ପ୍ରଣତୀ ତ୍ରିପାଠୀ

ଏଇ ଫଗୁଣ ଆସିଲେ
ଖୁବ୍ ମନେ ପଡ଼େ …
କ୍ଷେତରେ ବନ୍ୟା ପାଣି ଧସେଇ ପଶିଲା ପରି
ଗଜୁରୁଥିବା ବୟସରେ
ଝଅଟ ଝଅଟ କଅଁଳି ଥିବା ପ୍ରେମ ।

ଏବେ ବି
ଦଶମ ଶ୍ରେଣୀର ସେ ପୁରୁଣା ଅଙ୍କ ବହିର
ପନ୍ଦର ପୃଷ୍ଠାକୁ ଓଲଟେଇଲେ
ଷୋହଳ ପୃଷ୍ଠାର ସାଇତା ହେଇଥାଏ
ଶୁଖିଲା ଗୋଲାପରେ ସେ ହସିଲା ମନ …
ସତେଯେମିତି ଏଇଏଇ ମନ ଦେଇ
ପାଇଚି ଗୋଟେ ମନକୁ ଖୁବ୍ ପାଇଥିବା
ସୁରିଲା ଆଉ ଭାରି ସୁନ୍ଦରିଆ ମନ ।

ସିନ୍ଦୂର ଗାଢ ଲାଲ୍ ହବା –
ଏ ବୟସରେ….
ସିନ୍ଦୂର’ର ଆୟୁଷ ମନାସିବାକୁ
ଖାଲି ପାଦରେ ମନ୍ଦିର ଗଲେ….
ଗୋଇଠି ତଳ ପାଦଟାକୁ ବେଶ୍ ଦରଜ କରେ
କଣ୍ଟେଇ କୋଳି କଣ୍ଟାର ମାଛି ଆଖିଆ ସ୍ଥାନ
ଯୋଉଠି ସେ ବେଳର ଖୁସି ଭୋଗିଥିଲା
କଣ୍ଟାର ଆଘାତକୁ ଫିକର ନକରିବାର ସୁଖଦ ପରିଣାମ ।

ସୁନା ରଙ୍ଗର ସାପ ପରି
ଏ ବୟସଟା ବନ୍ଧନର କାତି ପରେ କାତି
ଛଡ଼େଇଲା ପରେ ବି ….
ତୋଫା ଜହ୍ନରାତି ଭଳି ସ୍ପଷ୍ଟ ଦିଶିଯାଏ
କଙ୍କି ଧରା ବୟସର ଛିଟ ଫ୍ରକ୍ ପିନ୍ଧା ଦିନ… ପାଚିଲା ସଞ୍ଜର ଓଳିତଳ ଗପ…
ପୁଣି ବିଶ୍ୱାସ ଅବିଶ୍ୱାସର ଦେବାଦେବୀ ରାଣ…..
ଆଉ ଫଗୁଣର ଫଗୁ ଖେଳରେ
ପୁଅ ଝିଅ ଫରକ୍ ଭୁଲି ରଙ୍ଗ ମଖା ମେଲଣ ।

( ଏକ ଦୀର୍ଘଶ୍ୱାସ )

ସତରେ …
ସେତେବେଳେ ମନ ଥିଲା ଗୋଟେ ଝିଅ
ମନ ଥିଲା ଗୋଟେ ପୁଅ
ସ୍ପର୍ଶ ଆତୁରା ନଥିଲା ଦେହ
ସ୍ପର୍ଶ କାତର ନଥିଲା ମୋହ
ପ୍ରେମର ପରିସୀମା ପରିଭାଷା ଥିଲା
କେବଳ ହୃଦୟରୁ ହୃଦୟରେ ମଗ୍ନ ।

ଏଇ ଫଗୁଣ ଆସିଲେ
ଖୁବ୍ ମନେପଡ଼େ …
ମନରୁ ମନ ନିସର୍ତ୍ତରେ କଅଁଳିଥିବା ସେ ମନ…
ପୁଣି ମନରୁ ମନରେ ମଉଳି ଯାଇଥିବା
ସେ ପ୍ରେମ…
ଆଉ ସେ ପ୍ରେମର ସ୍ମାରକୀ ପରି ସାଇତା ହେଇ ରହିଥିବା ଏ ମଉଳା ଗୋଲାପର ଚିହ୍ନ ।

ଗୋଠପାଟଣା, ଭୁବନେଶ୍ଵର

ଲେଖକ ପରିଚୟ

ସ୍କୁଲ ପଢିଲାବେଳୁ ହିଁ ଲେଖାଲେଖି କରେ, କିନ୍ତୁ ଚୁପଚାପ, ଅପ୍ରକାଶ୍ୟରେ । କବିତା ଲେଖିବାକୁ ଭାରି ଭଲପାଏ, କିନ୍ତୁ କାହାକୁ ପଢେଇବାକୁ ସାହସ କୁଳେଇ ପାରେନା । ସେହି ଦାୟରେ ତେଣୁ କେବେ କେଉଁଠିକି ପ୍ରକାଶ ପାଇଁ ବି ପଠାଇ ନାହିଁ । ଏବେ ଯେବେ ଫେସବୁକ ପରି ସୋସିଆଲ ମିଡ଼ିଆ ସହିତ ପରିଚୟ ହେଲା ସେତେବେଳେ ଆଶ୍ଵସ୍ତ ହେଲି ଓ ତାକୁ ହିଁ ମାଧ୍ୟମ କରିଦେଲି ନିଜ କବିତା ସବୁକୁ ଲେଖିବାକୁ । ପାଠକ ସ୍ୱୀକୃତି ମିଳେ, ଆହୁରି ଲେଖିବାକୁ ପ୍ରୋତ୍ସାହନ ବି । ଏଯାବତ କୌଣସି ସଂକଳନ ପ୍ରକାଶିତ ହୋଇନାହିଁ ।

Related Posts

Leave a Reply

Your email address will not be published. Required fields are marked *