ଶୁଭ ନାରାୟଣ ସ୍ଵାଇଁ

ରଂଜନ, ମୋର ଆସିଷ୍ଟାଣ୍ଟ । ଏଇ ଦୁଇ ଦିନ ତଳର କଥା । ଲଗାତାର ଚାରିଦିନ ଯାଏ ମୋ ମେଜ ଉପରେ ଗୋଟିଏ ବହି ଡେଣା ମେଲାଇ ପଡ଼ିଥିବାର ଦେଖି ରଂଜନ ପଚାରିଲା, ” ସାର୍ ! ଏ ବହିଟା କାହାର ? ଚାରି ଦିନ ହେଲାଣି ପେଟେଇକି ପଡ଼ିଛି ଯେ ପଡ଼ିଛି ! ” – ବହିଟା ରୋଜାଲିନି ମିଶ୍ରଙ୍କର । ମାନେ ଗାଳ୍ପିକା ରୋଜାଲିନି ମିଶ୍ରଙ୍କ ବହି । ବହିଟାକୁ ପଢିବି ବୋଲି ଆଣିଥିଲି । ପଢିବି ସାରିଲିଣି, ହେଲେ କିଛି ଲେଖି ପାରୁନି, ଟିକିଏ ଅଟକି ଯାଇଛି ।

— କେଉଁଠି ? ଆପଣ ଏମିତି ଅଟକି ଯିବା କଥାଟା ବୁଝା ପଡୁନି । ମ୍ୟାଡ଼ମ୍ ଜଣେ ଖୁବ୍ ବଡ଼ ଲେଖକ ନା କଣ ? କେତେ ବଡ଼ ସାର୍ ? କାହିଁ ମୁଁ ତ କେବେ ପଢ଼ିନି ତାଙ୍କ ଲେଖା ଆମ ସ୍କୁଲ କି କଲେଜ୍ ପାଠ ବହିରେ ?

— କେତେ ଆଉ ବଡ଼ ହେବେ, ହେଇ ହେଇ ଆମଠୁ ହାତେ କି ଚାଖଣ୍ଡେ ବଡ଼ ହୋଇଥିବେ । କେବେ କଥା ହୋଇନି ତାଙ୍କ ସହ । ଏ ପର୍ଯ୍ୟନ୍ତ ଦେଖା ହୋଇନି କେବେ ତାଙ୍କ ସହ । ଦେଖା ହୋଇଥିଲେ ଠିକରେ କହି ପାରିଥାନ୍ତି ସେ କେତେ ବଡ଼ ଲେଖକ ।

— ଏଇତ ସାର୍, ଆପଣ ସବୁ କଥାକୁ ହସରେ ଉଡ଼ାଇ ଦେବେ । ଛାଡ଼ନ୍ତୁ, ମୋର ତେଣେ ଦୁନିଆ ଯାକର କାମ । ଏବେ ଆପଣ କାହାର ୱେବିଲ୍ କାଢୁଛନ୍ତି କୁହନ୍ତୁ, ମୁଁ ତା’ର ଇନଭୋଏଜଟା ଆଗ ପିକ୍ କରିଦେବି ।

ତାପରେ ରଂଜନ ଚାଲିଗଲା ଇନ୍ଭେନ୍ଟୋରି ୟାର୍ଡକୁ । ମୁଁ ଭାବୁଥିଲି ତାକୁ କେମିତି ବୁଝାଇବି ସବୁ କବି ଲେଖକଙ୍କ ଭାଗ୍ୟରେ ନଥାଏ ପିଲାଙ୍କ ପଢ଼ା ବହି ଭିତରେ ନିଜକୁ ସାମିଲ କରିବା । ମୁଁ ବୁଝି ପାରୁନଥିଲି କେମିତି କହିବି କବି କି ଲେଖକ କେବେ ବଡ଼ କି ଛୋଟ ହୋଇ ନଥାନ୍ତି, ବରଂ ବଡ଼ କି ଛୋଟ ହୋଇଥାଏ ଲେଖାର ମାନ ଏବଂ ଏହା ସବୁବେଳେ ନିର୍ଭର କରିଥାଏ ପାଠକୀୟ ଗ୍ରହଣୀୟତା ଉପରେ ।

ମୋର ଅନୁଭବ ହେଉଥିଲା ଶ୍ରୀମତୀ ରୋଜାଲିନି ମିଶ୍ର ହୁଏତ ଜଣେ ବଡ଼ ଗାଳ୍ପିକା ହୋଇ ନଥାଇ ପାରନ୍ତି । ହୁଏତ ବୟସରେ ଖୁବ୍ ପାକଳ ହୋଇ ନଥାଇ ପାରନ୍ତି, ତଥାପି ସେ ଜଣେ ପ୍ରଖର ଯୁବ ସ୍ଵର ଯିଏକି ସେମିତି କିଛି ଚରିତ୍ର ଓ ସେମିତି କିଛି ଶବ୍ଦ ଉପରେ ଲେଖିବାର ସାହାସ କରନ୍ତି ଯାହା ଏବେ ପାଖାପାଖି ବିଲୁପ୍ତ ପ୍ରାୟ । ସମାଜର ନିହାତି ଅବହେଳିତ, ବିଭିନ୍ନ ସୁଖ ଓ ସୁବିଧାରୁ ବଞ୍ଚିତ ଓ ଭିନ୍ନ ଭିନ୍ନ କାରଣରୁ ନିହାତି ଅନାଲୋଚିତ ହୋଇ ରହିଥିବା ବିଭିନ୍ନ ଚରିତ୍ର ମାନଙ୍କୁ ନିଜ ଗପ ପାଇଁ ସେ ଖୋଜି ଆଣନ୍ତି ନିପଟ ମଫସଲ ଗାଁ ଭିତରୁ । ଖାଲି ଯେ ଚରିତ୍ର ମାନେ ଅବହେଳିତ କି ଅନାଲୋଚିତ ସେକଥା ନୁହେଁ, ଆମର ଏମିତି କିଛି ଶବ୍ଦ, ପରମ୍ପରା ଓ ଚଳଣି ଅଛି, ଯାହାକି ଏବେ ବିଲୁପ୍ତ ପ୍ରାୟ ହେବାକୁ ବସିଲାଣି । ସେହି ସବୁ ଶବ୍ଦ, ପରମ୍ପରା, ଚଳଣି ଓ ଲୋକକଥାକୁ ଖୋଜି ଖୋଜି ତାଆ ପାଖରେ ପହଞ୍ଚିବାକୁ ସାହାସ କରିଛନ୍ତି ଗାଳ୍ପିକା ଶ୍ରୀମତୀ ମିଶ୍ର ଓ ଗଢ଼ିଛନ୍ତି ଗଳ୍ପ ସଂକଳନ “ମଡ଼ାଚଣ୍ଡିଆ ଓ ଅନ୍ୟମାନେ”।

ହଁ, କଥା ହେଉଛି ତାଙ୍କ ଗପ ବହି “ମଡ଼ାଚଣ୍ଡିଆ ଓ ଅନ୍ୟମାନେ” ରେ ମୁଁ ଅଟକି ଗଲି କେଉଁଠି ଓ କାହିଁକି । ବୋଧହୁଏ ମୁଁ ଅଟକି ଯାଇଥିଲି “ଅନ୍ୟମାନେ” ଶବ୍ଦଟି ପାଖରେ । ସାଧାରଣତଃ ଗାଳ୍ପିକ/ ଗାଳ୍ପିକା ମାନେ ଗପ ବହିଟିର ନାମ କରଣ କଲାବେଳେ ସେ ବହିର ଯେକୌଣସି ଗୋଟିଏ ଗପର ନାମ ସହ “ଓ ଅନ୍ୟାନ୍ୟ ଗପ” ବୋଲି ଲେଖନ୍ତି । ସେହି ଦୃଷ୍ଟିରୁ ଏଠି ବହିଟିର ନାମ “ମଡ଼ାଚଣ୍ଡିଆ ଓ ଅନ୍ୟାନ୍ୟ ଗଳ୍ପ” ହେବା କଥା । ଆଶ୍ଚର୍ଯ୍ୟ ! ଏଠି କିନ୍ତୁ ସେମିତି ହୋଇନି । ଏଠି ଲେଖିକା ଶ୍ରୀମତୀ ମିଶ୍ର, ବହିଟିର ନାମ ରଖିଛନ୍ତି ମଡ଼ାଚଣ୍ଡିଆ ଓ ଅନ୍ୟମାନେ । ବହିଟିରେ ଥିବା ୨୨ଟି ଗପ ଭିତରୁ ପ୍ରଥମ ଗପ “ମଡ଼ାଚଣ୍ଡିଆ” ରେ ମଡ଼ାଚଣ୍ଡିଆ ଖାଲି ଗୋଟିଏ ଚରିତ୍ର ନୁହଁ, ଗୋଟିଏ ବିଲୁପ୍ତ ପ୍ରାୟ ଶବ୍ଦ ମଧ୍ୟ । ମୋର ଅନୁଭବ ହେଲା ଏଠି ଗାଳ୍ପିକା ଗପ ଉପରେ ଆଦୌ ଫୋକସ୍ ନକରି କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଶବ୍ଦ ଉପରେ ଫୋକସ କରିବାକୁ ଚେଷ୍ଟା କରିଛନ୍ତି, ଯାହାକି ଏବେ ପ୍ରଚଳନ ଠାରୁ ଖୁବ୍ ଦୂରରେ । ଏହା ହିଁ ଏ ଗଳ୍ପର ନିଆରାପଣ ।

ଏବେ ଆପଣ ଭାବୁଥିବେ ଏ ମଡ଼ାଚଣ୍ଡିଆ କିଏ ଓ କଣ ଏଇ ଶବ୍ଦର ଅର୍ଥ । ଆଜ୍ଞା ! ଯିଏ ମଶାଣିରେ ରହି ଶବ ପୋଡ଼ିଥାଏ, ଶବଟି ଜଳି ପୋଡ଼ି ପାଉଁଶ ନହେବା ଯାଏଁ ତାକୁ ବାଉଁଶରେ କେଂଚି କେଂଚି ତାଆ ପାଖରେ ବସିଥାଏ, ମଶାଣିକୁ ଜଗିଥାଏ ଆଉ ଯେଉଁ ଲୋକଟିକୁ ଡମ୍ବ କି ଚଣ୍ଡାଳ ବୋଲି କହି ଗାଁରେ ରହିବାର ଅଧିକାର ଦିଆଯାଇ ନଥାଏ ସେହି ଲୋକଟିକୁ ଗାଁ ଗହଳିରେ ଆମେ ମଡ଼ାଚଣ୍ଡିଆ ବୋଲି ଆଗରୁ କହୁଥିଲୁ । ଏବେ ସେଇ ଶବ୍ଦର ପ୍ରଚଳନ ଆଉ ନାହିଁ କହିଲେ ଚଳେ ।

ଆଗରୁ ପରିସ୍ଥିତି ଏମିତି ଥିଲା ଯେ ଆମ ତଥାକଥିତ ହିନ୍ଦୁ ପଣ୍ଡିତମାନେ ସେମାନଙ୍କୁ ଅଛୁଆଁ ବୋଲି କହି ଗାଆଁରେ ରହିବାକୁ ଜାଗା ଟିକେ ଦେଉ ନଥିଲେ । ସେମାନେ ମଶାଣିରେ ଜନ୍ମି ମଶାଣିରେ ମରିଯାଉଥିଲେ ସିନା, ଦିନେ ହେଲେ ମନେ ପକାଇ ପାରୁ ନଥିଲେ ପ୍ରକୃତରେ ସେମାନଙ୍କର ପିତୃଦତ୍ତ ନାମଟି କଣ । ସମସ୍ତଙ୍କ ସାମ୍ନାରେ ସେହି ଚଣ୍ଡାଳ କି ମଡ଼ାଚଣ୍ଡିଆ ନାମରେ ଡକା ଯାଉଥିବା ଲୋକଟିର ଭାଗ୍ୟକୁ ଦେଖିବାକୁ, ତାଆ ସହିତ ସୁଖ ଦୁଃଖ ଭାଗ
ବାଣ୍ଟିବାକୁ କେହି କେବେ ଆବଶ୍ୟକ ମନେ କରି ନାହାନ୍ତି । କେହି କେବେ ବୁଝିବାକୁ ଚେଷ୍ଟା କରି ନାହାନ୍ତି ସେହି ଲୋକଟାର ରୋଗ ବୈରାଗ ପାଇଁ ଘରେ କିଛି ଅଛି ନା ନାହିଁ । କେହି କେବେ ବୁଝିବାକୁ ଚେଷ୍ଟା କରିନି ସେ ଲୋକଟା ପାଖରେ ଖାଇବାକୁ ମୁଠେ ଖୁଦ ଚାଉଳ ଅଛି ନା ନାହିଁ ।

ସେମିତି ଗୋଟିଏ ଅବହେଳିତ ଚରିତ୍ର ଓ ପ୍ରଚଳନ ଠାରୁ ଦୂରରେ ଥିବା ଗୋଟିଏ ଶବ୍ଦ ଉପରେ ଫୋକସ କରିଛନ୍ତି ଗାଳ୍ପିକା ଓ ନିଜ କଳ୍ପନା ଚକ୍ଷୁରେ ଦେଖିଛନ୍ତି ଗୋଟିଏ ମଡ଼ାଚଣ୍ଡିଆର ମୃତ୍ୟୁକୁ, ଯାହାର ଦାହ ସଂସ୍କାର ପାଇଁ ନାହାନ୍ତି ତାଆର ନିଜର ବୋଲି କେହି । ସାରାଟା ଗାଆଁର ଶବ ଦାହ କରୁଥିବା ଲୋକଟି ନିଜେ ଶବ ପାଲଟିଗଲା ପରେ ତାଆ ଶବଟି ପଡ଼ି ରହିଛି କାଉ, ଶାଗୁଣା, ବିଲୁଆଙ୍କ ଆହାର ପାଇଁ । ଖୁବ୍ ସୁନ୍ଦର ହୋଇଛି ଗପଟିର କରୁଣ କାହାଣୀ । ଖୁବ୍ ଭଲ ଲାଗିଛି ଗାଳ୍ପିକାଙ୍କ ଦ୍ଵାରା ଗୋଟିଏ ବିଲୁପ୍ତ ପ୍ରାୟ ଶବ୍ଦକୁ ପୁଣିଥରେ ମନେ ପକାଇ ଦେବାର ଚେଷ୍ଟା ।

ହଁ, ମୁଁ ଅଟକିଥିଲି “ଅନ୍ୟମାନେ” ଶବ୍ଦଟି ପାଖରେ । ମଡ଼ାଚଣ୍ଡିଆ ଓ ଅନ୍ୟମାନେ… । ମଡ଼ାଚଣ୍ଡିଆ ଗଳ୍ପରେ ତ ମଡ଼ାଚଣ୍ଡିଆ ଅଛି । ହେଲେ, ଏହି ଅନ୍ୟମାନେ ଭିତରେ ପୁଣି ଅଛନ୍ତି କେଉଁମାନେ ? କଣ ଅଛନ୍ତି ସେମିତି କିଛି ବିଲୁପ୍ତ ପ୍ରାୟ ଚରିତ୍ର ନା ବିଲୁପ୍ତ ପ୍ରାୟ ଶବ୍ଦମାନେ ? ଗଳ୍ପ “ଶୂନ୍ୟଗର୍ଭା” ଭିତରେ ମୁଁ ପଶିଲି । ଦେଖିଲି ସେଇଠି ଚରିତ୍ର ନୁହଁ, ଫୋକସରେ ଅଛି ଆଉ ଗୋଟିଏ ଶବ୍ଦ “ଆଣ୍ଠୁକୁଡ଼ି” । ” ପୋଖତି ଛୁଆଁ ଦେହରେ ଆଣ୍ଠୁକୁଡ଼ି ଛାଇ ଭଲ ନୁହେଁ । ଏବେ ତୁ ଯାଆ ନୁଖୁରୀ…. ମୋ ନାତିର ବାର ଯାତ୍ରା ପରେ ଆସିବୁ ଆମ ଘରକୁ।” (ପୃଷ୍ଠା ସଂଖ୍ୟା – ୨୩)

ବାଂଝ ଶବ୍ଦକୁ ନେଇ ଆମେ ଆଗରୁ ପଢ଼ିଛେ ଅନେକ ଗଳ୍ପ, ହେଲେ “ଆଣ୍ଠୁକୁଡ଼ି” ଶବ୍ଦଟି ଏବେ ପ୍ରଚଳନ ଠାରୁ ଖୁବ୍ ଦୂରରେ । ପୁରୁଣା କାଳରେ ଗାଆଁ ଗହଳିରେ ପିଲାଛୁଆ ହେଉନଥିବା ସ୍ତ୍ରୀ ଲୋକଟିକୁ ଆଣ୍ଠକୁଡ଼ି କହି ଗାଆଁ ଲୋକେ ଯେଉଁ ଆକ୍ଷେପ କରୁଥିଲେ ସେହି ଆକ୍ଷେପରେ ଲୁଚି ରହୁଥିଲା ଘୃଣା, ଅପମାନ, ଲୁହ ଓ କଟାକ୍ଷ । ନୁଖୁରୀ ଆଉ କେମିତିବା ବାଦ୍ ପଡ଼ିଥାଆନ୍ତା ସେଥିରୁ । ଗପଟିରେ ନୁଖୁରୀ ଆଈ ଗୋଟିଏ ଚରିତ୍ର ହୋଇଥିଲେ ହେଁ ପୁରାଟା ଗପର ଫୋକସ୍ ରେ ଅଛି “ଆଣ୍ଠୁକୁଡ଼ି” ପରି ଏକ ଘୃଣ୍ୟ ଶବ୍ଦ । ଦିନେ ଏଇ ଶବ୍ଦକୁ ବି ସହୁଥିଲା ଏଇ ମଣିଷ । ସେହି ହଜିଲା ଶବ୍ଦକୁ ଖୋଜିବାରେ ଏଠି ସଫଳ ହୋଇଛନ୍ତି ଗାଳ୍ପିକା ଶ୍ରୀମତୀ ମିଶ୍ର । ଏ ଗପର ପରିଣତିରେ ଆଉ ଟିକେ କାମ ହୋଇ ପାରି ଥାଆନ୍ତା । କୁହା ଯାଇ ପାରିଥାଆନ୍ତା, ନୁଖୁରୀ ଆଈ ମଲା ପରେ କେମିତି ତାଆ ଗାଆଁରେ ତା ସ୍ମୃତିରେ ତିଆରି ହେଲା ଏତେ ବଡ଼ ଡାକ୍ତରଖାନା । କୁହାଯାଇ ପାରିଥାନ୍ତା ନୁଖୁରୀ ଆଈର ଅନ୍ତିମ ଇଛା ବା ଉଇଲ୍ସ-ର କଥା ।

ଆଉ ଗୋଟିଏ ଗପ “ଘୁଙ୍ଗୁର” । ଏହି ଗଳ୍ପଟି ଦିନେ ମୋ ପାଖକୁ ଆସିଥିଲା ସରଳ ଦାସଙ୍କ ଶ୍ରେଷ୍ଠ ଗଳ୍ପ ସଂକଳନର ଶ୍ରେଷ୍ଠ ଗଳ୍ପର ଚୟନ ପ୍ରକ୍ରିୟା ପାଇଁ । ସେତେବେଳେ ବିନା ଶୀର୍ଷକରେ ଓ ବିନା ଲେଖକଙ୍କ ନାମରେ କୋଡିଂ ମାଧ୍ୟମରେ ଆସିଥିବା ଏହି ଗଳ୍ପଟିକୁ ମୁଁ ସର୍ବାଧିକ ମାର୍କ ଦେଇ ଶ୍ରେଷ୍ଠ ଗଳ୍ପ ପାଇଁ ଚୟନ କରିଥିଲି ଏଇଥିପାଇଁ ଯେ ଗପଟିରେ ଗୋଟିଏ ପଟେ ଗୋଟିଏ ଝିଅର ନିଜ ପାଦର ଘୁଙ୍ଗୁର ପାଇଁ ମୋହ ଏବଂ ଅନ୍ୟପଟେ ଗୋଟିଏ ପୁରୁଷତାନ୍ତ୍ରିକ ମାନସିକତା ଏବଂ ତାଆ ଭିତରେ ପେଶି ହେଉଥିବା ଗୋଟିଏ ବାପର ବିବଶତାକୁ ଖୁବ୍ ନିଖୁଣ ଭାବରେ ସେଠି ଗପରେ ଥୋଇଥିଲେ ଗାଳ୍ପିକ / ଗାଳ୍ପିକା ଜଣକ । ସେତେବେଳେ ମୁଁ ଅନୁମାନ କରୁଥିଲି ହୁଏତ ଗପଟିର ନାମ ଘୁଙ୍ଗୁର ହିଁ ହୋଇଥିବ। ପରେ ସରଳ ଦାସଙ୍କ ଶ୍ରେଷ୍ଠ ଗଳ୍ପ -୨୦୨୨ ରେ ସେହି ଗପଟିକୁ ପାଇଥିଲି । ଆଜି ସେହି ଗପଟିକୁ ଏଇଠି ପାଇଲା ପରେ ପୁଣି ଭାବୁଚି ଯେଉଁ ସମାଜରେ ଅନୁରାଗ ପରି ପୁଅଟିଏ ମଞ୍ଚରେ ଠିଆ ହୋଇ ଗୀତ ଗାଉଥିବା ବେଳେ ଯେଉଁ ମାଆ ନିଜ ପୁଅ ପାଇଁ ଗର୍ବ କରିପାରେ ସେହି ମାଆ କେମିତି ଯେ ଭାବିପାରେ ପାଦରେ ଘୁଙ୍ଗୁର ବାନ୍ଧି ଷ୍ଟେଜ୍-ରେ ନାଚୁଥିବା ଝିଅଟା କାଳେ ଗୋଟେ ନାଚବାଲି ବୋଲି ! କେମିତି ଯେ ସେ କହିପାରେ ଜଣେ ନାଚବାଲି ମୋ ଘରର ବୋହୂ ହୋଇ ପାରିବନି ବୋଲି ! ଛାଡ଼, କାହା ମାନସିକତାକୁ କେହି କଣ କେବେ ବଦଳାଇ ପାରିବ ! ନା, ଜମାରୁ ନୁହେଁ । ବରଂ ଭଲ ହେବ ଯିଏ ଯେମିତି ଭାବୁଛି ତାକୁ ସେମିତି ହିଁ ଛାଡ଼ି ଦିଆଯାଉ ।

ସଂକଳନଟିର ଅନ୍ୟ ଗପ ଗୁଡ଼ିକରେ କୌଣସି ଏକ ବିଲୁପ୍ତ ପ୍ରାୟ ଚରିତ୍ର, ଶବ୍ଦ କି ଚଳଣି ଉପରେ ଗାଳ୍ପିକା ଫୋକସ କଲା ପରି ଏଠି ସେମିତି
ଫୋକସ୍ କରି ନାହାନ୍ତି କୈଣସି ଅନାଲୋଚିତ ଶବ୍ଦ କି ଚରିତ୍ର ଉପରେ । ବରଂ ଏଠି ଗପଟି ଆଗକୁ ବଢିଛି ଗୋଟିଏ ଇମୋସନ୍ ଓ ନିଜର ଅନ୍ତରାତ୍ମାର କଥାରେ ।

ସେମିତି ଆଉ ଏକ ଅନ୍ତରାତ୍ମାର କଥା ଶୁଣିଛି ଗୌତମୀ । କାପାଳିକର କରୁଣାରୁ ସେ ତାଆ ବାଂଝପଣରୁ ମୁକ୍ତି ପାଇଯିବାର ବାଟ ଫିଟିଆସିଲା ବେଳକୁ ଯେତେବେଳ ସେ ଜାଣିବାକୁ ପାଉଛି, ତାଆ ଗର୍ଭରୁ ଏପଟେ ସନ୍ତାନଟିଏ ଜନ୍ମ ନେଲାବେଳକୁ ସେପଟେ ମୃତ୍ୟୁକୁ ଭୋଗିବ ସେହି ପିଲାଟି, ଯାହାର ରକ୍ତ ବୁନ୍ଦା ଲାଗିଥବ ସେହି ଚାରୁ ଅନ୍ନରେ, ସେତେବେଳେ ସେ ନିଷ୍ପତ୍ତି ନେଇଛି ଗୋଟିଏ ପିଲାର ମୃତ୍ୟୁ ବଦଳରେ ମାତୃତ୍ଵ ଲଭିବା ଅପେକ୍ଷା ବରଂ ଭଲ ହେବ ସେ ବାଂଝ ହୋଇ ରହିବ । ଖୁବ୍ ଭଲ ହୋଇଛି ଗଳ୍ପ “ଗୌତମୀ ଓ କାପାଳିକ” ।

ଏହି ଦୁଇଟି ଗଳ୍ପରେ ଗାଳ୍ପିକା ପଡ଼ି ନାହାନ୍ତି ସେହି ବିଲୁପ୍ତ ପ୍ରାୟ ଶବ୍ଦ କି ଚରିତ୍ର ମୋହରେ । ହେଲେ ଅଜରା, ବାଳିକାବଧୂ, ସାହାଡ଼ା ସୁନ୍ଦରୀ, ସମ୍ବାରୀ, ଜାନୁଘଣ୍ଟ, ବୁଢ଼ା ଚାନ୍ଦ ଓ ନୂଆ’ଉ ଭଳି ଗପରେ କିନ୍ତୁ ଗାଳ୍ପିକା ନିଜକୁ ମୁକାଳି ପାରି ନାହାନ୍ତି ସେହି ପୁରୁଣା ଶବ୍ଦ, ଚରିତ୍ର କି ଚଳଣି ଠାରୁ । ଚାନ୍ଦ ସତରେ ବୁଢା ହୁଏକି ନା ସେକଥା ମୁଁ ଜାଣେନା, ହେଲେ ଜାଣେ କୁଆଁର ପୁନେଇଁ ଚାନ୍ଦ ପୁଜାର କଥା । ଜାଣେ ଗୋଟିଏ ମାଆ ମନର କଥା, ଜାଣେ ବଢ଼ିଲା ଝିଅର ମାନସିକ ସ୍ଥିତି କଥା । ଏସବୁକୁ ନେଇ ଖୁବ୍ ସୁନ୍ଦର ଭାବରେ ଗାଳ୍ପିକା ସଜାଇଛନ୍ତି ଗପ ଗୁଡ଼ିକୁ । ଅବଶ୍ୟ ନୁଆ’ଉ ଭଳି ଗପରେ ଗାଳ୍ପିକା ସାମାନ୍ୟ ଭାବେ ଝୁଣ୍ଟି ପଡ଼ିଛନ୍ତି ଶବ୍ଦ ଓ ଭାବର ବ୍ୟବହାରଗତ ଦ୍ଵନ୍ଦ୍ଵ ଭିତରେ, ଯାହାକି ସ୍ପଷ୍ଟ ରୂପେ ପଢ଼ି ହେଉଛି ପୃଷ୍ଠା ସଂଖ୍ୟା ୧୨୪ ,୧୨୫ ଓ ୧୨୬ରେ । ତଥାପି ବିଶେଷ କିଛି ଫରକ ପଡ଼ିନି ଗପର ଅନ୍ତଃସ୍ଵରରେ । ଭଲ ହୋଇଛି ଗପର କଥନ ଶୈଳୀ । ଗପ ଗୁଡ଼ିକ ପ୍ରାୟତଃ ଭଲ ଲାଗିଛି ମୋତେ । ଅନ୍ୟମାନଙ୍କୁ ଗପ ଗୁଡ଼ିକ କେମିତି ଲାଗିବ ସେକଥା ସେମାନେ ପଢିଲେ ହିଁ ଜାଣିବେ ।

ବହି : ମଡ଼ାଚଣ୍ଡିଆ ଓ ଅନ୍ୟମାନେ
ଗାଳ୍ପିକା :ରୋଜାଲିନି ମିଶ୍ର
ପ୍ରକାଶକ : ବ୍ଲାକ୍ ଇଗଲ୍ ବୁକ୍ସ
ପ୍ରଥମ ପ୍ରକାଶ :୨୦୨୪
ପୃଷ୍ଠା ସଂଖ୍ୟା : ୧୫୩
ମୂଲ୍ୟ : ୨୩୦ ଟଙ୍କା ମାତ୍ର

କୋରାପୁଟ୍, ମୋବାଇଲ – ୮୪୮୦୧୯୬୫୩୨

ଲେଖକ ପରିଚୟ

କବିତା ଓ ଉପନ୍ୟାସ ଲେଖା ସହ ଭଲ ବହିକୁ ପଢି ନିଜର ମତାମତ ବାଢିବା ମୋର ନିଶା । ୨୦ ବର୍ଷ ତଳୁ ଲେଖା ଲେଖି ଆରମ୍ଭ କରିଥିଲି । ମୋର ପ୍ରକାଶିତ ପୁସ୍ତକଗୁଡ଼ିକ ଭିତରେ ୭ ଟି କବିତା ପୁସ୍ତକ, ୨ ଟି ଉପନ୍ୟାସ,  ୨ ଟି ଅନୁବାଦ ପୁସ୍ତକ ଏବଂ ଗୋଟିଏ ଆଲୋଚନାମୂଳକ ପୁସ୍ତକ ରହିଛି ।

Related Posts

Leave a Reply

Your email address will not be published. Required fields are marked *