ଓଡ଼ିଆ ଭାଷାରେ ବିଜ୍ଞାନ କଥା ସାହିତ୍ୟ

ଡ. ମୃଣାଳ ଚାଟାର୍ଜୀ

ବିଜ୍ଞାନ କଥାସାହିତ୍ୟ ଭିତରେ ଦୁଇପ୍ରକାର ଲେଖାକୁ ଆମେ ନେଇପାରିବା । ବିଜ୍ଞାନ-ଭିତ୍ତିକ ଗଳ୍ପ ବା ବିଜ୍ଞାନକଳ୍ପକଥା (ସାଇନ୍ସ ଫିକ୍ସନ) ଏବଂ ଫ୍ୟାଣ୍ଟାସି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ କେବଳ ବିଜ୍ଞାନର ତଥ୍ୟ ଓ ତତ୍ୱକୁ ପରିବେଷଣ କରୁଥିବା ଲେଖାକୁ ବିଜ୍ଞାନ କଥା ସାହିତ୍ୟ ବିଭବରେ ନିଆଯାଇନାହିଁଁ । ତାହା ବିଜ୍ଞାନ ସମ୍ପର୍କୀୟ ବା ବିଜ୍ଞାନ-ଭିତ୍ତିକ ଲେଖା ହୋଇପାରେ, କିନ୍ତୁ ବିଜ୍ଞାନ କଥା ସାହିତ୍ୟ ଆଦୌ ନୁହେଁ ।
ବିଜ୍ଞାନକଳ୍ପକଥା(ସାଇନ୍ସ ଫିକ୍ସନ) ଏବଂ ଫ୍ୟାଣ୍ଟାସି ଏ ଦୁଇଟିକୁ ଅନେକେ ଏକା ଅର୍ଥରେ ଗ୍ରହଣ କରନ୍ତି । କିନ୍ତୁ ଏ ଦୁଇଟି ଏକା ନୁହେଁ । ପ୍ରଖ୍ୟାତ ବିଜ୍ଞାନ-କଥାଶିଳ୍ପୀ ଆଇଜାକ୍ ଆସିମୋଭ ବିଜ୍ଞାନ-ଭିତ୍ତିକ କଥାସାହିତ୍ୟକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି : ଯଥାର୍ଥବାଦୀ ଏବଂ ଅତିଯଥାର୍ଥବାଦୀ । ଯଥାର୍ଥବାଦୀ ଲେଖାର ବିଷୟବସ୍ତୁ ଆମ ବର୍ତ୍ତମାନ କିମ୍ବା ଅତୀତର ଜ୍ଞାନ ପରିବେଶର ପାଖାପାଖି ବିକଶିତ ହୋଇଥାଏ । ଅତିଯଥାର୍ଥବାଦୀ ଲେଖାରେ ଏମିତି ଅଜ୍ଞାତ ପରିବେଶ ବା ଘଟଣା ବର୍ଣ୍ଣିତ ହୁଏ ଯାହା ବିଷୟରେ ଆମର ଜ୍ଞାନ ଅତି ସୀମିତ କିମ୍ବା ନାହିଁ କହିଲେ ଚଳେ । ଉଭୟ ପ୍ରକାରର ଲେଖା ବିଜ୍ଞାନକୁ ଆଧାର କରି ଲେଖା । ଫ୍ୟଣ୍ଟାସି ଶବ୍ଦଟି ଆସିଛି ଗ୍ରୀକ୍ ଶବ୍ଦରୁ, ଯାହାର ଅର୍ଥ ହେଲା- କଳ୍ପନା । ଆଜି ଆମେ ଯେଉଁ ଲେଖାକୁ ଫ୍ୟାଣ୍ଟାସି କହୁଛୁ, ତା ଅର୍ଥ ହେଲା ଏମିତି ଲେଖା ଯାହା ବିଜ୍ଞାନର ନିୟମରେ ସୀମାବଦ୍ଧ ନ ହୋଇ ସମ୍ପୂର୍ଣ୍ଣଭାବେ ଲେଖକର କଳ୍ପନାରେ ସୃଜିତ ହୁଏ ।୧
କିନ୍ତୁ କଳ୍ପବିଜ୍ଞାନ ଫ୍ୟାଣ୍ଟାସିରୁ ଭିନ୍ନ । କଳ୍ପବିଜ୍ଞାନ ବୈଜ୍ଞାନିକ ତତ୍ତ୍ବ, ତଥ୍ୟ ଓ ସିଦ୍ଧାନ୍ତ ଉପରେ ଆଧାରିତ । ଏଥିରେ ଲେଖକର କଳ୍ପନା ନିଶ୍ଚୟ ପ୍ରସାରିତ ହୋଇପାରେ, କିନ୍ତୁ ସେ କଳ୍ପନା ବିଜ୍ଞାନର ସତ୍ୟକୁ ଅବହେଳା କରି ନଥାଏ ବା ଲଂଘି ନଥାଏ । ଉଦାହରଣ ସୂରୂପ ଯଦି କୌଣସି ଲେଖକ ତାଙ୍କ ଗଳ୍ପନାୟକଙ୍କୁ ବେଲୁନରେ ବସେଇ ଚନ୍ଦ୍ରକୁ ପଠାନ୍ତି ତେବେ ତାହା କଳ୍ପବିଜ୍ଞାନ ହେବ ନାହିଁ, ହେବ ଫ୍ୟାଣ୍ଟାସି । କାରଣ ବେଲୁନରେ ବସି ଚନ୍ଦ୍ରକୁ ଯିବା ସମ୍ଭବ ନୁହେଁ । କିନ୍ତୁ ଲେଖକ ଯଦି ଗଳ୍ପନାୟକଙ୍କୁ ମହାକାଶଯାନରେ ବସେଇ ଚନ୍ଦ୍ରକୁ ପଠାନ୍ତି, ତେବେ ତାହା ହେବ ବିଜ୍ଞାନକଥା ।
ଏବେ ଗୋଟେ ଗଳ୍ପରୁ ଉଦାହରଣ ଦେବା ଯଥାର୍ଥ ହେବ । ପ୍ରସିଦ୍ଧ ବୈଜ୍ଞାନିକ ଓ ବିଜ୍ଞାନ କଥାକାର ଡ. ଜେ.ବି.ନର୍ଲିକର (ସେ ମରାଠୀରେ ଗଳ୍ପ ଲେଖନ୍ତି, ପରେ ବିଭିନ୍ନ ଭାଷାରେ ତାହା ଅନୁଦିତ ହୁଏ) ଗୋଟେ ସୁନ୍ଦର ବିଜ୍ଞାନ-ଗଳ୍ପ ଲେଖିଥିଲେ: ଧୂମକେତୁ । ଗଳ୍ପର କାହାଣୀଟି ଏପ୍ରକାର : ବୈଜ୍ଞାନିକମାନେ ଜାଣିପାରିଲେ ଯେ ଗୋଟେ ବିଶାଳ ଧୂମକେତୁ ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ଧାଇଁ ଆସୁଛି । ଧୁମକେତୁର ଗତିପଥ ଏମିତି ଯେ ପୃଥିବୀ ସହିତ ତାର ସଂଘର୍ଷ ଅନିବାର୍ଯ୍ୟ । ଏ ସଂଘର୍ଷ ହେଲେ ପୃଥିବୀ ପ୍ରାୟ ଧ୍ୱଂସ ହୋଇଯିବ । ସଭ୍ୟତା ନଷ୍ଟ ହୋଇଯିବ । ପୃଥିବୀ ପହଞ୍ଚିଯିବ ସାଢ଼େ ପାଞ୍ଚ କୋଟି ବର୍ଷର ପୁରୁଣା ଡାଇନୋସର ଯୁଗରେ । ବୈଜ୍ଞାନିକମାନଙ୍କ କଥାରେ ସାରା ବିଶ୍ୱରେ ଚହଳ ପଡ଼ିଗଲା । ଲୋକେ ଆତଙ୍କିତ ହୋଇଉଠିଲେ । ପୃଥିବୀକୁ ଏ ସର୍ବନାଶରୁ ବଞ୍ଚାଇବା ପାଇଁ ବୈଜ୍ଞାନିକମାନେ ବିଭିନ୍ନ ଉପାୟ ଚିନ୍ତା କରିବାକୁ ଲାଗିଲେ । ଠିକ୍ କରାଗଲା ଯେ ଧୁମକେତୁ ପୃଥିବୀ ପାଖାପାଖି ପହଞ୍ଚିଲା ମାତ୍ରେ ତାକୁ ବିସ୍ପୋରଣରେ ଉଡ଼େଇ ଦିଆଯିବ । ବହୁ ଜଟିଳ ଯୋଜନା ପରେ ବହୁ ଶ୍ରମରେ ତାହାହିଁ କରାଗଲା । ଧୁମକେତୁକୁ ବିସ୍ପୋରଣରେ ଖଣ୍ଡ ଖଣ୍ଡ କରିଦିଆଗଲା । ଧୁମକେତୁର ବଡ଼ ପିଣ୍ଡଟି ବିସ୍ପୋରଣ ଫଳରେ ଛୋଟ ଛୋଟ ଖଣ୍ଡରେ ବିଭକ୍ତ ହୋଇଗଲା । ଛୋଟ ପିଣ୍ଡଗୁଡ଼ିକ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କଲା ପରେ ଜଳି ପାଉଁଶ ହୋଇଗଲେ । ପୃଥିବୀର କିଛି କ୍ଷତି ହେଲାନି ।
ଯେତେବେଳେ ବୈଜ୍ଞାନିକମାନେ ପୃଥିବୀକୁ ଆସନ୍ନ ଧ୍ବଂସରୁ ବଞ୍ଚେଇବାର ଉପାୟ ଖୋଜୁଥିଲେ ଏବଂ ସେ ଚେଷ୍ଟାରେ ଦିନରାତି ଅକ୍ଳାନ୍ତ ପରିଶ୍ରମ କରୁଥିଲେ, ଠିକ ସେତିକିବେଳେ ପୁଜାରୀ ପୁରୋହିତ ମୌଲବୀମାନେ ପୂଜାପାଠ ଆରମ୍ଭ କରିଦେଲେ । ପୃଥିବୀ ଯେତେବେଳେ ବିପଦମୁକ୍ତ ହୋଇଗଲା, ସେତେବେଳେ ସେମାନେ କହିଲେ, ଯେ ସେମାନଙ୍କ ପୂଜାପାଠ ଯୋଗୁଁହିଁ ବିପଦ ଚାଲିଗଲା ।
ଏ ଗଳ୍ପରେ ଲେଖକ ବୈଜ୍ଞାନିକ ତଥ୍ୟକୁ ଆଧାର କରି ଏକ କାହାଣୀ ତିଆରି କରିଛନ୍ତି, ଯେଉଁଥିରେ ସସ୍ପେନ୍ସ୍ ଅଛି, ଅଛି ସାମ୍ପ୍ରତିକ ସମାଜର ଛବି, ଅଛି କଟାକ୍ଷ ଏବଂ ମଣିଷର ଜୀଜୀବିଷା । ଏ ଗଳ୍ପଟିକୁ ଏକ ଆଦର୍ଶ ବିଜ୍ଞାନ-କଥା ବୋଲି କହିହେବ ।
ଇଂରାଜୀ ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ଭାଷାରେ ବିଜ୍ଞାନ କଥା ସାହିତ୍ୟ କ୍ଷେତ୍ରରେ ପ୍ରଭୁତ ଅଗ୍ରଗତି ହୋଇଛି । ଆଇଜାକ୍ ଆସିମୋଭ, ଏଚ.ଜି. ୱେଲ୍ସ୍. ଜୁଲେ ଭର୍ଣ୍ଣେ ଆଜି ସାରା ବିଶ୍ଵରେ ପରିଚିତ । କିନ୍ତୁ ଭାରତୀୟ ଭାଷାରେ ବିଜ୍ଞାନ କଥାକାର ମାନଙ୍କ ସଂଖ୍ୟା କମ । ଓଡ଼ିଆ ଭାଷାରେ ଆହୁରି କମ । ବଙ୍ଗଳା୨, ମରାଠୀ୩, ହିନ୍ଦି୪, ମାଲଲୟମ୍, ତେଲେଗୁ ଓ ତାମିଲ ଭାଷାରେ ବେଶ କିଛି ଉଚ୍ଚ ମାନର ବିଜ୍ଞାନ-ସାହିତ୍ୟ ସୃଷ୍ଟି ହୋଇଛି । ତେବେ ହିନ୍ଦି ବିଜ୍ଞାନକଥା ଲେଖକ ତଥା ସମାଲୋଚକ ବିଜୟ ଚିତୋରିଙ୍କ ମତରେ ହିନ୍ଦି ବିଜ୍ଞାନ କଥାସାହିତ୍ୟ ମଧ୍ୟ ସେତେଟା ବିକଶିତ ଏବଂ ଲୋକପ୍ରିୟ ହୋଇପାରିନି । ଏହାର ଯେଉଁ କାରଣ ସେ ଦେଇଛନ୍ତି ତାହା ଓଡ଼ିଆ ଭାଷାରେ ବିଜ୍ଞାନ କଥାସାହିତ୍ୟ ସେତେ ବିକାଶ ହୋଇ ନ ପାରିବାର କାରଣ ଭାବରେ ମଧ୍ୟ ପ୍ରଯୁଯ୍ୟ ।
ତାଙ୍କର ବକ୍ତବ୍ୟ ହେଲା: ପ୍ରଥମ-ହିନ୍ଦି ଭାଷୀ ସମାଜ ଶିକ୍ଷା କ୍ଷେତ୍ରରେ ପଛରେ ପଡ଼ିଛି । ବୈଜ୍ଞାନିକ ଚିନ୍ତାଧାରାର ଏଯାଏଁ ସେପରି ବିକାଶ ହୋଇନି । ଦ୍ଵିତୀୟ କଥା ହେଲା, ଉଚ୍ଚମାନର ବିଜ୍ଞାନ କଥା ଲେଖିଲାଭଳି ଲେଖକଙ୍କ ଅଭାବ । ତୃତୀୟ କଥା : ଯାହା ଲେଖାଯାଉଛି ତାକୁ ଯଥୋପଯୁକ୍ତ ମାନ୍ୟତା ଓ ସମ୍ମାନ ଦିଆଯାଉନାହି ।୫
ଓଡ଼ିଶା କ୍ଷେତ୍ରରେ ପ୍ରଥମ ଦୁଇଟି କାରଣ ପ୍ରଯୁଯ୍ୟ ବୋଲି ମନେ ହୁଏ । ଓଡ଼ିଶାରେ ବିଜ୍ଞାନ କଥାସାହିତ୍ୟ ଯେ ଆଦୌ ଜନପ୍ରିୟ ହୋଇ ପାରିନି, ବା ବିଜ୍ଞାନ କଥାସାହିତ୍ୟ ଲେଖୁଥିବା ସାହିତ୍ୟିକମାନଙ୍କୁ ସମ୍ମାନ ଓ ସ୍ବୀକୃତି ମିଳିନାହିଁ ଏକଥା କହିବା ଭୁଲ ହେବ । ଓଡ଼ିଶାରେ ବିଜ୍ଞାନ କଥା ସାହିତ୍ୟ ବେଶ ଜନପ୍ରିୟ । ହଁ, ଏପରି ସାହିତ୍ୟ ଲେଖୁଥିବା ଲୋକଙ୍କ ସଂଖ୍ୟା କମ । ବଙ୍ଗଳା ବା ମରାଠି ଭଳି ଓଡ଼ିଶାର କୃତବିଦ୍ୟ ସାହିତ୍ୟିକମାନେ ଯେମିତି ବହୁ ସଂଖ୍ୟାରେ ବିଜ୍ଞାନକଥା ଲେଖିଛନ୍ତି, ଓଡ଼ିଶାରେ ତାହା ହୋଇନାହିଁ । କିନ୍ତୁ ଆଦୌ ଲେଖିନାହାନ୍ତି, ଏମିତି ନୁହେଁ । ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ରଚିତ ମୋ କାଠଘୋଡ଼ା କଥା କହେ ଏବଂ ଆକାଶକୁ ସାତୋଟି ପାହାଚ- ଶିଶୁମାନଙ୍କ ପାଇଁ ବିଜ୍ଞାନ କଥା ସାହିତ୍ୟ କ୍ଷେତ୍ରରେ ଅମଳିନ କୃତି । ଡକ୍ଟର ଦୁର୍ଗାପ୍ରସାଦ ପଟ୍ଟନାୟକଙ୍କ ରଚିତ ନଈ ବହିଲା (କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ) ପୁସ୍ତକଟି ନଦୀର ଉତ୍ପତ୍ତିଠାରୁ ଆରମ୍ଭ କରି ମୌସୁମୀ ପ୍ରବାହରେ ଜଳ ବୃଷ୍ଟି, ନଦୀର ଗତିପଥ ଓ ସଭ୍ୟତାର ସୃଷ୍ଟି ପ୍ରସଙ୍ଗରେ ଏ ଚମତ୍କାର କାହାଣୀ । ଡକ୍ଟର କୃତ୍ତିବାସ ନାୟକଙ୍କ ରଚିତ ଶିଶୁ ଉପନ୍ୟାସ ସର୍ବଜ୍ଞ ମାନବ ମଧ୍ୟ ଏକ ଆକର୍ଷଣୀୟ କୃତି ।
ଓଡ଼ିଶାରେ ଜନପ୍ରିୟ କଳ୍ପବିଜ୍ଞାନ କଥାକାରମାନଙ୍କ ମଧ୍ୟରେ ଅଛନ୍ତି ଗୋକୁଳାନନ୍ଦ ମହାପାତ୍ର, ଡଃ ବସନ୍ତ କୁମାର ବେହୁରା, ଡାକ୍ତର ଦୁର୍ଯେ୍ୟାଧନ ଦାସ, ପ୍ରମୁଖ ।
ଡଃ. ଗୋକୁଳାନନ୍ଦ ମହାପାତ୍ର (ମଙ୍ଗଳ ଗ୍ରହର ମଣିଷ) ସରଳ ଭାଷା ଓ ଭାବରେ ସେ ବିଜ୍ଞାନ କଳ୍ପକଥା ଲେଖିଛନ୍ତି । ଅତ୍ୟନ୍ତ ଲୋକପ୍ରିୟ ହୋଇ ପାରିଥିଲା । ତାଙ୍କ ପରେ ବିଜ୍ଞାନକୁ ନେଇ ଏପରି ସୁଖପାଠ୍ୟ ଲେଖା ଖୁବ କମ ଲେଖାହୋଇଛି ।
ଡଃ ବସନ୍ତ କୁମାର ବେହୁରା ପେଶାରେ ଥିଲେ ଅଧ୍ୟାପକ । ସେ ଓଡ଼ିଶାର କୀଟପତଙ୍ଗ, ଅମେରୁଦଣ୍ଡୀ ପ୍ରାଣୀ, ମେରୁଦଣ୍ଡୀ ପ୍ରାଣୀ- ଭେକ, ସାପ ଏବଂ ପକ୍ଷୀ ଓ ବନ୍ୟଜନ୍ତୁ; ମାନଙ୍କ ସମ୍ବନ୍ଧରେ ଗବେଷଣା କରିଛନ୍ତି । ଜଣେ ଗବେଷକ ଭାବରେ ପୁଣି ବିଜ୍ଞାନକୁ ଓଡ଼ିଶାରେ ଜନପ୍ରିୟ କରାଉଥିବା ଲେଖକ ଭାବରେ ସେ ବହୁ ପୁରସ୍କାର ପାଇଛନ୍ତି । ଓଡ଼ିଶାର ବେଙ୍ଗ (୧୯୬୬) ଓ ଡାଇନୋସର(୧୯୭୭) ପ୍ରକାଶନ ପାଇଁ ସେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ବେଳେ ଓଡ଼ିଶାର ସାପ (୧୯୬୭) ପାଇଁ ରାଜ୍ୟ ପୁରସ୍କାର ଲାଭ କରିଥିଲେ ।
ପେଶାରେ ଡାକ୍ତର ଦୁର୍ଯ୍ୟୋଧନ ଦାସ(ଭେଷଜ ବିଶେଷଜ୍ଞ)ଙ୍କ ମହାମନ୍ତ୍ର ଗଳ୍ପ ସଙ୍କଳନକୁ ବିଜ୍ଞାନ କଥା ବୋଲି କହିଦେବ । ଏଠି ବିଜ୍ଞାନର ତତ୍ତ୍ବ ଓ ତଥ୍ୟହିଁ ଗଳ୍ପର କଥାବସ୍ତୁ ହୋଇ ଉଭା ହୋଇଛି । ଜଟିଳ ବୈଜ୍ଞାନିକ ତତ୍ତ୍ବକୁ କେମିତି ଗଳ୍ପ ମାଧ୍ୟମରେ ସରଳ ଭାବରେ ଉପସ୍ଥାପନ କରାଯାଇପାରେ ଏହା ଶ୍ରୀ ଦାସ ଦେଖାଇଛନ୍ତି । ଏ ପୁସ୍ତକ ପାଇଁ ସେ ସେ ବିଜ୍ଞାନ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି ।
କଥାକାର ମୃଣାଳ ମଧ୍ୟ ଏକ କଳ୍ପବିଜ୍ଞାନ ଉପନ୍ୟାସ ଲେଖିଛନ୍ତି : ଶକ୍ତି । ଏଥିରେ ବିଜ୍ଞାନକୁ ଭିତ୍ତି କରାଯାଇଛି । କିନ୍ତୁ ଗଳ୍ପରେ ପ୍ରେମ, ଈର୍ଷା, ଲୋଭ, ମାନବିକତା ଇତ୍ୟାଦି- ମୌଳିକ ଗୁଣ ଏବଂ ଅବଗୁଣକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ବିଜ୍ଞାନର ତତ୍ତ୍ବ ଓ ତଥ୍ୟ ଏଠି ଏକ ଅସ୍ତ୍ର ମାତ୍ର ।
ସାମ୍ପ୍ରତିକ ସମୟରେ ଆହୁରି ଅନେକ କଥାକାର ବିଜ୍ଞାନ କଳ୍ପ କଥାମାନ ଲେଖିଛନ୍ତି । ଏ ନିବନ୍ଧର ସୀମିତ କଳେବରରେ ସମସ୍ତଙ୍କ ସମ୍ପର୍କରେ ଆଲୋଚନା ସମ୍ଭବ ନୁହେଁ । ସାହିତ୍ୟର ଏ ଧାରାଟି ଅଧିକ ମନନ ଓ ଗବେଷଣାର ଅପେକ୍ଷା ରଖେ ।

ପରିଶିଷ୍ଟ
୧. ବିଜୟ ଚିତୋରିଙ୍କ ନିବନ୍ଧ ହିନ୍ଦି ମେଁ ବିଜ୍ଞାନ କଥା, ଆଜକଲ, ସେପଫମ୍ବର ୨୦୦୪
୨. ବଙ୍ଗଳାରେ ସତ୍ୟଜିତ୍ ରାୟ ପ୍ରଚୁର ବିଜ୍ଞାନ କଥା ଲେଖିଛନ୍ତି । ତାଙ୍କର ପ୍ରଫେସର ଶଙ୍କୁ ଏକ ଅନବଦ୍ୟ ଚରିତ୍ର । ପ୍ରଫେସର ଶଙ୍କୁ ଜଣେ ବୈଜ୍ଞାନିକ । ବିଭିନ୍ନ ଘଟଣାରେ ତାଙ୍କୁ ବିଭିନ୍ନ ଜଟିଳ ସମସ୍ୟା ସମାଧାନ କରିବାକୁ ପଡ଼ିଛି । କେତେବେଳେ ସେ ଟାଇମ୍ମେସିନ୍ରେ ଚଢ଼ି ଅତୀତ ଏବଂ ଭବିଷ୍ୟତ ସମୟକୁ ଭ୍ରମଣ ଛନ୍ତି, କେତେବେଳେ ବା ଯାଇଛନ୍ତି ମହାକାଶ ।
୩. ମରାଠୀଭାଷାରେ ଡ.ଜେ.ବି. ନାର୍ଲିକର ପ୍ରଚୁର କଳ୍ପବିଜ୍ଞାନ କାହାଣୀ ଲେଖିଛନ୍ତି ।
୪. ହିନ୍ଦିରେ ବିଜ୍ଞାନ କଥା ପ୍ରକାଶନର ଆରମ୍ଭ ୧୯୦୦ରୁ । ସରସ୍ବତୀ ପତ୍ରିକା ଏଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା । ବାବୁ କେଶବ ପ୍ରସାଦଙ୍କ ଚନ୍ଦ୍ରଲୋକ କି ଯାତ୍ରା ପୁସ୍ତକ ଏ ଧାରାର ଅଗ୍ରସୂରୀ ।୧୯୩୦ ବେଳକୁ ଡ. ନବଲ ବିହାରୀ ମିଶ୍ର ସରସ୍ବତୀ ଓ ତି୍ରପଥଗାରେ ବିଜ୍ଞାନ ଗଳ୍ପ ଲେଖୁଥିଲେ । ଯମୁନାଦତ୍ତ ବୈଷ୍ଣବଙ୍କ ପ୍ରଥମ ବିଜ୍ଞାନ ଗଳ୍ପ ବୈଜ୍ଞାନିକ କି ପତ୍ନୀ ୧୯୩୭ରେ ଲେଖାଯାଇଥିଲା । ବୈଜ୍ଞାନିକ ତଥ୍ୟ-ଆଧାରିତ ବିଜ୍ଞାନ ଗଳ୍ପ ହିନ୍ଦିରେ ଲେଖାଗଲା ୫୦-୬୦ ଦଶକରେ । ୧୯୫୩ରେ ଡ. ସମ୍ପୂର୍ଣ୍ଣାନନ୍ଦ ଲେଖିଥିଲେ ଲଘୁ ଉପନ୍ୟାସ : ପୃଥ୍ବୀ ସେ ସପ୍ତର୍ଷିର୍ । ୧୯୫୬ରେ ଓମପ୍ରକାଶ ଶର୍ମାଙ୍କ ଉପନ୍ୟାସ ମଙ୍ଗଳଯାତ୍ରା ପ୍ରକାଶିତ ହେଲା । ଡ. ଶର୍ମା ଜୀବନ ଔର ମାନବ ପାଞ୍ଚ ଯମଦୂତ, ସମୟ କେ ସ୍ଵାମୀ ଭଳି ଉପନ୍ୟାସ ଲେଖିଥିଲେ । ଏହି ଦଶକରେ ଆଚାର୍ଯ୍ୟ ଚତୁରସେନଙ୍କ ଖଗ୍ରାସ ଏବଂ ରାହୂଲ ସାଂକୃତ୍ୟାୟନଙ୍କ ବିସ୍ମୃତି କେ ଗର୍ଭ ଦୁଇଟି ଉଲ୍ଲେଖନୀୟ ଉପନ୍ୟାସ ।
ଡକ୍ଟର ଓମପ୍ରକାଶ ଶର୍ମାଙ୍କ ପରେ ବିଜ୍ଞାନ କଥା କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଛନ୍ତି ଡ. ନବଲ ବିହାରୀ ମିଶ୍ର । ସରସ୍ବତୀ ଓ ବିଶାଲ ଭାରତ ପତ୍ରିକାରେ ସେ ନିୟମିତ ବିଜ୍ଞାନକଥା ଲେଖୁଥିଲେ । ୧୯୬୨-୬୩ରେ ତାଙ୍କର ଉପନ୍ୟାସ ଅପରାଧ କା ପୁରସ୍କାର ବିଜ୍ଞାନଜଗତ ପତ୍ରିକାରେ ନିୟମିତ ପ୍ରକାଶିତ ହେଇଥିଲା । ଡ. ମିଶ୍ରଙ୍କ ପ୍ରମୁଖ ବିଜ୍ଞାନ ଗଳ୍ପ ସଙ୍କଳନ ହେଲା : ଅଧୁରା ଆବିଷ୍କାର, ଆକାଶ କା ରାକ୍ଷସ, ହତ୍ୟା କା ଉଦ୍ଦେଶ୍ୟ (୧୯୭୦)ା ୬୦ ଓ ୭୦ ଦଶକରେ ବିଷ୍ଣୁ ଦତ୍ତ ଶର୍ମା ଏବଂ ରମେଶ ବର୍ମା ମଧ୍ୟ ବିଜ୍ଞାନ କଥା କ୍ଷେତ୍ରରେ ନିଜର ସ୍ୱାକ୍ଷର ରଖିଛନ୍ତି । ରମେଶ ବର୍ମାଙ୍କ କୃତୀ ଭିତରେ ରହିଛି : ଅନ୍ତରୀକ୍ଷ ସ୍ପର୍ଶ(୧୯୬୩), ସିନ୍ଦୁରୀ ଗ୍ରହ କି ଯାତ୍ରା, ଅନ୍ତରୀକ୍ଷ କେ କୀଡ଼େ(୧୯୬୬)ା
୮୦ ଓ ୯୦ ଦଶକରେ ରମେଶ ଦତ୍ତ ଶର୍ମା ଅନେକ ସୁନ୍ଦର ବିଜ୍ଞାନ କଥା ଲେଖିଛନ୍ତି । ଉଦାହରଣ : ପ୍ରୟୋଗଶାଲାମେଁ ଉଗ୍ତେ ପ୍ରାଣ, ହରା ମାନବ, ହଂସୋଡ଼ ଜୀନ୍, ଇତ୍ୟାଦେି । ଇତିମଧ୍ୟରେ ବହୁ ଦୈନିକ ଖବରକାଗଜର ସାହିତ୍ୟ ପୃଷ୍ଠା ଏବଂ ମାସିକ ପତ୍ରପତ୍ରିକାରେ ଅନେକ ବିଜ୍ଞାନଗଳ୍ପମାନ ପ୍ରକାଶିତ ହୋଇଛି । ଅନେକ ନୂଆ ବିଜ୍ଞାନ କଥାକାର ପାଦପ୍ରଦୀପକୁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଅଛନ୍ତି : ବାଲ ଫୋଣ୍ଡରେ, ଅରବିନ୍ଦ ମିଶ୍ର, ପ୍ରେମାନନ୍ଦ ଚନ୍ଦୋଲା, ଶ୍ୟାମଶରଣ ବିକ୍ରମ, ବିଷ୍ଣୁଦତ୍ତ ଶର୍ମା, ଯମୁନାଦତ୍ତ ବୈଷ୍ଣବ, ଡ. ନବଲ ବିହାରୀ ମିଶ୍ର, ଶୁକଦେବ ପ୍ରସାଦ, ସୁଧା ମସ୍କରା, ସୁଶୀଲ କାପୁର, ବିଜୟ ଚିତୋରୀ, ପ୍ରମୁଖ । ହିନ୍ଦିର କେତେକ ପତ୍ରିକା ମଧ୍ୟ ବିଜ୍ଞାନକଥା ବିଶେଷାଙ୍କ ପ୍ରକାଶ କରିଛନ୍ତି । ଉଦାହରଣ ସ୍ବରୂପ: ନନ୍ଦନ(୧୯୬୬), ପରାଗ(୧୯୭୫, ୧୯୮୪), ବିଜ୍ଞାନ ପ୍ରଗତି(୧୯୭୮), ଧର୍ମଯୁଗ(୧୯୮୦), ମେଲା(୧୯୮୧), ବିଜ୍ଞାନ(ନଭେମ୍ବର ୧୯୮୪, ଜାନୁଆରି-ଫେବୃଆରି ୧୯୮୫) ସାରିକା (ସେପଫମ୍ବର ୧୯୮୫), ଚମ୍ପକ(ଜୁନ ୧୯୯୯), ଇତ୍ୟାଦି ।
ହିନ୍ଦିରେ ବିଭିନ୍ନ ଭାଷାର ବିଜ୍ଞାନ କଥାର ଅନୁବାଦ ମଧ୍ୟ ଅନେକ ପ୍ରକାଶିତ ହୋଇଛି ।
୫. ବିଜୟ ଚିତୋରିଙ୍କ ନିବନ୍ଧ ହିନ୍ଦି ମେଁ ବିଜ୍ଞାନ କଥା, ଆଜକଲ, ସେପ୍ଟେମ୍ବର ୨୦୦୪

ସଂଚାର ମାର୍ଗ, ଢ଼େଙ୍କାନାଳ ୭୫୯
mrinalchatterjeeiimc@gmail.com
(ଲେଖକ ଢ଼େଙ୍କାନାଳସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନରେ ପ୍ରଫେସର ଅଛନ୍ତି । ସେ ଟେଲିଭିଜନରେ ଏକ ଲୋକପ୍ରିୟ ବିଜ୍ଞାନ କାର୍ଯ୍ୟକ୍ରମ ସଂଚାଳନ କରୁଥିଲେ । ପରିବେଶ ଏବଂ ଜନସଚେତନା କ୍ଷେତ୍ରରେ ଗବେଷଣା ପାଇଁ ସେ ଜାତୀୟ ସ୍ତରରେ ଖ୍ୟାତ ।)

Related Posts

2 thoughts on “ଓଡ଼ିଆ ଭାଷାରେ ବିଜ୍ଞାନ କଥା ସାହିତ୍ୟ

  1. ଏହା ନିଶ୍ଚିତ ରୂପେ ଏକ ଉଚ୍ଚକୋଟୀର ପ୍ରବନ୍ଧ। ଏବଂ
    ପରୋକ୍ଷରେ ଆମ ଓଡ଼ିଶା ର ଲେଖକ ମାନଙ୍କ ପାଇଁ ମଧ୍ୟ ଏକ ବିରାଟ ଆହ୍ବାନ ବୋଲି ସ୍ଵୀକାର କରିବାକୁ ହେବ।

Leave a Reply

Your email address will not be published. Required fields are marked *