ଭୁବନେଶ୍ଵର : ଗାଳ୍ପିକା ଭୁବନେଶ୍ଵରୀ ପଣ୍ଡାଙ୍କ ଉପନ୍ୟାସ ‘ସନ୍ଦେହର ସଳିତା’ ଆଜି ବାଚସ୍ପତି ସୁରମା ପାଢୀଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ବିଧାନସଭା ପରିସରରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆୟୋଜିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ କବି ଅପର୍ଣ୍ଣା ମହାନ୍ତି, କଥାକାର ପ୍ରବୀଣା ମହାନ୍ତି, ପ୍ରକାଶକ ସରୋଜ ବଳ ଓ ବିଧାନସଭାର ସଚିବ ସତ୍ୟବ୍ରତ ରାଉତ ଉପସ୍ଥିତ ଥିଲେ । ବାଚସ୍ପତି ଶ୍ରୀମତୀ ପାଢୀ କହିଥିଲେ ଯେ ‘ସନ୍ଦେହର ସଳିତା’ ଉପନ୍ୟାସଟି ସାଧାରଣ ଓ ସାବଲୀଳ ଭାଷାରେ ଲେଖା ଯାଇଛି । ସାଧାରଣ ପାରିବାରିକ ଜୀବନର ଘଟଣାବଳୀକୁ ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରାଯିବା ସହ ଭାଗ ଭାଗ ହୋଇ ଲେଖା ଯାଇଥିବାରୁ ପାଠକଙ୍କୁ ଛୁଇଁ ପାରିବ । ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ଯୁବପିଢି ଏପରି ଉପନ୍ୟାସ ରଚନା କରିବା ଆବଶ୍ୟକ ବୋଲି ବାଚସ୍ପତି କହିଥିଲେ । ଅନ୍ୟ ଅତିଥିମାନେ ଉନ୍ମୋଚିତ ଉପନ୍ୟାସ ଉପରେ ସଂକ୍ଷିପ୍ତ ଆଲୋଚନା କରିଥିଲେ । ଭୁବନେଶ୍ଵରୀ ପଣ୍ଡାଙ୍କ ପୂର୍ବରୁ ପାଞ୍ଚଟି ଗଳ୍ପ ପୁସ୍ତକ ପ୍ରକାଶ ପାଇ ପାଠକୀୟ ଆଦର ପାଇ ସାରିଛି । ସେଗୁଡ଼ିକ ହେଲା – ‘ଜୀବନର ବାଟଘାଟେ’, ‘ଜୀବନର ଚଉହଦୀ’, ‘ଏମିତି ଏ ଜୀବନ’, ‘ଜୀବନ କହୁଛି ଗପ’ ଓ ‘ସିନ୍ଦୁର’ । ଆଜି ଉନ୍ମୋଚିତ ହୋଇଥିବା ‘ସନ୍ଦେହର ସଳିତା’ ତାଙ୍କର ପ୍ରଥମ ଉପନ୍ୟାସ ଯାହା ଟାଇମପାସ ପକ୍ଷରୁ ପ୍ରକାଶ ପାଇଛି ।
