ସତ୍ୟନାରାୟଣ ଗନ୍ତାୟତ

ଗଛର ଉପକାରିତା ସମ୍ପର୍କରେ କହିବା ଆଦୌ ଆବଶ୍ୟକ ନାହିଁ । କାରଣ ଗ୍ରୀଷ୍ମ ଋତୁ ଲମ୍ବିଲମ୍ବି ତଥାକାଂକ୍ଷିତା ମୌସୁମୀ ଆସିବାରେ ଚିରାଚରିତ ବିଳମ୍ବ ଘଟିଲେ ପ୍ରାୟତଃ ସଭିଏଁ ଏକମୁଖ ହୋଇ ଜଳବାୟୁର ପରିବର୍ତ୍ତନ କଥା ଉଠାଇ ଢେର୍ କଥା କହିସାରି ଅବଶେଷେ ଗଛ ଲଗାଇବା ଠେଇଁ ଅଟକି ଯାଆନ୍ତି ।

ଗଛ କେମିତି ଆମ ପାଇଁ ଉପକାରୀ ତାହା ସତରେ କାହାକୁ ବା ଅଗୋଚର ଯେ ? ପିଲାଏ ତ ପ୍ରତିବର୍ଷ ପରିବେଶ ସୁରକ୍ଷା ବିଷୟକ ପ୍ରତିଯୋଗିତା ମାନଙ୍କରେ ଭାଗ ନେଇନେଇ ଗଛର ଅନେକ ଉପକାର ମଧ୍ୟରୁ “ଅଙ୍ଗାରକାମ୍ଳ ଶୋଷି ଅମ୍ଳଜାନ ଯୋଗାଉଥିବା ନିଃଶୁଳ୍କ ସେବା” ଦୃଷ୍ଟିରୁ ଏହା କେମିତି ଏକ ପ୍ରକୃତି ପ୍ରଦତ୍ତ ଅକ୍ସିଜେନ୍ ପ୍ଲାଣ୍ଟ ଅଟେ, ବଡ଼ ସରଳରେ ଓ ଅତି ସହଜରେ ବୁଝାଇ ପାରିବେ ।

ପିଲାଏ ଯଦି ଏସବୁ ଜାଣି ବୁଝାଇ ପାରିବେ ମାନେ ସେମାନଙ୍କ ପରିବାର ଜନ, ସେମାନଙ୍କ ମଗଜରେ ଏସବୁ ଭରିଥିବା ସାର୍ ଓ ମାଡାମ୍ ମାନେ ଏବଂ ସର୍ବୋପରି ଫି’ ବର୍ଷ ଏତାଦୃଶ ପରିବେଶ ଦିବସ, ବନୀକରଣ ସପ୍ତାହ ଆଦି ଗତାନୁଗତିକ ଭାବେ ଆୟୋଜନ କରି ଆସୁଥିବା ଜନେ ତ ଏସବୁକୁ ଏକାନଟେ ଆତ୍ମସ୍ଥ କରି ପୁରାପୁରି ଗଛଙ୍କ ମଣିଷ ପାଳଟି ଯାଇଥିବା କଥା !

କିନ୍ତୁ ସେଭଳି କିଛି ବି ହୁଏନି । ବରଂ ରଜ ବେଳେ ରଝରଝ ହୋଇ ବର୍ଷିବା ବଦଳରେ ଡହଡହ ଖରାରେ ଦୋଳି ଖେଳ ସ୍ୱପ୍ନ ପ୍ରାୟ ହୋଇଯାଏ । ବର୍ଷା ଛକାପଞ୍ଝା ଦେଇ ଅବଶେଷେ ଆସି କୋଉଠି ଆଦୌ ନବର୍ଷି ମାଟି ଫଟାଏ ତ କୋଉଠି ନାହିଁ ନଥିବା ବର୍ଷି ମାଟି ଅତଡ଼ା ଖସାଏ । ଆଉ ଶରତ, ହେମନ୍ତ ଓ ବସନ୍ତ ମାନେ ତ ଅମିଳକ ପ୍ରାୟ । ଶୀତ ଆସିବଆସିବ ହୋଇ ଆସେନା, କାରଣ ଦୀପାବଳି କେମିତି ଅସଲରେ ବାଣାବଳି ଭାବେ ପାଳନ ହୁଏ ତା ଦେଖିବା ପରେ ହିଁ ଗରମ ଯିବା ପାଇଁ ସଜବାଜ ହୁଏ ଓ ଶୀତକୁ ଧୀର ପଦପାତରେ ପ୍ରବେଶିବାକୁ ଉସକାଇ ଥାଏ । ଗଛବୃଚ୍ଛ ଲଗାଇ ସତରେ ବିଗିଡ଼ି ଯାଉଥିବା ପରିବେଶ ସଜାଡ଼ିବା ସମ୍ଭବ ହୋଇଥିଲେ ଏସବୁ ହୁଏତ ଅନୁଭବ ହେଉ ନଥାନ୍ତା ।

ଏଥକୁ କେହିକେହି କହିବେ ଯେ ପରିବଶ ସଚେତନତା ବଢି ଏବେ ଗଛ ଲଗାଇବା ଏକ ଅଭ୍ୟାସ ହେଲାଣି । ସଭାସମିତିରେ ଫୁଲମାଳ ନଦେଇ ଚାରା ଓ ପ୍ରତିଯୋଗିତାରେ ପୁରସ୍କାର ଆକାରରେ ଚାରା ଦେବା ଆରମ୍ଭ ହେଲାଣି । ପୁଣି ପିଲାଟିଏକୁ ଗଛଟିଏ ସହ ମାଆ ପାଇଁ ବି ଗଛଟିଏ ଲଗାଇବା ଏକ ଜନ-ଆନ୍ଦୋଳନର ରୂପ ନେଲାଣି । ଏସବୁ ଭଲ କଥା ଯେ, ଏହି କ୍ରମରେ ରୋପଣବେଳେ ଚାରାଙ୍କ ସହ ଯେମିତି ଫଟୋ ଉଠାଇ ପ୍ରଚାରିତ ହୁଏ, ବର୍ଷକ ପରେ ସେଇ ଚାରାର ସ୍ଥିତି ଦେଖାଇ ଫଟୋ ଉଠାଇବା ଦିଶେନି ! କାରଣ ସେଠି ଧୂସର ଧରଣୀରେ ସମାହିତ ହୋଇ ସାରିଥାଏ ଚାରାଟି, ଯାହାର ଗଛ ପାଲଟିବାର ସବୁଜ ସ୍ୱପ୍ନ ସୁଦୂର ପରାହତ ହୋଇ ସାରିଥାଏ ।

ଆଗେ ଘର ସହ ବାରି ଥିଲା, ଯହିଁରେ ମାଆମାନେ ପୂଜା ପାଇଁ ଲୋଡ଼ା ପଡୁଥିବା ତୁଳସୀ, ଦୁଲ୍ଲଭା, ଦୟଣା, ଆମ୍ବ, କଦଳୀ, ଅଁଳା, ବେଲଠୁ ଆରମ୍ଭ କରି ନାନା ଗଛ, ତୁଟୁକା ଘରୋଇ ଚିକିତ୍ସା ପାଇଁ ନିମ୍ବ, ଗଙ୍ଗଶିଉଳୀ ଆଦି ସହ ସଜନା, ଅମୃତଭଣ୍ଡା, ଲେମ୍ବୁ, ପିଜୁଳି ଆଦି ଫଳ ଏବଂ ଗୋଲାପ, ମଲ୍ଲୀ, ଟଗରାଦି ଫୁଲ, ମେଥି, ପୋଦିନା, ଭ୍ରୁସଙ୍ଗ ଭଳି ପତ୍ର ତଥା କିସମ କିସମର ଶାଗ ଓ ବିଭିନ୍ନ ପରିବା ପତ୍ରଙ୍କ ଗଛ ଲଗାଇ ପରିବେଶକୁ ସତରେ ସବୁଜ ସୁନ୍ଦର କରି ଗଢି ତୋଳୁଥିବାରୁ ଜଳବାୟୁ ବି ଠିକଠାକ ରହୁ ଥିଲା । ଏବେ ଗାଁ ମାନଙ୍କରୁ ସୁଦ୍ଧା ଏସବୁ ଧୀରେଧୀରେ ହଜି ଯିବାକୁ ବସିଲାଣି । କାରଣ ସେଠି ବି ଗାଁ ଘର ଭାଙ୍ଗି ବହୁତଳ ପ୍ରାସାଦ ଓ ବଜାର ପାଇଁ ସପିଙ୍ଗ କମ୍ପ୍ଲେକ୍ସର ଆବଶ୍ୟକତା ପଡ଼ି ବାରିବଗିଚା ନିଶ୍ଚିହ୍ନ ହେଲାଣି । ଆଉ ସହର ନଗରରେ ତ ଜଙ୍ଗଲ କହିଲେ କଂକ୍ରିଟ ଜଙ୍ଗଲ ହିଁ ପରିବ୍ୟାପ୍ତ ସର୍ବତ୍ର । ଆପଣ ମନେ ପକାଇବେଟି, ଆପଣଙ୍କ ସହର ବା ନଗରରେ ଯେଉଁଠି ପଡ଼ିଆ ଥିଲା ଏବେ ସେ ସ୍ଥାନ କେମିତି ଆପାର୍ଟମେଂଟମୟ !

ଏଥିରୁ ସୁସ୍ପଷ୍ଟ ଯେ ଆମେ ହିଁ ଗଛ ଲଗାଇ ପରିବେଶ କଥା କହିଥାଉ ଓ ସେଇ ଗଛ ବୃଚ୍ଛ ବଢିଗଲେ ସେମିତି ରହିବାକୁ ନଦେଇ ପ୍ରଗତି ନାଆଁରେ କାଟି ଦେଉ । ଏ ବ୍ୟାପାର ଆମକୁ ମନେପକାଇ ଦିଏ ତୈଳାକ୍ତ ଖମ୍ବାରୋହଣରତ ସେଇ ମାଙ୍କଡ଼ଟିର କଥା, ଯିଏ ଯେତିକି ଚଢେ ତହୁଁ ବଳି ଖସେ ଓ କେବେବି ଶୀର୍ଷକୁ ଯାଇ ପାରେନି !

ତେବେ ଗଛ କଥା ଭାବିବା ବି ଭାରି ଭଲ ଲାଗେ । ଆହୁରି ଏକ ତାଜା ଆବେଗ ଭରି ଯାଏ ମାଆ ସହ ଗଛ କଥା ଭାବିଲେ । ହେଲେ କି ଦୋଷ କରିଥାଏ ଆମର ସର୍ବଂସହା ମାଟି ମାଆ, ଯା’ ଉପରେ ଗଛବୃଚ୍ଛ ଭରପୁର ରହି ସବୁଜିମା ବିତରିବା ପରି ତା’ର ସେଇ ନିରିମାଖୀ ଇଚ୍ଛାଟିକୁ ଆମେ ସାକାର କରାଇ ଦେଉନା ? ଆମେ ଏଣେ “ପର୍ବତ ଝରଣା ଭରା ପ୍ରକୃତିର ଘଞ୍ଚ ଅରଣ୍ୟାନୀ ଚାହୁଁ ପର୍ଯ୍ୟଟନାନନ୍ଦ ପାଇଁ, ପୁଣି ସମତାଳେ ଧୂଆଁର କୁଣ୍ଡଳୀ ସୂଜି ଚାହୁଁ ଶିଳ୍ପାୟନ ମାଧ୍ୟମରେ ବିଶ୍ୱାୟନ ! ଆମର ଏହି ପାରସ୍ପରିକ ବୈପରୀତ୍ୟ ବେଲଗାମ ହୋଇ ରହିଥିବା ଯାଏ, ମାଟି ମାଆ ଉପରେ ଗଛବୃଚ୍ଛ ଏକ ସ୍ୱପ୍ନ ହୋଇ ହିଁ ରହିଥିବ ସିନା !

ହେଇ ତ ! ସେଦିନ ଆପାର୍ଟମେଣ୍ଟ୍ ବାସିନ୍ଦା ଆମ୍ଭର ଜନୈକ ବନ୍ଧୁ ତାଙ୍କ ମାଆଙ୍କ ନିତ୍ୟ ନୈମିତ୍ତିକ ବୃନ୍ଦାବତୀ ପୂଜନ ପାଇଁ ଗୋଟେ ପ୍ଳାଷ୍ଟିକ କୁଣ୍ଡରେ ତୁଳସୀ ଚାରାଟିଏ ରୋପିବାକୁ ମୁଠେ ମାଟି ଖୋଜିଖୋଜି ଅବଶେଷେ ତାଙ୍କ କଂକ୍ରିଟ ଜଙ୍ଗଲଠୁ ପ୍ରାୟ ଦଶ କିଲୋମିଟର ଦୂରରେ ଥିବା ଆମ ଘରକୁ ଆସି ସେତକ ପାଇଯାନ୍ତେ ଏକରକମ କୃତ୍ୟକୃତ୍ୟ ହୋଇ ପଡିଥିଲେ !!

ସୁତରାଂ ଆମ ମତରେ ଗଛ ଲଗାଇବା ଭଲ କଥା ଯେ, ହେଲେ ସେଥକୁ ମାଟି ଥିବ ତ’ ? ହଁ ସମତାଳେ ଏଇଆ ବି ନିଶ୍ଚେ କହିବୁ ଯେ ସର୍ବଂସହା ମାଟି ମାଆକୁ ଏଣିକି ଯେଉଁଠି ବି ପାଇବା, ଆଉ ଧୂଳିଧୂସର କରି ନରଖି ତୁରିତେ ଗଛବୃଚ୍ଛରେ ଭରି ତାକୁ ସବୁଜ ସୁନ୍ଦର କରିବାରେ ଲାଗି ପଡିବା !

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନମଗ୍ନ ।

Related Posts

Leave a Reply

Your email address will not be published. Required fields are marked *