ସଞ୍ଜିତା ପ୍ରଧାନ
ଆଜି ତାକୁ ଦେଖିଲି
ଖୁବ୍ ନିରୀହ ତା’ ଚେହେରା
ଇଚ୍ଛା ହେଲା ତାକୁ ଛାତିରେ ଜାକି
କହିଯାନ୍ତି ବାକିଥିବା ଅନେକ କଥା …
ପଚାରନ୍ତି ମୋ ଭିତରେ
ରୁନ୍ଧି ହୋଇଥିବା ଅନେକ ପ୍ରଶ୍ନ …
ଲିଭେଇ ଦିଅନ୍ତି ତା ମୋ ଭିତରେ
ଜମାଟ ବାନ୍ଧିଥିବା ଅବିଶ୍ୱାସର
ସୁଦୀର୍ଘ ପାଚେରିରୁ ସେଇ ଅସରନ୍ତି ଚିହ୍ନ ।
ତେବେ କାହିଁକି କେଜାଣେ
ମୋ ଆଖି ମିଶିଲେନି ତା ଆଖି ସହ …
ମୋ ପାଦ ସାମ୍ନାରେ ଘୃଣାର ଅଗ୍ନି
ଦୀର୍ଘାୟୁ ନେଇ ଜଳିଲା,
କେବେଠୁ ସିଏ କାଳେ ମୋ ଭିତରେ
ମୁହଁ ଢାଙ୍କି ଲୁଚି ବସିଥିଲା,
ମୋ ହୃଦୟ ଚିତ୍ରାଳୟେ ଜୀବନ୍ତ ହେଲା
ଅତୀତର ଚଳଚିତ୍ର
ସବୁ ସଚିତ୍ର ବିଚିତ୍ର
ନିରୀହ ଚେହେରା ଭିତରୁ ମୁଣ୍ଡ ଟୁଙ୍ଗାରିଲା
ଅଗଣିତ ମିଛ ପ୍ରସାଧନେ
ମନ ମୋହୁଥିବା ମୁହଁ ଶହ ଶହ ।
ମୁଁ ଗଲିନି ତା’ ପାଖକୁ
ଦୂର କେଉଁ ମାଳଭୂମି ଦେଇ ବହିଥିବା ନଈ
ଭୁଲିଗଲା ସାଗର ଆତିଥ୍ୟକୁ …
ତାକୁ ନଦେଖିବାର ଅଭିନୟ କରି
ଗୋଲାପୀ ଓଠରେ ଜାଗା ଦେଲି ହସର ଗୋଲାପକୁ …
ମୁଁ ଚାହୁଁଥିଲି ସିଏ ମତେ ଦେଖୁ
ତା’ ବିନା ମୁଁ ଖୁବ୍ ସୁଖୀ ସିଏ ଅନୁଭବ କରୁ
ସିଏ ମୋ ବିନା ଜଳୁ
ମୁଁ ବି ଅନୁଭବିବି ସେ ଜ୍ଵଳନର ଗନ୍ଧକୁ
ଧପ୍ ଧପ୍ ଅଙ୍ଗାରର ଅତିରିକ୍ତ ପାଉଁଶକୁ ।
ମୋର ସଲ୍ଲଜ ଆଖି
କେତେବେଳେ ସଜଳ ହେଲା ଜାଣିହେଲାନି
ମୁଁ ତାକୁ ଘୃଣା କରୁଛି ନା
ଘୃଣା ଭିତରେ ପ୍ରେମକୁ ସଜାଡୁଛି ବୁଝିହେଲାନି
ତଥାପି;
ତା ବିନା ଏ ହୃଦୟ ଆଜିବି ବୋଲ ମାନୁନି
ଆଜି ମସ୍ତିଷ୍କର ସ୍ନାୟୁରେ
ତା’ ଭାବନାର ବିଦ୍ରୋହ ସହିହେଉନି ।
ଜୟରାମ ସରକାରୀ ଉଚ୍ଚ ବିଦ୍ୟାଳୟ, ଲେଫ୍ରିପଡ଼ା, ସୁନ୍ଦରଗଡ଼, ପିନ୍ ନଂ. ୭୭୦୦୧୨
ଲେଖକ ପରିଚୟ
ଛୋଟବେଳୁ ସାହିତ୍ୟ ପ୍ରତି ଥିବା ଝୁଙ୍କ ଶବ୍ଦରେ ଭାବ ଦେଇ ଲେଖିବା ରାସ୍ତାରେ ପଥିକଟେ କରିଦେଲା । ସେବେଠୁ ଏ ରାସ୍ତା ଲମ୍ବିଛି ଯେ ଲମ୍ବିଛି; ମୁଁ କଲମ ଧରି ଚାଲିବାକୁ ଚେଷ୍ଟା କରୁଛି । ଅନେକଙ୍କ ଉତ୍ସାହ ମତେ ଥକିବାକୁ ଦେଇନି । ଏଇ ନଥକିବାପଣର ଉପହାର ସ୍ୱରୂପ ମୋର ପ୍ରଥମ କବିତା ସଙ୍କଳନ “କିଛି କଥା ବାକି ରହେ” ସାହିତ୍ୟର ରାସ୍ତାରେ ପରିଚୟ ଦେଲା । ଏ ରାସ୍ତା କେତେଦୂର, ଦେଖିବା ବାକି ରହିଲା ।
ଆନ୍ତରିକ ଧନ୍ୟବାଦ ଜଣାଉଛି