ସାରୁ, ବାଇଗଣ, ଆଳୁ ପରିବା

ସତ୍ୟନାରାୟଣ ଗନ୍ତାୟତ

ସବୁ ପତ୍ରରେ କିଛି ନା କିଛି ଔଷଧୀୟ ଗୁଣ ରହିଥାଏ ବୋଲି ପିଲାଦିନେ ପଢିଥିବା ପାଠ ବହିରେ ଠାଏ ଲେଖା ହୋଇଥିଲା । ପରେ ଆମ ଖାଇବାରେ ଧନିଆ, ପୋଦିନା, ଭ୍ରୁସଙ୍ଗ ଓ ତେଜପତ୍ର ଭଳି କତିପୟ ପତ୍ରଙ୍କ ବ୍ୟାପକ ବ୍ୟବହାରରୁ ଜାଣିଲୁ ଯେ ଔଷଧୀୟ ଗୁଣ ସହ ସତରେ ଏ ପତ୍ରମାନେ ଭାରି ରୋଚକ ବି !

ଆମର ବିଶ୍ୱାସ, ପତ୍ରମାନଙ୍କର ଏହି ଗୁଣବତ୍ତା ପତ୍ରରେ ଭରା ବିଭିନ୍ନ ଶାଗରେ ବି ଭରି ରହିଥାଏ ବୋଲି ଆମ ବୋଉମାନେ ଶାଗ ଖାଇବାକୁ ବରାବର କହି ଆସୁଛନ୍ତି୍ । ସେମାନଙ୍କ ଏଭଳି ଭଲ କଥା ଆମକୁ ଗନ୍ଧେଇବାରୁ ହିଁ ସମ୍ଭବତଃ ଏବେ ସେଇ ଏକା କଥା ଡାକ୍ତର ଓ ଡାଏଟିସିଆନମାନଙ୍କୁ ଉପଯୁକ୍ତ ଫିସ୍ ଦେଇ ପରାମର୍ଶ ମାଧ୍ୟମରେ ପ୍ରାପ୍ତ ହେଉଅଛି । ଯେବେ ପତ୍ର ଓ ଶାଗ ଆମ ଦିହପା’ ପାଇଁ ଏତେ ହିତକାରୀ, ବିଭିନ୍ନ ପନିପରିବା ଆମ ଆହାରର ଅଂଶ ହେବା ତ’ ଆମ ସ୍ୱାସ୍ଥ୍ୟ ପାଇଁ ଅତି ଜରୁରୀ ନିଶ୍ଚୟ ।

ତେବେ ପନିପରିବାଦି ସ୍ୱାସ୍ଥ୍ୟ ପାଇଁ ଏତେ ଉପକାରୀ ହୋଇଥିବା ସତ୍ତ୍ୱେ କେଜାଣି କାହିଁକି କେହିକେହି “ଆଜି କଣ ଖାଇଚ ?” ବୋଲି ପଚାରିଲେ ବିଭିନ୍ନ ପନିପରିବାରୁ ପ୍ରସ୍ତୁତ ଛଅ ତୁଣ, ନଅ ଭଜା ଖାଇ ଆସିଥିଲେ ସୁଦ୍ଧା ନିହାତି ଅନାଗ୍ରହ ସହକାରେ “ସାଧା” ଖିଆ ହୋଇଛି ବୋଲି କହିଥାନ୍ତି । ଅନୁରୁପ ଭାବରେ ବଜାରରୁ ମୁଣିଭର୍ତ୍ତି ବିଭିନ୍ନ ପନିପରିବା ଆଣିଥିବା ସତ୍ତ୍ୱେ “ବଜାରରୁ କଣ ଆଣିଛ” ବୋଲି ପଚାରିଲେ “କଣ ଆଉ ? ସେଇ ସେଇ ‘ସାରୁ, ବାଇଗଣ, ଆଳୁ, ପରିବା ” ବୋଲି ଏମିତି କୁହାଯାଏ ଯେମିତି ସାରୁ, ବାଇଗଣ, ଆଳୁ ଆଦି ନିହାତି ମାମୁଲି ଓ ନଗଣ୍ୟ କିସମର ପରିବା !

ଏଠି କହି ଦେବାକୁ ଚାହୁଁ ଯେ ଆମେ ସ୍ୱୟଂ ଛେଳି ଜାତୀୟ ତୃଣଭୋଜୀ ପ୍ରାଣୀ ହୋଇଥିବାରୁ ଆମକୁ ସବୁ ପନିପରିବା ଭାରି ଭଲ ଲାଗେ । ତେଣୁ କେହି ଏମିତି “ସାରୁ-ବାଇଗଣ-ଆଳୁ ପରିବା” କହିବା ଅର୍ଥ ପରିବା, ଖାସ୍ କରି ଏହି ସାରୁ, ବାଇଗଣ ଓ ଆଳୁଙ୍କ ପ୍ରତି କିଞ୍ଚିତ ଊଣା ନଜରରେ ଦେଖିବା ପରି ଆମର ମନେ ହୋଇଥାଏ ।

ତ’ ପହିଲେ ସାରୁକଥା କହିବା । ଆମ ବିଚାରରେ ସାରୁ ଏକ ପବିତ୍ର ପରିବା । କାରଣ ଅନେକ ପୂଜା ପାର୍ବଣରେ ପ୍ରସ୍ତୁତ ବିବିଧ ବ୍ୟଞ୍ଜନ ପାଇଁ ଏକ ଅତ୍ୟନ୍ତ ଆବଶ୍ୟକୀୟ ପରିବା ହେଲା ସାରୁ । “ଶଙ୍ଖ ସାରୁ ଚେକି ଚେକି କାଟିଥା’ଲୋ ସୁନାନାକୀ …. ” ଗୀତାଂଶଟି ମନେ ପଡୁଚିଟି ? ସ୍ୱୟଂ ପାକ ମାଧ୍ୟମରେ ଭୋଜ୍ୟଦାନାର୍ଥେ ଯେଉଁ କେତୋଟି ବଛାବଛା ପରିବା ପ୍ରଦାନ କରିବାର ବିଧି ରହିଛି, ତା ମଧ୍ୟରେ ଅନ୍ୟତମ ହେଲା ସାରୁ । ସାରୁ ବିନା ଘାଣ୍ଟ ତରକାରୀ ଯେମିତି ଅକଳ୍ପନୀୟ, ସାରୁ ପଡ଼ିଥିଲେ ଡାଲମା ସେମିତି ହୋଇଥାଏ ଅତ୍ୟନ୍ତ ରୁଚିକର । ଏକଦା ନିରାମିଷାଶଙ୍କ ପାଇଁ ସାରୁପତ୍ରରେ ପ୍ରସ୍ତୁତ ଏକରକମ ଝୋଳ ଦେଖି ଓ ଚାଖି ଆମେ ଏହାକୁ ମାଗୁର ମାଛର ଝୋଳ ମଣିଥିଲୁ , ଯାହାକୁ ସତରେ କୁଆଡେ “ସାରୁପତ୍ର ମାଗୁର” ବୋଲା ଯାଇଥାଏ । ଫେର୍ ସାରୁର ପିଠଉ ଭଜା, ଏପରିକି ଆଜିକାଲି ସାରୁରୁ ପ୍ରସ୍ତୁତ ଚିପ୍ସ ତ ଅନେକଙ୍କ ପ୍ରିୟ । ଏସବୁ ବାଦ୍ ସାରୁରେ ଭରପୁର ଥିବା ଜୀବସାର ଏ , ସି, ଇ, ବି-୬ ସାଙ୍ଗକୁ ମ୍ୟାଗନେସିୟମ ଭଳି ଧାତୁସାର ଓ ଖାଦ୍ୟୋପଯୋଗୀ ତନ୍ତୁଜାତୀୟ ଗୁଣବତ୍ତା ମିଶି ସାରୁକୁ ଏକ ସୁରୁଚିକର ଓ ସୁପାଚ୍ୟ କରିବା ସହ ସୁସ୍ୱାସ୍ଥ୍ୟ ପ୍ରଦାନକାରୀ ପରିବା ଭାବେ ଉପସ୍ଥାପନ କରନ୍ତି । ହଁ, ସଭିଙ୍କ ହିତକାରୀ ହୋଇ ସଭିଙ୍କ ମେଳରେ ମିଶିପାରିବା ଗୁଣ ବି ସାରୁର ପ୍ରମୁଖ ସ୍ୱାତନ୍ତ୍ର୍ୟ ।

ଏଥୁତ୍ତାରେ ବାଇଗଣ କଥା ଉଠିଲେ ଆମକୁ ଲାଗେ ଯେ ବାଇଗଣ ତ ସତେ ଅବା ଉପୁଜି ଥାଏ ସଭିଙ୍କ ଗହଣରେ ରହି ଏକୀଭୂତ ହୋଇ ମିଶିଯିବା ପାଇଁ । ଆଶା କରୁ ଘାଣ୍ଟ ଆମ୍ବିଳ ଡାଲମା ସମେତ ଏମିତି ଅନେକାନେକ ବ୍ୟଞ୍ଜନର ପ୍ରସ୍ତୁତି ପାଇଁ ବାଇଗଣ ନଥିଲେ ନ ଚଳେ । ବିଚାରୀ ବାଇଗଣର ଏହି ଐକାନ୍ତିକ ମେଳାପୀ ଗୁଣ ପାଇଁ ତା ନାମ ନେଇ ସମଗୁଣ ସମ୍ପନ୍ନ ଜନଙ୍କୁ ଅକାରଣେ “ସିଏ ତ ସମସ୍ତଙ୍କ ସହ ମିଶି ଯାଉଥିବା ବାଇଗଣ ପରିବା “ଟାଏ ବୋଲି କୁହାଯାଏ । ଅବଶ୍ୟ ବାଇଗଣକୁ ଏମିତି ନଜରରେ ଦେଖୁଥିବା ଜନେ କିନ୍ତୁ ବାଇଗଣର ଭର୍ତ୍ତା , ପୁରଦିଆ ଗୋଟା ବାଇଗଣ ଠାରୁ ଆରମ୍ଭ କରି ବାଇଗଣର ଆଚାର ଯାଏ ସବୁ ଚାଟିଚୁଟି ସାଫ୍ କରି ଦେଇଥାନ୍ତି ।

କ’ଣ କରିବା , ଭଲ ଖାଇବାରେ ଅଭ୍ୟସ୍ତ ମୁହଁଟିମାନଙ୍କରୁ ଭଲ ପଦେ ଶୁଣିବା ପାଇଁ ଆମେ ଯେମିତି ବିକଳ, ବିଚାରୀ ବାଇଗଣ ବି ଅବିକଳ ସେମିତି ଅପେକ୍ଷମାଣ ହୋଇ ରହିଥାଏ । ତଥାପି ବାଇଗଣ ଏସବୁ ତା ମନରେ ନରଖି ବରଂ ନିଜକୁ ସୁଆଦିଆ ପରିବାଟିଏ ଭାବେ ଆମ ହାତରେ ଧରା ଦେଇଥାଏ । ଆମେ ବାଇଗଣକୁ ପସନ୍ଦ କରି ଖାଇବା ଅର୍ଥ ଏଥିରେ ବି ସନ୍ନିହିତ ସକଳ ଜୀବସାର ଓ ଧାତୁସାର ଲାଭ କରି ଶରୀରର ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ପ୍ରକାରାନ୍ତରେ ଆୟୁଷ ବୃଦ୍ଧି ବି ସମ୍ଭବ ହୋଇଥାଏ ।

ଏଥର ଆଳୁ କଥା ବଖାଣିବା । ହଁ, ମୂଳରୁ କହି ଦେଉଛୁ ଯେ ଆଳୁ ବି ଏକ ଅତ୍ୟନ୍ତ ମେଳାପୀ ପରିବା । ଆଳୁ ଏଭଳି ଏକ ପରିବା ଯାହା ସମ୍ପର୍କରେ ଆମକୁ ପିଲାଦିନୁ ଜଣାପଡ଼ି ଯାଇଥାଏ । ଏଥକୁ “ଆତ ଫଳେ ଡାଳେ..ଆଳୁ ଫଳେ ମୂଳେ” ବଡ଼ ପାଟିରେ ପଢି ଘୋଷିବା ବେଳକୁ କଳ୍ପନା କରିବାକୁ ଅନୁରୋଧ ।
ଫେର୍ ଆମ ମାନନୀୟା ବୋଉମାନେ ସେକାଳେ ସ୍କୁଲ ଯିବାବେଳେ ତତଲା ଭାତ ସହ ଡାଲିରେ ସିଝା ଆଳୁ ଚକଟି ଗୋଟେ ହାତରେ ଆମ ମୁଣ୍ଡ ଧରି ଆର ହାତରେ “ଇଏ ମୋ ଗୁଣ୍ଡା” ଆଦି ଉଚ୍ଚାରି ଆଳୁ ଚକଟା ଗୋଳା ଭାତଗୁଣ୍ଡା ମାନ ବଡ଼ କାଇଦାରେ ନିଜ ମୁହଁ ଆଁ କରି ଆମ ମୁହଁରେ ଗେଞ୍ଜି ଆମକୁ ଖୁଆଇ ଆସିଥିବାରୁ ସିନା ଆମେ ଏଡ଼େ ଘାଏଁ ଗଢା ହୋଇପାରିଛୁ ।

ତେବେ ଏହି ଆଳୁର ସ୍ୱାତନ୍ତ୍ର୍ୟ କାଇଁରେ କଣ ! ଏହା ଉଭୟ ସାଧାରଣ ଓ ସମ୍ଭ୍ରାନ୍ତ କିସମର ପରିବା ଅଟଇ । ସାଧାରଣ ଏଇଥିପାଇଁ ଯେ, ଏହା ଯେକୌଣସି ବ୍ୟଞ୍ଜନ ପାଇଁ ବ୍ୟବହୃତ ହୋଇପାରେ । ବୋଲେତୋ ଏହାର ସାମ୍ୟଭାବ ଅନନ୍ୟ । ଏହା ସମ୍ଭ୍ରାନ୍ତ ବି, କାରଣ ଅଭାବୀ ଲୋକଟିଏ ଭାତରେ ହରଡ଼ ଡାଲି ଗୋଳାଇ ଆଳୁ ତରକାରୀର ଝୋଳ ହାପୁଡ଼ିହାପୁଡ଼ି ଖାଇ ଘଡ଼ିଏ ଗଡପଡ ହେଉଥିବା କୁଆଡ଼େ ମାଉଁସଖିଆ ଜନଙ୍କ ଦିହରେ ବି ଯାଏନି । ଏଥିରୁ ଅନୁମାନ କରିହୁଏ ଆଳୁ ସତରେ କେମିତି ତା ଭିତରେ ସମ୍ଭ୍ରାନ୍ତପଣ ସାଇତିଥିବା ପରିବାଟାଏ ।

ବିଭିନ୍ନ କୋବି, ଟମାଟୋ, ମଟର, ବୁଟ, ଛେନଦି ସହ ମାଂସ ମାଛ ଓ ଅଣ୍ଡା ଭଳି ଯାବତ ଖାଇବା ଦରବଙ୍କୁ ନେଇ ଯେତେ କାଇଦାରେ ଝୋଳ, ଭଜାଦି ରାନ୍ଧଣାମାନ କର, ତହିଁରେ ଆଳୁ ମିଶାଇ ହୁଏ ଓ ଏହା ମିଶିଲେ ସେ ରାନ୍ଧଣାର ସ୍ୱାଦ ବଢି ଯାଇଥାଏ । ଆଉ ଚକଟା, ଚୋଖା, ଚଟଣି, ଝୋଳ, ଭଜା, ଚିପ୍ସଠାରୁ ଆରମ୍ଭ କରି ପାମ୍ପଡ଼ ଭୁଜିଆଦି ଯାଏ ଆଳୁରୁ ପ୍ରସ୍ତୁତ ଖାଇବା ଚିଜଙ୍କ ସଂଖ୍ୟା ସତରେ ଅଗଣନ । ଏଥିରୁ ସ୍ପଷ୍ଟ ଯେ ଆଳୁ ସବୁରି ପସନ୍ଦର ପରିବା, ଯାହା ଭିତରେ ମଧ୍ୟ ଜୀବସାର ବି ୬, ସି ସହ ପୋଟାସିୟମ ଓ ମ୍ୟାଗନେସିୟମ ଭଳି ବିବିଧ ଧାତୁସାର ସନ୍ନିହିତ, ଯାହା ଶରୀର ପାଇଁ ସାମଗ୍ରିକ ଭାବେ ହିତକାରୀ ଓ ଜରୁରୀ ମଧ୍ୟ ।

ପ୍ରତି ପରିବାର ପାଇଁ ଆଉ କୋଉ ପରିବା ଠଉଁ ଆଳୁ ନୋହିଲେ ନଚଳେ ! ତେଣୁ ତ ଯେଉଁ କାରଣରୁ ହେଉନା କାହିଁକି ଯେବେ ବଜାରରେ ଆଳୁର ଦର ବଢିଚାଲେ ବା ଆଳୁ ଅମିଳକ ହୋଇଯାଏ, ତ ଆଳୁ କେବଳ ବଜାରକୁ ହିଁ ନୁହେଁ ସାମଗ୍ରିକ ଭାବେ ଶାସନ ବ୍ୟବସ୍ଥାକୁ ଆପଣା ଶକ୍ତି ପ୍ରଦର୍ଶନ କରତଃ ପକାଏ-ଉଠାଏ ଓ ଦୋହଲାଇ ଦିଏ । ମଧ୍ୟେ ମଧ୍ୟେ ଏମନ୍ତ ପରିସ୍ଥିତି ଉପୁଜି ଆସୁଥିବାରୁ ଆଳୁକୁ ସର୍ବସମ୍ମତ ଭାବେ ଏକ “ପଲିଟିକାଲ ପରିବା”ର ଗୌରବ ପ୍ରଦାନ କରିହେବ ।

ସାରୁ, ବାଇଗଣ, ଆଳୁ ପରିବାଙ୍କୁ ନେଇ ଏସବୁ ତୁଚ୍ଛା ବଖାଣାନ୍ତେ ଆମର ମନେପଡ଼ି ଯାଉଛି ସେଇସବୁ କଥା, ଯାହା କହିଲେ ନିଶ୍ଚେ ଆମକୁ ଇଏ ଏକାଳେ ସେକାଳ ପଖାଳ କଥା ଗପୁଛି କହିବେ । ପ୍ରାୟତଃ ଘରବାଡ଼ିରୁ ମିଳି ଯାଉଥିଲା ଏହି ସାରୁ, ବାଇଗଣ, ଆଳୁ ଆଦି ସମେତ ଆହୁରି କେତେନା କେତେ ପରିବା, ଯାହା କାଠଚୁଲିରେ ମାଟି ପାତ୍ରରେ ମାନନୀୟା ବୋଉମାନେ ଜିରା, ଧନିଆ, ସୋରିଷ, ମରିଚକୁ ତିଅଣାନୁରୂପ ଭାଗମାପରେ ପଥରର ଶିଳରେ ବାଟି ସେଇ ବଟାମସଲା ସହ ଘର ପ୍ରସ୍ତୁତ ଫୁଟଣ ପକାଇ ଏମିତି ଛୁଙ୍କ ଦେଉଥିଲେ ଯେ ସତରେ “ଆଘ୍ରାଣେ ଅର୍ଦ୍ଧ ଭୋଜନଂ” ହୋଇ ଯାଉଥିଲା ! ସବୁଦିନେ ସେଇସେଇ ପରିବାଙ୍କୁ ନେଇ ସେମାନେ ଘରର ସଭିଙ୍କ ପସନ୍ଦ ନାପସନ୍ଦ ହେଜି ଆପଣା ହାଣ୍ଡିଶାଳରେ ପ୍ରସ୍ତୁତ କରୁଥିଲେ ଭଳିକି ଭଳି ତିଅଣ, ଭଜା, ସନ୍ତୁଳା, ଡାଲମା, ବେସର, ମହୁର, ଖଟା, ଶାକରା ଓ ପାଚେଡ଼ି ଆଦି କେତେ କିସମର ଖାଇବା ଦରବ !

ସୁତରାଂ ମିଳୁଥିବା ଚିଜଙ୍କୁ ନେଇ ତହିଁରୁ ଖାଇବା ଦରବ ତିଆରିରେ ହିଁ ମନ ରହୁଥିଲା ସେକାଳେ । ତ’ ଏମିତି ପରିବାଙ୍କୁ ନେଇ “ସାରୁ, ବାଇଗଣ, ଆଳୁ ପରିବା” କହିବାକୁ କାହାର ଭଲା କିଆଁ ଗରଜ ପଡ଼ନ୍ତା ଯେ ?

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନମଗ୍ନ ।

Related Posts

2 thoughts on “ସାରୁ, ବାଇଗଣ, ଆଳୁ ପରିବା

  1. ସୁନ୍ଦର ଉପସ୍ଥାପନା !!!
    ଆଲୁ, ସାରୁ ବାଇଗଣକୁ ନେଇ ଏତେ ସୁନ୍ଦର ଲେଖାଯାଇପରେ, ଏହା ମୋର ଚିନ୍ତାଧାରାର ବାହାରେ।
    ଏହା ସତ୍ୟ ଯେ ଆଳୁକୁ “ରାଜନୈତିକ ପନିପରିବା” ଭାବରେ ଚିହ୍ନିତ ଗ୍ରହଣ କରାଯାଇପାରିବ।
    ଆପଣଙ୍କ ଭଳି ମୁଁ ମଧ୍ୟ ଜଣେ ତୃଣ ଭୋଜୀ ପ୍ରାଣୀ,,(ଘାସ୍ ପୁସ୍ ୱ।ଲା) ହୋଇଥିବାରୁ ଆଳୁ, ସାରୁ, ବାଇଗଣ ର ପ୍ରଶଂସା ପଢି ଭଲଲାଗିଲା।
    ଧନ୍ୟବାଦ।

Leave a Reply

Your email address will not be published. Required fields are marked *