ସତ୍ୟନାରାୟଣ ଗନ୍ତାୟତ

ଜାଣିଥିବେ ତ ଲାଳ ଏକ ଝରିବା ଚିଜ ଅଟଇ ! ଏହା ଜିଭ ସହ ସମ୍ପର୍କିତ । ଆଉ ଜିଭ ହେଉଛି ପାଟିର ଏକ ସୁକୋମଳ ଅଂଶ ବିଶେଷ ଯହା ପେଟ ସହ ସମ୍ପର୍କିତ । ଏଠି ସଭିଏଁ ପେଟ ସହ ଜଡ଼ିତ । କୁହାଯାଏନି, ପେଟ ଚାଖଣ୍ଡକ ପାଇଁ କୁଆଡ଼େ ଯାବତ ନାଟ ହୋଇଥାଏ ବୋଲି ?
ଅର୍ଥାତ ପେଟ ଆପଣାକୁ ଭରପୁର ରଖିବା ପାଇଁ ଭୋକ ଭିଆଏ । ତେଣୁ ଖାଇବା ଲୋଡ଼ା ପଡିଥାଏ । ଏହି ଖାଇବା ଲୋଡ଼ା ପଡୁ ନଥିଲେ କେବଳ କଥା କହିବାରେ ହିଁ ହୁଏତ ଆପଣା ଭୂମିକାର ସୀମିତ ନିୟୋଜନ କରତଃ ପାଟି ଭିତରେ ହିଁ ସେମିତି ପଡ଼ି ରହିଥାନ୍ତା ଜିଭ !
ସତରେ ଖାଲି ପେଟରେ ରହି ହୁଏନି । ଭୋକ ହୁଏ । ବୋଇଲା ପରି ଉଦର ଜ୍ୱାଳା ସହି ହୁଏନି । ଖାଇବା ଚିଜଙ୍କ କଥା ମନକୁ ଆସେ । ଯଦି ମିଳିଗଲା ତ ପାଟି ଭିତରେ ଜାଗତିଆର ହୋଇ ରହିଥିବା ଜିଭ ସତେ ଅବା ଚେଙ୍ଗା ହୋଇଯାଏ ।
ଫଳତଃ ଲାଳ ଝରେ, ଯାହା କୁଆଡ଼େ ଖାଇବା ଚିଜଙ୍କୁ ଗୋଳାଗୋଳି କରି ଗଳାଧଃକରଣରେ ସହାୟକ ହୋଇଥାଏ । ତେବେ ଏସବୁ ଆହୁରି ମାତବରିଆ ହୋଇ ପେଟ ପୁରିବା ସହ ଦିହରେ ବି ଲାଗିଥାଏ, ଯଦି ଖାଦ୍ୟକୁ ଧୀରେ ସୁସ୍ଥେ ଆପଣା ଦନ୍ତପଂକ୍ତିଙ୍କ ସକ୍ରିୟ ଉପଯୋଗ ପୂର୍ବକ ଅର୍ଥାତ ଉତ୍ତମ ଭାବେ ଚର୍ବିତ ଚର୍ବଣ ବୋଲେ ତୋ ଚୋବାଇ ହିଁ ଜିଭ ଝରାଇଥିବା ଲାଳରେ ଗୋଳାଇ ପେଟ ଭିତରକୁ କ୍ଷେପା ହୋଇଥାଏ !
ହେଲେ ଏମିତି ତୁଚ୍ଛା ଖୁଆଖୋଇ ବ୍ୟାପାରରେ ହିଁ ନିଜକୁ ସୀମିତ ରଖି ନଥାଏ ଜିଭ । ଏଡେ ସହଜେ ଛାଡ଼େନି । ହଁ ସୁଦ୍ଦୁ ଜୀଇବା ପାଇଁ ଭୋକ ହେଲେ ଯାହା ମିଳିଲା ଗଣ୍ତେ ଖାଇବା ବେଳେ ସିନା ଲାଳର ଏମନ୍ତ ଉପଯୋଗ ହୋଇଥାଏ ।
ହେଲେ ସେଇ ସେଇ ଥୋଡ଼ ବଡ଼ି ଖଡ଼ାଦି ଜାତୀୟ ଚିଜମାନ ଖାଇ ପେଟେ ପାଣି ଦେଇ ରହି ଯିବାକୁ ଦିଏନି ଜିଭ । ଏଥକୁ ଜିଭ ଅଛି ମାନେ ଲୋଭ ଅଛି ବୋଲି ଯୋଉ କଥାଏ କୁହାଯାଏ, ତହିଁରୁ ସ୍ପଷ୍ଟ ଯେ ଏମିତି ଖାଉଖାଉ କ୍ରମେ ହାଉଁ ମାଉଁ ଖାଉଁ ବନି ଯାଇ ଖାଇବା ପାଇଁ ହିଁ ଜୀଇବା ଅଲକ୍ଷ୍ୟରେ ଲକ୍ଷ୍ୟ ପାଲଟି ଯାଏ ।
ତ’ ମନ କନକନ ହୁଏ ଯାବତ ପାଟି ସୁଆଦିଆ ଚବ୍ୟ ଚୋଷ୍ୟ ଲେହ୍ୟର ନିୟମିତ ଆସ୍ୱାଦନ ପାଇଁ !
ବାସ୍ ସକ୍ରିୟ ହୋଇଯାଏ ଜିଭ, ସ୍ୱତଃ ଝରାଏ ଲାଳ । ଆଉ ଭଳିକି ଭଳି ଖାଇବା ଦରବ ମାନ ସଜାସଜି ହୋଇ ଥୁଆ ହୋଇଥିବା ଦେଖନ୍ତେ ,ଏପରିକି ସେସବୁ ଚିଜଙ୍କ ପ୍ରସ୍ତୁତି ବା ପରଷାବେଳେ ଭାସି ଆସୁଥିବା ବାସ୍ନା ସୁଦ୍ଧା କନକନ ମନକୁ ଏଡ଼େ ଘାଏଁ ଉଚ୍ଚାଟିତ କରେ ଯେ ଆଘ୍ରାଣେ ହିଁ କୁଆଡ଼େ ଅର୍ଦ୍ଧ ଭୋଜନଂ ହୋଇ ଯାଇଥାଏ । ବୋଲିବା ବାହୁଲ୍ୟ ଏମନ୍ତ ଖାଇବା, ସରି, ଗେଫି ଚାଲିଥିବା ଜନେ ହିଁ ଖାଇବା ପାଇଁ ସଦା ଲାଳାୟିତ ।
ଲାଳାୟିତଙ୍କ କଥା କିନ୍ତୁ କେବଳ ଖାଇବାରେ ହିଁ ଆଉ ରହିନାହିଁ । କାରଣ ଏହି ଲାଳ ଝରିବା ପ୍ରକାରାନ୍ତରେ ମଣିଷ ଭିତରେ ଲୋଭ ଭରିଦିଏ ଗ୍ରାସ ସହ ବସନ ଭୂଷଣ ବାସସ୍ଥାନ ସମେତ ନିଜର ସବୁ କିଛି ଥିଲେ ହେଁ କେମିତି ସେସବୁ ବଡ଼ରୁ ଆହୁରି ବଡ଼ ଓ ବେଶୀରୁ ଆହୁରି ବେଶୀ ହେବ ସେ ନେଇ ବେଳୁବେଳ ଆତୁର କରାଇଥାଏ ।
ଜାଣିବା କଥା । କେବଳ ଜୀଇବା ପାଇଁ ଇଚ୍ଛି ମୁଣ୍ଡର ଝାଳ ତୁଣ୍ଡରେ ମାରି ପରିଶ୍ରମ କଲେ ତା ଫଳବତୀ ହେବ ସିନା, ଏମିତି ନାହିଁ ନଥିବା ଲୋଭ ପକଡ଼ି ନେଲେ କର୍ତ୍ତବ୍ୟ ଭୁଲି ହୋଇଯାଏ । ଅକରଣୀୟ ହିଁ ଆକର୍ଷକ ମନେହୁଏ, ଯାହା ପଥଭ୍ରଷ୍ଟ କରାଇ ଅପଥରେ ଆଗେଇ ଯିବାକୁ ଭାରି ଜୋର ପ୍ରବର୍ତ୍ତାଇ
ଥାଏ ।
ଖାଇବାବେଳେ ଝରି ହଜମ କରାଇବା ପାଇଁ ଉଦ୍ଦିଷ୍ଟ ଲାଳ ଏତେ ବେଳକୁ ଲାଳସାରେ ପରିଣତ ହୋଇ ଯାଇଥାଏ । ଯଶ ଲିପ୍ସୁ, ପ୍ରଶଂସା ପ୍ରିୟ ଓ ପ୍ରତିଷ୍ଠା ପାଗଳମାନେ ଏହି କ୍ରମରେ ଉପୁଜନ୍ତି ଓ ଭାରି ଉତ୍ପାତିଆ, ବଡ଼ ମଦମତ୍ତ ହୋଇ ଯାବତ ଅପଲୀଲା ଓ କାଣ୍ଡ କାରଖାନାଦି ଭିଆଇ ନିଜ ହାତରେ ନିଜେ ଚଉଦ ପା’ ବୋଲାଇ ହୁଅନ୍ତି ।
ତଥାପି ସବୁ ଦେଖୁଥିବା ସମୟ ଅବଷେଷେ କୋଉ ଖଞ୍ଜରେ ହାବୁଡ଼ି ଏମାନଙ୍କ ହିସାବ ବହିର୍ଭୁତ ବଢତି ଉପରେ ଏମିତି ମାଡି ବସି ଚଢ଼ାଉ କରେ ଯେ ଏମାନଙ୍କ ଅସଲି ସ୍ରରୁପକୁ ଫିଟାଇ ନିକାଲି ସାମୂହିକ ଛି’ ଛାକର ସହ ସମାଜ ମଧ୍ୟକୁ ଫୋପାଡ଼ି ଦିଏ !
ସୁତରାଂ ଲାଳାୟିତ ନହୋଇ ଲାଳସାକୁ ନିଜ ଆୟତ୍ତରେ ରଖି ଅଳ୍ପେ ସନ୍ତୁଷ୍ଟ ରହିବା ଚାହିଁ । ଆଉ ଏ କାମଟି କ’ଣ ସତରେ ଏଡ଼ିକି ଦୁରୂହ ? କହିବେଟି !
କସ୍ମରୀ ନଗର, ରାୟଗଡା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।