ଶିବାନୀ ଦାସ

“ଆଲୋ ମାଇକିନା ଝିଅଟା ହେଇଚୁ, ଏଡ଼େ ସକାଳ ଯାଏ କଣ ଗଣ୍ଡିଟା ଭଳିଆ ପଡ଼ିଚୁ ବା !! ତେଣେ ରୀତା, ମୀନା ଗାଧେଇ ପାଧେଇ ନୂଆ ଖଣ୍ଡେ ଖଣ୍ଡେ ପିନ୍ଧିଲେଣି । ଆମ ସମୟରେ ରାତି ନପାହୁଣୁ ନଈରେ ବୁଡ଼ ପକେଇ ଆସୁଥିଲୁ, ନୂଆ ନୁଗୁଆ ପିନ୍ଧୁଥିଲୁ, ସ୍ନୋ ପାଉଡ଼ର ଟିକେ ଲଗେଇ ଦେଇ ଓଠ ପଝଉ ଥିଲୁ । ତାପରେ ସାଙ୍ଗମାନଙ୍କ ଘର ବୁଲିବୁଲି ପୋଡ଼ପିଠା, ପାନ ଖଣ୍ଡେ ଖାଇ ଦୋଳି ଖେଳି, ସେ ଝବଡ଼ା ଟୋକା ପଞ୍ଜାଙ୍କ ଠସିଲି ଶୁଣି ଶୁଣି କେଡ଼େ ବେଗି ରଜ ସରି ଯାଉଥିଲା, କିଛି ଜଣା ପଡୁ ନଥିଲା । କଣ କହିବିଲୋ ମାଆ ସେଯୁଗ କଥା ! ଉଠ ବା ମାଆ । ଭୋଅର ୪ଟା ଆସିକି ହେଲାଣି । କାଉ ରାବ ଦେଲାଣି । ଆଲୋ ଉଠ । ମିନୁ ! ଉଠୁନୁ ଲୋ ।”
ଜେଜେ ମା ଏମିତି ଅନେକ କଥା କହିଲାବେଳେ ତାଙ୍କ କଥା କାନ ଡେରି ଶୁଣୁଥିଲେ ବିଜୟଲକ୍ଷ୍ମୀ (ବିଜି)। ଆଉ ରହି ପାରିଲେନି । ସେ ମିନୁର ମାଆ । ଏ ଜମିଦାର ବଂଶର ଏକମାତ୍ର ଗେହ୍ଲା ବୋହୂ । ମିନୁ ତାଙ୍କର ଗୋଟିଏ ବୋଲି ଝିଅ । ନବମ ଶ୍ରେଣୀରେ ପଢେ । ଭାରି ଭଲ ଝିଅଟେ । ଶାନ୍ତ, ସରଳ । ଦେବୀ ପ୍ରତିମା ପରି । ଲୋକ କୁହନ୍ତି ମିନୁକୁ କାଳେ ଏ ବଂଶ ପାଳିଛନ୍ତି । କଣ ହେଲା କେଜାଣି, ବାହାଘର ୧୨ ବର୍ଷ ବିତିଗଲା ପରେ ମଧ୍ୟ କୋଳରେ କୋଳେ ହେଲାନି । ହଠାତ୍ ଦିନେ ସହରରୁ ଘରକୁ ଫେରିଲେ ଦୁହେଁ । ଆଉ ହାତରେ ଟିକି ପିଲାଟିଏ । ସେତେବେଳକୁ ଛୁଆଟାକୁ କେତେ ମାସର ହେଇଗଲେ ମଧ୍ୟ ବଡ଼ ଧୁମଧାମ୍ ରେ ଏକୋଇଶିଆ ପୂଜା କରିଥିଲା ରାୟ ବାହାଦୁର ପରିବାର । ୫ଟା ଗାଆଁର ଲୋକ ଖାଆଣ ଖାଉଥିଲା ସେଦିନ । ଗୋଟିଏ ପ୍ରଶ୍ନ କେହି କରି ନଥିଲେ । ହଁ, ବଡ଼ଘର ବଡ଼ ଗୁମର କଥା । ସମସ୍ତେ ତ ଆଜ୍ଞା ହୁଜୁରଙ୍କ ଛତ୍ର ଛାୟା ତଳେ ବଞ୍ଚୁଛନ୍ତି । ପ୍ରଶ୍ନ କରିବେ ବା କିମିତି ।
ବିଜି ବାହାରି ଆସିଲେ ଶୋଇବା ଘରୁ ମୁଣ୍ଡରେ ଓଢଣା ଦେଇ । ମାଡ଼ି ଚାଲିଲେ ମିନୁ ଶୋଇବା ଘର ଆଡ଼କୁ ।
– ମାଆ, ତାକୁ ଟିକେ ଶୋଇବାକୁ ଦିଅନ୍ତୁ । ଆପଣଙ୍କ ଦେହ ବି ଖରାପ । ଏତେ ସହଳ କାଇଁ ଉଠିଲେ । ମୁଁ ତ ଉଠିଲିଣି । ଯାଆନ୍ତୁ, ଆପଣ ବି ଟିକେ ଶୋଇଯିବେ । ସନା ତ ଅଛି । ମୁଁ ତା ସହ ମିଶି କାମଦାମ କରିବି । ପୋଡ଼ ପିଠା ତ ଖାଲି କଟା ହେବ । ବାକି ସବୁ କାମ ପାଇଛି । ଆପଣ ଗଲେ ଟିକେ ଶୋଇ ପଡ଼ିବେ ! ନହେଲେ ପୁଣି ଦେହ ଖରାପ ହେବ ।
– ମଲା ମଲା !! ରଜ ପରା ଦିନଟାରେ କି ରୋଗ ବଇରାଗ ବା ! ତୁ ମାଆଟି ! ଯା’ ! ତାକୁ ଉଠା । ଶଣ୍ଠଣା ଗଣ୍ଠଣା କଣ ସବୁ ଭୁଲିଯିବ !! ମାଇକିନା ଝିଅଟା । ରାତି ପାହିଲେ ବାହା ହେବ । ସେଠି କଣ ଏମିତି ଶୋଇବ ? ଆଉ ତା ଶାଶୂ ଉଠି ତାକୁ ଉଠେଇବେ !! ମୋ ଦେହ ଠିକ୍ ଅଛି । ତୁମେମାନେ ଆମ ବୟସ ଯାଏଁ ଯିବ କି ନାହିଁ ଟିକେ ଦେଖ ।
– ହଁ ଯେ , କିନ୍ତୁ..
– କଣ କିନ୍ତୁ ? ତତେ କହିଲି ପରା ତାକୁ ଉଠା । ଗୋଟାଏ ବୋଲି ଲକ୍ଷ୍ମୀ ମୋର । ପୂଜା ପରବ ଦିନରେ କଣ ଲକ୍ଷ୍ମୀ ଶୁଅନ୍ତି ! ମୁଁ ଯାଉଚି ସେ ଅଗଣା ନଳକୂଅ ପାଖେ ଗାଧେଇ ପଡୁଚି । ବୁଢ଼ୀ ଲୋକ ମୋ ଦେହରେ ଆଉ କଣ ଅଛି ବା । କିଏ ଦେଖିବ ! ମୁଁ ତା ସଜ ଡାଲା ସଜାଡ଼ି ଦିଏ ମୋ ପାଇଟି ସାରିକି ।
– ମାଆ ଟିକେ ଶୁଣନ୍ତୁ..
– ପୁଣି କଣ ହେଲା ! ଏ ମାଆ ମାଆ ଚଲେଇଚୁ କିଲୋ ! ମୋ କଥା ତୋ କାନରେ ପଶୁନି କି ! ଆଲୋ ଶୁଣୁ ବା । ମୁଁ ଆଉ କେଇଟା ଦିନ ବଞ୍ଚିବି କି ମରିବି ଜାଣିନି । ସେ ଟୋକା ଖଣ୍ଡକ, ତୋ ସ୍ଵାମୀ ବା, ସେ ପୁଣି ପାଟ ନୁଗୁଆ ଖଣ୍ଡେ ନେଇକି ଆସିଚି ! ଆଲୋ ମୋର କଣ ହେବ ସେ ସବୁ ! ତୁ ସେ ନୁଗୁଆଟା ବାହାର୍ କର । ମୋ ମିନୁକୁ ଭାରି ମାନିବ ସେ ହଳଦିଆ ଖଣ୍ଡକ । ନୂଆ ବୋହୁଟେ ଭଳି ଦେଖାଯିବ ସେ । ଚନ୍ଦନ କୁଙ୍କୁମ, ଅଳତା, ନଖପାଲିସି ସଜ ଡାଲାରେ ସଜାଡ଼ି ଦେ । ମୁଁ ଆସେ । ତାକୁ ସଜପଟା ମୋ ନିଜ ହାତରେ କରିବି ଆଜି । ଦେଖେ ଯାଇ, ସେ ସନା ଦୋଳି ବାନ୍ଧୁଛି ନା ନାଇଁ । ମୋ ଛୁଆଟା ଟିକେ ଦୋଳି ଖେଳିବନି !!!
– ମାଆ ! ତାର ବା କାଲି ହେଇଚି !
– କଣ !!!
– ମାଆ ସେଇଟା ମ ! ସେ ବା ବଡ଼ ପିଲା ହେଇଚି ।
– ହେଁ !! ଛି ଛି । ମୁଁ ପୁଣି ତା ଦେହକୁ ନାଗି ହେଇ ବସିଚି । ଗଲା ସବୁ ମୋର ମାରା ହେଲା !! ଲକ୍ଷ୍ମୀବ୍ରତଟା ମୋର ଗଲା !! ଏଡ଼େ ବଡ଼ କାଣ୍ଡ ହେଲାଣି । ଅଥଚ ଘରର ପୁରୁଖା ଲୋକ ଜାଣିନି !! ତୁ ମତେ କେମିତି କହିନୁ କିଲୋ !! ମୁଣ୍ଡଟା ପୁଣି ଧୋଇବାକୁ ହେବ ।
– ଆପଣ ସେତେବେଳକୁ ଶୋଇଲେଣି ଖାଇପିଇ । ଆଉ କଣ ଆପଣଙ୍କୁ କହିବି ! ତା ବାପା ତ ଏମିତି ଅବସ୍ଥାରେ ଏକା ଛାଡ଼ିବାକୁ ମନା କରୁଥିଲେ । କହିଲେ ଯୁଗ କୋଉଠି ହେଲାଣି । ସେ କଣ ପାଇଁ ଅଲଗା ଘରେ ରହିବ ! ପୁଣି ଏ ଅବସ୍ଥାରେ ! କିନ୍ତୁ..
– ହୁଁ । ତୋ ମରଦ ତ ଆଧୁନିକିଆ ଆଉ। ପୁଅକୁ ପାଠ ପଢେଇ ଡାକ୍ତର କରିଥିଲି ଏ ଦିନ ଦେଖିବାକୁ !! ଛି ଛି । ହେଇଟି, ତାକୁ ସଫା ସଫା କହିଦବୁ, ଆମ ମାଇପି କଥାରେ ପଡ଼ିବନି । ତା ସହରି ଗୁଣ ସହରରେ ରଖୁ । ଏଇ ଗୁଣ ପାଇଁ ତ କୂଳ ରଖିବାକୁ କେହି ନାହାନ୍ତି । ଝିଅଟିକୁ ଠିକ୍ ଠାକ୍ ସଂସ୍କାର ଦେଲେ ତ ପୁଣି କିଏ ତାକୁ ବାହା ହେବ ! କେହି ଗୋଟାଏ ମରଦ ପୁଣି ମୋ ଘରର ଭାର ଉଠେଇବ ।
– ହଁ ମ ! ମୁଁ ବି ସେଇ କଥା କହୁଥିଲି ଯେ !
– ପୁଣି ଯେ କଣ ବା !!
– ହଁ ମାଆ । ଯାହା ଆପଣ କହିବେ ସେଇୟା ହେବ ।
– ହଁ । ତାକୁ ହଳଦୀ, ଗୋବର ପାଣିରେ ଗାଧେଇ ଦେଇଚୁଟି କାଲି ?
– ହଁ ମାଆ ।
– ହଉ ନିଘା ରଖିବୁ । ୟେ ଘରକୁ ଯେମିତି ୭ ଦିନ ଯାଏଁ କେହି ନ ଆସନ୍ତି । ଚିଲ ଶାଗୁଣାଙ୍କର ଅଭାବ ନାହିଁ । ଖୁମ୍ପି ଦେଲେ ଅଇଁଠା ହେବ । ଅଇଁଠା ପିଠାକୁ କିଏ ଖାଇବ ତା ପରେ !!
– ଆଜ୍ଞା
– ଖାଲି ଆଜ୍ଞା କଲେ ହେବନି । ତାକୁ ସବୁ ଜଣେଇବାକୁ ପଡ଼ିବ । ସେ କଣ ଆଉ ବାଳୁତ ପିଲା ହେଇ ଅଛି !! ବଡ଼ ଝିଅ ହେଲା ପରା । ପୁରିଲା ଅଂଶ ଯେମିତି କାଣିଚାଏ ନ ଖସେ । ୭ ଦିନ ଯାଉ । ମୋ କଥାକୁ ତ ସେ କାନରେ ପୁରାଏନି । ବାପା ଆଧୁନିକ । ଝିଅ ତା ଚାହିଁ ଆଧୁନିକ । ତତେ ହିଁ ଏଇ ଡ଼ଙ୍ଗାର ମଙ୍ଗ ଧରିବାକୁ ହେବ । କୂଳରୁ ଖସେଇ ଦେଲେ ଗଲା । ତେଣିକି ପବନ ଯୁଆଡ଼େ ସେ ଯାଉ ସିଆଡ଼େ । ଆମର ଆଉ ଦୋଷ ନାହିଁ ।
– ହଁ ମାଆ । ମୁଁ ତାକୁ ବୁଝେଇବି ।
– କଣ ବୁଝେଇବୁ କହିଲୁ ? ମୁଁ ଟିକେ ଶୁଣେ । ମୁଣ୍ଡଟା ତ ଧୋଇବାକୁ ପଡ଼ିବ । କହ । ମୁଁ ଶୁଣିକି ଯିବି ।
– ସେଇ । ସେ ବଡ଼ ହେଲାଣି । ଦେଖି ଦେଖି ଚଳିବ ।
– ହେଁ ! ତତେ କଣ ତୋ ମାଆ କିଛି କହି ନଥିଲା କିଲୋ ! ହେଇତି, ତାକୁ ସଫା ସଫା କହିବୁ । ବଡ଼ ହେଲା ପରେ ଅନେକ ନିୟମ କାନୁନ୍ ଲାଗେ । କୌଣସି ମରଦ ପିଲାଙ୍କୁ ଚାହିଁବାର ନାହିଁ । ଘରୁ ପଦାକୁ ଗୋଡ଼ କାଢ଼ିବାର ନାହିଁ । ଏଣିକି ସେ ଫରକ ପିନ୍ଧିବା ବୟସ ଗଲା । ଶାଢ଼ୀ ପିନ୍ଧା ଶିଖିବାକୁ ହେବ । ପାନ ଭଙ୍ଗା, ଗୁଆ କାଟିବା, ରୋଷେଇ ବାସ, ପିଠା ପଣା ସବୁ ଶିଖିବାକୁ ହେବ । ଗଛ ଲଗାଇବାଠାରୁ ଆରମ୍ଭ କରି ପିଲାଙ୍କ ଯତ୍ନ ନେବା ସବୁ ଶିଖିବାକୁ ହେବ । ସବୁଠାରୁ ବଡ଼ କଥା, ଲାଜ ସରମ ଟିକେ ରଖିବ । ଏ ଯୋଉ ସେ ହେଁ ହେଁ ହେଇ ଏଡେ ବଡ଼ ପାଟିରେ ହସୁଚି, ସେ ସବୁ ଆଉ ଚଳିବନି । ତା ଗୀତ ମାଷ୍ଟର୍ କୁ ମନା କରିଦେବ ସେ ଆଉ ଆସିବେନି । ଯଦି କିଏ ଗୀତ ଦିଦି ମିଳିବେ ଗୀତ ଶିଖିବ । ଆଉ ହଁ, ତୋ ସ୍ୱାମୀକୁ କହିଦବୁ, ବହୁତ୍ ପଢିଲା ସେ । ଅଷ୍ଟମ ଯାଏଁ ତ ପଢ଼ିଲାଣି । ଆଉ କଣ ଦରକାର୍ । ଆମେ ହିଟି କିଛି ନପଢି ପୁଣି ଦିଅଁ ଦେଉଳ କଲୁ କି ନାହିଁ !! ହଉ ମୁଁ ଯାଏ । ଗାଧେଇ ପାଧେଇ କାମ ସାରେ । ରଜଟା ମାରା ହେଲା । ଛାଡ଼ ।
ଆଉ ସହି ପାରିଲେନି ବଳବନ୍ତ ରାୟ ବାହାଦୁର । କଥାଗୁଡ଼ା ଯେମିତି କାନରେ ଫୁଟି ଯାଉଥାଏ । ଝାଳେଇ ଯାଉଥାଏ ତାଙ୍କ ସମଗ୍ର ଶରୀର । ଆଖି କୁମ୍ଭାଟୁଆ ଭଳି ଲାଲ । ବାହାରି ଆସିଲେ ସେପାଖ ଘରୁ । ଦୁମ୍ ଦୁମ ହେଇ ଚାଲିଲେ ମିନୁ ପାଖକୁ । ଘୁଞ୍ଚିଗଲେ ବାଟରୁ ଧର୍ମପତ୍ନୀ । ଖଟଟାରେ ବସି କୋଳେଇ ନେଲେ ମିନୁକୁ । ମିନୁର ଆଖି ସେମିତି ବନ୍ଦ । କୋମଳ ଶରୀରଟା କଷ୍ଟ ସହିସହି ଯେମିତି ଘୁମେଇ ପଡ଼ିଛି । ମୁଣ୍ଡ ଆଉଁସି ଦେଲେ । ତାକୁ କୋଳରେ ଧରି ବାହାରି ଆସିଲେ ନିଜ ଶୋଇବା ଘର ଆଡ଼େ । ମିନୁ ସେମିତି ନିସ୍ତବ୍ଧ । ମନେମନେ କହୁଥାନ୍ତି, “ଭଲ ହେଇଚି ତୁ ଶୋଇଚୁ ମାଆ । କିଛି ଶୁଣିନୁ ଏମାନଙ୍କ କଥା ।”
ବିଜି ନିସ୍ତବ୍ଧ । କିନ୍ତୁ ଖୁବ୍ ଖୁସି ।
ପଛରୁ ବାହୁନା ଶୁଭୁଥାଏ, “ଅଳପେଇଶା, ସେମିତି ମରିବ ସବୁ । କେହି ପିଠିରେ ପଡ଼ିବେନି । ଛି ଛି । ଏଇ ସବୁ ଦେଖିବା ଆଗରୁ ମୁଁ ମରି ନଗଲି କାହିଁକି !! କୂଳ ବୁଡ଼ିଗଲା ଏଇ ଲକ୍ଷ୍ମୀଛଡ଼ାଟା ପାଇଁ ।”
ଏରସମା, ଜଗତସିଂହପୁର
ଲେଖକ ପରିଚୟ
ମାଆ ଶାରଳାଙ୍କ କୃପାରୁ କବିତା ଆଉ ଗପଗୁଡ଼ିଏ ଧୀରେ ଧୀରେ ଆସିଛନ୍ତି । କିଛି ସମୟ ପାଖରେ ବସିଛନ୍ତି । ପରେ ପରେ ଧାଡ଼ି ହେଇ କାଗଜ ଦେହରେ ଗାରେଇ ହେଇ ଯାଉଛନ୍ତି । ତେବେ ଲେଖିବା ପାଇଁ ପ୍ରେରଣା ସାଜିଛନ୍ତି ପୁରା ପରିବାରବର୍ଗ । ଏଯାବତ୍ ଦୁଇଟି କବିତା ‘ଅପତ୍ରିକା’ ଏବଂ ‘ଜିଜ୍ଞାସା’ ପତ୍ରିକାରେ ପ୍ରକାଶିତ ହୋଇସାରିଚି ।