ପ୍ରଦୀପ କୁମାର ପଣ୍ଡା

ଗାଈମାନେ କିଛି କାମ କରନ୍ତିନି
ଚରିବା ଓ କ୍ଷୀର ଦେବା ଛଡ଼ା ।
ସେତକ ବି ତାଙ୍କ ଆୟତ୍ତରେ ନଥାଏ
ମାଲିକ ପଘା ଖୋଲେ ଓ ଛନ୍ଦନି ବାନ୍ଧେ ।

କୁକୁର ଅବଶ୍ୟ ବେଶ୍ ଧାଁ ଦଉଡ଼ କରେ
ହେଲେ କାହିଁକି ଦଉଡ଼େ ସେ ଜାଣେନା ।

ଶୋଇକି ଉଠିବା ବେଳରୁ ଉଠିକି ଶୋଇବା ଯାଏଁ
ମୋର କିନ୍ତୁ ବହୁତ କାମ ।

ଆକାଶ ଛିଡ଼ି ପଡ଼ିବ କି ବୋଲି
ବଗମାନେ ଭାବନ୍ତି ନାହିଁ ଉଡୁଥିବାବେଳେ
ପିମ୍ପୁଡ଼ିମାନଙ୍କର ବେଳ ନଥାଏ
ସ୍ଵପ୍ନ ଦେଖିବାକୁ ।

ବ୍ରହ୍ମାଣ୍ଡର ଅପହଞ୍ଚ ସୁଦୂରରେ
ଅନ୍ୟ ଏକ ମଣ୍ଡଳର ଅନ୍ୟ ଏକ ଗ୍ରହରେ
ବସବାସ କରୁଥିବା ପ୍ରାଣୀମାନଙ୍କର ବାସସ୍ଥାନରେ
ଝରକା ଥାଏ କି ନଥାଏ ଭାବି ଭାବି
ମୋର ଗୋଟିଏ ଗୋଟିଏ ରାତି ପାହିଯାଏ ।

ପ୍ରଜାପତିର ଘରର ନକ୍ସା ମୁଁ ଆଙ୍କେ
ଜାଣିଜାଣି ଦିଏ ନାହିଁ ଛାତର ଅଙ୍କନ
କାଳେ ସେ ଛୁଇଁ ପକେଇବ ଆକାଶ ।

ଷଣ୍ଢ କୁଆଡ଼େ ଈଶ୍ଵରଙ୍କ ସାଙ୍ଗ
ଓ ତାଙ୍କ ପରି ଅଳସୁଆ
ମୁଁ କିନ୍ତୁ ତତ୍ପର
ପାଦେପାଦେ ଭେଟେ ମରଣକୁ
ଈଶ୍ଵର ଦେବେ ବୋଲି ମତେ ପୁନର୍ଜନମ ।

ପ୍ରାଣୀମାନେ ବଡ଼ ଦୁଃଖରେ କାଳାତିପାତ କରୁଛନ୍ତି ବୋଲି
ମୁଁ ମୋର ଜୀବନକୁ ନର୍କରେ ପକାଉଥାଏ ହରୁ ହରଦମ୍
ସ୍ଵର୍ଗର ଚଲାପଥରେ ବାରମ୍ବାର ଝୁଣ୍ଟି ପଡୁଥିବା
ମୋର ଶରୀରକୁ ସାହା ଦେବା ପାଇଁ
ପୁଣି ଫେରି ଆସୁଥାଏ ।

ଗଛମାନେ ନିଷ୍କର୍ମା
ପବନ ବହିଲେ ଯାଇ ପତ୍ର ହଲାନ୍ତି
ଯେତେ ବି ପ୍ରେମ କର ନିର୍ବିକାର ରହନ୍ତି ।
ମୋର ଡାଳକୁ ଛୁଇଁଲେ
ଚେରରେ ଖେଳେ ଶୀହରଣ
ହେଲେ ଗୀତ ଗାଇ ଜାଣେନା ମୁଁ
କାଠ ପରି ।

ସେମାନଙ୍କ ଭାଗ୍ୟ କିଏ ଗଢ଼େ
ମୁଁ ଜାଣେନା,
ମୁଁ ନିର୍ବୋଧ ।

ବୃନ୍ଦାବନ ବିହାର, ସମ୍ବଲପୁର

ଲେଖକ ପରିଚୟ

ସଦ୍ୟ ପ୍ରକାଶିତ “ମାର୍ଗ ସହଜ” ସମେତ ଏଯାବତ ୯ ଗୋଟି କବିତା ସଂକଳନ ପ୍ରକାଶିତ ହୋଇ ସାରିଛି । ଜଣେ ଅବସରପ୍ରାପ୍ତ ଅଧ୍ୟାପକ ଓ ଗବେଷକ ସତ୍ତ୍ୱେ ସାହିତ୍ୟ ପ୍ରତି ରୁଚି ରଖେ । କବିତା ବ୍ୟତୀତ ଆଲୋଚନା, ନିବନ୍ଧାଦି ରଚନା ବି ଭଲଲାଗେ ମୋତେ ।

Related Posts

Leave a Reply

Your email address will not be published. Required fields are marked *