ଶିବାଶିଷ ପାଢ଼ୀ
ବଦଳି ପରେବି ଚୌକି ଛାଡିବାକୁ ପ୍ରସ୍ତୁତ ନଥିଲେ ଅଧିକାରୀ ଜୟନ୍ତବାବୁ । କଥାଟି ଚର୍ଚ୍ଚାର ଖୋରାକ ଯୋଗାଇଥିଲା ଜିଲ୍ଲାରେ । ସରକାର ବି ଅନ୍ୟ କାହାକୁ ସେ ସ୍ଥାନରେ ଅବସ୍ଥାପିତ କରିନଥିଲେ ବରଂ ନୂତନ ନିଯୁକ୍ତି ଯାଏଁ ଜଣେ କନିଷ୍ଠ ଅଧିକାରୀଙ୍କୁ ଅସ୍ଥାୟୀ ଦାୟିତ୍ୱ ଦେଇଥିଲେ । ସେ କନିଷ୍ଠ ଅଧିକାରୀ ଶଙ୍କରବାବୁ ଜଣକ ଜୟନ୍ତବାବୁଙ୍କ ଅନୁଗତ ଥିଲେ ଏବଂ ତାଙ୍କରି ସୁପାରିଶରେ ଦାୟିତ୍ୱ ପାଇଥିଲେ ବି ତାଙ୍କୁ ଦାୟିତ୍ୱ ହସ୍ତାନ୍ତରଣ କରୁନଥିଲେ ଜୟନ୍ତବାବୁ ।
ଚୌକିର ମୋହ କି ସେ ଚୌକିରୁ ସେ ଝରେଇ ପାରୁଥିବା ଘିଅମହୁ ତାର କାରଣ ନଥିଲା । କାରଣ ଥିଲା ଅଲଗା । ଆଉ ସେ କାରଣ ପାଇଁ ବ୍ୟସ୍ତବିବ୍ରତ ଥିଲେ ସେ । କାରଣଟି ଥିଲା ତାଙ୍କ ସ୍ଥାନରେ ଅବସ୍ଥାପିତ ହେବାକୁ ଥିବା ସଦାନନ୍ଦବାବୁଙ୍କ ସମ୍ଭାବ୍ୟ ପୋଷ୍ଟିଙ୍ଗକୁ ନେଇ ।ସ୍ଵଭାବରେ ରୋକଠୋକ ଏବଂ ଦୁର୍ନୀତିର “ଦୁ”କୁ ପାଖ ମଡ଼ାଉନଥିବା ସଦାନନ୍ଦବାବୁଙ୍କୁ ବହୁତ ଦିନରୁ ଜାଣିଥିଲେ ଜୟନ୍ତବାବୁ । ଜିଲ୍ଲାସ୍ତରର ଅଧିକାରୀ ହିସାବରେ ସେମାନେ ଯୋଗ ଦେଉଥିବା ରାଜ୍ୟସ୍ତରୀୟ ବିଭିନ୍ନ ବୈଠକରେ ନିଜ ସ୍ପଷ୍ଟ ମତାମତ ଏବଂ କର୍ମଦକ୍ଷତା ପାଇଁ ଅନେକ ପ୍ରଶଂସା ସାଉଁଟୁ ଥିଲେ ସଦାନନ୍ଦବାବୁ ।
ନିଜ ଗୃହଜିଲ୍ଲାକୁ ଆସିବା ପାଇଁ ଅନେକ ଦିନରୁ ଚେଷ୍ଟା କରୁଥିବା ସଦାନନ୍ଦଙ୍କୁ ଏଥର ସୁଯୋଗଦେବା ମୁଡ଼ରେ କମିଶନର ଅଛନ୍ତି – ଏ ଚର୍ଚ୍ଚାଟି ହିଁ ମୁଣ୍ଡବ୍ୟଥା ପାଲଟିଥିଲା ଜୟନ୍ତଙ୍କ ପାଇଁ । ମନରେ ଭୟ ଥିଲା ଯେ କାଳେ ସଦାନନ୍ଦବାବୁ ଚାଲି ଆସିଲେ ଖୋଲିଦେବେ ପୁରୁଣା ପେଢ଼ି । ପର୍ଦ୍ଦାଫାଶ ହୋଇଯିବ ଅନେକ ଲୁକ୍କାୟିତ ଦୁର୍ନୀତିର ! ଏହି ଭୟ ହିଁ ତାଙ୍କ ନିଦ ଚୋରାଇ ନେଇଥିଲା । ସେଇଥିପାଇଁ ଲାଗି ପଡିଥିଲେ ସେ । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଅନୁଗତ କନିଷ୍ଠ ଅଧିକାରୀ ଶଙ୍କରବାବୁଙ୍କୁ ସିନା ଦାୟିତ୍ୱ ଅର୍ପଣ କରିଥିଲେ ହେଲେ ତାଙ୍କରି ସାହାଯ୍ୟରେ ଲାଗିପଡ଼ିଥିଲେ ସବୁ ରେକର୍ଡପତ୍ର ଠିକ କରିବାରେ ।
ଅତୀତରେ ପାଇଥିବା ସମସ୍ତ ଅନୈତିକ ସାହାଯ୍ୟକୁ ପରିଶୋଧ କରିବାର ସୁଯୋଗ ପାଇ ଖୁସି ଥିଲେ ଶଙ୍କରବାବୁ । ତାସହ ଏକ ଲୋଭନୀୟ ପ୍ରସ୍ତାବ ବି ଆଖି ଆଗରେ ଝୁଲିଯାଉଥିଲା ଥରେଥରେ । କାରଣ ତାଙ୍କୁ ଆଶ୍ୱସ୍ତ କରିଥିଲେ ଜୟନ୍ତବାବୁ ।
କହିଥିଲେ – “ଆପଣ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ ଶଙ୍କରବାବୁ । ମୋ ପହୁଁଞ୍ଚ ତ ଆପଣ ଜାଣିଛନ୍ତି । ନେତାଙ୍କୁ ଧରି ଏମିତି ସେଟିଙ୍ଗ କରିଛି ଯେ ସେ ସଦାନନ୍ଦ କ’ଣ କେହିବି ଏବେ ଏଠାକୁ ଆସିପାରିବେ ନାହିଁ ବର୍ଷେ ଯାଏଁ ! ଆପଣ ହିଁ ରହିବେ । ମନେପଡ଼ିବା ମାତ୍ରେ କୃତଜ୍ଞତାରେ ଲଇଁ ଯାଉଥିଲେ ଶଙ୍କରବାବୁ ।
ନିଜ କାର୍ଯ୍ୟକ୍ରମରେ ସଫଳ ହେବାକୁ ଯାଉଥିଲେ ଜୟନ୍ତବାବୁ । ରାଜ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଯୋଗୁଁ ଏବଂ ବିଭିନ୍ନ ଜିଲ୍ଲା ସହ ମୋର ବ୍ୟକ୍ତିଗତ ସମ୍ପର୍କ ଯୋଗୁଁ ସବୁ ଜାଣୁଥିଲି ମୁଁ । ହେଲେ ମୋ ପଦବୀ ଦୃଷ୍ଟିରୁ ମୋ ହାତରେ କିଛି ନଥିଲା । ସଦାନନ୍ଦବାବୁଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ମୋତେ ବାଧ୍ୟ୍ୟ କରିଥିଲା ତାଙ୍କୁ ଫୋନଟିଏ କରିବା ପାଇଁ ! ଭାବୁଥିଲି ଦୁଃଖିତ ହେବେ ସେ । ଚୁମ୍ବକରେ ସବୁକିଛି କହିଥିଲି ତାଙ୍କୁ, ହେଲେ ମୋତେ ଆଶ୍ଚର୍ଯ୍ୟ କରି ହସୁଥିଲେ ସେ ।
ମୁଁ ପୁଣି କହିଥିଲି – ଆପଣଙ୍କ ବିରୋଧରେ ଏତେ ଲୋକ ଲାଗିଛନ୍ତି ଆଉ ଆପଣ ହସୁଛନ୍ତି ଯେ ? ସେମିତି ହସୁହସୁ ସେ କହିଥିଲେ – କାହିଁକି ଲାଗିଛନ୍ତି ? ଆପଣ ଜାଣୁଛନ୍ତି ତ ଭାଇ ?
ହଁ ନିଶ୍ଚୟ, କହିଥିଲି ମୁଁ ।
ସେଇତ ମୋର ହସିବାର କାରଣ ଭାଇ । ଯା‘ହେଉ ଜୀବନରେ କିଛି ତ ଅର୍ଜନ କରିଛି ମୁଁ, ଯାହା ପାଇଁ ଗର୍ବ କରିପାରିବି ! ମୁଁ ଯିବା ନଯିବା, ତାଙ୍କ ପାଇଁ ମାନେ ରଖେ, ମୋ ପାଇଁ ନୁହଁ ! ଏଇଠି ବି ବେଶ ଆରାମରେ ଅଛି ମୁଁ । ମୋ ଭଳିଆ କେତେଜଣ ଅଛନ୍ତି ଯେ ?
ଓଲଟା ପ୍ରଶ୍ନ କରିଥିଲେ ସେ । ହେଲେ ତାଙ୍କ ପ୍ରଶ୍ନର ଉତ୍ତର ମୋ ପାଖରେ ନଥିଲା ! ମୁଁ ବି ହସିଦେଇ କହିଥିଲି – ହେ ନିଃସଙ୍ଗ ପଥର ପଥିକ, ତୁମକୁ ନମସ୍କାର !!!
ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮
ଲେଖକ ପରିଚୟ
ପ୍ରାୟତଃ ତିନି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ତିନୋଟି ଗଳ୍ପ ସଂକଳନ ପ୍ରକାଶିତ ହେବା ସହିତ ‘ସାରା ଆକାଶ’ ନାମକ ସଂକଳନ ପ୍ରକାଶିତ ହେବାକୁ ଯାଉଛି । ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁ କଳେବରରେ ଛୋଟ ନିଶ୍ଚେ କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ । ‘ଚିହ୍ନା ଚିତ୍ର ଅଚିହ୍ନା ଚରିତ୍ର’ ମାଧ୍ୟମରେ ଅନେକ କିଛି ଅନାଲୋଚିତ ଅବହେଳିତ ଚରିତ୍ରଙ୍କ ସହ ମୁହାଁମୁହିଁ ହେବାର ସୁଯୋଗ ଆଣିଦେବ ବୋଲି ଆଶା !!!