ଦଶହରା ଗଲାଣି ତଥାପି ଦେଖୁନ, ଗୁଳୁଗୁଳି କି ଗରମ କମିବାର ନାଁ ନେଉନି । ବାଥରୁମରୁ ଧୁଆଧୋଇ ହୋଇ ଆସି, ଗୋଡ଼ ପୋଛୁପୋଛୁ ବେଡ୍ ଉପରେ ବସିଲା ରମ୍ୟା । ଓଃ ! ଏ.ସି. ହୱାଟା ବାଜି ଟିକେ ଆରାମ ଲାଗିଲା ତାକୁ । ସେରମ ଆଉ ମଏଶ୍ଚରାଇଜର ପାଇଁ ହାତ ବଢାଉ ବଢାଉ, ମୋବାଇଲ ନୋଟିଫିକେସନ୍ ର ଶବ୍ଦ ଶୁଭିଲା । ମୋବାଇଲଟା ଚାର୍ଜରେ ବସିଛି । “ହେଃ ! ଥାଉ କିଏ ଏବେ ଦେଖିବ ।
ଦିନସାରା ଏପଟସେପଟ ହୋଇ ଥକ୍କା ଲାଗିଲାଣି । ଜଲ୍ଦି ଟିକେ ଶୋଇଲେ, କାଲି ପୁଣି ଅଫିସ୍ । ପ୍ରକୃତରେ ପୂଜା ପରଦିନ ହିଁ ଅଫିସ ଛୁଟି ହେବା କଥା ।” ଭାବୁଭାବୁ ପାଣି ଢୋକେ ପିଇଲା ରମ୍ୟା । ହଠାତ୍ କେମିତି ଗୋଟେ ପାଣିଟା ଗୋଟା-ବଲ୍ ଭଳି ହୋଇ ତଣ୍ଟି ପାଖରେ ଅଟକି ଗଲା । ଚେଷ୍ଟା କଲେ ବି ଢୋକି ହେଉ ନଥାଏ । ସତେଯେମିତି ତା’ ବେକର ମା°ସପେଶୀ ଗୁଡା ଢୋକିବା ଭୁଲି ଯାଇଛନ୍ତି । ବାଥରୁମ ଯାଇ ପାଣିଟା ଫୋପାଡ଼ି ଦେବ କି ?…..ଓଃ ! ଏବେ ଢୋକି ହେଲା !…..ବୋଧେ ବହୁତ ସମୟ ହେଲା ପାଣି ପିଇନି ଆଉ ପାଟି ଶୁଖିଲା ଥିଲା ବୋଲି ସେମିତି ହେଲା କି କ’ଣ ! କି ହାଲିଆ ଲାଗୁଛି ବୋଲି ! ହଁ, ପ୍ରକୃତରେ ହାଲିଆ ଲାଗିଲାଣି ତାକୁ । ଯାହାକୁ କୁହନ୍ତି ଥକକକ୍କା !
ଗଲା ତିନି ଦିନ ହେଲା ତ ଯାହା ବୁଲାବୁଲି ଚାଲିଛି ପୂଜା, ମେଳା, ବନ୍ଧୁ ଘର, ସେଥିରେ ପୁଣି ଆଜି ତାଙ୍କ ଘରେ ପୂଜା ଶେଷଦିନ ଭୋଜିଟା ଥିଲା । ସୋମେନ୍ ଆଉ ତା’ ଅଫିସ କଲିଗ୍ ଆଉ ସେମାନଙ୍କ ଫ୍ୟାମିଲିଙ୍କୁ ନେଇ ଲଞ୍ଚ୍ ଆୟୋଜନ କରିଥିଲେ ଘରେ । ଗତକାଲି ଲଞ୍ଚ୍ ପରେ ସବୁ ଗ୍ରୋସରୀ ସପି° ଆଉ ଆଜି ଭୋର ପାଞ୍ଚଟାରୁ ଉଠି କାମରେ ଲାଗିଥିଲା ରମ୍ୟା । ରିନା ନାନୀକୁ ଆଜି ଅଲଗା କୁଆଡ଼େ ନଯାଇ ତାଙ୍କରି ଘରକୁ ଆସିବା ପାଇଁ, ମାସେ ଆଗରୁ ବରାଦ କରିଥିଲା ସେ । ପୁଣି ଆଗୁଆ ଦୁଇ ହଜାର ଟଙ୍କା ବି ଦେଇଥିଲା, ଖାସ୍ ଆଜି ପାଇଁ । ହଁ ରିନା ନାନୀ ଭଲ ରୋଷେଇ କରେ, ହେଲେ ଦଶମୀ ମାଛ ଘାଣ୍ଟଟା ରମ୍ୟା ନିଜ ହାତରେ ବନାଉ ବୋଲି ସ୍ପେଶାଲ ଡିମାଣ୍ଡ ଥିଲା ସୋମେନ୍ ଆଉ ରୂପକର । ରୂପକ ସବୁବେଳେ କୁହେ, “ରମ୍ୟା ବୋଉଦିର ମାଛ ତରକାରୀ ଅଛି ବୋଲି ମୁଁ ଓଡିଶାରେ ତିଷ୍ଟିଛି । ନହେଲେ କେବେଠୁ ସୁନ୍ଦରବନ୍ ପଳାନ୍ତିଣି !”
ମାସକ ଆଗରୁ ବରାଦ କରି ବି ରିନା ନାନୀ ପହଞ୍ଚିଲା ସେଇ ନ’ଟା ରେ । ୟା ଭିତରେ ରମ୍ୟା ମାଛ ଘାଣ୍ଟଟା ସାରି ଦେଇ, କ୍ଷୀରି ବସାଇବା ପାଇଁ ପ୍ରସ୍ତୁତ ହେଉଥାଏ । ରିନା ନାନୀ ପହଞ୍ଚୁ ପହଞ୍ଚୁ, ରମ୍ୟାକୁ କହିଲା ‘ତୁମେ ଗାଧେଇ, ଡ୍ରେସ୍ ପିନ୍ଧି ରେଡି ହୋଇଯାଅ ଦିଦି, ସେମାନେ ସବୁ ଆସିଯିବେ ଯେ ଆଉ ଟିକେ ପରେ’…..ଆଉ ନିଜେ ରୋଷେଇ କାମରେ ଲାଗିଗଲା । ଆଗରୁ ପ୍ରତ୍ୟେକଥର ଭୋଜିରେ ସବୁ ରୋଷେଇ ଠିକ୍ ସମୟରେ ରିନା ନାନୀ ସାରି ଦେଇଥିଲେ ବି, ସବୁଥର ପରି ରମ୍ୟା ବ୍ୟସ୍ତ ହେଉଥାଏ ମନେମନେ । ବାଥରୁମକୁ ପଶିବା ଆଗରୁ ପାଞ୍ଚ ଥର ଫେରୁଥାଏ, ଏଟା ସେଠି ଅଛି, ସେଟା ସେଠି ଅଛି । ଅମକଟା ଭୁଲିବନି, ଢମକଟା ପକେଇଦେବ । ଆଇସ୍ କ୍ୟୁବ୍ସ ଅଛି ନା ନାଇଁ । କୁଲଫି ଠିକରେ ଜମିଚି ନା ନାଇଁ । ସୋମେନ୍ କ୍ରକେରୀ ବାହାର କଲା ନା ନାଇଁ, ଗ୍ଲାସ ସଫା ଅଛି ନା’ ନାଇଁ । ରମ୍ୟା ଯେତେଥର କିଚେନକୁ ଯାଉଥାଏ, ରିନା ନାନୀ ସେତେଥର ହସିହସି ତାକୁ କୁହେ, “କାଇଁ ବ୍ୟସ୍ତ ହେଉଛ ଦିଦି । ସବୁ ରେଡି ହୋଇଯିବ । ଆଉ ସମସ୍ତେ ଖିଆପିଆ ସାରିଲେ ଯାଇ ମୁଁ ଯିବି ।”
ବାରଟା ବେଳକୁ ପୁଣି ସୋମେନ୍ ଘର ପାଖ ମନ୍ଦିରକୁ ଗଲା ସମର୍ଥ ଶର୍ମା ପାଇଁ ଅନ୍ନ ପ୍ରସାଦ ଆଣିବା ପାଇଁ । ତା’ ଘର ଉତ୍ତରପ୍ରଦେଶ, ଏମିତିରେ ସେ ମାଛ ଖାଏନି ଆଉ ପୂଜା ସମୟରେତ ପିଆଜ, ରସୁଣ ବି ନୁହେଁ । ବିଲକୁଲ୍ ରାଜି ହେଉନଥିଲା ଲଞ୍ଚରେ ଆସିବା ପାଇଁ । ରୂପକ ଏ ଅନ୍ନ ପ୍ରସାଦ ଉପାୟଟି ବାହାର କରିଥିଲା । କୁଲଫି ଆଉ ପାଣିକୁ ଛାଡିଦେଲେ କିଛି ବି ଖାଇନି ସେ ଆଜି ଏଠୁ । ଖାଇବା ସମୟରେ ପୁଣି ରୂପକ ତାକୁ ଚିଡାଉ ଥାଏ, “ ଆବେ ଥରେ ଖାଇକି ଦେଖ କେମିତି ଲାଗୁଛି ଏ ମାଛ ! ଏଇଟା ଦୁର୍ଗା ମା’ଙ୍କ ପ୍ରସାଦ ବେ ! ତୁ କ’ଣ ଆମଠୁ ଅଧିକ ଜାଣିଛୁ ଦୁର୍ଗାପୂଜା ବିଷୟରେ ? ଆଉ ଶଳା ଯେଉଁ ପାଣି ପିଉଛୁ……. ସେଇଥିରେ ବା ଏଇ ମାଛ ଥିଲା….”
ଲଞ୍ଚ୍ ସରିଲା ପରେ, ପ୍ଲେଟ୍ ସବୁ କିଚେନ୍ ସିଙ୍କ୍ ରେ ରଖା ସରିଛି କି ନାଇଁ ଏମାନଙ୍କ ପ୍ରୋଗ୍ରାମ୍ ବନିଗଲା ଶେଷପୂଜା ବୁଲା ଆଉ ରାବଣପୋଡ଼ି ଦେଖିବାର । ରୂପକର ଭଉଣୀ ଆଉ ରିନା ନାନୀ ଏମାନେ ଯା’ ହେଉ ବହୁତ ହେଲ୍ପ କଲେ ସେ ସମୟତକ । ନହେଲେ ରମ୍ୟା ତ ବୋଧେ ବେହୋସ ହୋଇ ଯାଇଥାନ୍ତା ଲଞ୍ଚ୍ ସରିଲା ବେଳକୁ । ମେଡ୍ ଆସିଥିଲେ ବିଲକୁଲ୍ ରାଜି ହୋଇ ନଥାନ୍ତା ଏସବୁ ସଫା କରିବା ପାଇଁ ।
ଖରା ନରମି ସାରିଥାଏ ଘରୁ ବାହାରିଲା ବେଳକୁ । ପୂର୍ବ ଆକାଶରେ ଠା’ଠା’ ବଉଦ । ଖରା ମଉଳି ଧୂସୁରିଆ ଦିଶୁଥାଏ ସେମାନଙ୍କ ରଙ୍ଗ । ଝାପସା ଗୋଲାପୀ ରଙ୍ଗ ଖେଳିଥାଏ ଦିଗ୍ ବଳୟ ପାଖରେ । ଖଣ୍ଡିଆ ଜହ୍ନଟେ ଝଟକିବା ଚେଷ୍ଟା ଜାରି ରଖିଥାଏ । ଦଶମୀ ହେଲେ ବି ରାସ୍ତାରେ ଭିଡ଼ ଠିକ୍ ପୂର୍ବ ଚାରିଦିନ ପରି । ଆଉ ଟିକେକୁ ରାବଣପୋଡ଼ି, ତା’ ପରେ ଭଷାଣୀ ଯାତ୍ରା । ଏବେଠୁ ପୁଲିସ ଗୋଟେ-ଅଧେ ରାସ୍ତା ବନ୍ଦ କରି ଟ୍ରାଫିକ୍ ଡାଇଭଟ୍ କରୁଛନ୍ତି ଅଲଗା ରାସ୍ତାକୁ । ଅବଶ୍ୟ ଏ ବ୍ୟବସ୍ଥା ନକଲେ ଗାଡ଼ି ଭିଡ଼ ଚାରିଆଡ଼େ ଖେଳେଇ ହୋଇଯିବ । ରାସ୍ତା ବନ୍ଦ କଲେ ହେଲେ, ସମ୍ପୂର୍ଣ୍ଣ ସହରରେ ଗୋଟିଏ ଗୋଲେଇ ପରି ଗାଡ଼ି ଧାଡ଼ିରେ ବୁଲିବେ । ରାବଣପୋଡ଼ି ମଇଦାନ୍ ପାଖରେ ପହଞ୍ଚିଲାବେଳକୁ ଛାତିଫଟା ଭିଡ଼ । ଭିଡ଼ ଯେତିକି ତା’ଠୁ ଅଧିକ ଲୋକଙ୍କ ଘୋ-ଘୋ ପାଟି, ଗୀତ ଆଉ ପେଁକାଳୀ, ଢୋଲ ଶବ୍ଦ । ଏକଦମ୍ କାନ ପାଖରେ କହିଲେ ଯାଇ ସାଙ୍ଗରେ ଥିବା ମଣିଷଟି ତୁମ କଥା ଶୁଣି ପାରିବ । ଭିଡ଼ଟା ପୁଣି ହଠାତ୍ ଗୋଟିଏ ହୋଓଓଓଓଓ…….ହୋଇ ଚିତ୍କାରରେ ପରିଣତ ହୋଇଗଲା । ଅନେଇଲା ବେଳକୁ ଆକାଶରେ ଜକ୍ ଜକ୍ କରି ମେଞ୍ଚାଏ ସୁନେଲି ରଙ୍ଗର ଆଲୁଅ ବିଛାଡ଼ି ହୋଇପଡ଼ିଲେ । ତା’ ପରେ ‘ଫଟ୍’ କରି ଶବ୍ଦଟିଏ ହୋଇ ପୁଣି ସେମିତି ନାଲି ଆଉ ତା’ ପଛକୁ ଫଟ୍ କରି ଶବ୍ଦ କରି ପୁଣି ସୁନେଲି ରଙ୍ଗର ଛୋଟଛୋଟ ଆଲୋକ ବୁନ୍ଦା ସବୁ ବିଛାଡ଼ି ହୋଇପଡ଼ିଲେ । ତା’ସହିତ ତାଳ ଦେଇ ଲୋକଙ୍କ ଉଲ୍ଲାସର ଶବ୍ଦ ଆଉ ତାଳି ବି । ଧିରେଧିରେ ଏ ବାଣ ଫୁଟିବାର ଫଟ୍ ଫଟ୍ ଶବ୍ଦ ଭିତରେ ବ୍ୟବଧାନ କମି ଆସିଲା । ତା’ ପଛକୁ, ତା’ ପଛକୁ, ରାବଣ ଦେହରେ ଖଞ୍ଜା ବାଣ ସବୁ ଶବ୍ଦ କରି ଆକାଶକୁ ଉଠି ଯାଇ ଛିଞ୍ଚାଡ଼ି ହୋଇ ପଡୁଥାନ୍ତି ରଙ୍ଗବେରଙ୍ଗ ଆଲୋକ ବୁନ୍ଦାରେ । ଘରକୁ ଫେରିବା ବେଳକୁ ଦଶଟା ହେଲାଣି ।
ମଏଶ୍ଚରାଇଜର୍ ଟ୍ୟୁବକୁ ସାଇଡ୍ ଟେବଲ୍ ଉପରେ ଥୋଇ, ରମ୍ୟା ଖଟର ହେଡବୋର୍ଡ ଉପରେ ମୁଣ୍ଡକୁ ଠେକ ଦେଇ ଆଖି ବନ୍ଦ କରି ବସିଥାଏ । ଦି’ ଗୋଡ଼ର ପେଣ୍ଡା ଘୋଳେଇ ହୋଇ ପଡୁଥାଏ । ଇଚ୍ଛା ହେଉଥାଏ କିଏ ଟିକେ ଆଉଁସି ଦିଅନ୍ତାକି ଗୋଡ଼କୁ ତା’ର…… କିଏ ଗୋଟେ ଫୋନ୍ କରନ୍ତା କି ଏବେ, ଯେ କାଲି ଅଫିସ୍ ଛୁଟି….. ତୁ ଶୋଇଯା’ ମନଭରି……
“ଶୋଇଗଲଣି?” ସୋମେନର ପ୍ରଶ୍ନ ଶୁଣି ଆଖି ନଖୋଲି ଉତ୍ତର ଦେଲା ରମ୍ୟା….. “ନାଇଁ ।”
ରମ୍ୟା କପାଳ ଉପରକୁ ପଡ଼ିଥିବା ଚୁଟିକୁ ଆଙ୍ଗୁଠିରେ ଆଡ଼େଇ ଦେଉ-ଦେଉ ସୋମେନ୍ କହିଲା, “ଥ୍ୟାଙ୍କ୍ ୟୁ ।”
“ଆରେ ମୋର ବି ତ କଲିଗ୍ ସେମାନେ ।” ହସିକି ଉତ୍ତର ଫେରାଇଥିଲା ରମ୍ୟା ।
ରମ୍ୟା ବାମ ଗାଲକୁ ଡାହାଣ ହାତରେ ଆଉଁସି, ଡାହାଣ ଗାଲରେ ଛୋଟ ଚୁମାଟିଏ ଦେଲା ସୋମେନ୍ । ହସିଦେଲା ରମ୍ୟା । ସୋମେନ୍ ତା’ପରେ ରମ୍ୟାର ମୁହଁକୁ ନିଜ ଦୁଇ ପାପୁଲି ଭିତରେ ଭରି ନିଜ ମୁହଁ ଆଡ଼କୁ ଆଣିଲା । ରମ୍ୟା ନିଜ ଡାହାଣ ହାତରେ ସୋମେନକୁ ଟିକେ ଠେଲି ଦେଇ କହିଲା, “ନଟ୍ ଟୁନାଇଟ୍ ସୋମେନ୍ । ଆଇ ଆମ୍ ଟୁ ଟାୟାର୍ଡ !”
ସୋମେନ୍ ରମ୍ୟାକୁ ନିଜ ଛାତି ପାଖକୁ ଭିଡିଆଣି ତା’ ବେକର ଡାହାଣ ପାଖରେ ତଥାପି ନିଜ ଓଠ ରଖିଦେଲା। ତା’ ହାତ ଦି’ଟା ରମ୍ୟାର ପିଠିସାରା ଦରାଣ୍ଡି ପକାଉଥାନ୍ତି । ସୋମେନର ଗରମ ନିଶ୍ୱାସ ରମ୍ୟାର ବେକ ପାଖରେ ବାଜିଲା ବେଳକୁ, ଲାଗୁଥାଏ ଯେମିତି ତା’ ଚମଡାକୁ ପୋଡି, ତା’ ମା°ସକୁ ବି ବତୁରେଇ ଦେବ । ସୋମେନ୍ ଗୋଟିଏ ହାତରେ ରମ୍ୟାର ଅଣ୍ଟା ପାଖକୁ ନେଇ ତାକୁ ଆହୁରି ନିଜ ଆଡକୁ ଭିଡିବା ପାଇଁ ଚେଷ୍ଟା କଲା । ରମ୍ୟା ନିଜ ଦୁଇ ହାତ ଲଗାଇ ସୋମେନକୁ ଠେଲି ଦେଇ କହିଲା, “ପ୍ଲିଜ୍ ! ଆଇ ସେଡ୍ ନୋ !”
ରମ୍ୟାର ଉତ୍ତର ଶୁଣି ସୋମେନ୍, ରମ୍ୟାର ମୁହଁକୁ ଗୋଟିଏ ହାତରେ ଚାପି ଧରି, ତା’ କାନ ପାଖରେ କହିଲା, “ତାହେଲେ ଆଜି ମାଛଘାଣ୍ଟ ଭଳିଆ ନୂଆ ‘ମିଡ୍-ନାଇଟ୍ ରୋଜ୍’ ପରଫ୍ୟୁମଟା କ’ଣ ରୂପକ ପାଇଁ ଥିଲା !”
ସୋମେନ୍ ମୁହଁକୁ ଆଶ୍ଚର୍ଯ୍ୟ ଆଉ ଘୃଣାରେ ଚାହିଁ ରମ୍ୟା ଭାବୁଥିଲା, ‘ସନ୍ଧ୍ୟାରେ ଯିଏ ପୋଡ଼ିଗଲା, ସେଇଟା ଖାଲି ପୁତ୍ତଳିକା ……ରାବଣ ତ ଏବେବି ବଞ୍ଚିଛି !’
ଶୈଳଶ୍ରୀ ବିହାର, ଭୁବନେଶ୍ୱର, ଫୋନ୍ ନଂ- ୮୦୧୮୦୫୩୩୯୫
ଲେଖକ ପରିଚୟ
ଅର୍ଜନ କରିଥିବା ସାର୍ଟିଫିକେଟ୍ ଆଉ ପେଷାରେ ଡାକ୍ତର । ହେଲେ ଲେଖାଲେଖି ଏବଂ ଛବି ଆଙ୍କିବା ଝୁଙ୍କ୍ ଟା ପିଲାବେଳୁ ଅଛି । ସ୍କୁଲରେ ଥିବା ସମୟରୁ ବିଭିନ୍ନ ଇ°ରାଜୀ ଏବଂ ହିନ୍ଦୀ ଖବରକାଗଜରେ ଲେଖା ପ୍ରକାଶ ପାଇଛି, କଲେଜ ସମୟରେ ବିଭିନ୍ନ ହେଲ୍ଥ ମାଗାଜିନରେ ମଧ୍ୟ । ଓଡ଼ିଆ ଗପ ଲେଖିବା ଆରମ୍ଭ କିନ୍ତୁ ୨୦୧୬-୧୭ ମସିହାରୁ । ଚାରିପାଖରେ ଏପଟସେପଟ ହେଉଥିବା ମଣିଷ ଆଉ ପରିସ୍ଥିତିର ଉତ୍ତର ନିଜକୁ ଦେବା ଭିତରେ ସେଇଟା କେତେବେଳେ ଗପ ହୋଇଯାଏ ଜଣା ପଡେନି । ଅବଶ୍ୟ ଆଉ ଗୋଟିଏ ଲୋଭ ବି ଅଛି, ବୋଉ କୁହେ ମୁଁ କାଳେ ଗପ ଲେଖି ବସିଲା ବେଳେ ଠିକ୍ ବାପାଙ୍କ ପରି ଲାଗେ ! କେବେ ବହି ପବ୍ଲିସ୍ କଲେ ଜଣେଇବି, ସେ ଲୋଭ ଏବେ ଆସିନି । ସମାଜଠୁ ଅଲଗା ହୋଇ ସାହିତ୍ୟର ଅସ୍ତିତ୍ଵ କିମ୍ବା ଅର୍ଥ ନଥାଏ, ସେଇଥିପାଇଁ ମୋତେ ଲାଗେ କୌଣସି ଲେଖକଙ୍କ ଲେଖା ଦ୍ୱାରା ସମାଜର ଉପକାର ନହେଉ ପଛେ କିନ୍ତୁ ତାହା କେବେ ବିଶୃଙ୍ଖଳା କିମ୍ବା ହି°ସାର କାରଣ ନହେଉ ।