ଭୁବନେଶ୍ଵର : ବର୍ତ୍ତମାନ ଶ୍ରଦ୍ଧା ଶବ୍ଦଟି ହଜିହଜି ଯାଉଛି ଓ ଆମେ କାହାକୁ ଶ୍ରଦ୍ଧା କରୁଛେ ତା ମଧ୍ୟ ଜାଣି ପାରୁନାହାନ୍ତି । ମାତ୍ର ଲେଖକ ଓ କବିର ଶ୍ରଦ୍ଧା ସବୁବେଳେ ତା ଲେଖନୀରେ ଥାଏ । କାରଣ ଲେଖନୀରେ ଶ୍ରଦ୍ଧା ରହିଲେ ରଚନା ଶ୍ରେଷ୍ଠ ହୁଏ । କବି ଭୁବନେଶ୍ଵର ବେହେରାଙ୍କ ପ୍ରତିଟି ରଚନାରେ ଏହା ପ୍ରତିଫଳିତ ହେଉଥିଲା । ହୋଟେଲ ଲାଇଫରେ ଆୟୋଜିତ ଭୁବନେଶ୍ଵର ବେହେରାଙ୍କ ‘ସାହିତ୍ୟ ସମଗ୍ର’ର ତିନି ଖଣ୍ଡ ଯାକର ନୂତନ ସଂକରଣ ଉନ୍ମୋଚନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୀତାକାନ୍ତ ମହାପାତ୍ର ଏହା କହିଛନ୍ତି ।
ଔପନାସିକା ଯଶୋଧାରା ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଥାକାର ଗୌରହରି ଦାସ ଯୋଗ ଦେଇଥିଲେ । ଶ୍ରୀ ବେହେରାଙ୍କ ଭ୍ରମଣ ସାହିତ୍ୟ ‘ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି’ ପୁସ୍ତକର ସମୀକ୍ଷା କରି ତାଙ୍କ ଭ୍ରମଣ କାହାଣୀରେ ଜୀବନ ଦର୍ଶନ, ହାସ୍ୟ, ବ୍ୟଙ୍ଗ ଆଦିର ମିଶ୍ରଣ ରହିଛି ବୋଲି ଶ୍ରୀ ଦାସ କହିଥିଲେ । ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି, ପ୍ରବନ୍ଧ ପୁସ୍ତକ ‘ଶୁଣ ପରୀକ୍ଷ’ର ସମୀକ୍ଷା କରି ଶ୍ରୀମଦ ଭାଗବତର ଅଂଶ କିଭଳି ସେଥିରେ ଅତି ଚମତ୍କାର ଭାବରେ ପ୍ରତିଫଳିତ ହୋଇଛି ତାହା ଉପରେ ଆଲୋକପାତ କରିଥିଲେ । ସ୍ତମ୍ଭକାର ଦାଶ ବେନହୁର ଆତ୍ମଜୀବନୀ ‘ଗାଆଁର ଡାକ’ ପୁସ୍ତକର ସମୀକ୍ଷା କରି ଗାଆଁର ମାଟି, ପାଣି, ପବନ କିଭଳି ତାଙ୍କୁ ଆହ୍ଲାଦିତ କରିଛି ତାହା ଉପରେ କହିଥିଲେ । କବି ହିରଣ୍ମୟୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ।
