ବିନୟ ମହାପାତ୍ର

ତୁମେ ଚାହିଁଥିଲ, ଏକ ମୁକ୍ତ ଆକାଶ
ବାଧାଶୂନ୍ୟ ସ୍ଵାଧୀନ ଜୀବନ
ଆପଣାର ଡେଣା ଝାଡ଼ି,
ତୁମେ ଦିନେ ଉଡ଼ିଗଲ
ତୁମର ସେ ଦିଗନ୍ତ ବିସ୍ତାରି ସ୍ୱପ୍ନର ଉନ୍ମୁକ୍ତ ଜୀବନେ,
ଅନ୍ତହୀନ ଅନନ୍ତ ଗଗନେ ।
ଦ୍ରାଘିମାରୁ ଦ୍ରାଘିମା ପର୍ଯ୍ୟନ୍ତ,
ଅକ୍ଷାଂଶର ବିଭକ୍ତିକୁ ଅସ୍ୱୀକାର କରି
ମେରୁ ଲଙ୍ଘି ଉଡ଼ିବାର ତୁମର ଯେ ଇଚ୍ଛା,
ଅନନ୍ତ ଦିଗନ୍ତ ମାପିଯିବା ପାଇଁ ।
କୁହ କେମିତି ବୁଝାଇ ଥାଆନ୍ତି ତୁମକୁ,
ପ୍ରେମ କେବେ ବନ୍ଧନ ନୁହେଁ,
ପ୍ରେମ ନୁହେଁ, ଖାଲି ଦେହ ଆକର୍ଷଣ
ପ୍ରେମ ଏକ ସର୍ତ୍ତହୀନ ଆତ୍ମସମର୍ପଣ ।

ହଁ, ପ୍ରେମକୁ ତୁମେ ବନ୍ଧନ କହିପାର,
ହେଲେ ପାରିବ କି କହି,
କିଏ କାହାକୁ ବାନ୍ଧିଛି ?
ପ୍ରେମରେ କେବଳ ଥାଏ,
‘ଦୁଇ’କୁ ଏକ କରିବାର ସୁତ୍ର,
ଏକ ଯୋଗ ଏକ, ଦୁଇ ହୁଏନା ସଦା,
ଏକ ଯୋଗ ଏକ, ଏକ ବି ହୁଏ,
ବିଚିତ୍ର ଏ ପ୍ରେମର ଗଣିତ ।
ଦୁଇ ମନ, ଦୁଇଟି ହୃଦୟ,
ଦୁଇ ଆତ୍ମା, ଦୁଇଟି ଶରୀର,
ଏକ ଆରେକରେ ମିଶେ,
ଏକ ମନ, ଏକ ହୃଦୟ
ଏକାତ୍ମ, ଏକ ଶରୀର,
ଅର୍ଦ୍ଧାଙ୍ଗ ଯେ ଏକ ଆରେକର ।

ପ୍ରେମ ସିଏ ନିସର୍ତ୍ତ ଆତ୍ମସମର୍ପଣ,
ସାଗରେ ସରୀତ ସଙ୍ଗମ ସମାନ,
ପ୍ରଣୟର ଅନୁଭବ ହୁଏ ।
ପାରିବ କି କହି,
ଜଳଧୀରେ କେଉଁ ଜଳ
ସରୀତ ବା ସାଗରର ଥାଏ ?
ପ୍ରେମ, ଆତ୍ମା ପରମାତ୍ମା ମିଳନର ସମ,
ପରମାନନ୍ଦର ଅନୁଭୂତି ଦିଏ ।

ଦୁଃଖ ନାହିଁ,
ତୁମେ ମୁକ୍ତ ଗଗନ ମାଗିଲ,
ଖୁସି ଖୁସି ଭୋଗି ଯାଅ
ତୁମ ଇପ୍ସିତ ଉନ୍ମୁକ୍ତ ଜୀବନ ।
କେବେ ଯଦି ମନ ଭରିଯିବ,
ଅବା କେବେ ଥକିଯିବ ଯଦି,
ନିସଂକୋଚ ନୀଡ଼କୁ ମୋ ବାହୁଡ଼ି ଆସିବ,
ବିନା କିଛି ପ୍ରଶ୍ନ ଏଠି,
ତୁମର ସ୍ୱାଗତ ନିଶ୍ଚୟ ହେବ ।
ଦ୍ୱାର ମୋର ଉନ୍ମୁକ୍ତ ରହିବ,
ତୁମ ପାଇଁ ପ୍ରିୟେ,
ଅହର୍ନିଶି ଚବିଶ ପ୍ରହର
ତୁମେ ଯଦି କେବେ ବାହୁଡ଼ି ଆସିବ ।

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

Related Posts

Leave a Reply

Your email address will not be published. Required fields are marked *