ମଧୁମିତା ମିଶ୍ର

କୁହେ ସେ କେବଳ ପ୍ରେମର କଥା ପ୍ରେମ ତା’ ସ୍ନେହ ପ୍ରେମ ହିଁ ଶ୍ରଦ୍ଧା
ପ୍ରେମ ବିନା ସବୁ ଅଧୁରା ଲାଗଇ ପ୍ରେମ ବିନା ତା’ର ଜୀବନ ଅଧା
ପ୍ରେମ ତା’ ପୂଜା ପ୍ରେମ ଆରାଧନା ପ୍ରେମ ତା’ ଜୀବନ ଜିଇଁବା ସ୍ରୋତ
ପ୍ରେମ ପାଇଁ ଆସି ପ୍ରେମକୁ ପ୍ରକାଶି ପ୍ରେମରୁ କରେନା କା’କୁ ବଞ୍ଚିତ । 
ପ୍ରେମ ସତ୍ୟ ତା’ର ପ୍ରେମ ସମର୍ପଣ ପ୍ରେମ ତା ବିଶ୍ଵାସ ପ୍ରେମ ନିଃଶ୍ୱାସ
ପ୍ରେମ ତା’ ଆଶା ପ୍ରେମ ହିଁ ଭରସା ପ୍ରେମ ହିଁ ତାହାର ଜୀବନ ପ୍ରୟାସ
ଦୈନନ୍ଦିନ କର୍ମ ପୂଜା ବ୍ରତ ଧର୍ମ ପ୍ରେମ ବିନା ସେ ଜାଣେନା କିଛି
ପ୍ରେମ ପାଇଁ ସେ ବାଇଆ ହୁଅଇ ପ୍ରେମ ଯେଉଁଠି ସେ ସେଠି ହିଁ ଅଛି । 
କଙ୍କଣ ପାଉଁଜି ନାଚି ଉଠେ ତା’ର ବଂଶୀ ଗାଏ ଯେବେ ପ୍ରେମର ସ୍ୱର
କଟି ହସ୍ତ ପଦ ଭ୍ରୁଲତା ନାଚଇ ନାଚଇ ସେ ନାଚେ ଓଢଣି ତା’ର
ଲୋକଲଜ୍ଜା ହେଉ ସଂସାରର ବେଡ଼ି ସବୁ ଭାଙ୍ଗିଯାଏ ପ୍ରେମ ଡାକରେ
ପ୍ରେମରେ ସେ ପୁଣି ତ୍ୟାଗୀ ପାରେ ପ୍ରେମୀ ବିନା କେଉଁ ପ୍ରାପ୍ତି ସର୍ତ୍ତରେ । 
ପ୍ରେମମୟୀ ଜାଣେ ପ୍ରେମରେ ନଥାଏ କୌଣସି ବିଘ୍ନ କି କିଛି ବି ବାଧା
ପ୍ରେମପାଇଁ କାହ୍ନୁ ଭିତରେ ହଜଇ ପ୍ରେମୀ ଶିରୋମଣି ନିଃସ୍ୱାର୍ଥୀ ରାଧା । 
ଭୁବନେଶ୍ଵର, ଖୋର୍ଦ୍ଧା, ମୋ – ୯୪୩୮୪୭୦୮୦୭
ଲେଖକ ପରିଚୟ
“ଲେଖକର କେବଳ ବ୍ୟକ୍ତିତ୍ୱ ଥାଏ…ବ୍ୟକ୍ତିଗତ ବୋଲି କିଛି ନଥାଏ” ଏହି ସିଦ୍ଧାନ୍ତ ସହ ଆଗେଇ ଚାଲିଥିବା ଲେଖିକା ମଧୁମିତା ମିଶ୍ର ନିଜ ଲେଖନୀ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହିତ ଓଡ଼ିଆ ଭାଷା ସାହିତ୍ୟର ଯଥାସାଧ୍ୟ ଉନ୍ନତି କରିବାକୁ ସର୍ବଦା ପ୍ରଚେଷ୍ଟାରତ । ତାଙ୍କ ଲିଖିତ ଗଳ୍ପ,କବିତା, ଏବଂ ଧାରାବାହିକ କାହାଣୀ ବିଭିନ୍ନ ପତ୍ରପତ୍ରିକା, ଅନଲାଇନ୍ ସାଇଟ ତଥା podcast ରେ ପ୍ରକାଶ ପାଇ ପାଠକୀୟ ସ୍ଵୀକୃତି ଲାଭ କରୁଛି ।

 
             
                                                