ଚାରୁ ଚନ୍ଦନ ଦାଶ
ଝର୍କା ରେଲିଂ ସେପଟୁ
ଭାସି ଆସୁଥିବ ହାଲକା ହାଲକା ପବନ
ମତୁଆଲା କରୁଥିବ ମନକୁ
ଅସ୍ତସୂର୍ଯ୍ୟର ଶେଷ ସ୍ପର୍ଶ ବି
ଛୁଇଁଦେଇ ଯାଉଥିବ, ଦେହକୁ
ଟେବୁଲ ଥାକରେ ଥୁଆ ହୋଇଥିବା
ଦେବଦାସ ଛୋଟରାୟଙ୍କ କବିତା ଭିତରୁ
ଝରି ପଡୁଥିବ ତମ ସ୍ମୃତି
ଚବିଶ ବର୍ଷର ଝିଅମାନେ କେମିତି
ପାଉଁଜି ଖସିବା ବାହାନାରେ
ଚହଲା ପାଣିରେ ମୁହଁ ଦେଖନ୍ତି
ନୀଳ ସରସ୍ୱତୀର ଗହୀର ପାଣିରେ
କେମିତି ଛଟପଟ ହେଉଥାନ୍ତି
ପୁଣି ଲାଲମାଛର ପ୍ରେମରେ ପଡ଼ି
ଅପସରା ପରି ସଜେଇ ହେଉଥାନ୍ତି
ମୁକୁଳା କେଶକୁ ଅଣାୟତ୍ତ କରି
ନିସ୍ତେଜ ଓଠକୁ ଫୂର୍ତ୍ତି କରି
କେଉଁ ଏକ ରାଜକୁମାରୀ ଭଳି
ପ୍ରେମର ବର୍ଷା ଛିଟାରେ
ତନୁ , ମନକୁ ଭିଜାଉଥାନ୍ତି
ଏମିତି ଅନେକ କିଛି…(୧)
ଛୋଟ ପିଲାଟିଏ ପରି
କୁଆଁ କୁଆଁ କାନ୍ଦୁଛି ସମୟ
କଣ ହୋଇଛି କେଜାଣି ?
ବୋଧହୁଏ ସେ ଜାଣିନି,
ବୟସର ରାଜପଥେ ମନ କେମିତି
ଦୁର୍ଘଟଣାଗ୍ରସ୍ତ ହୁଏ ?
ଉଡ଼ାଜାହାଜ ପରି ଉଡ଼ି ବୁଲୁଥିବା ମନ
ପଲକରେ କ୍ରାସ୍ ହୋଇଯାଏ
ମଝି ଆକାଶରେ,
ବହୁରୂପୀ ପାଗ କାରଣରୁ !
କଣ ହୋଇଛି କେଜାଣି ? (୨)
ଚାରୁ ଚନ୍ଦନ ଜଣେ ଯୁବ ସାମ୍ବାଦିକ । ସାହିତ୍ୟରେ ରୁଚି ରଖନ୍ତି । କବିତା, ଉପନ୍ୟାସ ରଚନା କରୁଛନ୍ତି । ବିଶେଷ ଭାବେ ଇଣ୍ଟରନେଟ୍ ମାଧ୍ୟମରେ ବେଶି ଲେଖାଲେଖି କରି ପାଠକୀୟ ଆଦୃତି ପାଇପାରିଛନ୍ତି ।