନ
ନିସ୍ୱତାରେ ଭରି ରହିଥିଲା,
ଖାଇବାକୁ ଦାନା ନାହିଁ
ନିଜର ସାମର୍ଥ୍ୟ ବଳେ
ଦାନା ପାଇବାର ସାଧନ ବି ନାହିଁ,
ଉଡ଼ିବାର ସାମର୍ଥ୍ୟ ଥାଇ ବି
ସେ ଅଥର୍ବ ପାଲଟିଗଲା,
ଦାନା ଲୋଭେ,
ସତ୍ତାଲୋଭୀ ଶାସକର,
ଚାଟୁକାର ହୋଇଗଲା ।

ତଥାପି, ସ୍ଵାଭିମାନୀ ମନ ଚାହେଁ
ସୁନାର ପଞ୍ଜୁରୀ ଭାଙ୍ଗି,
ଦିଗବଳୟର ଏ ପାରିରୁ ସେ ପାରିକୁ
ଅନନ୍ତ ଆକାଶେ ବିନ୍ଦାସ ଉଡ଼ିବ,
ହେଲେ, ବୃଥା ଏ କଳ୍ପନା
ମନ ଏବେ,
ମାଲିକର ପୋଷା ମାନି ଯାଇଛି,
ମାଗଣାରେ ଖାଇବାର ସୁଆଦ ଚାଖୁଛି,
ନିଜ ପାଦେ ଦାସତ୍ୱର ସ୍ୱର୍ଣ୍ଣ ଶିଙ୍କୁଳି
ନିଜେ, ନିଜ ହାତେ ସ୍ୱଇଚ୍ଛାରେ ବାନ୍ଧିଛି ।

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

Related Posts

Leave a Reply

Your email address will not be published. Required fields are marked *