ସତ୍ୟରଂଜନ ପ୍ରହରାଜ

ମୁଁ କହିବିନି
ମୁଖାଗ୍ନି କ’ଣ
ବଖାଣିବିନି ରୀତିନୀତି କି ଦୃଶ୍ୟ
ଶେଷରେ ସେମାନେ କହିବେ
ସବୁ ଅଭିନୟ,
ଏକ ଅନାବଶ୍ୟକ ଉତ୍ସବର
ଶୋକାର୍ତ୍ତ ଅବା ଅହଂକାର

ମୁଁ ସେହିଲୋକ
ଯିଏ ଅଙ୍ଗାର ମାଡ଼ି ଏକମୁହାଁ ଫେରିଗଲାବେଳେ
ପାଲଟିଯାଏ ପଥର,
ମଉଳି ନଥିବା ଫୁଲରେ ନିଆଁ ଦେଇ
ଚାପି ଧରେ ବିସ୍ଫୋରିତ ସ୍ୱର

ମୋର ମନେନାହିଁ
ଘର ରାସ୍ତା
ସ୍ତ୍ରୀର ଛଳଛଳ ଆଖି
ରାମ ନାମ ସତ୍ୟ କି ଅସତ୍ୟ
ଡାକ୍ତରଙ୍କ ଉଦାସ ମୁହଁ
ନେଞ୍ଜରା ଆଖିରେ ବାରଣାସୀ ଯିବାର ସ୍ଵପ୍ନ

ମନେଅଛି
ଅଳ୍ପ ଖୋଲା ଆଖିଡୋଳା
ସିନ୍ଦୁର ଲିପା ଦେହ
ମୋ ହାତରୁ ଖସି ପଡ଼ିଥିବା ଘିଅ
ପଛେପଛେ କେହିଜଣେ ଆସୁଥାଏ
ଧରିବାକୁ ଥରଥର ହାତ

କଣ ସମାଧିସ୍ଥ ହେଇପାରେ
ପ୍ରେମ, ସ୍ଵପ୍ନ
ଅନବିସ୍କୃତ ଆତ୍ମାର ଶରୀର
କ’ଣ ଫିଙ୍ଗା ଯାଇପାରେ
ଅଳତା ପାଣିକାଚ
ମମତାର ଲୋଚାକୋଚା ଶେଯ ?

ମୁଁ କହିବିନି
ସେ ଖାଲି ବଖରାରେ
ଛାଇଛାଇ କାହାର ଅନ୍ଧାର
ଅନ୍ଧାରରୁ ଲମ୍ବିଥିବା ଜିଭ
ଚାଟି ଚାଲିଥାଏ ମୋ ଉଦାସ ଶରୀର
ମୁଁ କହିବିନି
ଏଠି ସମୟ କେବେଠୁ ସ୍ଥିର
ପୁଣି ସେମାନେ କହିବେ
ମୁଁ ବୁଝିପାରିଲିନି
ଜୀବନର ସର୍ବଶେଷ ଖେଳ
ଜାଣିପାରିଲିନି
କେଉଁଠି ସରେ ରାତି
କେଉଁଠି ଆପେକ୍ଷିଥାଏ ସକାଳ
ନୂଆନୂଆ
ହେଇପାରେ ସୁନ୍ଦର ଅବା ଭୟଙ୍କର !

ଏରୋଡ୍ରୋମ୍ ଏରିଆ, ଭୁବନେଶ୍ୱର

ଲେଖକ ପରିଚୟ

ପିଲାଦିନୁ ସାହିତ୍ୟ ପ୍ରତି ଆକର୍ଷଣ ଥିଲେ ବି କଲେଜ ସମୟରୁ ଲେଖାଲେଖି ଆରମ୍ଭ କଲି । ବିଶେଷ କରି କବିତା ଲେଖେ ଓ ଅଳ୍ପକିଛି ଗପ ଲେଖିଛି । ମୋର ପ୍ରଥମ କବିତା ବହି “ମିଛ ଜହ୍ନରାତି” ୨୦୨୧ ରେ ପ୍ରକାଶିତ ହୋଇସାରିଛି ।

Related Posts

Leave a Reply

Your email address will not be published. Required fields are marked *