ଭାନୁ ଶଙ୍କର ମହାନ୍ତି
କାଳି ଝିଅର ସବୁ କଳା । ମୁଣ୍ଡରୁ ତଳିପା ସାରାଟା ଶରୀର । ସେତିକି କଳା ତା ଆଖିର ସପନ, ଯେତିକି କଳା ତା ଆଖିର କଜଳ । କାଳୀ ଝିଅ ଦେହେ ଜୁଆର ଆସିଲା । ସେ ଜାଣିଲା । ଆଉ ବୋଧେ କେହି ଜାଣିଲେନି । କେହି ଦେଖିଲେନି ।
ତୋ ବାପା ସ୍କୁଲ ଚାଲିଗଲେ, ବୋଉ ଶୋଇଗଲେ, ଦି’ ପହରେ ନଈପଠାକୁ ଆସିବୁ- କାହିଁ ଏମିତି ତ କେହି କହିଲେନି !
କାଳି ଝିଅର ଗୋଟେ ନାଁ ଅଛି- କନକ । କେତେ ଥର ଅନୁରୋଧ କରିଛି ତା ନାମ ବଦଳେଇବା ପାଇଁ । ତା ଅଳିଅର୍ଦଳି ସବୁ ବାପାଙ୍କ ସାର୍ଟ ପକେଟରେ ଲାଗିଥିବା କଲମର କାଳି । ଯାହାକୁ ଘଷି ରଗଡ଼ି ପାଣି ଢାଳି ବୋଉ ସଫା କରିଦିଏ ବାଡ଼ିପଟ କୂଅ ମୂଳେ । ବାପା କହନ୍ତି – ନାଁ ରୁ କଣ ଅଛି ? ଗୁଣ ଥିଲେ ହବ ନା ….
କଳା ହେବା ପରି ଗୋଟେ ଖରାପ ଗୁଣକୁ ସେ ଛାଡ଼ିଦେବା ପାଇଁ ଇଚ୍ଛା କରିଛି । କିନ୍ତୁ କଳା ତାକୁ ଛାଡ଼ିକି ଯାଇନି । ଇଚ୍ଛା ହେଇଛି ଧାରୁଆ ଛୁରୀରେ ଚମଡ଼ାର ପ୍ରଥମ ପରସ୍ତ ଉଠେଇଦେବା ପାଇଁ । ସାହସ ହେଇନି । ଅଲଗା କରି ହେଇନି ଚମଡ଼ାକୁ । ଅଲଗା ହେଇପାରିନି କଳାଠୁ । ନିଜେ ଗୋଠଖଣ୍ଡିଆ ଗାଈ ପରି ବାରି ହେଇପଡ଼ିଛି ସମସ୍ତଙ୍କ ପାଖରେ । ଏମିତିକି ନିଜ ପାଖରେ ବି । ତାରି ସାଙ୍ଗ ଲଳିତା, ସୁଜାତା, ନିହାରିକା …… ଏମାନଙ୍କ ନାଁରେ କେତେ ଅସନା କଥା ଲେଖା ହୁଏ ମନ୍ଦିର ପାଚେରୀରେ । ସବୁ ନାଁ ସାଙ୍ଗରେ ଯୋଡ଼ା ହେଇଥାଏ ଆଉ ଗୋଟେ ନାଁ । କନକ ବି ବାଁରେଇ ବାଁରେଇ ତା’ ନାଁ ଖୋଜେ । କିନ୍ତୁ ନିରାଶ ହୁଏ ।
ବଦ୍ ନାମ ହେବାର ଭାଗ୍ୟ ବି କାଳି ଝିଅ କପାଳେ ନଥାଏ ।
ଜାଣିଛୁ , ବିକାଶ ନା ଭାରି ବଦ୍ ମାସ, ଛତରା । ଖାତା ଦେବା ବାହାନାରେ ହାତ ଅଙ୍ଗୁଳିକୁ ଏମିତି ଢଙ୍ଗରେ ଛୁଇଁଦେଲା ଯେ ଦେହ ଶିରଶିର ହେଇଗଲା – ଲଳିତା କହୁଥିଲା ।
କନକ ବୁଝିପାରିଲା ଲଳିତା ବିକାଶ ନାଁରେ ଅଭିଯୋଗ କରୁନି, ବରଂ ଭିତରେ ଭିତରେ ବେଶ ଆମୋଦିତ ହଉଛି । ସେ ଭାବୁଥିଲା ଶିରଶିର ହେବାଟା କ’ଣ ? ଆଙ୍ଗୁଳିକୁ ଟିକେ ଛୁଇଁଦେଲେ ହେଇଯିବ ? କାହିଁ କେହି ବାହାନା କରି ତାକୁ ଛୁଇଁବା ପାଇଁ ଚେଷ୍ଟା କରିନାହାନ୍ତି ତ ! ବରଂ ସେହି ଛତରା ପିଲାଟି ଖାତା ନେଲାଦେଲା ବେଳେ ବଡ଼ ଭଦ୍ରାମିରେ, ଅତି ସନ୍ତର୍ପଣରେ ଖାତାଟିକୁ ଧରେ । ଥରେ ଛତରାମିରେ ତାକୁ ଟିକେ ଛୁଇଁ ଦିଅନ୍ତାନି ! ସେ ବି ଶିରଶିର ହେଇଯାଆନ୍ତା ଲଳିତା ପରି । କିନ୍ତୁ ତା ଆଙ୍ଗୁଳି ସେମିତି ଗୋଟେ ଛୁଆଁରୁ ଆଜି ଯାଏ ବଞ୍ଚିତ ।
ଯେମିତି କାଳି ଝିଅକୁ ଛୁଇଁବା ପାପ !
ଲଳିତା, ପରେ ଯିବ କହି ରହିଗଲା କଲେଜରେ । କିଏ ଜାଣେ ସେ ଟୋକା ସାଙ୍ଗରେ ଗପ ମାରିବ କି କ’ଣ । ଏକା ସାଇକେଲ ନେଇ ଘରକୁ ଫେରିଲା କନକ । ଅଧା ବାଟରେ ବର୍ଷା । ଗଛ ମୂଳକୁ ଯାଉଯାଉ ଗୋଟାପଣେ ଓଦା ହେଇଗଲା । ତାକୁ କେମିତି ଗୋଟେ ଅଡୁଆ ଲାଗିଲା । ଯେମିତି ଗାଧୋଇ ଛିଡ଼ା ହେଇଛି । କେହି କୁଆଡ଼େ ନଥିଲେ, କେବଳ ଅଳ୍ପଦୂରରେ ବନଶୀ ପକଉଥିବା ଗୋଟେ ଟୋକା ବ୍ୟତୀତ ! ତା’ ଆଡକୁ ଥରେ ଅନେଇ ଦେଇ ସେ ପାଣିକୁ ଚାହିଁ ରହିଲା । କନକ ଭାବିଲା ସେ ପୁଣି ଅନେଇବ । କିନ୍ତୁ ତା’ ନଜର ସେମିତି ପାଣି ଉପରେ ଥିଲା । ଭାରି ରାଗ ହେଲା ସେ ଟୋକାଟା ଉପରେ । କ’ଣ ପାଇବ ସେ ?
କଉ କି ଗଡ଼ିଶ ମାଛଟେ କ’ଣ କାଳି ଝିଅର ଓଦା ଦେହଠୁ ବେଶୀ ଈପ୍ସିତ ?
ରାତି ତାର ପ୍ରିୟ । ରାତିରେ ବାରି ହୁଏନି ରଙ୍ଗ । ସବୁ କିଛି କଳା । ଦେଖି ହୁଏନି ସିନା ପରଖି ହୁଏ । ନିଜ ଦେହରେ ଥରେ ହାତ ବୁଲେଇ ଆଣିଲା କନକ । ଲଲିତା ଆଉ ତା’ ଭିତରେ କ’ଣ ଫରକ୍ ? ସେ ଖୋଜିଲାପଣ, ସେ ଆତୁରତା, ସେ ପୁଲକ, ଦୁଃଖ, ଯନ୍ତ୍ରଣା, ଆବେଗ, ଅଭିଳାଷ, ଅବଶୋଷ ଏବଂ ସର୍ବୋପରି ସେ ଶିରଶିର ଅନୁଭବ, ସବୁ ତ ଥାଏ ଚମଡ଼ା ତଳେ ! ଗୋରା ହଉ କି କଳା । ଗୋଟେ ରଙ୍ଗ କ’ଣ ହରେଇପାରିବ ଏ ସବୁକୁ ? ମିଳନ୍ତା କି ଏବେ ସେ ଛତରା ବିକାଶ କି ସେ ମାଛ ମନସ୍କ ଟୋକା । ବୁଝେଇ ଦିଅନ୍ତା ପୋଡ଼ିବା ପାଇଁ ଯେଉଁ ନିଆଁ ଲୋଡ଼ା, ତା ପାଖରେ ବି ଅଛି । ସେ ନିଆଁର କିଛି ବି ରଙ୍ଗ ନାହିଁ ।
କବାଟ ଖୋଲିଲା କନକ….
ଭୋଅରୁ ପୂଜା କରିବାକୁ ଆସି ନନା ଦେଖିଲେ ମନ୍ଦିର ଆଗରେ ପଡ଼ିଛି କନକ । ଚେତା ନାହିଁ । ହାତରେ ଧରିଛି ଅଙ୍ଗାର ଖଣ୍ଡେ । ପାଚେରିରେ ଆଉ ଇଞ୍ଚେ ବି ଜାଗା ନହିଁ । ଅଙ୍ଗାରରେ ସବୁଠି ଲେଖା ଯାଇଛି କନକ, କନକ । ଆଉ ପୁରୁଣା ଯେଉଁ ନାଁ ସବୁ ଲେଖା ଯାଇଥିଲା ତା’ ଉପରେ ଅଙ୍ଗାର ଘଷା ଯାଇଛି । ପାଚେରିଟି ଦେଖା ଯାଉଥିଲା ପ୍ରାୟ ସମ୍ପୂର୍ଣ କଳା । ପାଖକୁ ଯାଇ ଦେଖିଲେ କଳା ଭିତରୁ ଜଣା ପଡୁଥିଲା କେବଳ ଗୋଟିଏ ନାଁ – କନକ । ନନା ସ୍ଥିର କରି ପାରୁନଥିଲେ କଣ କରିବେ ? ତା ବାପାକୁ ଯାଇ ଡାକି ଆଣିବେ ନା କାଳି ଝିଅ ହାତରୁ ଅଙ୍ଗାର ଖଣ୍ଡକ ନେଇ, କନକ ନାଁକୁ ନିଶ୍ଚିହ୍ନ କରିଦେବେ ପାଚେରି କାନ୍ଥରୁ ।
ହାୱଡ଼ା, ମୋ – ୮୯୧୭୨୬୮୫୮୮
ଲେଖକ ପରିଚୟ
ସପ୍ତମ ଶ୍ରେଣୀରୁ ଗପ ଲେଖା ଆରମ୍ଭ କରିଛନ୍ତି ଗାଳ୍ପିକ ମହୋଦୟ । କାହିଁକି ଲେଖନ୍ତି ପ୍ରଶ୍ନର ଉତ୍ତରରେ ସେ କୁହନ୍ତି – “ନଲେଖି ପାରିଲେ ବି ଘଟଣା ଓ ଚରିତ୍ର ମୁଣ୍ଡ ଭିତରେ ବସା ବାନ୍ଧି ରୁହନ୍ତି । ନଲେଖିଲା ଯାଏ ସେମାନେ ଅସ୍ଥିର କରାନ୍ତି, ଚିଡ଼ଚିଡ଼ା କରାନ୍ତି ଆଉ ଲେଖି ଦେଲାପରେ ଭାରି ଉଶ୍ଵାସ ଲାଗେ ଠିକ୍ ଯେମିତି ପ୍ରସବ ପରର ଖୁସି । କେହି ପାଠକ ଯେବେ କୁହନ୍ତି ମୋ ଲେଖାରେ ନିଜକୁ ଦେଖନ୍ତି ସେତେବେଳେ ଭାରି ଖୁସି ଲାଗେ ।”