ସତ୍ୟନାରାୟଣ ଗନ୍ତାୟତ

‘କମ୍ କିଣ’ କଥାଟି ଶୁଣିବା ମାତ୍ରେ ଆମ ମନ ଆଇନାରେ ନାଚି ଯାଉଛି ରେଳ ଯାତ୍ରାବେଳେ ରେଳ ଷ୍ଟେସନରେ ପ୍ରାୟତଃ ପରିଦୃଷ୍ଟ “କମ୍ ଜିନିଷ : ଯାତ୍ରା ସହଜ” ଶୀର୍ଷକ ଫଳକଟି !

ଜାଣିଥିବେ ତ ! ଆମ ମଥାରେ ବେଳେବେଳେ ଏମିତି କିଛି କଥା ଅଚାନକ ପ୍ରବେଶି କେମିତି ଆମକୁ ଚିନ୍ତନାର୍ଥେ ଖୁବ୍ ପ୍ରଚୋଦିତ କରିଥାନ୍ତି । ତ’ ଏନେଇ ବି ସେମିତି ନିମିଷେ ରଗଡ଼ାରଗଡ଼ି ବୋଲେ ତୋ, ମାନସ ମନ୍ଥନ କରିବାକୁ ବାଧ୍ୟ ହେଲୁ ।

ଏଥର ଆମର ମନେହେଲା ଯେ ଏ ସଂସାରଟା ସତରେ ଯା’ଆସ ପାଇଁ ଏକ ଲକ୍ଷ୍ୟସ୍ଥଳ । ଏଠାକୁ ଆସିବା ଓ ଏଠୁ ଯିବା ଭିତରେ ଆମେ ଯେତିକି ସମୟ ଏଠି ବିତାଇ ଥାଉ ତାହା ହିଁ ଜୀବନ, ବାରାନ୍ତରେ ଜୀବନ ଏକ ଯାତ୍ରା ! ଏହି ଯାତ୍ରା ବି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏଠାକୁ ଆସିବାବେଳେ ଜଣେ କିଛି ନଧରି ଏକା ଆସିଥାଏ । ଆଉ ଶୂନ୍ୟତା ସହ ହୋଇଥିବା ଏମିତି ଯାତ୍ରାରମ୍ଭ ବି ସେମିତି ଐକାନ୍ତିକ ଶୂନ୍ୟତାରେ ହିଁ ସମାପ୍ତ ହୋଇଥାଏ ।

ଆମ ବିଚାର ଏଠେଇଁ କ୍ଷଣେ ଅଟକି ଆମକୁ ଚେଙ୍କାଏ ଦେଇ କହିଲା ତେଣୁ: “ବାପଧନ, ଏ ଜୀବନ ଯାତ୍ରାରେ ବି ଯେତେ କମ୍ ଜିନିଷ ଧରି ଚଳାଇ ନେବ, ଜୀବନ ସେତେ ସହଜ ଓ ସୁଖଦ ମନେହେବ ! ନା, ନାହିଁ ?”

ହଁ, ଏହାର ଅର୍ଥ ନୁହେଁ ଯେ କିଣିବାକୁ ମନା ନାହିଁ । ଅନ୍ନ, ବସ୍ତ୍ର, ବାସ ଯୋଗାଡ଼ାର୍ଥେ ତ ନକିଣିଲେ ନଚଳେ । ତେବେ ଯଦି କେବଳ ଗଣ୍ଡେ ଖାଇ ଖଣ୍ଡେ ପିନ୍ଧି ଚାଖଣ୍ଡେ ଥାନରେ ଘଡ଼ିଏ ଗଡ଼ି ପଡ଼ିବା; ତ କମ୍ କିଣାକିଣି ହେବ ହିଁ ହେବ । ଆଉ ଏମିତି ହିଁ ଚଳି ଆସୁଛି ବହୁ ଜନଙ୍କ ଜୀବନ । ପୁଣି ଏତିକି ଯୁଟିବା ବି ସ୍ପପ୍ନ ପ୍ରାୟ ବହୁ ଜନଙ୍କ ଜୀବନରେ ! ତେବେ ଏକଥା ଯେତେ ହାଲକାଫୁଲକା ପ୍ରତେ ହେଉଥିଲେ ବି ଆମେ କ’ଣ ଏମିତି ଏତିକି ନେଇ କେବେ ସନ୍ତୁଷ୍ଟ ହୋଇପାରୁ ? ଅବଶ୍ୟ ଏହାର ଉତ୍ତର ଦେବାକୁ ଯାଇ ଆପଣ କହିପାରନ୍ତି ତେବେ ମଣିଷ କଣ ପାଇଁ ଖଟିବ ? ଅର୍ଥ ଅର୍ଜିବ ? ଭଲ ଖାଇ ଭଲ ପିନ୍ଧି ଭଲ ଜାଗାରେ ସପରିବାର ଭଲରେ ଜୀବନ ବିତାଇବ ବୋଲି ତ !

ହଁ ଆଜ୍ଞା, ସେଥକୁ ବି ମନା ନାହିଁ । ଏମିତିରେ ଏଇ କିଣାକିଣି ବ୍ୟାପାରଟି ପ୍ରକାରାନ୍ତରେ କେବଳ ଜଣକର କିଣିବା ଇଚ୍ଛା ଉପରେ ହିଁ ନୁହେଁ, ବରଂ ତା ସହ କିଣିପାରିବା ଶକ୍ତି ସହ ବି ସମ୍ବନ୍ଧିତ । ସୁତରାଂ ନିଜ କ୍ରୟ ଶକ୍ତି ମୁତାବକ ଭଲରେ ଚଳିବା ପାଇଁ ଯେତିକି ନିହାତି ଆବଶ୍ୟକ, ସେତିକି କିଣାକିଣି କରିବା ଅଯଥା ନୁହେଁ । ତେଣୁ ସେପରି କିଣାକିଣିକୁ ନିଶ୍ଚେ କମ୍ କୁହାଯିବ ।

କିନ୍ତୁ ସେମିତି ହୁଏନି ।

ପେଟର ଭୋକ ମେଣ୍ଟାଇବା ପାଇଁ ଉପୁଜିଥିବା ଖାଇବା ଅବଲୀଳାକ୍ରମେ ଲାଳୁଆ ଜିଭର ହରକତାଧୀନ ହୋଇଯାଇ ନାନାଦି ଚବ୍ୟ ଚୋଷ୍ୟ ଓ ଲେହ୍ୟ ଲୋଡ଼ିଚାଲେ । ନିତ୍ୟ ନୈମିତ୍ତିକ ଭାବେ ଭଳିକିଭଳି ଖାଇବା ହିଁ ଜୀବନ ବନିଯାଏ ଓ ଘରେ ଏସବୁ ସହଜଲବ୍ଧ ହୋଇ ନପାରନ୍ତେ ସଦା ସଜିଲ ହୋଇ “ମୋତେ କହ, ମୋତେ କହ” ହେଉଥିବା “ଅନଲାଇନ ଅର୍ଡର” ମାଧ୍ୟମରେ କିଣିବା ଅବଧାରିତ ଓ ଗତାନୁଗତିକ ହୋଇପଡ଼େ । ତଥାପି ବଢନ୍ତା ଭୋକ ଯେତେ ଖାଇଲେ ବି ନକମି ବରଂ ତା’ ପ୍ରଭାବ ବିସ୍ତାର ପୂର୍ବକ ପେଟ ଗଣ୍ଡି ଆଦି ଶରୀରର ବହୁ ଅଂଶରେ ଅଯଥା ମେଦ ଯୁକ୍ତ କରି ବଢାଇ ଚାଲେ ଓ ଏମିତି ଓଜନ ବଢି ଚାଲିବା ସହ ନାନାଦି ରୋଗ ଶରୀର ମଧ୍ୟରେ ପ୍ରବେଶି ଆପଣା ପ୍ରକୋପ ବଢାଇ ଚାଲନ୍ତି । ତଦୁତ୍ତାରେ ଏହାର କୁଫଳ ସ୍ୱରୂପ ପୁଣି ଗଳଦଘର୍ମ ହୋଇ ପୃଥୁଳ ଦେହକୁ ପତଳା କରିବା ଅର୍ଥାତ ଓଜନ କମାଇବା ହିଁ ଏକମାତ୍ର ଧ୍ୟେୟ ହୋଇଯାଏ ।

ଠିକ୍ ଏମିତି ବସ୍ତ୍ର କଥା । ମଣିଷର ଲଜ୍ଜା ନିବାରଣ ପାଇଁ କେବେ ବସ୍ତ୍ରର ଆବଶ୍ୟକତା ପଡ଼ିଥିବା କଥାଟି ବିଡ଼ମ୍ବିତ ମନେହୁଏ ସମକାଳର ତଥାଚର୍ଚିତ “ମିନି, ମାଇକ୍ରୋ ଓ ‘ଟର୍ଣ୍ଣ ଡ୍ରେସ” ପିନ୍ଧାଳିଙ୍କୁ ଦେଖିଲେ ! ମୂହୁର୍ମୁହୁ ବିବର୍ତ୍ତିତ ଟ୍ରେଣ୍ଡଙ୍କ ସୌଜନ୍ୟରୁ କାଲିର ଅର୍ଖ ନୂଆ ପୋଷାକ ଆଜି ପୁରୁଣା ! ତ, ତୁରିତେ ଟ୍ରେଣ୍ଡୀ ନବନିଲେ ନଚଳେ । ବାସ୍, ଅନଲାଇନରେ ଟିପ ଚଳାଅ । “ଆଡ୍ ଟୁ କାର୍ଟ୍” କରି ବି ରଖନା, ବରଂ ଏକାନଟେ “ପ୍ଲେସ୍ ଅର୍ଡର” କରି ପକାଅ, ନୋହିଲେ ତୁମେ ଅନାଇଥିବ ଓ ତେଣେ ତାହା “ଆଉଟ୍ ଅଫ୍ ଷ୍ଟକ” ହୋଇଯିବ ଯେ ତମେ ପଛୁଆ ହେବା ସହ ଭକୁଆ ବି ହୋଇଯିବା ଥୟ !

ଏମିତି କମ୍ ନୁହେଁ, ବରଂ ବେଶୀବେଶୀ ପୋଷାକ କିଣା ହୋଇ ଚାଲିଥାଏ ଓ ସମତାଳରେ ସେସବୁକୁ ନେଇ ସୃଷ୍ଟ “କୋଉଠି ଥୋଇବା ?” ସମସ୍ୟାର ସମାଧାନ ପାଇଁ ବି ବେଶୀବେଶୀ ଆଲମାରୀ ଆଦି କିଣିବା ଏକଦମ ଗତାନୁଗତିକ ହୋଇପଡ଼େ ।

ଅବିକଳ ବାସସ୍ଥାନ କଥା । ଆଗେ ରହିବାକୁ ଗାଁରେ ଗୋଟେ ଘର ଥିଲା ! ତାକୁ ନେଇ “ଏଇ ଘରଟିରେ ଜନମ ମୋର…” ଗାଇ ହେଉଥିଲା, କାରଣ ସେଠି ଵହୁକୁଟୁମ୍ବୀ ପରିବାରର ସଭିଏଁ ଏକଠାବେ ରହୁଥିଲେ ହେଁ ତା’ର ସବୁକିଛି ଲାଗୁଥିଲା ସତରେ ବୈକୁଣ୍ଠ ସମାନ ଓ ସରଗଠୁ ସୁନ୍ଦର ! ଏବେ ଗାଁ ଘରେ କେବଳ ବୟସ୍କ ବାପାମାଆମାନେ ହୁଏତ ରହିଥାନ୍ତି । ନୋହିଲେ ସେ ଘରକୁ ଆମେ ଅଲୋଡ଼ା ଘୋଷଣା କରି ବିକି ଦେଇ ସହରୀ ସଭ୍ୟତା “କିଣ କିଣ , ଅର୍ଥ ନଥିଲେ ଋଣ ସୁବିଧା ଅଛି” ଆଦିର ପ୍ରଲୋଭନ ଦେଖାଇ ବିକ୍ରି କରୁଥିବା କୋଉ ଏକ ଆପାର୍ଟମେଂଟସ୍ଥ ଦିଆସିଲି ବାଗିଆ ଘରଟିଏ ଲାଗିପଡ଼ି କିଣି ଦେଉ ।

କେହିକେହି ନିଜର ଜମିରେ ନିଜର ଭଲ ଘରଟିଏ କରନ୍ତି । ହେଲେ ତହିଁରେ ସନ୍ତୁଷ୍ଟ ନହୋଇ ତା ଉପରେ ମହଲା ମହଲା ବଢାଇ ବହୁତଳ ପ୍ରାସାଦ କରି ଚାଲନ୍ତି । କାରଣ ସେ ଅଞ୍ଚଳରେ ଅନେକ ଘର ବହୁତଳ ! ପଛନ୍ତେ ଉପର ତଳ ହେବା କଷ୍ଟକର ହୁଏ । ତେଣୁ ଲିଫ୍ଟ ଅବଶ୍ୟମ୍ଭାବୀ ହୋଇପଡ଼େ । ଏମିତି ଖର୍ଚ୍ଚ ଓ କଷ୍ଟ ବଢିଥାଏ ।

କହିବା ପରି ବିଧାତା ଆମକୁ ପାଦ ଦେଇ ଛାଡ଼ିଛନ୍ତି ଏ ଧରା ପୃଷ୍ଠରେ ଚାଲିବା ପାଇଁ । ଆମେ ଆଉ ଟିକେ ସହଜ ହେବାକୁ ଯାଇ ଚକ ଗଢୁଗଢୁ ସାଇକେଲ ଚଢିବା ଯାଏ କଥା ଠିକ ଥିଲା ଓ ଅଛି ଏବେ ବି । କାରଣ ତୁଚ୍ଛା ପ୍ରକୃତିଦତ୍ତ ତୈଳ ସରାଇ ଦ୍ରୁତ ଗତିର ଚକମା ଦେଖାଇ ସମୟକୁ ଜିତି ପଛରେ ପକାଇବା ନେଇ ଆମର ଯାବତ ପ୍ରଚେଷ୍ଟା ଜନିତ କାରଣରୁ ଉଦ୍ଭୁତ ସକଳ ଯାନବାହନ କିଣି ଆମେ ଚାଲିବା ଭୁଲିଗଲୁ ଓ କ୍ରମାଗତ ଭାବେ ଅସୁସ୍ଥ ହୁଅନ୍ତେ ପୁଣି ଚାଲିବା ପାଇଁ ବାଧ୍ୟ ହେଲୁ । ହେଲେ ଆମ ସଭ୍ୟତା ଏଡ଼ିକି ସର୍ବଗିଳା ଯେ ପଡ଼ିଆ ବି ଦୁଷ୍କର ହୋଇ ଯାଆନ୍ତେ ପୁଣି କିଣିଲୁ ଘରେ ଧାଇଁବା ପାଇଁ ଟ୍ରେଡ୍ ମିଲ ନାମଧେୟ ଯନ୍ତ୍ର, ନୋହିଲେ ପୁଣି ସେଇ ସାଇକେଲ ଚାଳନା ହିଁ ଭରସା ଯୋଗ୍ୟ ହେଲା ।

ଏମିତି କିଣାକିଣି ଆବଶ୍ୟକତାନୁରୂପ ନହୋଇ ଆମର ନିଜ ସମ୍ପନ୍ନତା, ନିଜ ଆସ୍ଫାଳନ ତଥା ନିଜ ଅହେତୁକ ମୋହ ପ୍ରଦର୍ଶନାଧାରିତ ହୋଇପଡ଼ିଲା । ସାନ ଯେ ସତତ ସୁନ୍ଦର, ବଢି ଚାଲିଲେ ଯେ ଛିଡ଼ିବାକୁ ହୁଏ ଅନ୍ତହୀନ ଆଶାଙ୍କ ପରିପୂରଣ ଯେ ଅସମ୍ଭବ ଏସବୁ ବିସ୍ମରି ଯାଇ ଅନ୍ୟାନୁରୂପ ଭାବେ ଆପଣାକୁ ସଜାଇବାକୁ ଯାଇ କିସମ କିସମର ବସ୍ତୁ ପଦାର୍ଥ ଓ ସେବାଙ୍କୁ ହିଁ ସୁଖ ଓ ସନ୍ତୋଷର ପ୍ରତୀକ ମଣି ଭ୍ରମିତ ହୋଇଗଲୁ । ଫଳତଃ ଫି’ମୂହୁର୍ତ୍ତରେ କିଣାକିଣି ହିଁ ଆମ ଚରମ ଓ ପରମ ଧ୍ୟେୟ ହୋଇଯାଆନ୍ତେ ଆମେ ପ୍ରକୃତ ପକ୍ଷେ ବଜାରର ଏକ ଖାଉଟି ପାଲଟିଗଲୁ । ଆମ ଲୋଭ ଓ ଲାଳସାକୁ ଆଧାର କରି ବଜାର ଗୁଡ଼ାଏ ଅଲୋଡ଼ା ତଥା ସ୍ୱଳ୍ପ ସ୍ଥାୟୀ ଚିଜଙ୍କୁ ଉପୁଜାଇ ସେସବୁକୁ ମାୟାମୃଗ ପ୍ରାୟେ ଘନଘନ ବିଜ୍ଞପିତ କରି ଆମ ଚଞ୍ଚଳ ମନକୁ ପୁନଃପୁନଃ ଆନ୍ଦୋଳିତ କରି ଆମ କ୍ରୟଶକ୍ତିକୁ ବୃଥାରେ ଅପଚୟ କରି ଚାଲିଲା !

ଆମେ ଏତେସରି ହେବାପରେ ସମୟ ଏବେ କହୁଛି କମ୍ କିଣ । କିନ୍ତୁ ଯଥାର୍ଥରେ କିଣ । ଏହା ପ୍ରକୃତି ପ୍ରତି ଆମ ଦାୟିତ୍ୱ ପାଳନ । କାରଣ ଆମ ସଭିଙ୍କ ନ୍ୟୂନତମ ଆବଶ୍ୟକତାଙ୍କ ପରିପୂରଣ ପାଇଁ ପ୍ରକୃତି ଯଥେଷ୍ଟ ସାଧନ ପ୍ରଦାନ କରିଛି । ଆମ ମୋହ ପାଇଁ କିନ୍ତୁ ତାହା ସଦା ନିଅଣ୍ଟ । ବହୁତ କିଣିବା ଅର୍ଥ ଭାର ବୋହିବା, କିନ୍ତୁ କମ କିଣିଲେ ଲାଗିଥାଏ ସଦା ଉଶ୍ୱାସିଆ ଓ ହାଲକାଫୁଲକା ! ଅବଶେଷରେ ଡଷ୍ଟବିନ ପାଇଁ ଉଦ୍ଦିଷ୍ଟ ଚିଜଙ୍କୁ ସୁଖଦ ମଣିବା, ରିହାତି ଲାଭ ଏକ ମହାର୍ଘ ପ୍ରାପ୍ତି ଓ ସର୍ବୋପରି ବଜାରୀ ସଭ୍ୟତା ସୃଷ୍ଟ କିଣାକିଣିର ଯାବତ ଉତ୍ସବାୟନରେ ଉଚ୍ଚାଟିତ ହୋଇ ବେଶୀବେଶୀ କିଣିବା ଅର୍ଥ ପ୍ରଲୋଭିତ ନିଆଁମୁଖୀ ପୋକଙ୍କ ପରି ଦୁର୍ଦ୍ଦଶା ଭୋଗିବା ।

ହଁ, କିଣାକିଣି କମ୍ କରିବା ଯଦି ଥରେ ଅଭ୍ୟାସ ହୋଇଯାଏ, ତେବେ ସମୟ ବିତାଇବା ବା ମନ ହାଲକା କରିବା ପାଇଁ ସମ୍ପ୍ରତି “ନ କଲେ ନ ଚଳେ ମନେ ହେଉଥିବା ସପିଂ ” ଯେ ସତେ କେତେ ଭ୍ରମାତ୍ମକ ଅଚିରେ ଜାଣି ହେବ !!

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।

Related Posts

Leave a Reply

Your email address will not be published. Required fields are marked *