ସତ୍ୟବତୀ ସ୍ଵାଇଁ
ଥିଟା ନାଆଁରେ ପ୍ରତିଦିନ କିଛି ନା କିଛି ଅଭିଯୋଗ ସ୍କୁଲରୁ ଲିଖିତ ଆକାରରେ ଆସୁଛି । କାହାର ସାର୍ଟ ଚିରିଛି ତ କାହାକୁ ଦୁମ୍ ଦୁମ୍ ନଦିଛି । ପିଲାଟା ଏମିତି କାହିଁକି ହେଲା ! ଏତେ ସ୍ୱାଭିମାନୀ ଏତେ ଅଭିମାନୀ ଏତେ କମ୍ ବୟସରୁ ହେଲା କେମିତି ! କେହି ତାକୁ ଖନା କହିଦେଲେ ଗଲା ସରିଲା । କିଛି ନା କିଛି କାଣ୍ଡ ଘଟେଇ ଦେଉଛି ! କିନ୍ତୁ ମୁଁ …
ଫେରିଗଲି କିଛି ବର୍ଷ ତଳକୁ । ସେଇ ନିର୍ଭେଜାଲ ଜୀବନକୁ ଟିକେ ଜୀଇଁବାକୁ । ପୁଣି ଟିକେ ଜୀଅନ୍ତି କି ସେଇ ମଧୁର ନିରୋଳା ଜୀବନ, ଯେଉଁଠି ଦୌଡ଼ା, ପ୍ରତିଯୋଗିତା କମ୍ ଅଳ୍ପକେ ସନ୍ତୁଷ୍ଟର ବୟସ । ପୁଣି ଡିଅନ୍ତି, ଖେଳନ୍ତି, ବୁଲନ୍ତି ଭୋକ ହେବା ପର୍ଯ୍ୟନ୍ତ । ମାଆ କାଖେଇ ଜହ୍ନମାମୁଁ ଦେଖେଇ ଖୁଆଇ ଦିଅନ୍ତା । ଧୋରେ ବାଇଆ କହି ତା କୋଳରେ ଶୁଆଇ ଦିଅନ୍ତା । ବାପା କାନ୍ଧରେ ବସାଇ ମେଳାକୁ ବୁଲାଇ ନିଅନ୍ତେ । ପୁଅଝିଅ ଭେଦଭାବ ନଥାନ୍ତା । ପୁଳାଏ ସାଙ୍ଗ ମୋର ଥା…ନ୍ତେ ।
ମାଆ ଦେଖିଲୁ ଆମ ଗାଁରେ ଗୋଟେ ଜହ୍ନ ଏଠି ମାମୁଁ ଘଲ ଗାଁଲେ ଆଉ ଗୋଟେ ଜହ୍ନ । ମାଆ କୁହେ ତୁମ ଗାଁରେ ଯେଉଁ ଜହ୍ନ ଏଠି ବି ସେଇ ଜହ୍ନ । ଆକାଶରେ ଜହ୍ନ ଗୋଟିଏ ।
ନଖ କାମୁଡ଼ି ଭାବେ ଜହ୍ନ କଣ ମୋତେ ଭଲପାଏ ! ମୁଁ ମାମୁଘଲ ଆସିଲି ବୋଲି ଛେ ବି ଚାଲି ଆଇଛି ! ହେଲେ ଛେ କେମିତି ମୋ ମାମୁଘଲ ବାଟ ଦେଖିଲା ! ତା ମାଆ ଘଲ କଣ ମୋ ମାମୁଘଲ ଗାଁଲେ ! କେତେ କେତେ ବିସ୍ମୟରେ ପୋତି ହୋଇଯିବା ବୟସଟି କିନ୍ତୁ ଭାରି ଲୋଭନୀୟ ଥିଲା ।
ବୟସ କେତେ ହେବ ମନେ ନାହିଁ । ମନେ କିନ୍ତୁ ଅଛି ଜଣଙ୍କ ବାଁ ହାତର ବିଶି ଆଙ୍ଗୁଠି ଧରି ପଛେପଛେ ଚାଲୁଥିଲି । ଚାଲୁ ନଥିଲି ଦଉଡ଼ି ଥିଲି । ସେଇ ଜଣଙ୍କ ମୋ ବାପା । ତାଙ୍କ ପାହୁଣ୍ଡ ସାଙ୍ଗେ ପ୍ରତିଯୋଗିତା କରୁଥିଲି ଚାଲିବାବେଳେ । ଦୌଡୁଦୌଡୁ କେତେବେଳେ ପଛେଇ ଯାଉଥିଲି । କିନ୍ତୁ ଦୌଡୁଥିଲି ତାଙ୍କ ପାଦ ସହ ମୋ ପାଦ ମିଶିବା ପର୍ଯ୍ୟନ୍ତ । କେଉଁଠି ନା କେଉଁଠି ବାପାଙ୍କ ପାଦ ସହ ମୋ ପାଦ ମିଶିବ; ଏଇ ନିଶାରେ । କିନ୍ତୁ କେଉଁଠି ହେଲେ ବି ମିଶି ପାରୁନଥିଲା ।କାହିଁକିନା ସେ ବାପା ଥିଲେ ଆଉ ମୁଁ ଥିଲି ସିପ୍ପୀ । ଶେଷରେ ବିକଳ ହୋଇ କହୁଥିଲି ବା…ପା !!
ଏତିକି ଯଥେଷ୍ଟ ଥିଲା ବାପାଙ୍କ ପାଇଁ।ସେ ସାଙ୍ଗେସାଙ୍ଗେ ଟେକି ନେଇ କାନ୍ଧରେ ବସେଇ ଦେଉଥିଲେ।ବାସ୍ ତା ପର କଥା କେମିତି କହିବି ଯେ…।ମୋତେ ଲାଗୁଥିଲା ଶିଡି ଲଗେଇ ମୁଁ ସ୍ଵର୍ଗରେ ପହଞ୍ଚି ଯାଇଛି। ବାପାଙ୍କ କାନ୍ଧରେ ଥାଇ ଆକାଶକୁ ହାତ ବଢାଏ।ଭାବେ ଆଉ ଟିକେ ବଡ଼ ହୋଇଗଲେ ବାପାଙ୍କ କାନ୍ଧରେ ବସି ଏଇ ସେଇ ଯେଉଁ ନୀଳ୍ ଆକାଶ ମୋ ମୁଣ୍ଡ ଉପରେ;ଯେଉଁଠି ରାଗି ସୂର୍ଯ୍ୟ , ଫୁଲେଇ ଜହ୍ନ ଓ ମେଞ୍ଚାଏ ତାରାଙ୍କ ଘର ;ସେଠିକୁ ମୋ ହାତ ପାଇବ ନିଶ୍ଚୟ।
ଆଉ ସେଦିନ ଜହ୍ନ ଫୁଲେଇକୁ ଓଟାରି ଆଣିବି ମୋ ପାଖକୁ। ଖୁବ୍ ମଜା ହେବ। ତାର ମୋର ସାଙ୍ଗ ହେବୁ,ଖେଳିବୁ।
ଚାଲୁଚାଲୁ ବାପାଙ୍କ ପାଦ ଅଟକି ଗଲା ଗୋଟେ ଘର ପାଖରେ।ମୋତେ କାନ୍ଧରୁ ଓହ୍ଲେଇ କହିଲେ ଦେଖ୍ ଏଇଟା ସ୍କୁଲ।ଏଠି ସାର୍ ମାନେ ଅଛନ୍ତି।ଭିତରକୁ ଯାଇ ପାଦ ଧୂଳି ଆଣିବୁ।ଯାହା ପଚାରିବେ ସବୁ କହିବୁ।ଡରିବୁ ନାଇଁ।ମୁଁ ଅଛି ନା।ବୁଝିଲୁ ସିପ୍ପୀ ଆଜି ସ୍କୁଲରେ ତୋ ନାମ ଲେଖେଇବି।କଣ କହୁଛୁ,ମନ ଦେଇ ପଢିବୁ ତ…ପାଟିରେ ନ କହି ମୁଣ୍ଡ ଟୁଙ୍ଗାରି ଉତ୍ତର ଦେଲି ହଁ।
ବାପାଙ୍କ ହାତ ଧରିଥାଏ ଜୋଅରେ । ତାଙ୍କ ପଛେ ଲୁଚାଇଥାଏ ମୁହଁ । ମୋତେ ଆଗକୁ ଆଣି ଜଣଙ୍କୁ ଦେଖେଇ ବାପା କହିଲେ “ସିପ୍ପୀ ! ସାର୍”। ମୁଁ ମୁଣ୍ଡ ନୁଆଇଁ ପ୍ରଣାମ କଲି । ସାର୍ ମୋ ମୁଣ୍ଡ ଆଉଁସି ଦେଇ କହିଲେ କୁନି ଝିଅ ଏଆଡ଼େ ଆସ । ହଁ ମୋ ପାଖକୁ । ମୁଁ ବାପାଙ୍କୁ ଟିକେ ଚାହିଁଲି । ବାପା ଆଖିରେ ସଂକେତ ଦେଲେ ଯା….ପିଲାବେଳେ ଏଇ ଆଖିର ଭାଷା ଖୁବ୍ ଭଲଭାବେ ବୁଝିହୁଏ । ଆଖିରେ କଣ ଲେଖା ଅଛି ଏ ପିଲା ବୟସଟି ମାଷ୍ଟର ଡିଗ୍ରୀ ପାଇଥାଏ ପଢିବାକୁ ଅବା…। କଅଁଳ ଶୈଶବ ବେଶୀ ଆଖି କଥା ବୁଝେ କମ୍ ବୁଝେ ମୁହଁ କହିବା କଥା । କାରଣ ଅନେକ ଶବ୍ଦର ଅର୍ଥ ମାଲୁମ ନଥାଏ । କିନ୍ତୁ ଆଖି ଭାଷା ପଢିବାକୁ କି ବୁଝିବାକୁ ଶବ୍ଦର ଆଦୌ ଆବଶ୍ୟକତା ହୁଏନି । କେବଳ ଦେଖିଦେଲେ ବୁଝା ପଡ଼ିଯାଏ ସାମନା ଲୋକ ରାଗିଛି, ଖୁସି ଅଛି, ଚିଡ଼ିଛି ନା ଦୁଃଖୀ ଅଛି ।
ମାତ୍ର ଆଶ୍ଚର୍ଯ୍ୟ ବଡ଼ ହେଉହେଉ ଏ କଳାଟି କୁଆଡ଼େ ଉଭେଇ ଯାଏ । ମୁହଁ ଖୋଲି ନକହିଲେ ବୁଝାପଡ଼େନି ଅପରପକ୍ଷ କଣ କହୁଛି ? ବାପାଙ୍କ ଅନୁମତି ପାଇଁ ସାର୍ ଙ୍କ ପାଖକୁ ଗଲି । ସାର୍ ପଚାରିଲେ ତୁମ ନାମ କଣ କୁନିଝିଅ ?
ଛିପ୍ପୀ ଛର୍ମା…..
ତୁମେ ପଢିବାକୁ ଆସିଛ ??
ସେଇ ମୁଣ୍ଡ ଡାହାଣ ପଟକୁ ଆଣି କିଛି ନକହି ହଲାଇ ସମ୍ମତି ଜଣାଇଁଲି ହଁ..
ବାପା କହିଲେ ପାଟି ସିନା ଲାଗେ ସେଥିରେ ବି ସିପ୍ପୀ ଗୀତ ଗାଇପାରେ, ଗପ କହିପାରେ ।
ଆରେ ବାଃ ! ତୁମକୁ ଗପ କହି ଆସେ?
ହଁ……
ତୁମେ ଗୀତ ଗାଇପାର ?
ହୁଉଁ…..
ଗାଇଲ ଗୋଟେ ।
ମୋ ପାଟି ଲାଗୁଥିଲା ଦଶ ଏଗାର ବର୍ଷ ଯାଏ । ର,ସ ପ୍ରାୟ ଠିକ୍ ରେ ଉଚ୍ଚାରଣ ହେଉ ନଥିଲା । ସମସ୍ତେ ଭାବୁଥିଲେ ମୁଁ ହୁଏତ ଖନୀ ହେବି । କିନ୍ତୁ ପରେ ସ୍ୱାଭାବିକ ହୋଇଥିଲା ମୋର ଉଚ୍ଚାରଣ । ସାର୍ ଙ୍କ କଥା ରଖି ଗାଇଲି “କହଲେ କିଏ ଛେ, ଛବୁଜ ଏ ବନ ନୀଲ ଆକାଛେ ଝଟକାଏ ତା ଜ୍ୟୋତିଲ ପ୍ରକାଛେ । କଥାଲେ କାହାଲ ବହେଲେ ପବନ କା ଆଦେଛେ ବଲଛା ଯେ ବଲଛେ ।”
ବାଃ ବାଃ କି ସୁନ୍ଦର ଗାଉଛ ?
ଆଉ କଣ କଣ ଶିଖିଛ ??
ଛବୁ……
ଛବୁ କଣ ସୁନା ???
ଅ ଆ, ଏକ ଦୁଇ, ପନକିଆ, ମେଜଲ, ମିଶାନ, ଫେଡାନ, ଗୁନନ, ହଲନ, ଏ ବି ସି ଡି, ୱାନ୍ ଟୁଥ୍ରୀ ଛ…ଅ …ବୁ ।
ସୁନା ଝିଅଟା…। କହିଲ ସାତ ନୂଆଁ କେତେ
ତେଛଟି…
ନଅ ସତା
ତେଛଟି……
ସାର୍ ମୋ ମୁଣ୍ଡ ଉପରେ ହାତ ଥୋଇ କହିଲେ ସାବାସ୍ ସିପ୍ପୀ । ତୁମେ କାଲିଠାରୁ ସ୍କୁଲ ଆସିବ ।
ଆପଣଙ୍କ ଝିଅ ସ୍କୁଲ ଆସିବା ପୂର୍ବରୁ ଏତେ ପାଠ ପଢ଼ିଛି ?? କିଏ ପଢାଏ ତାକୁ ??
ତା ମାଆ ।
ସାର୍ ଓ ବାପା କଥା ହେବା ସମୟରେ ମୁଁ ଟିକେ ଇଆଡ଼େ ସିଆଡେ ଅନାଇଁଲି । ମୋ ପରି କେତେ ଝିଅପୁଅ ସେଠି ବସି ସିଲଟ, ଖାତା ବହି କଲମ ଧରି କଣ ସବୁ ଲେଖୁଥାନ୍ତି । ମୋତେ ସମସ୍ତେ କଣେଇଁ କଣେଇଁ ଚାହୁଁଥାନ୍ତି । ହାତଠାରି ଡାକୁଥାନ୍ତି ଆମ ପାଖେ ବସିବୁ । ପ୍ରତ୍ୟେକ କମ୍ପିଟେସନ୍ କରୁଥାନ୍ତି ଯେପରି ମୁଁ ତାଙ୍କ ପାଖେ ବସେ । ନୂଆ ପିଲାଟିଏ ପାଇଲେ ସେଇ ସମୟରେ ବଳ କଷାକଷି ଚାଲେ କାହା ସାଙ୍ଗେ ସେ ସାଙ୍ଗ ହେବ, କାହା ପାଖେ ବସିବ ।ମୋତେ ସମସ୍ତେ ଭଲ ପାଉଥାନ୍ତି । ମୋ ଖନେଇଁ ଖନେଇଁ ଗୁଲୁରୁ ଗୁଲୁରୁ କଥା ଶୁଣିବାକୁ ସମସ୍ତଙ୍କୁ ବେଶ୍ ଆମୋଦର ଖୋରାକ ଯୋଗାଉଥାଏ । ସାର୍ ଙ୍କଠାରୁ ବି ଅଧିକ ପ୍ରଶ୍ନ ପଚାରୁଥାନ୍ତି ସେ ପିଲାମାନେ । ମୋ ଫ୍ରକ୍, ଚୁଟି, ଟିକିଲି ସବୁଥିରେ ଧୀରେଧୀରେ ହାତ ମାରୁ ଥାଆନ୍ତି । ସହରୀ ଛିଟା ମୋ ଦେହରେ ଥାଏନା । କେହି କେହି ଖନୀଟା କହି ହସୁଥାନ୍ତି ।
ସିପ୍ପୀ ଖନୀ ନୁହେଁ । ସ କି ର କେବଳ ଉଚ୍ଚାରଣ ଠିକ୍ ରେ କରିପାରେନି । କେହି ତାକୁ ଖନୀ ଡାକିବନି । ଛଅ ଚାଲୁଛି ସେ ପଞ୍ଚମ ଶ୍ରେଣୀର ପାଠ ବି ସାରି ଦେଇଛି । ତା ମାଆ ତାକୁ ସବୁ ପଢେଇ ଦେଇଛି । ଇଂଲିଶ ତାର ସବୁଠାରୁ ପ୍ରିୟ ବିଷୟ ।
ଆଁ ପଞ୍ଚମ ପାଠ ସାରି ଦେଇଛି ! ଏତେ ବକଟେ ଛୁଆ !
ଆଜ୍ଞା ସାର୍ । ଆପଣ ପରୀକ୍ଷା କରିପାରନ୍ତି ।
ସିପ୍ପୀ ମୋ ପାଖେ କଲିକତାରେ ତା ମାଆ ସହ ଥିଲା । ସେଠିକା ସ୍କୁଲରେ ପଢୁଥିଲା । ଏଇ ଏଗାର ଦିନ ହେବ ଗାଁକୁ ଆସିଛୁ । ମୋ ବୋଉ ଦେହ ଭଲ ରହୁନଥିବାରୁ ସିପ୍ପୀ ଓ ତା ମାଆ ଆଉ ମୋ ସହ କଲିକତା ଯିବେ ନାହିଁ । ଏଇଠି ଗାଁରେ ରହିବେ । ଏଣୁ ମୁଁ ଫେରିଯିବା ପୂର୍ବରୁ ତା ନାଁଟା ଲେଖେଇ ଦେଇ ଯିବ । କିନ୍ତୁ ସେ କେଉଁ ଶ୍ରେଣୀରେ ନାଆଁ ଲେଖେଇବ ଆପଣ ତାକୁ ପରୀକ୍ଷା କରି ଲେଖି ଦିଅନ୍ତୁ। । ଯଦି ଚାହୁଁଛନ୍ତି ତାକୁ ଏବେ ପରୀକ୍ଷା କରିପାରନ୍ତି ।
ସାର୍ କହିଲେ ଇଂଲିଶରେ ନମ୍ବର ଜାଣିଛ ?
ହୁଉଁ…..
କହିଲ ସିପ୍ ର୍ ବହୁ ପ୍ଲୁରାଲ କଣ ହେବ ?
କେଉଁ ଛିପ୍ ଏଛେ ଏଚ ଆଇ ପି ନା ଏଛେ ଏଚ ଇ ଇ ପି ?
ସାର୍ ଆଉ ମୋତେ କିଛି ନକହି ଆଶ୍ଚର୍ଯ୍ୟ ହୋଇ ଚାହିଁଲେ । ମୋତେ ଟିକେ ଗେଲ କଲେ । କହିଲେ, ହଉ ଯାଅ କାଲିଠାରୁ ସ୍କୁଲ ଆସିବ ।
ମୋ ନାଆଁ ତୃତୀୟ ଶ୍ରେଣୀରେ ଲେଖାଗଲା । ଭାଗ୍ୟ ଭଲ ସେତେବେଳେ ପାଞ୍ଚ ବର୍ଷ ନପୁରିଲେ ପ୍ରଥମରେ ନାଆଁ ଲେଖାଇ ହେବନି ନିୟମ ନଥିଲା ।
ମୋତେ କିନ୍ତୁ ସ୍କୁଲରେ ପ୍ରାୟତଃ ପିଲା ସିପ୍ପୀ ନଡାକି ଖନୀ ଡାକି ହସନ୍ତି । ଏବଂ ମୁଁ ବି କି ବୋକି ଯେ ସେମାନେ ହସୁଛନ୍ତି ବୋଲି ହସିଦିଏ ।
ମୋ ପୁଅର ବି ମୋ ପରି ଅବସ୍ଥା । ସେ କିନ୍ତୁ ମୋ ପରି ବୋକା ନୁହେଁ । ତାକୁ କେହି ଖନା ଡାକିଲେ ଏତେ ପ୍ରତିକ୍ରିୟାଶୀଳ ହେଉଛି ? କେବେକେବେ କହୁଛି ମୁଁ ଆଉ ସ୍କୁଲ ଯିବିନି, ଯା । ସେ ଛୁଆବେଳୁ ଏତେ ବଡ଼ ହୋଇଗଲା କାହିଁକି ? ଜୀଇଁଥାନ୍ତା ହେଲେ ନିରୋଳା ଶୈଶବ ।
ଶିକ୍ଷୟତ୍ରୀ, ଜଗତସିଂହପୁର
ଲେଖକ ପରିଚୟ
ଜଣେ ବିଦଗ୍ଧ ପାଠକ କହିଲେ ବେଶି ଠିକ ହେବ । ଜୀବନ, ଜଗତ ଓ ଜିଇଁବାକୁ ଲେଖେ । ଏଯାବତ ୮ ଖଣ୍ଡ କ୍ଷୁଦ୍ରଗଳ୍ପ ସଂକଳନ ପ୍ରକାଶିତ ହୋଇଛି ଏବଂ ଡିଜିଟାଲ ସାହିତ୍ୟ ପୋର୍ଟାଲ “ପ୍ରତିଲିପି”ରେ ଏକ ଧାରାବାହିକ ଉପନ୍ୟାସ ଲେଖି ପ୍ରଥମ ସ୍ଥାନ ଅଧିକାର କରିଥିଲି । ବାରମ୍ବାର ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇଲା ପରେ ସେମାନେ “ସାରସ୍ଵତ ଗାଳ୍ପିକା ସମ୍ମାନ”ରେ ମଧ୍ୟ ଭୂଷିତ କରିଛନ୍ତି ।