ମୃଣାଳ
୧୪ ଜୁନ୍ ହେଲା ରକ୍ତଦାନ ଦିବସ । ଏହି ଅବସରରେ ଖବରକାଗଜ ବିଜ୍ଞାପନରେ ମନ୍ତ୍ରୀ ରକ୍ତଦାତାଙ୍କୁ ବଧେଇ ଜଣେଇଲେ । ରକ୍ତଦାନ କରି ସେମାନେ ଅତ୍ୟନ୍ତ ମହତ କାମ କରୁଛନ୍ତି ବୋଲି କହିଲେ ।
ତାକୁ ପଢ଼ି ଭୁବନେଶ୍ୱରର ଏକ ମଶା ଫୁଲ୍ ତାଉ ଖାଇଗଲା । କହିଲା: ମନ୍ତ୍ରୀ ରକ୍ତ ଦାନ ଯେଉଁମାନେ କରୁଛନ୍ତି ତାଙ୍କୁ ବଧେଇ ଜଣେଇଲେ । ଧନ୍ୟବାଦ ଜଣେଇଲେ । ଆମେ ଯେଉଁମାନେ ରକ୍ତ ଗ୍ରହଣ କରୁଛୁ ତାଙ୍କ ବିଷୟରେ ପଦେ କିଛି ଭଲ କଥା କହିଲେନି । ଗ୍ରହୀତା ନ ଥିଲେ ଦାତାର ଭ୍ୟାଲୁ କଣ?
ତା ସାଂଗ ମଶା କହିଲା: ଦେଖ । ମୁଁ ସେକ୍ରେଟାରିୟେଟ୍ର ରେକର୍ଡ ରୁମ୍ରେ ରହେ ବୋଲି ମନ୍ତ୍ରୀଙ୍କୁ ସପୋର୍ଟ କରି କହୁଛି ବୋଲି ଭାବନା । ହେଲେ କଥାଟା ହେଲା- ସାଙ୍ଗ ଆମେ ତ ରକ୍ତ ଦାନରେ ଗ୍ରହଣ କରୁନା । ଆମେ ନିଜ ଇଚ୍ଛାରେ ରକ୍ତ ପିଉ । ମଣିଷର ଅନିଚ୍ଛାରେ ତା ରକ୍ତ ପିଉ । ଦାନରେ ଗୋଟେ ଜିନିଷ ଗ୍ରହଣ କରିବା ଆଉ ଜଣକର ଅନିଚ୍ଛାରେ ତାଠୁଁ ଆଣିବା- କଣ ଏକା କଥା?
– ନା ଏକା କଥା ନୁହେଁ । ଇନ୍ ଫ୍ୟାକ୍ଟ୍ ଆମେ ଆହୁରି ବଡ଼ କାମ କରୁଛୁ । ଯେଉଁ ମଣିଷ କାହାକୁ ରକ୍ତ ଟୋପାଏ ଦେବାକୁ ନାରାଜ, ବାପ ମେଡିକାଲ୍ରେ ପଡ଼ିଥିବ- ନିଜ ରକ୍ତ ଦେବା ବଦଳରେ ଟଂକା ଦେଇ ରକ୍ତ କିଣିବାକୁ ଦଉଡ଼ୁଥିବ- ସେମିତି ପୁଅଠୁଁ ବି ଆମେ ରକ୍ତ ଶୋଷି ନେଉଛୁ । ତେଣୁ ରକ୍ତ ଦାତାଠୁଁ ଆମେ ଆହୁରି ବଡ଼ କାମ କରୁଛୁ । ପୁଣି ଭାବି ଦେଖ- ବର୍ତ୍ତମାନ କରୋନା ଟାଇମ୍ । ଲୋକ ହାସପାତଳରେ ପଡ଼ିଲେ କେହି ତା ପାଖକୁ କେହି ଯିବାକୁ ନାରାଜ । ତାକୁ ଛୁଇଁବାକୁ ନାରାଜ । ମରିଗଲେ ତା ନିକଟ ସମ୍ପର୍କୀୟମାନେ ତାକୁ ଦାହ ସତ୍କାର ପାଇଁ ବି ନେବାକୁ ନାରାଜ । ଏ ଅବସ୍ଥାରେ ଆମେ ତା ପାଖକୁ ଯାଉଛୁ, ତା କାନ ପାଖରେ ଗୁଣୁଗୁଣୁଚ ହୋଇ ଗୀତ ଗାଉଛୁ, ତା ଦେହରେ ବସୁଛୁ, ତା ରକ୍ତ ଟୋପାଏ ପିଉଛୁ- ଏଟା କଣ ବଡ଼ କଥା ନୁହେଁ! ଆମକୁ ମାନ୍ୟବର ମନ୍ତ୍ରୀ ଧନ୍ୟବାଦ ଜଣେଇବା ଉଚିତ ନ ଥିଲା! ତାହା ନ କରିବା ଦ୍ୱାରା ଆମକୁ ଇଗ୍ନୋର୍ କରାଗଲା । ଉପେକ୍ଷା କରାଗଲା । ମଶା ବଂଶ ପ୍ରତି ଏହା ଘୋର ଅପମାନ । ଏ ଅପମାନ ଆମେ ମଶାମାନେ ସହ୍ୟ କରିବୁନି ।
– ଭାଇ, ଟିକେ ବ୍ରେକ୍ ଲଗା ।
– ନାଇଁ ବ୍ରେକ୍ ଫେକ୍ କିଛି ଲାଗିବନି । ଇଏ ମଶା ବଂଶ ପ୍ରତି ଅପମାନ ।
– ଭାଇ, ମନେ କରିବୁନି । ଇଏ ତ ବଡ଼ ବିତଣ୍ଡା ଯୁକ୍ତି ହେଲା । ଆଚ୍ଛା ଗୋଟେ କଥା କହ, ଆଜିକାଲି ତୁ କଉଠି ରହୁଛୁ କି?
– ମୁଁ? ଗୋଟେ ଟିଭି ଚ୍ୟାନେଲ୍ର ଷ୍ଟୁଡିଓରେ ରହୁଛି ।
– ହଁ । ସେଇଥିପାଇଁ । ତୋ ଦେହରେ ବିତଣ୍ଡାର ଭାଇରସ୍ ପଶି ଯାଇଛି । ତୁରନ୍ତ ସେଠୁ ବାହାରି ଅନ୍ୟ କଉଠି ରହ ।
ସଂଚାର ମାର୍ଗ, ଢ଼େଙ୍କାନାଳ ୭୫୯
mrinalchatterjeeiimc@gmail.com
ସାମ୍ବାଦିକତା, ସାହିତ୍ୟ, ବ୍ୟଙ୍ଗ ଆଦି ପ୍ରତିଟି କ୍ଷେତ୍ରରେ ମୃଣାଳଙ୍କ ସ୍ଵାକ୍ଷର ସ୍ପଷ୍ଟ । ସେ ଜଣେ ପ୍ରତିଷ୍ଠିତ ଲେଖକ ।