ବିଶ୍ୱେଶ୍ୱର ମାଝୀ
ବଳଭଦ୍ର କହୁଛନ୍ତି ଜଗା ଆଡ଼େ ଚାହିଁ
ଆସିଗଲା ଝାଞ୍ଜି ଖରା କି କରିବା ଭାଇ !
ଜଗନ୍ନାଥ ମୃଦୁ ହସି ବୋଲନ୍ତି ଉଦନ୍ତ
ପଖାଳ ମହିମା ଶୁଣ ଭାଇ ବଳବନ୍ତ ।
ଶୀତ ଉଷାରେ ଗାଧୁଆ ଗ୍ରୀଷ୍ମେ ନିଆଁମଡ଼ା
ବର୍ଷାରେ ରଜ ଶୀତଳ ଗୁଣ୍ଡିଚା ବାହୁଡ଼ା ।
ଶୀତଦିନେ କାଞ୍ଜି ଆଉ ଗ୍ରୀଷମେ ଛତୁଆ
ପଣା ପୋଡ଼ପିଠା କରେ ବିଜ୍ଞାନୀ ଓଡ଼ିଆ ।
ଖାଇସାରି ଭାତ ଯାହା ହାଣ୍ଡିରେ ରହିବ
ପେଜ ପାଣିକୁ ତହିଁରେ ଅଳ୍ପ ମିଶାଇବ ।
ସକାଳୁ ପଲମ ଧୀରେ ଟେକିଲେ ଦେଖିବ
ସୁବାସ ତାହାର ଚଉଦିଗ ଚହଟିବ ।
ଇଛାମତେ ଲୁଣ ଦେବ ଲେମ୍ବୁ ତହିଁ ଦଳି
ମାଟି ପଲମରୁ ବସାଦହି ଅଳ୍ପ ଢାଳି ।
ଆମ୍ବକଷି ଋତୁବେଳେ ଭଙ୍ଗା ହୋଇଥିବ
ପୁଦିନା ସାଥିରେ ଲଙ୍କା ଦଳା ନିଶ୍ଚେ ଥିବ ।
ସାଥେ ଥିବ ଚଟଣି ଭରତା ଶାଗ ଭଜା
ବଡ଼ିଚୁରା ଛୁଇଁ ଭଜା କଦଳୀର ମଞ୍ଜା ।
ଦୁଃଖୀର ସାଥିଟି ଲୁଣ, ଲଙ୍କା ଓ ପିଆଜ
ଭାତ ନଷ୍ଟ ହେବନାହିଁ ବାସି ହେଉ ସଜ ।
ଖାଇସାରି ଢକଢକ ପିଇବ ତା’ ପାଣି
ମହାମହୌଷଧି ପରା ଖରାକୁ ତୋରାଣି ।
ବଳକା ରନ୍ଧା ଅତିଥି ଅଭ୍ୟାଗତ ପାଇଁ
ସରଳ ପ୍ରସ୍ତୁତି ଅନ୍ନ ନଷ୍ଟ ଚିନ୍ତା ନାହିଁ ।
ଶୀତଦିନେ ବାଡ଼ି ପଟେ ଖରାପିଠି କରି
ଘରଣୀମାନେ ବସନ୍ତି ପଖାଳ ଆବୋରି ।
କନ୍ୟା ବାହା ହୋଇ ବାପଘରୁ ବିଦାବେଳେ
ମାଆର ତୋରାଣି ଖୁଆ ଝିଅ ମନ ବଳେ ।
ପଖାଳ ପ୍ରକାର ଭେଦ ଚାଇଁ ସଜ ବାସି
ଦହି ପଖାଳ ବା ଘିଅ ପଖାଳ ପରଶି ।
ବିଜ୍ଞାନୀ ଓଡ଼ିଆ ଜାଣେ ଆମ୍ଭ ଚଳଣିରୁ
ପୁଷ୍ପି ବର୍ଦ୍ଧକ ବଞ୍ଚାଏ ପ୍ରଚଣ୍ଡ ଖରାରୁ ।
ବଳରାମ କହୁଛନ୍ତି ବୁଝିଲିରେ ଭାଇ
ଆମ ଶ୍ରୀମନ୍ଦିରେ ଖଞ୍ଜା ନବୁଝିଲି ମୁହିଁ ।
ପଚାରିଲି ବିସ୍ତାରରେ କହିଲୁ ମହିମା
ଓଡ଼ିଆ ବୁଝିଛି ଯହୁଁ ତୋହର ଗାରିମା ।
ଜଗତରେ ଧୀରେଧୀରେ ମହିମା ପ୍ରକାଶ
ବିଂଶ ମାର୍ଚ୍ଚ ବିଶ୍ୱ ପାଳେ ପଖାଳ ଦିବସ ।
ଜଗନ୍ନାଥ କହି ସାରି ମୁରୁକି ହସନ୍ତି
ଶ୍ରୀଲକ୍ଷ୍ମୀ ଦହି ପଖାଳ ବାଢି ଦେଉଥାନ୍ତି ।
ଚନ୍ଦ୍ରଶେଖରପୁର, ଭୁବନେଶ୍ୱର, ମୋ: ୯୧୭୮୪୬୬୧୬୧
ଲେଖକ ପରିଚୟ
ମହାନଦୀ କୂଳରେ ଜନ୍ମ ହେବାର ସୌଭାଗ୍ୟ ପ୍ରକୃତିର ଅପରୂପ ଶୋଭା ଦେଖିବାର ଅନେକ ସୁଯୋଗ ଦେଇଛି । ପେସାରେ ବ୍ୟାଙ୍କର ହେବାର ଦାୟ ମଧ୍ୟରେ ସାହିତ୍ୟକୁ ଜାରି ରଖିଥିଲି । ଛନ୍ଦୋବଦ୍ଧ କବିତା କିଛି ଆମ ମାଟିର, ସଂସ୍କୃତିର ତଥା ଐତିହ୍ୟର ଜୟଗାନ ସହ ଅସ୍ମିତା ସ୍ମରଣ କରିବା ଲକ୍ଷରେ ଲେଖନୀ ଚାଳନା କରେ ।