ସତ୍ୟନାରାୟଣ ଗନ୍ତାୟତ

ଏମିତିରେ କେହି କେବେ ଦାବି କରି କହି ପାରିବେନି ଯେ ତାଙ୍କର କୌଣସି ଶତୃ ନାହାଁନ୍ତି । ବରଂ ଶତୃ ଶବ୍ଦଟି ଉଚ୍ଚାରିବା ମାତ୍ରେ ସଭିଙ୍କ ମନକୁ କେହି ନାକେହି ଏଭଳି ଚରିତ୍ରଟିଏ ଆସିଯାଏ, ଯିଏ ହୁଏତ କିଛି ନାକିଛି ଖରାପ କଥା କହି ବା ଖରାପ କାମ କରି କ୍ଷତି ଆଣି ଦେଇଥାଏ । ଅର୍ଥାତ ଶତୃ କଥା ଉଠିଲେ ସଚରାଚର ଜଣେ ମଣିଷ ପାଇଁ ଅତି ନିକୁଛରେ ମହଜୁଦ ଥିବା ଆଉ ଜଣେ ଅନିଷ୍ଟ ଚିନ୍ତକ ବା ଅନିଷ୍ଟକାରୀ ମଣିଷକୁ ହିଁ ବୁଝାଯାଇଥାଏ ।

ତେବେ କ୍ଷଣେ ଏନେଇ ଭାବିଲେ ଲାଗେ ଯେ ଏ ଶତୃ ଥିବା ନଥିବା କଥା ଜଣେ ଦେହଧାରୀ ମଣିଷ ହିଁ ଭାବିଥାଏ ଏବଂ ଆଉ ଜଣେ ସେମନ୍ତ ଦେହଧାରୀ ମଣିଷକୁ ଆପଣାର ଶତୃ ଭାବେ ଚିହ୍ନଟ କରିଥାଏ । ସୁତରାଂ ଏହି ବ୍ୟାପାରଟି ଆମକୁ ଏକ ମାନସିକ ବ୍ୟାପାର ମନେ ହୁଏ । କାରଣ ଆମ ମନ ହିଁ ଚିହ୍ନି ଜଣାଇ ଓ ମନ ଭିତରେ ଥାନ ଦେଇ ଶତୃଙ୍କୁ ରଖିଥାଏ ।

ଆମ ମତରେ ଦୁଃଖ ମଣିଷର ସହଜାତ । କାରଣ ମଣିଷ ଜନମିବା ମାତ୍ରେ ପହିଲେ କୁଆଁ କୁଆଁ କାନ୍ଦି ହିଁ ତା ଧରାଗମ ଜଣାଇଥାଏ । ସେ ତ କାଇଁ ହସି ନଥାଏ ! କୁହାଯାଏ ଯେ ଷଷ୍ଠୀ ପାଳନ କ୍ରମେ ଷଷ୍ଠୀ ମାଆ ବୁଢୀ ରୂପେ ତା ମନରେ ପ୍ରବେଶି ତାକୁ ହସିବା ଶିଖାଇ ଦେଇଯାଆନ୍ତି । ତେଣିକି ସେ ଧୀରେଧୀରେ କାନ୍ଦିବା ସହ ହସିବା ବି ଶିଖି ପହିଲେ ତା ଆଖପାଖରେ ଆତଯାତ ଲୋକଙ୍କ ସହ ନାନା ଚିଜଙ୍କୁ ଦେଖି ବିନା କାରଣରେ ବି ଶୁଦ୍ଧ ଭାବେ ଏମିତି ହସେ ଯେ ଶିଶୁର ସେଭଳି ନିରୀହ ହସ ସବୁବେଳେ ଏହେ ବଡ଼ ଗମ୍ଭୀର ମୁହଁ କରି ରହୁଥିବା ବଡ଼ ମଣିଷଙ୍କ ଅନୁକରଣୀୟ ବୋଲି କୁହାଯାଏ । ତେବେ ପହିଲେ ଜନ୍ମ ହେବାପରେ କାନ୍ଦି ଉଠି ସମ୍ଭବତଃ ଏଇଆ ଜଣାଇ ଦିଏ କି “ଆଃ କି ଆନନ୍ଦେ ଥିଲି, ଏଵେ ଏଠି ଦୁଃଖ ଭୋଗିବା ଥୟ ?” ଏମିତି ଭାବିବା ବି ଆମକୁ କିଞ୍ଚିତ ଐଶ୍ୱରୀୟ ଐଶ୍ୱରୀୟ ଲାଗେ, କାରଣ ଅନେକତ୍ର ଶିଶୁଙ୍କୁ ଈଶ୍ଵରଙ୍କ କୁନି ରୂପ ଭାବେ ଗ୍ରହଣ କରାଯାଇଛି ।

ପରେପରେ କିନ୍ତୁ ହସ କଦବା କ୍ୱଚିତ ଆସେ ଓ ବହୁବେଳେ ହଜିଯିବା ଗତାନୁଗତିକ ହୋଇପଡ଼େ । ଦୁଃଖ କିନ୍ତୁ ସବୁବେଳେ ମଣିଷ ସହ ସାଥୀ ହୋଇ ରହେ ତା ମନରେ । ତେଣୁ କେବଳ ଅନ୍ୟ କେଉଁ ଚରିତ୍ରଙ୍କ ପ୍ରଦତ୍ତ ଦୁଃଖ ବାଦ୍ ମଣିଷ ଆହୁରି ଆପଣାକୃତ ବା ଆପଣାର୍ଜିତ ଭାବେ ଲୋଡ଼ି ଆଣିଥାଏ ଆହୁରି ଅନେକ କିସମର ଦୁଃଖ !

ଏନେଇ ଭଗବାନ ବୁଦ୍ଧ ଅତି ସାର୍ଥକ ଭାବେ ସୂଚାଇ ଦେଇ ଯାଇଛନ୍ତି ଯେ ଏ ସଂସାର ଦୁଃଖମୟ ଓ ଦୁଃଖର କାରଣ ହେଉଛି କାମନା । କାମନାର ବିନାଶ ନୋହିଲେ ଦୁଃଖର ବିନାଶ ଅସମ୍ଭବ । ହେଲେ ମଣିଷ କସ୍ମିନକାଳେ ତାର କାମନାଙ୍କ ବିନାଶ କରି ନପାରିବା ନେଇ ଅବହିତ ହୋଇ ସୁଦ୍ଧା ଅନ୍ତତଃ ସେସବୁ ଉପରେ ଏକ ସୀମା ଭଲା ରଖିପାରନ୍ତା !! ନା ମଣିଷ ଅଳ୍ପ ଛାଡ଼, ଯଥେଷ୍ଟ ଲଭିଲେ ହେଁ ଆଦୌ ସୁଖୀ ହୋଇ ପାରେନା । ତେଣୁ ତ ଫୁଲାଉଫୁଲାଉ ବେଲୁନ୍ ଫାଟିଯିବା ଯାଏ ଇଚ୍ଛି ଚାଲିଥାଏ ଯେ ଚାଲିଥାଏ । ଏସବୁ ଅନବରତ ଚଳାଇ ରଖିଥିବା କାରଣରୁ ମଣିଷ ମନ ମଧ୍ୟରେ ନିରାନନ୍ଦ ଭାବ ନିରବଧି ରହିଯାଏ । ଏହା ମନକୁ ଦୁଃଖୀ କରାଏ । ମନ ସହ ଦେହ ବି ଜଡ଼ିତ । ଫଳତଃ କ୍ରମେ ଦେହ ବି ଦୁର୍ବଳ ହେବା ଆରମ୍ଭ କରି ବେଦନା ଓ କ୍ଳେଶ ଜର୍ଜରିତ ହୋଇଯାଏ ।ଅପର ପକ୍ଷରେ ମନ ସୁଖୀ ବା ପ୍ରଫୁଲ୍ଲ ରହିଲେ ଦେହର ଯାବତ କ୍ଳାନ୍ତି ଓ ଦୌର୍ଵଲ୍ୟ ସ୍ୱତଃ ଦୂରୀକରଣ ହୋଇଥାଏ ।

ତେବେ ଦୁଃଖୀ ମନକୁ ସଜାଡ଼ିବା କାଠିକର ପାଠ । ଶତୃ ସୁଲଭ ଅନ୍ୟ ମଣିଷଙ୍କ ପ୍ରଦତ୍ତ ଦୁଃଖକୁ ଗ୍ରହଣ ନକଲେ ମନ ଭିତରକୁ ଦୁଃଖ ପ୍ରବେଶି ପାରିବ ନାହିଁ। ଦେହଧାରୀଙ୍କ ପକ୍ଷେ ଯେତେ କଠିନ ହେଲେ ହେଁ ଏହା କରିବାକୁ ହିଁ ହେବ । ଯିଏ ଥରେ ଦୁଃଖଦାୟୀ ଶତୃ ସେ ତ ଚିହ୍ନଟ ହୋଇ ଯାଇଥିବ । ବାସ୍ ତା’ଠାରୁ ଦୂରରେ ରହିବା ଚାହି । ଆଉ ରହିଲେ ମିଛ ମିତ୍ରମାନେ, ଯେଉଁମାନଙ୍କୁ ବି ଶତୃ ଭାବେ ଗ୍ରହଣ କରିବାକୁ ହେବ । ତଥାପି ମନରେ ଦୁଃଖ ରହିବ କାରଣ ଏମାନଙ୍କ ସହ ଦୁଃଖୀ ମନ ଭିତରେ ଜମାଣିଆ ହୋଇ ରହିଥାନ୍ତି ଦୂରାଶା, ଲୋଭ, ମୋହ, ଘୃଣା, ପରଶ୍ରୀକାତରତାଦି, ଯେଉଁମାନେ ବି ମନର ଶତୃ ଅଟନ୍ତି । ଏମାନଙ୍କଠୁ ନିଜକୁ ମୁକୁଳାଇବା ହିଁ ଦୁଃଖୀ ମନର ସର୍ବାଦୌ ଧ୍ୟେୟ ହେବା ଜରୁରୀ । କାରଣ ପ୍ରକୃତ ପକ୍ଷେ ଏବଂବିଧ କାରଣମାନଙ୍କ ଫଳରେ ସୃଷ୍ଟ ଦୁଃଖୀ ମନ ହିଁ କୁଆଡ଼େ ମଣିଷର ଅସଲ ଶତୃ ଅଟଇ ।

ତେବେ ଏତେ ସବୁ ସାଧ୍ୟ ସାଧନାନ୍ତେ ସୁଦ୍ଧା ଦୁଃଖୀ ମନ ନିଜେ ନିଜକୁ ଏଇଆ କହି ବୁଝାଇବା ଲୋଡ଼ା ଯେ “ଏ ଜଗତର ସକଳ ଜନେ ଊଣାଅଧିକେ ଦୁଃଖ ଭୋଗ କରିଥାନ୍ତି । ଉପରକୁ ଜନନେତ୍ରେ ସୁଖୀ ଦିଶୁଥିବା ସତ୍ତ୍ୱେ ଅନେକ ମନ ମଧ୍ୟେ ଦୁଃଖୀ ଥାଆନ୍ତି । ଅନିଶା କରି ରହିଥାନ୍ତି କେବେ ସମୟର ଚକ ଘୂରି ଦୁଃଖୀ ମନ ସୁଖୀ ହେବ । ତେବେ ପ୍ରଣିଧାନ ଯୋଗ୍ୟ ଏଇଆ ଯେ ଏଠି ଉଭୟ ଦୁଃଖ ଓ ସୁଖ ଅସ୍ଥାୟୀ । ଆସିଥାନ୍ତି ପୁଣି ଚାଲିଯିବା ପାଇଁ ! ତଥାପି କେତେକ ଦୁଃଖୀ ଜନଙ୍କୁ ଦୁଃଖ ବରଂ ବେଶୀ ସମୟର ସହଚର ଭଳି ମନେ ହୋଇଥାଏ । ସେଭଳି କ୍ଷେତ୍ରରେ ଦୁଃଖୀ ମନ ମଧ୍ୟ ସଦା ତା ଭିତରେ ରହିରହି ଘଷରା ହୋଇ ଯାଇଥିବା ଦୁଃଖକୁ ନେଇ ଆଉ ଭାଳିବା ଭୁଲିଯିବା ବି କ୍ରମେ ସହଜ ହୋଇଯିବ !!

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।

Related Posts

One thought on “ଦୁଃଖୀ ମନ

Leave a Reply

Your email address will not be published. Required fields are marked *