ପ୍ରଦୀପ କୁମାର ପଣ୍ଡା

ସାଧାରଣ କଥାମାନ ଯେତେବେଳେ ସାଂଘାତିକ ଲାଗିବ,
ଜାଣିବ
ତୁମେ ଦେଖିପାରୁଛ
ଶୁଣି ପାରୁଛ
ଭାବି ପାରୁଛ
ଚାହିଁଲେ ତୁମେ କହିପାରିବ
ମୋଟାମୋଟି ତୁମେ ସୁସ୍ଥ ଅଛ
ତୁମକୁ ଭୋକ ହେଉଛି
ଚାହିଁଲେ ତୁମେ ଶୋଇପାରିବ ।

ଆହୁରି ଜାଣିବ
ପାଣିର ରଙ୍ଗ ଏବେବି ବଦଳି ନାହିଁ
ବିଷ ମିଶା ଭାତ କେହି ପରଷି ନାହିଁ ତୁମକୁ
ତୁମେ କବିତା ଲେଖୁଛ
ଉଚ୍ଚ ପାଟିରେ ଆବୃତ୍ତି କରୁଛ
ଚିତ୍କାର କରୁଛ
ଚାହିଁଲେ ଦୂତ ଭୂମିକାରେ ସୁଆଙ୍ଗରେ
ତୁମେ ଅଭିନୟ କରିପାରିବ
ଦାଣ୍ଡ କବାଟ ଖୋଲି
ସୂର୍ଯ୍ୟ ଦିଗରେ ତୁମ ଆଖିକି କ୍ଷେପି ପାରିବ
ମୋଟାମୋଟି ତୁମେ ବଞ୍ଚିଛ ।

ସାଂଘାତିକ କଥାମାନ ଯେତେବେଳେ ମାମୁଲି ଲାଗିବ,
ଜାଣିବ
ତୁମେ ବନ୍ଦୀ ବା ଅନ୍ଧ
ଅଥବା ମୃତ ।

ବୃନ୍ଦାବନ ବିହାର, ସମ୍ବଲପୁର

ଲେଖକ ପରିଚୟ

ସଦ୍ୟ ପ୍ରକାଶିତ “ମାର୍ଗ ସହଜ” ସମେତ ଏଯାବତ ୯ ଗୋଟି କବିତା ସଂକଳନ ପ୍ରକାଶିତ ହୋଇ ସାରିଛି । ଜଣେ ଅବସରପ୍ରାପ୍ତ ଅଧ୍ୟାପକ ଓ ଗବେଷକ ସତ୍ତ୍ୱେ ସାହିତ୍ୟ ପ୍ରତି ରୁଚି ରଖେ । କବିତା ବ୍ୟତୀତ ଆଲୋଚନା, ନିବନ୍ଧାଦି ରଚନା ବି ଭଲଲାଗେ ମୋତେ ।

Related Posts

Leave a Reply

Your email address will not be published. Required fields are marked *