ଜିତେନ୍ଦ୍ର ପରିଡ଼ା
ଦାଣ୍ଡ ଦୁଆର ସେପଟୁ
ହାୱାଇ ଚପଲର ଫଟଫଟ ଶବ୍ଦ
ପବନରେ ଘର ଭିତରକୁ ପଶେ
କାହିଁକି କେଜାଣି ଛାତି ଧଡପଡ୍ ହୁଏ
ମା’ର ଶୁଖିଲା ମୁଁହ ଶେଥା ପଡିଯାଏ ॥
ଚପଲ ଶବ୍ଦରୁ ହିଁ ବୁଝିହୁଏ
ଆଉଥରେ ଶରାଘାତ ସୈନିକ ଫେରି
ଆଣ୍ଠୁ ମାଡ଼ି ଧକାଏ
ନିପାରିଲା ପଣେ ବାପା ଫେରନ୍ତି
ବାହା ବଜାରରୁ ଶୂନ୍ୟ ହାତରେ ॥
ବାରମ୍ବାର କିଛି ଦିନ ଅନ୍ତରରେ
ଆମ ଓଳି ତଳେ ଭିଡ଼ ଲାଗେ
କେବେକେବେ ସେଥିରେ ସାମିଲ ଥାଆନ୍ତି ମଧ୍ୟସ୍ତି
କେବେକେବେ ଖୁଦ ପାତ୍ର ମଧ୍ୟ ଥାଏ ॥
ବଡ଼ କାକୁସ୍ଥ ବାପା !
ସେମାନଙ୍କୁ ଓଳଗି ହୁଅନ୍ତି,
ଗୋଡ଼ ଧୋଇ ଦେବାକୁ ପାଣି ନୋଟା
ପୋଛି ହେବାକୁ କାନ୍ଧର ଗାମୁଛା
ସଯତ୍ନେ ଟେକି ଦିଅନ୍ତି
ବାପାଙ୍କୁ ଏଭଳି ଦେଖିଲେ
ମୋ ଭିତରେ ଗୋଟେ ବିସ୍ଫୋରଣ ହୁଏ
ଅଥଚ ଶବ୍ଦ ଶୁଭେନି ॥
ସେମାନେ ବି ଆମ ସାତ ପୁରୁଷଙ୍କୁ
ଉଦ୍ଧାରିଲା ଭଳି ଆଚରଣ ଦେଖାନ୍ତି
କେହିକେହି ଦୁଇ ପାଦ ଆଗେଇ ଯାଇ
ଏସବୁ କିଛି ଦରକାର ନଥିଲା ବୋଲି ଦୋହରାନ୍ତି ॥
ବାପା ବି ସେମାନଙ୍କ ଉଦାରତା ପଣରେ
ଏମିତି ନଇଁ ଯାଆନ୍ତି ଯେ ଲାଗେ ମୋର ଜନ୍ମ
ହେବାର ଇ ନଥିଲା, ବାପା କି ପାପ କରିଛନ୍ତି !!
କଂସେଇ ପରଖିଲା ପରି ଚାଲେ ପରଖାପରଖି
ତା’ପରେ ମୂଲଚାଲ
ମୋ ଆଖିକୁ ସଭିଏଁ କଂସେଇ ଦିଶନ୍ତି ॥
ଏବେ ଅସଲ ପରୀକ୍ଷାର ବେଳ
କେତେ ଦେଇପାରିବେ ପ୍ରଶ୍ନରେ ବାପା
ଗୋଟେ ସଂଖ୍ୟା ଓଗାଳନ୍ତି
ସେଇଠୁ ମୋର ଉଠିବାର ପାଳି
ନା ମୋତେ ଉଠିଯିବାକୁ ଅନୁମତି ମିଳିଯାଏ
କିଛି ଜଣା ପଡେ ନାହିଁ ॥
ବାପାଙ୍କ ଅଯତ୍ନ ବର୍ଦ୍ଧିତ କେଶ ନିଶ ଦାଢି
ଗୋଟେ ଗୋଟେ ହୋଇ ଅଧାରୁ ଅଧିକ ପାଚିଲାଣି
ତଥାପି କାହିଁକି ଯେ ବାପା ଝୁଣ୍ଟିଝୁଣ୍ଟି
ବାଟ ଖୋଜୁଥାଆନ୍ତି ॥
ମା ସବୁବେଳେ ସକ ସକ ହୁଏ
ଏ ଦୁଇଜଣ ଲହୁଲୁହାଣ ହୋଇ ଖାଲି
ବାପା ଆଉ ମା ଦୁଇଟି ଶବ୍ଦ ହୋଇ ରହିଥାଆନ୍ତି
ମୁଁ ବି ଆତ୍ମଗ୍ଲାନିରେ ଏଣିକି ଆଇନା ଦେଖୁନି ॥
କେନ୍ଦୁଝର ଗଡ଼, ମୋବାଇଲ – ୯୪୩୭୦୦୬୧୯୬
ଲେଖକ ପରିଚୟ
୨୦୦୪ରୁ ପ୍ରାୟ ୧୭ ବର୍ଷ ହେବ ମୁଁ ଲେଖାଲେଖି କରୁଛି । ପାରିପାର୍ଶ୍ଵିକ ଅବସ୍ଥା ମୋତେ ଲେଖିବାକୁ ପ୍ରେରଣା ଯୋଗାଏ । ସଂସାର ଜଞ୍ଜାଳର କେତୋଟି ସମସ୍ୟା ଯାହାର କୌଣସି ସମାଧାନ ମିଳିପାରେନି , ସେସବୁ ମୋତେ ବ୍ୟତିବ୍ୟସ୍ତ କରିପକାନ୍ତି ଆଉ ସେ ପୀଡ଼ାରୁ ମୁକ୍ତି ପାଇବାକୁ ମୁଁ ତାକୁ କବିତାକୁ ଉତାରେ । “ଛିନ୍ନପତ୍ର” ନାମରେ ଏକ କବିତା ସଂକଳନ ଏବଂ ଗୋଟିଏ ଗଳ୍ପ ସଂକଳନ ଏଯାବତ୍ ଦୁଇ ଖଣ୍ଡ ବହି ମୋର ପ୍ରକାଶିତ ହୋଇଛି ।