ବିନୟ ମହାପାତ୍ର

ଦାଢି କାଟୁକାଟୁ ବେସିନ ପାଖରେ ଥାଇ ବାପା ବଡ଼ ପାଟିଟାଏ କରି ବୋଉକୁ ଡାକ ପକେଇଲେ, ‘ହଇଓ ମୋ ଫିଟିକିରିଟା କୋଉଠି ରହିଲା, ବ୍ଲେଡ ଲାଗି ଗଲା ମ, ଗାଲରେ ।’ ମାଆ ବି ରୋଷେଇ ଘରେ ଥାଇ କହିଲା, ‘ଶୋଇବା ଘର ଟେବୁଲ ଉପରେ ପଡିଛି ପରା, ତିନି ଦିନ ହେଲାଣି କହୁଚି, ସେଇଟା ନେଇ ରଖ ତୁମ ଖିଅର ଡବାରେ, କେତେ ଆଡ଼କୁ ନଜର ରଖିବି ଯେ ! ନିଜ ଜିନିଷ ସବୁ ନିଜେନିଜେ ସାଇତି ରଖ, କହିକହି ଥକି ଗଲିଣି, ହେଲେ କିଏ କଣ ଶୁଣୁଛି ମୋ କଥା ! ବାପା ଯେମିତି, ପିଲା ଦି’ଟା ବି ବାପାଠୁ ବଳିକି ହେଇଛନ୍ତି ।’

ବାପା ଶୋଇବା ଘର ଟେବୁଲ ଉପରୁ ଫିଟିକିରି ଉଠଉ ଉଠଉ କହିଲେ, ‘ହଉ, ହଉ ଆଗକୁ ଧ୍ୟାନ ରଖିବି । ଏବେ ମୁଁ ଯାଉଛି ଗାଧୋଇବା ପାଇଁ, ମୋ ଡ୍ରେସ କାଢିକି ରଖ, ଆଜି ଅଫିସ ବହୁତ ଡେରି ହୋଇଗଲାଣି । ଏତକ କହି ବାପା ତରତର ହୋଇ ବାଥ୍ ରୁମ ଭିତରେ ପଶି ଧଡକିନା ଭିତରୁ କୁଣ୍ଡି ଲଗେଇ ଦେଲେ । ସେତିକି ବେଳକୁ ବଡ ଭାଇ ତା ରୁମରେ ଥାଇ ପାଟି କରୁଥାଏ, ‘ମାଆ, ମୋ ପେନ୍ ଟା କୋଉଠି ରହିଲା ଦେଖିଛୁ ? ଗାଧୋଇବାକୁ ଯିବା ଆଗରୁ ତ ପଢା ଟେବୁଲ ଉପରେ ରଖିଥିଲି !’ ମାଆ ସେଇ ରୋଷେଇ ଘରୁ ଜବାବ ଦେଲା, ‘ତୁ ବି ତୋ ବାପା ପରିକା ଭୁଲା ମନ ହୋଇଗଲୁଣି, ପାଠ କେମିତି ମନେ ରହୁଛି କେଜାଣି ? ଆରେ ! ଆଲମାରୀରୁ ଡ୍ରେସ ବାହାର କଲାବେଳେ ସେଇଠି ରଖି ଦେଇଥିବୁ ଦେଖ୍ ।’ ହଁ, ହଁ, ମିଳିଗଲା, ସେଇ ଆଲମିରାରେ ରଖି ଦେଇଥିଲି । ମୋ ପାଇଁ ଖାଇବା ବାଢି ଦେ ବୋଉ, କଲେଜ ଡେରି ହେଇଯିବ କହି ଭାଇ ତା ରୁମ୍ ରୁ ବାହାରି ଆସିଲା । ମୁଁ ଏମିତି ଖାଇବା ଟେବୁଲ ପାଖରେ ବସି ସବୁ ଦେଖୁଥାଏ ଆଉ ଭାବୁଥାଏ, ସତରେ ମାଆଟିଏ କେବଳ ତାର ପିଲାମାନଙ୍କର ମାଆ ନୁହେଁ, ସିଏ ତ ଯେମିତି ସାରା ପରିବାରର ମାଆ । ବାହାରେ ପରିବାବାଲା ହେଉ କି କ୍ଷୀରବାଲା, କି ଭିକ ମାଗିବାକୁ ଆସୁଥିବା ସେ ବୁଢା ଲୋକଟା, ସେମାନେ ବି ଡାକ ପକାନ୍ତି ମାଆ ବଢିଆ ଶାଗ ଆଣିଛି ଦି’ବିଡା ରଖ, କି ମାଆ କଣ ମୁଠାଏ ଖାଇବାକୁ ଦିଅ । ମାଆ ବିନା ସବୁ କିଛି ଅଚଳ ହୋଇଯାଏ ଯେମିତି, ଏପରିକି ବୋଉ ବିନା ବାପାଙ୍କର ସବୁ କାମ ମଧ୍ୟ ଅଚଳ ହୋଇଯାଏ । କେତେ ବିଶାଳ ମାଆର ହୃଦୟ ! କେତେ ମମତା ଭରି ରହିଛି ତା ମନ ଭିତରେ, ଯେତେ ବାଣ୍ଟିଲେ ବି ସରିବାର ନାଆଁ ନିଏନି । ସେତିକି ମମତାମୟୀ କେବଳ ମାଆ ହୋଇପାରେ, ଆଉ କେହି ବି ମାଆ ପରି ହୋଇପାରିବ ନାହିଁ । ମାଆର ଦିନ କେତେବେଳେ ଆରମ୍ଭ ହୁଏ, କେତେବେଳେ ସରେ ଜଣା ପଡେନି । ମାଆ ଶୁଏ କେତେବେଳେ, ଉଠେ କେତେବେଳ କେହି ଜାଣନ୍ତନି । ସକାଳୁ ସକାଳୁ ମାଆ ଆସି ଆମକୁ ଉଠାଇ ଦେଇଯାଏ । ଆଉ କହେ, ‘ଆରେ ଉଠରେ ସକାଳ ହେଲାଣି, ସ୍କୁଲ, କଲେଜ ଯିବନି କି ?’ ସେମିତି ରାତି ଦଶଟା ବାଜିଗଲେ ଆସି କହିବ, ‘ବାସ୍, ବହୁତ ପାଠପଢା ହୋଇଗଲା, ପଢାପଢି ସେତିକି ଥାଉ, ଏବେ ଶୋଇପଡ଼ । ସକାଳୁ ଉଠି ପୁଣି ସ୍କୁଲ ଯିବାକୁ ଅଛି ।’ ତା ପରେ ମାଆ ରୋଷେଇ ଘରକୁ ଚାଲିଯାଏ, ରୋଷେଇ ଘରେ କାଲି ସକାଳ ପାଇଁ କଣ ରନ୍ଧାହେବ ତାର ଯୋଗାଡ଼ରେ ଲାଗିଯାଏ, ଆମେ ବାସନର ଖଡ୍ ଖାଡ୍ ଶବ୍ଦ ଶୁଣୁ ଣୁଣୁ କେତେବେଳେ ଶୋଇ ଯାଉ ଜଣା ପଡେନି । କେହି କେବେ ପଚାରେନି, ମାଆ ରାତିରେ ତୁ କେତେବେଳେ ଶୋଇଲୁ ବୋଲି ? ମାଆ ଶେଯରେ ପହଞ୍ଚିଲା ବେଳକୁ ବାପା ଘୁଙ୍ଗୁଡି ମାରୁ ଥାଆନ୍ତି, ଦିନ ଯାକର ଗଧ ଖଟଣି ପରେ କଣ ଗଣ୍ଡେ ଖାଇ ଶେଯରେ ପଡୁ ପଡୁ ବାପାଙ୍କୁ ନିଦ ଘୋଟି ଆସେ । ମାଆ ତାଙ୍କ ଚାଦର ଟିକେ ସଜାଡ଼ି ଦେଇ, ତାଙ୍କ ପାଖରେ ଗଡ଼ି ପଡ଼େ । ସତେଯେପରି ନିଦଟା ତାଙ୍କ ପାଇଁ ଗୋଟାଏ ଜରୁରୀ କାମ ନୁହେଁ କି ଆବଶ୍ୟକତା ବି ନୁହେଁ । ଖାଲି ରାତି ହୋଇଛି, ସବୁ ଶୁନଶାନ୍, ସମସ୍ତେ ଶୋଇ ପଡିଛନ୍ତି, ସେଥିପାଇଁ ସେ ଟିକେ ଗୋଡ ହାତ ଲମ୍ବାଇ ରିଲାକ୍ସ ହେବାକୁ ଶେଯରେ ଗଡିଯାଏ ।

ମାଆ ସତେଯେପରି ହଟ୍ଟ ଯୋଗୀଟିଏ । ଘୋର ତପସ୍ୟାରେ ଲୀନ । ନା ନିନ୍ଦା ଶୁଣିବାକୁ ସମୟ ଅଛି, ନା ପ୍ରଶଂସା ଶୁଣିବାକୁ ଆଗ୍ରହ, ନା କିଛି ଖାଇବାକୁ ବିଶେଷ ଇଚ୍ଛା । କେବଳ ସ୍ୱାଦିଷ୍ଟ ବ୍ୟଞ୍ଜନ ରାନ୍ଧି ସ୍ୱାମୀ ଓ ପିଲାଙ୍କ ମୁହଁରେ ଟିକେ ସନ୍ତୋଷ ଆଉ ଖୁସି ଦେଖିଲେ ତାର ସତେ ପେଟ ଭରିଯାଏ, ଖାଇବାର ଇଚ୍ଛା ବି । ଯଦି ଭଜା ତିଅଣ କିଛି ବଳିଯାଏ ଖାଇନିଏ, ଯଦି କିଛି ନବଳିଲା ତେବେ ବି ଆହୁରି ଅଧିକ ଖୁସି ହୋଇଯାଏ, ଭାବେ, ଯାହାହେଉ ଆଜି ତାର ତପସ୍ୟା ସତେଯେମିତି ସଫଳ ହୋଇଗଲା, ସେ କଣ ଟିକେ ପୋଡାପୋଡି କରି ଖାଇଦିଏ, ନହେଲେ ତା ଆଚାର ଡବା କାମରେ ଆସିଯାଏ । ଭୋଜନ ଏତେ ସ୍ୱାଦିଷ୍ଟ ଥିଲା ଯେ ସମସ୍ତେ ଖୁସିରେ ସବୁ ଖାଇ ଗଲେ, ଏଇଟା ତାର ଖୁସି ପାଇଁ ସତେ ମାନପତ୍ରଟିଏ । ଏତେ ନିର୍ଲୋଭ ଏତେ ନିସ୍ୱାର୍ଥପର ସେଇ ଦେବୀଟିର ତୁଳନା କାହା ସହିତ କରିବି ? ତା ପରି ଆଉକେହି ଜଣେବି ତ ଦିଶେନା, ଏଇ ତ୍ରିଭୁବନରେ । ଦୁନିଆରେ ସେଇ ଜଣେ, ଯାହାକୁ ସାରା ପରିବାରର ପେଟର ହିସାବ ଜଣା । କିଏ କଣ ଖାଇବାକୁ ଭଲପାଏ, କିଏ କେତେବେଳେ କଣ ଖାଇବ, ସବୁ ହିସାବ ଥାଏ ମାଆ ପାଖରେ । ହେଲେ କେହି ଜାଣେନି ମାଆକୁ କଣ ଖାଇବାକୁ ଭଲଲାଗେ । ମାଆକୁ ସବୁ ଜଣା, ବାପା ଚଷମା କେଉଁଠି ଛାଡି ଭୁଲି ଯାଆନ୍ତି, କି ପିଲାଏ ନିଜର ପେନ, ପେନସିଲି କେଉଁଠି ରଖି କେଉଁଠି ଖୋଜନ୍ତି । ମାଆ ସତେଯେମିତି ଅନ୍ତର୍ଯ୍ୟାମୀ, ତାର ଦିବ୍ୟଲୋଚନଟିଏ ଥାଏ । ରୋଷେଇ ଘରେ ଥାଇ ବି କହି ଦିଏ, ଚଷମା ସେଇ ଟିଭି ଉପରେ ରଖିଛ ଦେଖ, କିମ୍ବା ଆରେ ତୋ ପେନ ଆଲମାରୀରେ ତୋ ବହିଥାକ କଡ଼ରେ ରଖିଛୁ ଦେଖ୍ । ବଡ ଆଶ୍ଚର୍ଯ୍ୟ ଲାଗେ ଏତେ କଥା ସେ ଦେଖେ କେତେବେଳେ, ଆଉ ମନେ କେମିତି ରଖେ । ସକାଳେ କ୍ଲାସରେ ଟିଚର କଣ ପଢେଇକି ଗଲେ ସନ୍ଧ୍ୟା ବେଳକୁ ଠିକ୍ ଭାବରେ ମନେ ପଡେନା, ହେଲେ ବୋଉ କିଛି ବି ଭୁଲେନି । ମାଆକୁ କେବେ ଜ୍ୱର ହୁଏ, କି ତାର ମୁଣ୍ଡ ବିନ୍ଧେ କେହି ଜାଣନ୍ତିନି । ଶହେ ଏକ ଜ୍ୱରରେ ବି ସେ ରୋଷେଇ ଘରେ ରୋଷେଇ କରୁଥିବ, ନହେଲେ ଘରେ ଝାଡୁ ଲଗାଉ ଥିବ । କେବେ ମୁଣ୍ଡ ବିନ୍ଧୁଥିଲେ, ଗାମୁଛାଟିଏ ମୁଣ୍ଡରେ ବାନ୍ଧିଦେଇ ୱାସିଙ୍ଗ ମେସିନରେ ଲୁଗା ଧୋଉ ଥିବ ନହେଲେ ଇସ୍ତ୍ରୀ କରୁଥିବ । କିନ୍ତୁ ଆଉ କାହାର ଦେହ ଖରାପ ହୋଇଗଲେ, ବଡ ଅଧୈର୍ଯ୍ୟ ହୋଇପଡେ ସେ । ଶେଯରୁ ଓହ୍ଲେଇବାକୁ ଦେବନି । ପାଖରେ ବସି ଦେହ ମୁଣ୍ଡରେ ହାତ ବୁଲଉ ବୁଲଉ ହଜାର ଥର ପଚାରୁଥିବ ଦେହ କେମିତି ଲାଗୁଛି ? ସାରା ରାତି ସେମିତି ଜଗିକି ବସିଥିବ । ମୋ ଦେହ ଏବେ ଭଲ ଲାଗୁଛି, ତୁ ଯାଆ ଟିକେ ଶୋଇପଡ ବୋଲି ଯେତେ କହିଲେ ବି ସେ ସେମିତି ପାଖରେ ବସି ରହିଥିବ ରାତି ସାରା ।

ଠିକ୍ ଠିକ୍ ମନେପଡୁଛି, ସେଦିନ ମାସର ଦ୍ୱିତୀୟ ଶନିବାର ଥାଏ । ବାପାଙ୍କର ଅଫିସ ନଥାଏ । ଆମର କ୍ଲାସ ବି ଖରାଦିନ ଛୁଟି ଲାଗି ବନ୍ଦ ଥାଏ । ସମସ୍ତେ ଥାଆନ୍ତି ଘରେ, ହେଲେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ । ବଡଭାଇ ତା କମ୍ପ୍ୟୁଟରରେ ଗେମ ଖେଳୁଥାଏ, ବାପା ଟିଭିର ନିଉଜ୍ ଦେଖୁ ଥାଆନ୍ତି ଆଉ ମୁଁ ଗୋଟିଏ ନୋଭେଲ ଭିତରେ ନିଜକୁ ହଜେଇ ଦେଇଥାଏ । ହଠାତ୍ ବାଥରୁମ୍ ଭିତରୁ ଧମକରି ଗୋଟାଏ ଶବ୍ଦ ହେଲା, ସମସ୍ତେ ତ ଶୁଣିଥିଲେ ସେ ଶବ୍ଦଟା, ହେଲେ କେହି ନିଜ ଜାଗାରୁ ଉଠି ବାଥରୁମରେ କଣ ପଡିଲା ଦେଖିବାକୁ ନାରାଜ । ମୁଁ ଯେଉଁଠି ବସିଥିଲି ସେଇଠୁ ବାଥରୁମଟା ପ୍ରାୟ ଦିଶୁଥିଲା, ହେଲେ ମୁଁ ଥରେ ବାଥରୁମ ଆଡକୁ ଅନାଇ ପୁଣି ଫେରିଗଲି ମୋ ନୋଭେଲ ଭିତରକୁ, ବାପା ଥରେ ପଚାରି ଦେଲେ, ଆରେ କଣ ହେଲା, କଣ ପଡିଲା ? ଏତିକି ପଚାରି ଦେଇ ସେ ପୁଣି ସେଇ ଟିଭି ଭିତରେ ହଜିଗଲେ, ବଡ ଭାଇ ତା ଗେମର ଏତେ ଶବ୍ଦ ଭିତରେ କଣ ପଡିବା ଶବ୍ଦଟା ଶୁଣିଛି କି ନାହିଁ ସନ୍ଦେହ । କିନ୍ତୁ ଗୋଟେ ମିନିଟ ପରେ ବୋଉର ଅସ୍ପଷ୍ଟ ଯନ୍ତ୍ରଣାର ଶବ୍ଦ ଏବେଏବେ ମୋତେ ଶୁଣା ଗଲା । ମୁଁ ଧାଇଁ ଯାଇ ଦେଖିଲି ମାଆ ବାଥରୁମରେ ପଡି ଗୋଟା ପଣେ ଥରୁଛି । ସେଇଠି ଥାଇ ମୁଁ ବଡ ପାଟିଟାଏ କରି ବାପାଙ୍କୁ ଡାକ ପକାଇଲି । ବାପା, ମାଆ ବାଥରୁମରେ ଖସି ପଡିଛି ଜଲଦି ଆସ, ଭାଇ ଜଲ୍ଦି ଆସ । ସମସ୍ତେ ଦଉଡି ଆସିଲେ ବାଥରୁମ ପାଖକୁ, ବୋଉ ତଳେ ବସିଛି, ଲୁଗା ସଫା ହୋଇ ସାରି ଗୋଟିଏ ବାଲ୍ଟିରେ ଭର୍ତ୍ତି ହୋଇ ରଖା ହୋଇଛି । ବାପା ମାଆର ଅଣ୍ଟା ପାଖରୁ ଧରି ତାକୁ ଠିଆ କରାଇବାକୁ ଚେଷ୍ଟା କରୁଥାନ୍ତି ଏବଂ କହୁ ଥାଆନ୍ତି, ବୁଝିଲ ସବୁ କାମରେ ତୁମର ଏଇ ଜଲ୍ଦବାଜୀ ମତେ ମୋଟେ ଭଲ ଲାଗେନା, ୱାସିଂ ମେସିନଟା ଖରାପ ଅଛି, ମୁଁ ମେକାନିକକୁ କହିଛି ସେ ଆଜି ଉପର ବେଳା ଆସି ସଜାଡି ଯିବ । ଏତେ ଲୁଗା ଏବେ ଧୋଇବା କଣ ଜରୁରୀ ଥିଲା ? ବୋଉ କିନ୍ତୁ କଷ୍ଟରେ ଉଠି ପାରୁ ନଥାଏ, ତାର ଡାହାଣ ଗୋଡଟାରେ ବହୁତ କଷ୍ଟ ହେଉଛି ବୋଲି କହୁଥାଏ । ବାପା ବଡ ଭାଇକୁ କହିଲେ, ଆରେ ଠିଆଟା ହୋଇଛୁ କଣ, ବୋଉକୁ ଧର ଗୋଟେ ପଟୁ, ବେଡ ଉପରକୁ ନେଇଯିବା । ମୋତେ ଲାଗୁଛି ଫ୍ରାକ୍ଚର ହୋଇ ଯାଇଛି ନା’ କଣ ! ଆମେ ସମସ୍ତେ ମିଶି ବୋଉକୁ ଉଠାଇ ବେଡରୁମକୁ ନେଇଗଲୁ, କଷ୍ଟରେ ବୋଉ ଆଖିରୁ ଲୁହ ବାହାରି ଆସୁଥାଏ । ଜୀବନରେ ଏଇ ପ୍ରଥମ ଥର ବୋଉର ଆଖିରେ ମୁଁ ଲୁହ ଦେଖିଲି, ନହେଲେ ସବୁବେଳେ ତାର ମୁହଁରେ ହସ ଲାଖି ରହିଥାଏ । ବାପା ବଡ ଭାଇକୁ କହିଲେ ଯାଆ ଗୋଟେ ଟାକ୍ସି ନେଇକି ଆ, ଏବେ ହସପିଟାଲ ନେବାକୁ ପଡିବ ବୋଉକୁ । ମୋତେ ଲାଗୁଛି ଗୋଡର ହାଡ ଭାଙ୍ଗି ଯାଇଛି ବୋଧେ । ଡାକ୍ତରଖାନାରେ ଡାକ୍ତରୀ ଯାଞ୍ଚ୍ ଏବଂ ଏକ୍ସରେ ପରେ ଜଣା ପଡିଲା ବୋଉ ଡାହାଣ ଗୋଡର ଆଣ୍ଠୁ ତଳକୁ ହାଡରେ ମାଇନର ଫ୍ରାକ୍ଚର ହୋଇଛି, ହାଡ ଭାଙ୍ଗି ଦିଖଣ୍ଡ ହୋଇନି, କିନ୍ତୁ ସେଥିପାଇଁ ଗୋଡରେ ପ୍ଲାଷ୍ଟର କରିଦିଆ ଗଲା ଏବଂ ଅତି କମରେ ତିନି ସପ୍ତାହ ବେଡରୁ ନଉଠିବା ପାଇଁ ଡାକ୍ତର କଡ଼ା ନିର୍ଦ୍ଦେଶ ଦେଇ ଛୁଟି କରିଦେଲେ । ହସପିଟାଲର ସବୁ କାମ ସରୁସରୁ ଦିନ ଦୁଇଟା ବାଜିଗଲା । ସକାଳ ୯ ଟା ବେଳେ ଆମେ ବ୍ରେକଫାଷ୍ଟରେ କେବଳ ବ୍ରେଡ ଆମଲେଟ୍ ଖାଇଥିଲୁ, ଏଇ ଧାଁ ଧପଡରେ ସେ ସବୁ କେତେବେଳୁ ହଜମ ହୋଇ ସାରିଲାଣି, ଭୋକ ବି ଲାଗିଲାଣି, କିନ୍ତୁ ଏଇ ସମୟରେ ଖାଇବା କଥା କାହା ମୁଣ୍ଡକୁ ଆସୁ ନଥାଏ । ଏତିକିବେଳେ ବଡଭାଇ ଟାକ୍ସି ନେଇ ଆସିଲା । ଆମେ ସବୁ ବୋଉକୁ ନେଇ ବସିଗଲୁ, ବାପା ବଡ ଭାଇକି କହିଲେ ଆମେ ବୋଉକୁ ନେଇ ଘରକୁ ଯାଉଛୁ, ଏଇ କିଛି ଟଙ୍କା ରଖ, ତୁ ମୋଟର ସାଇକେଲରେ ହୋଟେଲରୁ ଲଞ୍ଚ ପାଇଁ କଣ ଖାଇବା ନେଇକି ଘରେ ପହଞ୍ଚ, ସମସ୍ତଙ୍କୁ ଭୋକ ଲାଗିବଣି । ଭୋକ ଲାଗୁଥିଲେ ବି ବୋଉର ଏପରି ଅବସ୍ଥା ଦେଖି କାହାକୁ କିଛି ରୁଚୁ ନଥାଏ, ତଥାପି ପେଟ ତ ଭରିବାକୁ ଥିଲା । ଆମେ ସମସ୍ତେ ବେଡରୁମରେ ବୋଉ ପାଖରେ ବସି କିଛି କିଛି ଖାଇ ନେଲୁ । ଆମ ଘରେ, ବୋଉ ପରେ ମୁଁ ଏକ ମାତ୍ର ମହିଳା ସଦସ୍ୟ ତେଣୁ ମୁଁ ପ୍ଲେଟ ସବୁ ଉଠାଇ ନେଲି, ଏଇ ସମୟରେ ବାପା କହିଲେ, ଆରେ ମାଆ, ପ୍ଲେଟ ସବୁ ସିଙ୍କରେ ଥୋଇଦେ, ମୁଁ ଧୋଇଦେବି । ଏତେ କଷ୍ଟରେ ବି ମାଆ କହିଲା, ତୁମେ କାହିଁକି ଧୋଇବ ? ପିଲାଏ ବଡ ବଡ ହୋଇ ଗଲେଣି, ଏଇ ସମୟରେ ଘର କାମରେ ସାହାଯ୍ୟ କରିବେନି ତ ଆଉ କେତେବେଳେ କରିବେ । ମୁଁ ଡାକ୍ତରକୁ ପଚାରି ଥିଲି, ସେ କହିଲେ, ଅତି କମ୍ ରେ ସପ୍ତାହେ କି ଦଶ ଦିନ ବେଡରେଷ୍ଟ । ତା ପୂର୍ବରୁ ଯଦି କଷ୍ଟ ନଲାଗିବ ତେବେ ଅଳ୍ପ ଅଳ୍ପ ଚଲାବୁଲା କରି ପାରିବ । ବାପା ସାଙ୍ଗେ ସାଙ୍ଗେ କହିଲେ, ‘ଡାକ୍ତର ତ ମୋତେ କହିଲେ ତିନି ସପ୍ତାହ କି ମାସେ ବେଡରେଷ୍ଟ ବୋଲି, ବେଡରୁ ବିଲକୁଲ ନଉଠିବାକୁ କହିଛି । ଆଉ ତୁମେ କେତେ ବେଳେ ଡାକ୍ତର ସାଙ୍ଗରେ କଥା ହେଲ ? ମୁଁ ପରା ତୁମ ସାଙ୍ଗରେ ମୂଳରୁ ଶେଷ ଯାଏ ସେଇଠି ତୁମ ପାଖେ ପାଖେ ଥିଲି ।’ ବୋଉ କହିଲା, ‘ତୁମେ କଣ ଜାଣିନ, ଏଇ ଡାକ୍ତରମାନେ ସବୁବେଳେ ଏମିତି ଡରେଇ ଦିଅନ୍ତି । ମୋତେ ଲାଗୁଛି ଦିନେ ଦୁଇ ଦିନରେ ମୋ ଗୋଡ ଠିକ୍ ହୋଇଯିବ, ପୁଣି କାହାକୁ କିଛି କରିବାକୁ ପଡିବନି । ବାକି ଦୁଇ ଚାରି ଦିନ ପାଇଁ ତୁମ ସମସ୍ତଙ୍କୁ ମିଳିମିଶି ସବୁ କାମ କରିବାକୁ ପଡିବ । ମୁଁ କାମ ବାଣ୍ଟି ଦଉଛି । ସକାଳ ଚାହା ଗୁଡୁ ତିଆରି କରିବ ।’ ବାପା, ବୋଉର କଥା କାଟି ମଝିରେ କହି ଉଠିଲେ, ‘ଗୁଡୁ କାହିଁକି ସକାଳ ଚାହା କରିବ ? କଣ ସେ ଝିଅଟେ ବୋଲି ? ଆଉ ତୁମ ଗେହ୍ଲା ପୁଅ ଡୁଗୁ ପାଇଁ ବେଡ-ଟି ନେଇକି ଯିବ ! ଆରେ ବାଃ, ନାଇ ଏମିତି ହବନି, ସକାଳ ଚାହା ଡୁଗୁ ତିଆରି କରିବ । ବଡ ଭାଇ ମିଛ ମିଛକା ନାକରେ କାନ୍ଦି କହିଲା, ନାହିଁ, ବୋଉ ଯାହା କହିବ ସେୟା ହେବ । ତୁମେ ତୁମ ଗେହ୍ଲା ଝିଅ ସାଙ୍ଗରେ ମିଶି ଅଲଗା ପାର୍ଟି କରି ସାରିଲଣି । ବୋଉର ଦେହ ଖରାପ, ମୁଁ ବିଚରା ଏକୁଟିଆ ପଡି ଯାଇଚି ବୋଲି ମୋ ଉପରେ ଏତେ ଅତ୍ୟାଚାର କରୁଛନା ।’ ବୋଉ ଆଉ ବାପା ଦୁହେଁ ହସି ଉଠିଲେ, ଏତେ କଷ୍ଠରେ ମଧ୍ୟ ବୋଉ ଟିକିଏ ହସିଦେଲା, ବହୁତ ଭଲ ଲାଗିଲା । ଆମେ ଦୁଇ ଭାଇ, ଭଉଣୀ ବୋଉର ଦୁଇ ପାଖକୁ ଆଉଜି ଯାଇ ଟିକେ ଗେହ୍ଲା ହୋଇ ପଡିଲୁ । ବୋଉର ଦୁଇ ଅଭୟ ହାତ ଆମ ମୁଣ୍ଡ ସାଉଁଳେଇ ଦେଇ ବଡ ସ୍ନେହରେ କହିଲା, ‘ତୁମେ ଦି’ଜଣ ମୋର ସୁନା ପିଲା । ତୁମର ଏବେ କଲେଜ ଛୁଟି ଚାଲିଛି, ବାପାଙ୍କର ତ ପ୍ରତିଦିନ ଅଫିସ୍ । ତେଣୁ ଘର କାମରେ ତାଙ୍କୁ ବେଶି ବିଜି କରିବନି । ଦିନ ସାରା ଅଫିସରେ କାମ କରି ଥକି ଯାଉଥିବେ । ମୋ ଗୋଡ ସିନା ବନ୍ଦ ଅଛି, ହେଲେ ମୁଁ ତୁମ ସାଙ୍ଗରେ ଅଛି, ଯାହା ଅସୁବିଧା ହେବ ମୋତେ ପଚାରି ନେବ । ଅଇଠା ବାସନ ଦିଜଣ ମିଶିକି ଧୋଇଦେବ । ମିଳି ମିଶିକି କାମ କଲେ ବଡ ବଡ କାମ ବି ସହଜରେ ହୋଇଯିବ । ଭାତ ଗାଳିବା, ରୁଟି ସେକିବା କାମ ବାପା କରିଦେବେ । ନିଜ ନିଜ ଲୁଗା ନିଜେ ଧୋଇବ । ନିଜ ଜିନିଷ ସବୁ ନିଜେ ସାଇତି ରଖିବ । ନହେଲେ ପ୍ରତି ଦଶ ମିନିଟରେ ଥରେ ବୋଉକୁ ପଚାରୁ ଥିବ କେଉଁଟା, କେଉଁଠି ଅଛି ବୋଲି । ବାପାଙ୍କୁ ଅନାଇ ବୋଉ କହିଲା ଶୁଣୁଛଟି, ଏଇଟା ତୁମ ପାଇଁବି ଲାଗୁ । ଆଲମାରୀରୁ ନିଜ ଡ୍ରେସ ନିଜେ ବାହାର କରିବ, ଚଷମା ଟେବୁଲ ଉପରେ ଗୋଟିଏ ଯାଗାର ରଖିବ । ନହେଲେ ଯାହା ହଜିବ, ତାକୁ ଭୂଲିଯିବ ।’ ବାପା ଠିଆ ହୋଇ ପଡି କହିଲେ, ‘ୟେସ ମାଡାମ୍ । ଆମେ ସମସ୍ତେ, ମାନେ ବାପା ବଡ ଭାଇ ଆଉ ମୁଁ ଗୋଟିଏ ସ୍ୱରରେ କହିଲୁ, ତୁମ ଦେହ ଠିକ୍ ହେବା ପର୍ଯ୍ୟନ୍ତ ଆମେ ତୁମକୁ ଜମ୍ମା ଡିଷ୍ଟର୍ବ କରିବୁ ନାହିଁ । ନିଜ କାମ ନିଜେ କରିବୁ, ନିଜ ଜିନିଷ ନିଜେ ସମ୍ଭାଳି ରଖିବୁ ।’ ବୋଉ ଟିକିଏ ମୁରୁକି ହସିଦେଲା । ବାପା କହିଲେ, ‘ଆଚ୍ଛା ତୁମେ ଏଇ ଟାବ୍ଲେଟ୍ ଟା ଖାଇନିଅ, ଏଥିରେ ଟିକେ ନିଦ ଆସିଯିବ, ତୁମେ ଶୋଇ ପଡିଲେ କଷ୍ଟ କମ ହୋଇଯିବ । ଚାଲ ପିଲେ, ନିଜ ନିଜ କାମରେ ଲାଗିଯାଅ, ବୋଉକୁ ଟିକେ ରେଷ୍ଟ କରିବାକୁ ଦିଅ ।’

ଆମେ ଭାଇ ଭଉଣୀ ବାସନ ସଫା କରିବା ପାଇଁ ରୋଷେଇ ଘରେ ମୋର୍ଚ୍ଚା ସମ୍ଭାଳି ନେଲୁ, ଆଉ ବାପା ଡ୍ରଇଂ ରୁମରେ ଟିଭି ସାମ୍ନାରେ ବସିଗଲେ । ସଂଧ୍ୟା ୫ ଟା ହେବ ସେତେବେଳେ । ବୋଉ ମଧ୍ୟ ଉଠି ସାରିଲାଣି । ବାସନ ଧୋଇ ସାରିଲା ପରେ ଭାଇ ତା ରୁମକୁ ଚାଲି ଯାଇଥିଲା ଆଉ ମୁଁ ବୋଉ ପାଖରେ ଶୋଇ ଗୋଟାଏ ପୁରୁଣା ମାଗାଜିନ୍ ଦେଖୁ ଥାଏ । ବୋଉ ପଚାରିଲା ବାପା ଚାହା ପିଇ ସାରିଲେଣି ? ମୁଁ ମାଗାଜିନରୁ ମୁହଁ ଉଠାଇ କହିଲି, ‘ନାଇ ତ, ଚାହା କେହି ବନେଇ ନାହାନ୍ତି ।’ ବୋଉ କହିଲା, ପାଞ୍ଚଟା ବେଳେ ବାପା ଚାହା ପିଅନ୍ତି । ଯା, ଚାହା ଟିକେ କରିଦେ । ଭାଇକୁ ପଚାରି ଦେବୁ ସେ ଯଦି ପିଇବ ।’ ମୁଁ ପଚାରିଲି ଆଉ ତୁ ? ତୁ ପିଇବୁ ? ବୋଉ କହିଲା ସମସ୍ତଙ୍କ ପାଇଁ କରିଦେ । କିନ୍ତୁ ଚାରି କପ୍ ଚାହାର ଭାଗ ମାପ ମୋତେ ଜଣା ନଥିଲା । ପଚାରିବାରୁ ବୋଉ ଟିକେ ହସିଲା, କହିଲା ହୁଣ୍ଡି, ଅଧା ଖିର ଅଧା ପାଣି, ଦୁଇ କପ୍ ପାଣି ଦୁଇ କପ୍ ଖିର, ଚିନି ଚାରି ଚାମଚ ଆଉ ଚା’ପତି ଡବାରେ ଚାମଚ ଅଛି ସେଥିରେ ପୁରା ଗୋଟେ ଚାମଚ ଚା’ପତି । ପାଣିରେ ପ୍ରଥମେ ଅଦା ଖଣ୍ଡେ ଛେଚିକି ପକେଇ ଦବୁ । ବାପା ଟିଭି ବନ୍ଦ କରି ବୋଉ ପାଖକୁ ଆସି ଯାଇଥିଲେ । ମୋତେ ବାହାରକୁ ଯାଉ ଥିବାର ଦେଖି ପଚାରିଲେ କୁଆଡେ ଯାଉଛୁ, ବସ ଏଇଠି ? ବୋଉ କହିଲା ସିଏ ଯାଉଚି ଚାହା କରିବ । ବାପା ଆଶ୍ଚର୍ଯ୍ୟ ହୋଇ ମୋତେ ଅନେଇ ପଚାରିଲେ ତୁ ଚାହା କରି ପାରିବୁ ତ ? ଚାଲ ମୁଁ ତୋତେ ହେଲ୍ପ କରିଦେବି । ବୋଉ କହିଲା, ନାଇ ତୁମେ ଏଇଠି ବସ । ସେ ବଡ ପିଲା ହୋଇ ଗଲାଣି, ଚାହା କରି ପାରିବ ସିଏ । ତାକୁ ଶିଖିବାକୁ ଦିଅ । ଏସବୁ କାମ ଶିଖିବା କଥା, କାଲି ବାହା ହୋଇ ଶାଶୁ ଘରକୁ ଗଲେ କରିବନା ସବୁ କିଛି ! ବାପା ବଡବଡ ଆଖି କରି ବୋଉକୁ କହିଲେ, ‘ଆରେ ମୋ ଝିଅ ପାଠଶାଠ ପଢି ଚାକିରି କରିବ ବଡ ଅଫିସର ହେବ ନା’ ରୋଷେଇ ଘରେ ଚାହା ବନେଇବ !’ ଏଇ ସମୟରେ ବଡ ଭାଇ ବି ଆସି ଗଲା, ସେ କହିଲା, ‘ବାପା ତୁମେ ବସ ବୋଉ ପାଖରେ । ମୁଁ ହେଲ୍ପ କରି ଦେବି ଗୁଡିକୁ ।’ ଭାଇ ଆଉ ମୁଁ ରୋଷେଇ ଘରକୁ ଆସିଗଲୁ । ଭାଇ ସାଙ୍ଗରେ ରୋଷେଇ ଘରେ ସେ ଦିନର ମୋର ପ୍ରଥମ ଅଭିଜ୍ଞତାରୁ ମୁଁ ଜାଣିଗଲି, ବେଶି ଲୋକରେ ମୂଷା ମରେନି ବୋଲି କାହିଁକି କହନ୍ତି । (Too many cooks spoil the broth) ପ୍ରୋଭାର୍ବର ପ୍ରକୃତ ଅର୍ଥଟା କଣ । ଭାଇର ସହଯୋଗଟା ଯଦି ଏପରି, ତେବେ ଅସହଯୋଗ କାହାକୁ କହନ୍ତି ମୁଁ ବୁଝି ପାରୁନଥିଲି । ଚାହା ସସପେନ୍ସରେ ମୁଁ ଯେତେବେଳେ ଦୁଇ କପ୍ ପାଣି ଢାଳିଲି, ଭାଇ କହିଲା ଆଉ ଅଧା କପ୍ ପାଣି ଦେ ଏଥିରେ, ତୁ କଣ ଜାଣିନୁ, ପାଣି ଫୁଟିଲେ ସେଥିରୁ କିଛି ପାଣି ବାମ୍ଫ ହୋଇ ବାହାରି ଯିବ, ବାମ୍ଫ ବାହାରି ଗଲେ ପ୍ରାୟ ଅଧା କପ ପାଣି ବାମ୍ଫ ହୋଇ ଉଡିଯିବ । ନହେଲେ କ୍ଷୀର ବାମ୍ଫହୋଇ ଚାଲିଯିବ, ସେଥି ଯୋଗୁ ଚାହା କମ୍ ହୋଇଯିବ । ତା ପରେ ମୁଁ ଚାହାରେ ଯେତିକି ଅଦା ପକାଇବାକୁ ବାହାର କଲି ଭାଇ କହିଲା ଆରେ, ଏତେ ଅଦା କଣ କରିବୁ ? ଆହୁରି କମ୍ ଅଦା ପକା, ନହେଲେ ଚାହାଟା ବାବା ରାମଦେବଙ୍କ ଆୟୁର୍ବେଦ ସିରପ୍ ପରି ଟେଷ୍ଟ ହୋଇଯିବ, ଆଉ ସେମିତି ବାସିବ । ଚିନି ପକେଇଲା ବେଳକୁ କହିଲା, କମ୍ ଚିନି ପକା, ତୁ ଜାଣିଛୁ ନା’ ଆଜି କାଲି ଅଧିକାଂଶ ଲୋକଙ୍କୁ ଡାଇବେଟିସ୍ ହୋଇ ଯାଉଛି । ଆମ ସମସ୍ତଙ୍କୁ ଯଦି ଡିଇବେଟିସ୍ ହୋଇ ଯିବ ! ବିରକ୍ତ ଲାଗୁଥାଏ, କିନ୍ତୁ ସିଏ ବଡଭାଇ, ତାକୁ କିଛି କହି ହେଉ ନଥାଏ, ସେ ଯେପରି ସିରିୟସ ହୋଇ କହୁଥାଏ, ତା କଥାକୁ ହସିକି ଉଡେଇ ଦେଲେ ତାର ରାଗ ପଞ୍ଚମରେ ପହଞ୍ଚିଯିବ । ସେଥିପାଇଁ ମୁଁ ଚୁପ ଚାପ୍ ସବୁ ଶୁଣି ସାରିଲା ପରେ ଶେଷରେ କହିଲି, ‘ଭାଇ, ତୁ ଏଠି ଠିଆ ହୋଇ ରହିଲେ ତୋ ଗୋଡକୁ କଷ୍ଟ ହେବ, ତାଛଡା ଏସବୁ ସ୍ତ୍ରୀଲୋକଙ୍କ କାମ, ଦେଖି ଦେଖି ତୁ ବୋର ବି ହୋଇଯିବୁ । ଭଲ ହେବ ତୁ ଯାଇ ବାପା ବୋଉଙ୍କ ପାଖରେ ବସ୍ । ମୁଁ ଚାହା ତିଆରି କରି ତୁମ ପାଖକୁ ନେଇ ଆସିବି ।’ ଭାଇ ବୋଧେ ଏଇ କଥା ଦି’ ପଦ ଶୁଣିବାକୁ ଯେପରି ଅପେକ୍ଷା କରିଥିଲା, ମୋ କଥା ସରିବା ଆଗରୁ ଥାଙ୍କସ୍ କହି ସାଙ୍ଗରେ ବଡ ହୁଁ ଟାଏ କହି ଚାଲିଗଲା, ଗଲାବେଳେ କହିଲା, ‘ଆଜିକାଲିକା ପିଲା, କାହା କଥା ଶୁଣିବେନି, ମନେମନେ ନିଜକୁ ଭାରି ଚାଲାକ୍ ଭାବନ୍ତି । ଚାହା ପିଉପିଉ ମାଆ ଆମ ସମସ୍ତଙ୍କୁ ଚାହିଁ କହିଲା, ‘ସମସ୍ତେ ମନ ଦେଇ ଶୁଣ । ଦୁଇ ସପ୍ତାହ ପର୍ଯ୍ୟନ୍ତ ମୁଁ ବେଡରୁ ଓହ୍ଲେଇ ପାରିବିନି, ଘରର ଯାବତୀୟ କାମ, ଘର ଓଳେଇବା ଠାରୁ ଆରମ୍ଭ କରି ରୋଷେଇବାସ, ସେଇଟା ପୁଣି ସକାଳେ ବାପାଙ୍କ ଅଫିସ ଯିବା ଟାଇମ ଭିତରେ, ଲୁଗା ଧୁଆ, ବାସନ ମଜା, ଠାକୁର ପୂଜା ଏତେ ସବୁ କାମ ତୁମେ ମାନେ କରି ପାରିବ ତ ? ଆଗରୁ ଏମିତି ପରିସ୍ଥିତି ତୁମେମାନେ କେବେ ଦେଖିନ, ଏମିତି କାମ ଆଗରୁ କେବେ କେହି କରିନ, କେମିତି କରିବ ଏସବୁ ? ମୋତେ ତ କିଛି ଠିକ୍ ଲାଗୁନି । ସେଥିପାଇଁ ଭାବୁଛି ଏ ସମୟରେ ଆମକୁ ଟିକେ ସାହାଯ୍ୟ କରିବାକୁ, ଘରର ସବୁ କାମ କରିବାକୁ ଗାଆଁରୁ ଖୁଡିଙ୍କୁ ଡକେଇ ଦେବା, ଖୁଡି ଏବେ ଗାଆଁରେ ଏକୁଟିଆ ରହୁଛନ୍ତି, ସେ ଆସି ଆମ ସହିତ କିଛିଦିନ ରହି, ଗଲେ ତାଙ୍କୁ ବି ବହୁତ ଭଲ ଲାଗିବ । ନହେଲେ ଉମା ମାଉସୀଙ୍କୁ ଡାକି ଦେବା । କେହିଜଣେ ଆସି ଗଲେ ତୁମମାନଙ୍କ କାମ ଟିକିଏ ହାଲୁକା ହୋଇଯିବ, ନହେଲେ ତୁମ ତିନି ଜଣଙ୍କୁ ମିଳିମିଶି ସବୁ କାମ କରିବାକୁ ବଡ଼ ମୁସକିଲ ହୋଇଯିବ ।’ ବାପା ସଙ୍ଗେସଙ୍ଗେ କହିଲେ, ‘ତୁମ ଭଉଣୀ ଉମା କିଛି କାମକୁ ନୁହେଁ, ସେ ଆସିଲେ କାମ ଯେତିକି ନକରିବ ତାଠାରୁ ବେଶି ସମୟ ଫେସିଆଲ, ହେୟାର ଷ୍ଟାଇଲ କରିବାରେ ତାର ସମୟ ଚାଲିଯିବ । ବରଂ ଗାଆଁରୁ ଖୁଡିଙ୍କୁ ଡକେଇ ଦେବା ।

ଖୁଡି କହିଲେ, ବାପାଙ୍କ ଦୂର ସମ୍ପର୍କୀୟା ଖୁଡି, ପିଲାମାନେ ତାଙ୍କର ସହରରେ ପିଲା ଛୁଆ ନେଇ ନିଜ ନିଜ ଚାକିରି ଜାଗାରେ । ଦାଦାଙ୍କ ମୃତ୍ୟୁ ପରେ ଖୁଡି ଏବେ ଏକୁଟିଆ ଗାଆଁରେ ରହି ଘର ଜଗି ପଡିଛନ୍ତି । ତାଙ୍କ ପିଲାମାନେ ସେମାନଙ୍କ ସାଥିରେ ନେଇଯିବାକୁ କେତେ କହିଲେ, ହେଲେ ଗାଁ ଛାଡି ଯିବା ପାଇଁ ଖୂଡି କେବେ ରାଜି ହେଲେନି, ମଝିରେ ମଝିରେ ହପ୍ତେ ଦଶଦିନ ପାଇଁ ପିଲାମାନଙ୍କ ପାଖରେ ରହି ଆସନ୍ତି । ବୟସ ତାଙ୍କର ସତୁରୀ ପାଖାପାଖି ହୋଇଗଲାଣି, ତଥାପି ଏ ବୟସରେ ବି ସେ ପୁରା ଆକ୍ଟିଭ ଅଛନ୍ତି, ପଚାରିଲେ କହନ୍ତି, ଆମ ସମୟର ଖାଇବା ଆଜିକାଲି ପିଲାଙ୍କୁ କେଉଁଠୁ ମିଳିବ? ସବୁ ତାଜା ଆଉ ଖାଣ୍ଟି ଜିନିଷ ମିଳୁଥିଲା ଆମ ସମୟରେ, ଆଉ ଆମେ ଅସଲି ଜିନିଷ ଖାଉଥିଲୁ, ଆଜିକାଲିକା ପରି ଭେଜାଲ ନୁହେଁ । ଏବେ ଧାନ ଚାଉଳ ହେଉ କି ପନିପରିବା, ସବୁଥିରେ ସାର ପୋକମରା ଔଷଧର ଗନ୍ଧ ମିଳିବ, ଦେଶୀ କାଳି ଗାଈର ଖୀରରେ ଯାହା ମିଳୁଥିଲା, ଆଜି କାଲିକା ପ୍ଲାଷ୍ଟିକ ଥଳି କ୍ଷୀରରେ ସେଇ ସୁଆଦ କି ସାର କଣ ମିଳିବ ? ଆମ ସମୟର ଖାଣ୍ଟି ଶୁଦ୍ଧ ସୋରିଷ ତେଲ କି ଦେଶି ଘିଅ ଆଜି ମିଳିବ ? ସେଇ ସବୁ ଖାଇଥିଲୁ ବୋଲି ଆଜି ମୋର ବୟସ ଜଣା ପଡୁନି, ଡାକିଲୁ ଆଜି କାଲିକା କଉ ଭୁଆସୁଣିକୁ ମୋ ଏତିକି କାମକରି ଦେଖେଇ ଦେବ । ଏ ବୟସରେ ବି ଖୁଡି ବହୁତ ଆକ୍ଟିଭ ଅଛନ୍ତି, ସକାଳ ପାଞ୍ଚଟାରେ ନିଦ ଭାଙ୍ଗିଯାଏ ତାଙ୍କର, ଘରବାରି ଖରକି, ଗୋବର ପାଣି ଛିଞ୍ଚି ଦେଇ ଗାଧୋଇବାକୁ ଯାଆନ୍ତି । ସକାଳ ଛଅଟା ବେଳକୁ ଠାକୁର ଘରେ ତାଙ୍କର ଘଣ୍ଟି ବାଜିବା ଆରମ୍ଭ ହୋଇଯାଏ । ଠାକୁର ଘରେ ଗୋପାଳଙ୍କ ନୀତିକାନ୍ତି କରି ସାରିଲେ ଚୁଲିରେ ଚା ସସପେନ୍ସଟା ବସେଇ ଦିଅନ୍ତି । କଂସାଏ ମୁଢି ଆଉ ଗିଲାସେ ନାଲି ଚା ଧରି ବସି ଯାଆନ୍ତି । ସେତକ ତାଙ୍କର ସକାଳ ଜଳଖିଆ । ତାପରେ ବାଡି ବଗିଚାରେ ଦି’ ଘଣ୍ଟା କଟେଇ ଦିଅନ୍ତି । ବାଡିରେ ତାଙ୍କର ଶାଗ ଦି କିଆରୀ, କିଛି ପନିପରିବା ଗଛ ଲଗେଇବା, ଗଛରେ ପାଣି ଦେବାରେ ଲାଗି ଯାଆନ୍ତି, ସେସବୁ କାମ ସରିଲେ ଦି’ ପହର ରୋଷେଇ ପାଇଁ ସଜ ପରିବା ତୋଳନ୍ତି, କେବେକେବେ ସାଇପଡିଶା ଲୋକେ ଟଙ୍କାଏ ଦି’ ଟଙ୍କାର ପରିବା କିଣି ନିଅନ୍ତି ଖୁଡିଙ୍କଠାରୁ । ଏକୁଟିଆ ମାଇପିଟିଏ କେତେ ଖାଇବ ? ଯାହା ବଳକା ପନିପରିବା ହୁଏ ସାଇ ପଡିଶାରେ କେବେ ବାଣ୍ଟି ଦିଅନ୍ତି କେବେ କିଛି ବିକି ଦିଅନ୍ତି । ବାଡିରେ ସଜନା ଗଛ ଦୁଇଟା ବାରମାସୀ, ବର୍ଷ ସାରା ଛୁଇଁ ଲଟକି ଥାଏ ଗଛରେ । ହେଲେ ଏ ବୟସରେ ସଜନା ଛୁଇଁ ଖାଇବାକୁ ଖୁଡିଙ୍କର ଆଉ ଦାନ୍ତ ନାହିଁ । ବେପାରୀ ପୁଅ ମଝିରେ ମଝିରେ ଆସି ନିଜେ ତୋଳି କିଣିନିଏ । ମଝିରେ ମଝିରେ ପିଲାଏ କିଛି ଟଙ୍କା ପଇସା ପଠାଇ ଦିଅନ୍ତି, ଚାଷ ଜମିରୁ ବର୍ଷ ଯାକର ଧାନ ଚାଉଳ, ଆଉ ଡାଲି ମିଳି ଯାଉଥିଲା । ଖୁଡିଙ୍କର କିଛି ଅସୁବିଧା ହୁଏନି । କିନ୍ତୁ କାହାର ହାରି ଗୁହାରୀରେ ଅଣ୍ଟାରେ କାନି ଖୋସି ବାହାରି ପଡିବେ । କାହାର କିଛି ସୁବିଧା ଅସୁବିଧାରେ ଖୁଡି ଅଣ୍ଟାଭିଡି ଆଗେଇ ଆସନ୍ତି । ଭଲରେ ମନ୍ଦରେ କେହି କେବେ କିଛି ମାଗିଲେ ଖୁଡି କେବେ ମନା କରନ୍ତିନି, ଧାନ ଚାଉଳରୁ ଆରମ୍ଭ କରି ଟଙ୍କା ପଇସାରେ ସମସ୍ତଙ୍କୁ ସାହାଯ୍ଯ କରନ୍ତି । ସାଇ ପଡିଶାରେ ତାଙ୍କର ବହୁତ ଆଦର । ଖୁଡିମାଆ (ବାପାଙ୍କ ଖୁଡିକୁ ଆମେ ଖୁଡିମାଆ ଡାକୁ) ବହୁତ ଖୁସ୍ ମିଜାଜ ମଣିଷଟିଏ, ହେଲେ ସବୁ କଥାରେ ତାଙ୍କର ଭାରି ବାରଣ ଚାରଣ । ଅଗାଧୁଆ କେହି ରୋଷେଇ ଘରେ ପଶିବେନି । ଦାନ୍ତ ନଘସିଲେ ଚାହା ଟୋପେ ମିଳିବନି, ଘରେ କେହି ଚପଲ ପିନ୍ଧିବେନି, ଯୋତା ଚପଲ ସବୁ ବାହାର ବାରଣ୍ଡାରେ ଥିବା ଜୋତା ଷ୍ଟାଣ୍ଡରେ ରହିବ । ଆଉତ ଆଉ, ସକାଳ ପାଞ୍ଚଟାରୁ ଉଠି ଗାଧୋଇ ପାଧୋଇ ଠାକୁର ଘରେ ଘଣ୍ଟି ବଜେଇବା ଆରମ୍ଭ କରିଦେବେ, କାହାକୁ ଶୋଇବାକୁ ଦେବେନି । ତେଣୁ କେହି କିଛି କହିବା ଆଗରୁ ଆମେ ଦୁଇ ଭାଇଭଉଣୀ ଗୋଟିଏ ସ୍ୱରରେ କହିଲୁ, କାହାକୁ ଡାକିବା ଦରକାର ନାହଁ । ଆମର ଏବେ ସ୍କୁଲ କଲେଜ ଛୁଟି ଅଛି ଆମେ ଭାଇ ଭଉଣୀ ଦୁଇ ଜଣ ମିଶି ସବୁ କାମ କରିଦେବୁ ।

କଥା କହିଦେବା ବଡ ସହଜ, କିନ୍ତୁ ତାକୁ କରି ଦେଖାଇବା କେତେ ଯେ କଠିନ, ଗୋଟିଏ ଦିନ ଘର କାମକରି ଆମ ଭାଇ ଭଉଣୀ ଦି’ ଜଣ ଭଲ ଭାବରେ ବୁଝି ଯାଇଥିଲୁ । ବଡ ଆଶ୍ଚର୍ଯ୍ୟ ଲାଗେ ବୋଉ ଏହାର ଦୁଇଗୁଣା କାମ ସଠିକ୍ ଭାବେ ଏକୁଟିଆ କେମିତି କରି ଯାଏ ? ଆମେ କାମ ତ ଜେନତେନ ଉପାୟରେ କରିଦେଲୁ, ହେଲେ ଡାଲି ଅଲଣା, କଢେଇ ତଳେ ଲାଗି ତରକାରୀ ଅଧା ପୋଡି ଯାଇଥିଲା, ଭାତ ପେଜୁଆ, କିନ୍ତୁ ବାପା ବୋଉ ଦି’ ଜଣ ଯାକ ବଡ ଖୁସିରେ ଖାଇଲେ, ପ୍ରଶଂସା ବି କଲେ, କହିଲେ ସତରେ ଆମ ପିଲା ଦିଟା ବଡ଼ ପିଲା ହୋଇ ଗଲେଣି । ଦି’ ଜଣ ମିଶି ପୁରା ଘରଟାକୁ ସମାଳି ନେଲେ । ବଡଭାଇ ଟିକ ନାକ କନ୍ଦୁରା, କହିଲା ବୋଉ, ସେତିକି ପ୍ରଶଂସା ବହୁତ ହୋଇଗଲା । ଏମିତି ଖାଇବା କାହାକୁ ଦେଇ ତା ସହିତ ଶହେ ଟଙ୍କା ଦକ୍ଷିଣା ଦେଲେ ବି ସେ ଖାଇବନି । ଏସବୁ କାମ ଆମ ଦେଇ ହେବନି । ତୁମେ କିଛି ବନ୍ଦୋବସ୍ତ କର । ବୋଉ ଟିକିଏ ହସି କହିଲେ, ‘ଯୋଗାଡ କଣ, ଲିଲି ମାଉସୀର ଅଣ୍ଟା ବିନ୍ଧାଟା ପୁଣି ବାହାରି ପଡିଛି, ସେ ଆସି ପାରିବନି, ଯଦିବା ସେ ଆସିଯିବ, ତେବେ ସେ ତୁମର ସେବା କଣ କରିବ, ତୁମ ତିନି ଜଣଙ୍କୁ ତାର ସେବା କରିବାକୁ ପଡିବ । ମୁଁ ଖୁଡିଙ୍କ ସଙ୍ଗେ କଥା ହୋଇଥିଲି, ସେ ଆଜି ସଂଧ୍ୟାରେ ଆସି ପହଞ୍ଚି ଯିବେ । ଖୁଡିମାଆ ଆସୁଛନ୍ତି ଶୁଣି ମୋ ଭାତ ଗୁଣ୍ଡା ମୋ ମୁହଁରେ ଅଟକି ଗଲା । ଖୁଡିମାଆ ଆସିବେ ?? ନା, ନା, ବୋଉ ତୁ ଯାହା କରୁଛୁ କର ପଛେ, ଖୁଡିମାଆଙ୍କୁ ଫୋନ କରି ମନା କରିଦେ ଆସିବାକୁ । ବୋଉ ଟିକିଏ ହସି କହିଲା, ଖୁଡିମାଆ ସାଙ୍ଗରେ ତୋର କଣ ପ୍ରୋବ୍ଲେମ୍ ? ପିଲା ଦିନ କଥା ସବୁ ଭୂଲିଗଲୁ ? କେତେ ଭଲ ପାଆନ୍ତି ତୋତେ, କେତେ ଗେହ୍ଲା କରନ୍ତି । କୋଳରେ ବସେଇ ତୋତେ ଖୋଇ ଦିଅନ୍ତି । ତାଙ୍କ ହାତ ରନ୍ଧା ଚୁନାମାଛ ବେସର ହେଉ କି ଛୁଞ୍ଚିପତର ଚକୁଳି ପିଠା, ତୋର ପସନ୍ଦ ବୋଲି ଯେବେ ବି ଗଲେ, ତୋ ପାଇଁ ସେ ନିଶ୍ଚୟ ରାନ୍ଧନ୍ତି । ଆଙ୍ଗୁଠି ଚାଟି ଚାଟି ମାଛ ବେସର ଖାଇବା କଥା ଭୂଲିଗଲୁ? ରାତିରେ ତୋତେ ପାଖରେ ଶୋଇ କେତେ ଗପ କହନ୍ତି । ମାଆ, ଖୁଡିମାଆଙ୍କ କଥା କହୁଥାଏ, ଆଉ ସେ ଦୃଶ୍ୟ ସବୁ ସିନେମା ଦେଖିଲା ଭଳି ମୋ ଆଖି ଆଗରେ ଭାସି ଯାଉଥାଏ । ସତରେ ବୋଉ ପରେ ସେଇ ଗୋଟିଏ ମଣିଷ ଖୁଡିମାଆ, ଯିଏ ପାଖରେ ଥିଲେ ବୋଉ ପାଖରେ ଥିଲା ପରି ଲାଗେ । ନିଜ ଜେଜେମାଆଙ୍କୁ ତ କେବେ ଦେଖିନି, ପିଲାଟି ଦିନରୁ ଏଇ ଖୁଡିମାଆକୁ ହିଁ ଜାଣିଛି ଆଉ ଦେଖିଛି ।

ବୋଉ କହେ ଆମେ ସବୁ ଜନ୍ମ ହେଲାଠାରୁ ଆରମ୍ଭ କରି ବର୍ଷକର ହେବା ପର୍ଯ୍ୟନ୍ତ ଏଇ ଖୁଡିମାଆ ଆମକଥା ବୁଝୁଥିଲା । ସକାଳ ତେଲ ଘସା ଠାରୁ ଆରମ୍ଭ କରି ଆମର ଗାଧୁଆ, ଖାଇବା ସବୁ କାମ ସେଇ ହିଁ କରୁଥିଲା, ତାରି କୋଳରେ ଝୁଲି ଝୁଲି ଆମେ ଶୋଇ ଯାଉ । ଭାରି ସ୍ନେହୀ ସେଇ ଖୁଡି ମାଆ । ଖୁଡିମାଆକୁ ଆମେ ସମସ୍ତେ ଭଲ ପାଉ ସମ୍ମାନ କରୁ, କିନ୍ତୁ ତାର ସେଇ ସକାଳ ପାଞ୍ଚଟାରେ ଉଠି ଠାକୁର ଘରେ ଘଣ୍ଟି ବଜେଇବାଟା ଆମ ସମସ୍ତଙ୍କ ପାଇଁ କାଳ ହୋଇଯାଏ, ତା’ ଛଡା ସକାଳ ଚାହା, ବେଡ ଟି’ ଟୋପେ ପିଇବାକୁ ବି ସବୁ ଦିନ ସକାଳୁ ଉଠି ସକାଳୁ ଦାନ୍ତ ଘସିବାକୁ ପଡିବ । ମାଆ କଥାକୁ ଆମେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶୁଣୁଥିଲୁ ଆଉ ଅତୀତରେ ହଜି ଯାଇଥିଲୁ । ଏଇ ସମୟରେ ଖୁଡିମାଆର ଫୋନ ଆସିଗଲା । ସେ ଗାଆଁରୁ ବସରେ ବସି ଗଲେଣି । ପାଞ୍ଚଟାବେଳେ ପହଞ୍ଚି ଯିବେ । ବଡ ଭାଇକୁ ବସଷ୍ଟାଣ୍ଡ ପଠେଇବାକୁ କହିଛି । ବୋଉ ଭାଇକୁ କହିଲା, ‘ତୁ ଟିକିଏ ଆଗୁଆ ଯାଇ ବସଷ୍ଟାଣ୍ଡରେ ଅପେକ୍ଷା କରିଥିବୁ । ବୁଢୀ ମଣିଷ ଏକୁଟିଆ ହଇରାଣ ହୋଇଯିବେ ନହେଲେ । ତୁମେ ତ ଜାଣିଛ, ସେ କେବେ ଖାଲି ହାତରେ ଆସିବେନି ? ଆସିଲା ବେଳେ ତାଙ୍କ ସାଙ୍ଗରେ କେତେ ଦରବ ନେଇକି ଆସିଥିବେ । ବାଡି ସଜନା ଛୁଇଁ, ବାଡିର ତାଜା ଶାଗ ବାଇଗଣ କଞ୍ଚାଲଙ୍କା, ତୋ ବାପାଙ୍କୁ ଭଲ ଲାଗେ ବୋଲି ଭଜା କୋଳଥ ଡାଲି, ଦେଶି ମୁଗ, ଭଜା ହରଡ ଡାଲି, ତାମ୍ପଡା ସୁଖୁଆ, ଆହୁରି କେତେ କଣ ଭରିଥିବ ତାଙ୍କ ବସ୍ତାରେ ।’ ଆରେ ହଁ, ତୁ ତାଙ୍କୁ ଦେଖିଲେ ଚିହ୍ନି ପାରିବୁଟି, ମାଆ ବଡ ଭାଇକୁ ପଚାରିଲା । ଭାଇ ଟିକିଏ ହସିଦେଇ କହିଲା, ମୁଁ ଚିହ୍ନି ନପାରିଲେ କଣ ହେଲା ? ସେ ମୋତେ ନିଶ୍ଚୟ ଚିହ୍ନିନେବ, ତୁ କଣ ଜାଣିନୁ, ତାଙ୍କ ମେମୋରି ତୋ ଠାରୁ ବି ବହୁତ ବେଶି । ଆମ ସମସ୍ତେ ଏକାବେଳେ ହୋ ହୋ ହୋ ହୋଇ ହସି ଉଠିଲୁ ।

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

Related Posts

Leave a Reply

Your email address will not be published. Required fields are marked *