ଦ୍ୱିତୀ ଚନ୍ଦ୍ର ସାହୁ
ସଞ୍ଜର ପ୍ରଥମ ପେଗ୍ ପାନ ପରେ ଚାଖଣା ଖାଇ ବିକଟାଳ ହସ ହସିଲା ମୁଁକୁନ୍ଦା । ସଦ୍ୟ ଭୁମିକମ୍ପରୁ ଜାତ କମ୍ପନ ଭଳି ମୁକୁନ୍ଦାର ହସରେ ସମଗ୍ର ଢାବା ଦୋହଲିଗଲା । ଟଙ୍କା ଗଣୁଥିବା ଢାବା ମାଲିକ ଥଅ ହୋଇ କାବାରେ ମୁକୁନ୍ଦା ଆଡ଼କୁ ଚାହିଁଲା । ସତେଯେମିତି କ’ଣ ଗୋଟେ ହୋଇଗଲା । ସାମ୍ନା ଟେବୁଲରେ ମୁକୁନ୍ଦାକୁ ସାଥୀ ଦେଉଥିବା ପବନା ହାତରୁ ଗ୍ଲାସଟା ଖସୁ ଖସୁ ରହିଗଲା । ଢାବା ମାଲିକଠୁ ଆରମ୍ଭ କରି ତା’ରି ଭଳି ସବୁ ଗ୍ରାହକ ମୁକୁନ୍ଦା ଆଡ଼କୁ ଚାହିଁ ରହିଥିଲେ । ସବୁରି ଆଡ଼କୁ ଘେରାଏ ଆଖି ବୁଲାଇ ଆଣିଲା ଆଉ କହିଲା, ‘କିଛି ନାହିଁ, ଚଲାଅ… ଚଲାଅ… ।‘ ତୁରନ୍ତ ଫେଁ କିନା ଚାପା ହସି ପବନାର ହାତକୁ ଧରି କରେଣ୍ଟ ସକ୍ ଖାଇଲା ସମ ଟିକେ ଦୋହଲେଇ ଦେଲା । ମୁକୁନ୍ଦାର ଏ ରୂପ ଦେଖି ତାର ସଖା ପବନା ବି ଆବାକାବା । ପୋଖତ ମଦୁଆ ମୁକୁନ୍ଦା । ଯେତେ ପିଇଲେ ବି ମହାଦ୍ରୁମ ଭଳି ଟଳିବନି କି ଗଡ଼ିବନି । ନିଶାକୁ ପିଏ ହେଲେ ଅନ୍ୟମାନଙ୍କ ଭଳି ନିଶା ତାକୁ ପିଇପାରେନା । ଏଇଟା ମୁକୁନ୍ଦାର ଗୋଟେ ବଡ଼ପଣ । ଡେଲି ଡେଲି ସଞ୍ଜରେ ଫୁଲ୍ ପିଇଲେ ବି ଆରାମରେ ଗାଡ଼ି ଡ୍ରାଇଭ କରି ଘରକୁ ଯାଏ । ଘୋଡ଼ାମଦୁଆ ଠାରୁ ଆହୁରି ଉପରିସ୍ଥ ପଦକୁ କେବେଠୁ ପଦୋନ୍ନତି ପାଇସାରିଥିବା ମୁକୁନ୍ଦାର ହସ, ଅନ୍ୟମାନଙ୍କ ଲାଗି ଏବେ ରହସ୍ୟ । ରହସ୍ୟ ଉନ୍ମୋଚନ ବି ସେତେ ସହଜ ନୁହେଁ । ନିଶାରେ ସତକୁ ବକବକ କରି ବାନ୍ତି କରୁଥିବା ଅନ୍ୟମାନଙ୍କ ଭଳି ସେ ନୁହେଁ । ପୁଣି ବଡ଼ ବଡ଼ିଆ ଲୋକ । ଭରସି କିଏ ପଚାରିବ ଢାବାରେ ଆସ୍ଥାନ ଜମାଇଥିବା ଖୁଚୁରା ଲୋକ ! ସ୍ୱତନ୍ତ୍ର ମାଲ ସାଙ୍ଗକୁ ମସ୍ତ ଖାଇବା ଲାଗି ତାର ଆଗମନ ଢାବାକୁ । ଏକଥା ଢାବା ମାଲିକ ଜାଣିଛି । ଏଭଳି ନିୟମିତ ଗ୍ରାହକକୁ ହାତରୁ ଖସେଇବାକୁ କିଏ ଅବା ଚାହିଁବ ? ପିଲାଦିନର ସାଙ୍ଗ ପବନା ଛଡ଼ା ତା ପେଟ ଭିତରୁ କିଏ ରହସ୍ୟକୁ ଟାଣିଓଟାରି ଭିତରୁ ବାହାର କରିପାରିବନି । ପୁଣି ପେଗ୍ ବନେଇ ଏକା ନିଶ୍ୱାସରେ ମାରିଦେଲା ମୁକୁନ୍ଦା । ପବନାକୁ ଚାହିଁ କହିଲା – ‘ଆରେ ପବନା ! ଜାଣିଛୁ ଆଜି ମୁଁ ଭାରି ଖୁସି । ଓହଃ ମସ୍ତ ମସ୍ତ ।‘ ମାଗଣାରେ ପିଇବା ସହ ଖାଇବା ନିତି ମିଳୁଥିବା ପବନା ସ୍ୱରକୁ ସ୍ୱର ମିଳାଇ ଦି’ ପଦ କହିବାକୁ ଉଚିତ୍ ମଣିଲା –“ସତେ !”
ବେଶୀ ଆଜୁରୁ ବାଜୁରୁ କହି ଦୁର୍ଲଭ ସେବାରୁ ବଞ୍ଚିତ ହେବାକୁ ଚାହୁଁନାହିଁ ସେ । ପବନା ଠିକ୍ ଜାଣିଛି, ଏମିତି ଦାମିକିଆ ମାଲ ସାଙ୍ଗକୁ ମସ୍ତ ଖାନା ସେ ସବୁବେଳେ ପକେଟରୁ ଖର୍ଚ୍ଚ କରି କଦାପି କରିପାରିବନି । ତାର ଔକାତ ହେଲା ପ୍ୟାକେଟ । ଦି’ ଠୋପା ଶୋଷ ମେଣ୍ଟାଇବା ଲାଗି କ’ଣ ନ’କରିଛି ସେ ! କୋଉଠୁ କେମିତି ପେଟ କାଟି ବେଳବୁଡ଼ା କାର୍ଯ୍ୟକ୍ରମ ଲାଗି କେମିତି ଜୁଝୁ ନଥିଲା । କୋଉ ଜମି ହିଡ଼ରେ ଖଜୁରୀ ଡାଳରେ ତିଆରି ଅସ୍ଥାୟୀ କୁଡ଼ିଆ ଭିତରେ ଗଳଗଳ କରି ପିଇ ଚେନାଚୁର କି ଶୁଖୁଆ ଚୋବାଇ ଆସୁଥିଲା । କମ କଷ୍ଟ ! ଇଜ୍ଜତକୁ ସମ୍ଭାଳିବା ଲାଗି ଏପଟସେପଟ ହୋଇ ଖପ୍ କିନା ପଶି ଫଟାଫଟ ପିଇ ସୁନାପିଲା ଭଳି ଆସିବାକୁ ହେଉଥିଲା । ମଝିରେ ମଝିରେ କିଏ ଦେଖିଲେ ସରମକୁ ଛାଡ଼ି ନଦେଖିଲା ପ୍ରାୟ ଦାନ୍ତ ନେକୁଟି ବିନା ହସରେ ଝଡ଼ ଭଳି ସେଠାରୁ ବାହାରି ଆସିବାକୁ ପଡୁଥିଲା । ଯାହାହେଉ ବହୁ କୁହାକୁହି ପରେ ଗୋଟେ ନିର୍ଦ୍ଦିଷ୍ଟ ପାନ ଦୋକାନରେ ପ୍ୟାକେଟ ରଖାଇବା ବ୍ୟବସ୍ଥାଟା କଲା ପରେ ସମ୍ମାନ ଟିକକ ବଞ୍ଚିଗଲା ପବନାର । କାମ ସାରି ସିଗାରେଟ ଟାଣିବା ବାହାନାରେ କ୍ୟାବିନ ନିକଟରେ ପହଞ୍ଚିଗଲେ ବାସ୍, କାମ ଫତେ । ଆସୁଆସୁ ହାତକୁ ସିଗାରେଟ ସହ ଦିଆସିଲ । ଦୋକାନ ସାମ୍ନା ପଟାରେ ବସି ସିଗାରେଟ ଭିଡ଼ିବାର ଉପକ୍ରମ । ଗ୍ରାହକ ଫାଙ୍କା ହେଲେ ଦୋକାନୀ ଠିକ୍ କାଇଦାରେ ହାତକୁ ପ୍ୟାକେଟ ବଢେଇ ଦେଲେ ପଛପଟ ତାର ଅସ୍ଥାୟୀ ରୁମକୁ ଯାଇ ଆରାମରେ ସସମ୍ମାନରେ ପିଇ ହେଉଥିଲା । ତଥାପି କେବେକେବେ ପୋଲିସ ହାତରେ ଦୋକାନୀ ଓ ଗ୍ରାହାକ ଧରାପଡ଼ିବାର ଭୟ ମାରି ଗୋଡ଼ାଉଥିଲା । ଭୟ ଭିତରେ ଢେର କାଳ ସୁରୁଖୁରୁରେ ନିଜ ଆକଣ୍ଠ ମଦ୍ୟପାନ ବ୍ୟାପାରଟା ଚଳେଇ ଦିଆଯାଇପାରିଲା । ରାସ୍ତା କଡ଼ରେ ଏଇ ଅପୂର୍ବ ଢାବା ଖୋଲିବା ପରେ ଆଶ୍ୱସ୍ତି ହେଲା ସେ । ମଦୁଆଙ୍କ ସମ୍ମାନ ରହିଗଲା । ତାରି ଭଳି ଅନେକ ଗ୍ରାହକ ଆରାମରେ ଖୋଲାମେଲା ପିଆପିଇ କରି ଘରକୁ ଫେରିବାର କିଛି ଭୟ ନଥିଲା । ଯେତେ ସମୟ କଟେଇ ପାରିବ, କିଛି ଅସୁବିଧା ନଥିଲା । ବେଶ କିଛିଦିନ ହେଲା ପୁଣି ତାରି ଭଳି ଘୋଡ଼ାମଦୁଆ ଜାତୀୟ ଜୀବମାନଙ୍କ ହଲପ ଶୁଖିଯାଇଥିଲା ସବୁଠାରୁ ବଡ଼ କୋର୍ଟର ରାୟ ଶୁଣି । ଅବଶ୍ୟ ପବନା ଟିକେ ଦମ୍ଭରେ ଥିଲା । କାରଣ ତାରି ସହରକୁ ସାଙ୍ଗ ମୁକୁନ୍ଦା ବଦଳି ହୋଇ ଆସିଯିବା ପରଠୁ ପିଇବା ଚିନ୍ତାରୁ ମୁକ୍ତି ମିଳିଛି ତାକୁ ।
ଏକାକୀ ରହୁଥିବା ମୁକୁନ୍ଦାର ସରକାରୀ କ୍ୱାର୍ଟରରେ ସବୁ ବ୍ୟବସ୍ଥା ହୋଇଯାଇ ପାରିବ ଏ ବିଶ୍ୱାସ ଥିଲା । ଏସବୁ ଭାବନା ଭିତରେ ଗ୍ଲାସରେ ଥିବା ବାକିତକ ଉଦରସ୍ଥ ନକରିବା ଦେଖି ମୁକୁନ୍ଦା ଚେତାଇ ଦେଲା – ‘ଆରେ ପିଉନୁ ! କୋଉ ଚିନ୍ତାଟା ଏମିତି ମାଡ଼ି ବସିଛି ତୋତେ ! ଆରେ ଚିନ୍ତା ମୁକ୍ତି ଲାଗି ମାଲ ପିଆଯାଏ । ତୁ ପୁଣି ମାଲ ପିଇଲାବେଳକୁ ଚିନ୍ତା !’ ପବନା ଅଗତ୍ୟା ନିଜ ସ୍ତରକୁ ଆସି ବାକିତକ ପିଇ ଦେଇ ଦମ୍ ମାରିଲା । ହସର ରହସ୍ୟ ପଚାରିବାକୁ ଉଦ୍ୟମ କଲାବେଳକୁ ମୁକୁନ୍ଦା ତାର ସ୍ମାର୍ଟଫୋନ ବାହାର କରି ଏଲର୍ଟ ମେସେଜ ପଢିବାକୁ କହିଲା । ମେସେଜ ପଢିବା ପରେ ପବନାର ମୁହଁ ବି ମିଞ୍ଜିମିଞ୍ଜି ଆଲୁଅରେ ବି ତେଜିଆନ ଦେଖାଗଲା । ମୁକୁନ୍ଦା କହିଲା – ‘ଆଉ ଚିନ୍ତା ନାହିଁରେ ପବନା ! ସରକାର ଆମମାନଙ୍କ କଥା ଠିକ୍ ବୁଝିଲେ । ରାସ୍ତା କଡ଼ରେ, ଶ୍ମଶାନ ନିକଟରେ, ମନ୍ଦିର ପାଖରେ ସବୁଠି ମଦ ମିଳିବ ଏଥର । ବ୍ରାଭୋ ବ୍ରାଭୋ ! ସଲାମ ସରକାର !’ ପବନା ଏତିକି ପଚାରିଲା – “ସତରେ ଏମିତି ହୋଇପାରିବ ଭାଇ?” ମୁକୁନ୍ଦା ତୁରନ୍ତ କହିଲା- ‘ହୋଇପାରିବ କ’ଣ, ହୋଇଗଲା ବୋଲି ଜାଣ । ସବୁ ପଥ ଏବେ ହେବ, “ମଦ ପଥ” । ଖୁସିରେ ପବନା ସଦ୍ୟ ରୋମାଞ୍ଚଭରା ଖବରକୁ ସର୍ବଜାନୀନ କରିବା ପରେ ଢାବାରେ ଛୋଟ ଧରଣରଣର ହୋହାଲ୍ଲା ହେଲା, ଠିକ୍ ଭାରତ ବିଶ୍ୱକପ ଜିତିବା ପରେ ଯେମିତି ହୋଇଥିଲା ସବୁଠି । ଖବରରେ ଢାବା ମାଲିକଠୁ ଅଧିକ ଖୁସି ହୋଇପଡ଼ିଥିଲେ ଢାବାର ଗ୍ରାହକ ଯେତକ ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା-୭୬୫୦୦୧, ମୋ – ୯୪୩୭୯୦୯୬୭୧
ଲେଖକ ପରିଚୟ
ବୃତ୍ତିରେ ଶିକ୍ଷକ ମାତ୍ର ନିଶା ହେଉଛି ଲେଖିବା । ଗଳ୍ପ, ପ୍ରବନ୍ଧ, ଫିଚର, କବିତା, ନାଟକ, ଉପନ୍ୟାସ, ଜୀବନୀ, ଶିଶୁ ସାହିତ୍ୟ, ସ୍ତମ୍ଭ ସର୍ବୋପରି ଜନଜାତି ଗବେଷଣା ପ୍ରସୂତ ଲେଖା ଭଳି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖିଛି । ଏଯାବତ୍ ୪ ଟି ଗଳ୍ପ ସଂକଳନ, ୨ ଟି ଉପନ୍ୟାସ, ୩ ଟି ପ୍ରବନ୍ଧ, ୨ ଟି ଆଦିବାସୀ ଗବେଷଣା ପୁସ୍ତକ, ଶିଶୁ କାହାଣୀ ଆଦି ୧୪ ଖଣ୍ଡ ବହି ପ୍ରକାଶିତ ହୋଇଛି । ସମାଜର ସଂଘାତ, ସଂଘର୍ଷ, ଦୁଃଖ ତଥା ଜନଜୀବନର ଚିତ୍ରକୁ ନିଜ ଲେଖା ମାଧ୍ୟମରେ ସବୁବେଳେ ଉପସ୍ଥାପିତ କରିବାକୁ ଚେଷ୍ଟା କରିଆସିଛି । ଏଇ କ୍ରମରେ ଏବେ ସମୟ ଓ ସମାଜକୁ ନେଇ କିଛି ନିଚ୍ଛକ ଆଲୋଚନା “ସଫା କଥା”ରେ ।
ବାସ୍ତବତା ର ଚମତ୍କାର ଉପସ୍ଥାପନା ତୀକ୍ଷଣ କଟାକ୍ଷ
ଯେଉଁ ଠି ବି ଆପଣଙ୍କ ଲେଖା ଦେଖେ ପଢିଦିଏ ,ବହୁତ ଭଲ ଲାଗେ ସମାଜର ଚରିତ୍ର କୁ ଚିତ୍ରିତ କରିବାରେ ଯେପରି ବିବୁଧରଂଜନ ଲେଖୁଥିଲେ ବିଶ୍ଵରଂଜନ ଲେଖୁଥିଲେ, ଆପଣଙ୍କ ଲେଖା ଜାରିରହୁ ଆମେ ତ ଶିକ୍ଷକ ଟିଏ ମାତ୍ର ମୁଣ୍ଡ ଓ ତୁଣ୍ଡ ହିଁ ପ୍ରୟୋଗ କରିପାରିବା ସମାଜର କଲ୍ୟାଣ ପାଇଁ।
ଭିନ୍ନ ସ୍ବାଦର ଲେଖା । ଖୁବ୍ ଭଲ ଲାଗିଲା ।