ଭୁବନେଶ୍ଵର : ଶିଶୁ ସାହିତ୍ୟକୁ ବଞ୍ଚାଇବାକୁ ଶିଶୁ ଓ କିଶୋର ପାଠକଙ୍କ ମନରେ ପୁସ୍ତକ ପଢିବାର ଆଗ୍ରହ ସୃଷ୍ଟି ହେବା ଦରକାର । ପତ୍ରିକାଗୁଡ଼ିକରେ ଉପଯୁକ୍ତ ବିଷୟବସ୍ତୁ ସ୍ଥାନିତ ହେଲେ ପିଲାଙ୍କ ମନରେ ପଢିବାର ଆଗ୍ରହ ବଢିବ । ଏଣୁ ଶିଶୁ ସାହିତ୍ୟିକମାନଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ହେବ । ସେହିଭଳି ବିଷୟବସ୍ତୁ ଚୟନ ବେଳେ ଶିଶୁ ସାହିତ୍ୟ ପତ୍ରିକାଗୁଡ଼ିକୁ ସଚେତନ ହେବାକୁ ପଡିବ । ଶିଶୁ କିଶୋର ତ୍ରୈମାସିକ ‘ଝୁମୁକା’ର ଶାରଦୀୟ ବିଶେଷାଙ୍କ ଉନ୍ମୋଚନ ଅବସରରେ ଅତିଥିମାନେ ଏଭଳି କହିଛନ୍ତି ।
କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ମନୋରଞ୍ଜନଧର୍ମୀ ଲେଖା ସହିତ ରଙ୍ଗୀନ ପୃଷ୍ଠାରେ ବିଷୟବସ୍ତୁ ପ୍ରକାଶ ପାଇଲେ, ଶିଶୁ ପତ୍ରିକାଗୁଡ଼ିକ ଆଦୃତି ଲାଭ କରିପାରିବ । ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ପିଲାମାନଙ୍କୁ ଶିଶୁ ସାହିତ୍ୟ ପଢିବା ଲାଗି ଅଭିଭାବକମାନେ ସେମାନନଙ୍କ ମନରେ ଆଗ୍ରହ ବଢାଇବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଲେ । ସାହିତ୍ୟିକ ଦାଶ ବେନହୁର କହିଲେ ଯେ ନୂଆ ଲେଖା ପଢିବାର କୁଣ୍ଠା ଯୋଗୁ ଶିଶୁ ସାହିତ୍ୟ ଅବହେଳିତ ହେଉଛି । ସାହିତ୍ୟ ସହିତ ପିଲାମାନେ ଯୋଡ଼ି ହେଲେ ସାହିତ୍ୟ ବଞ୍ଚି ରହିବ । ବିଭିନ୍ନ ଘାତପ୍ରତିଘାତ ସତ୍ତ୍ୱେ ‘ଝୁମୁକା’ ନିଜର ସ୍ଵତନ୍ତ୍ରତା ବଜାୟ ରଖିଥିବାରୁ ସମ୍ପାଦକଙ୍କୁ ସେ ସାଧୁବାଦ ଜଣାଇଥିଲେ ।
ସେହିପରି କଥାକାର ଗୌରହରି ଦାସ କହିଲେ ଯେ ପିଲାଙ୍କ ପାଇଁ ଆଖିକୁ ଭଲ ଲାଗିବା ଭଳି ପତ୍ରିକା ଆବଶ୍ୟକ । ପୃଷ୍ଠା କମ ହେଲେ ମଧ୍ୟ ରଙ୍ଗୀନ ଚିତ୍ର ରହିଲେ ପତ୍ରିକା ପିଲାଙ୍କୁ ଆକର୍ଷିତ କରିବ । ଶିକ୍ଷାବିତ ନରେନ୍ଦ୍ର ପ୍ରସାଦ ଦାସ କହିଲେ ଯେ ପିଲାଙ୍କୁ ବହିଟିଏ ଦେବାର ଚେତନା ଅଭିଭାବକଙ୍କ ମନରେ ଆସିବା ଦରକାର । ପିଲାଙ୍କ ପାଇଁ ଅଧିକରୁ ଅଧିକ ମନୋରଞ୍ଜନଧର୍ମୀ ପୁସ୍ତକ ଓ ପତ୍ରିକା ଛପା ହେବା ଦରକାର । ଶିଶୁ ସାହିତ୍ୟିକ ଶ୍ରୁତିକୀର୍ତ୍ତି ତ୍ରିପାଠୀ, ଶିଶୁ ସାହିତ୍ୟ ରଚନା ଲାଗି ଶିଶୁ ସାହିତ୍ୟିକଙ୍କ ମଧ୍ୟରେ ସଚେତନତା କର୍ମଶାଳା ଆବଶ୍ୟକ ବୋଲି ମତ ରଖିଥିଲେ । ‘ଝୁମୁକା’ର ସମ୍ପାଦକ ମାନସ ରଞ୍ଜନ ସାମଲ ସ୍ଵାଗତ ଭାଷଣ ଦେଇଥିଲାବେଳେ ଅତିଥିମାନେ ମାସିକ ପତ୍ରିକା ‘ମାନବିକତାର କଥା’କୁ ମଧ୍ୟ ଉନ୍ମୋଚନ କରିଥିଲେ । ‘ମାନବିକତାର କଥା’ର ସମ୍ପାଦକ ତଥା ଆଇନଜୀବି ନଟବର ମହାନ୍ତି, ଅବସରପ୍ରାପ୍ତ ପ୍ରଶାସକ ମହେନ୍ଦ୍ର କୁମାର ମଲ୍ଲିକ, ପ୍ରଫେସର ରେଖା ଦାସ, ବଙ୍କିମ ଚନ୍ଦ୍ର ନାୟକ, ପ୍ରଭାସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।