ଅରୁଣ କୁମାର ମିତ୍ର

ଜଗତ ଜନନୀ ଆସିଲେଣି ଆମ ଗୃହେ
ସାଜସଜ୍ଜାରେ ପୁର ଓ ପଲ୍ଲୀ ବାସୀ
ମାଆଙ୍କ ଆଶିଷ ଝରଇ ପରମ ସ୍ନେହେ
ସବା ଅନ୍ତରେ ଗଦଗଦ ଭାବ ଖୁସି ।

ଝରଇ ବରଷା ସକାଳରୁ କ୍ଷଣେକ୍ଷଣେ
ନଈ କୂଳେ ଭରା କାଶତଣ୍ଡୀର ବଣ
ପ୍ରେୟସୀ ମୋହର ନିଦାରୁଣ ଅଭିମାନେ
ବାହାରି ପାରୁନି ଭାରାକ୍ରାନ୍ତ ମନ ।

କାହିଁକି କେଜାଣି ବୃଷ୍ଟିର ନାହିଁ ଇତି
କଳାକଳା ଘନ ବରଷଇ ଦିନ ସାରା
ଶ୍ଵେତ ଶୁଭ୍ର ଶରତ ମେଘର ପ୍ରୀତି
ମନ ଜ୍ୟୋତ୍ସ୍ନାରେ ସୁରଭି ଶିଉଳି ମେଳା ।

କର୍ଦମାକ୍ତ ବାଟ ଘାଟ ଗଳିକନ୍ଦି
ମୃଣ୍ମୟୀ ମାର ମୂରତି ଗମ୍ଭୀର କାୟା
ଆଗମନୀ ସୁର ଚିତ୍ତେ ଗଲାଣି ଛନ୍ଦି
ବାଜିଲା ବାଦ୍ୟ ଦଶଭୁଜା ମହାମାୟା ।

ବାଳକବାଳିକା ଯୁବକଯୁବତୀ ମାନେ
ନୂତନ ବସ୍ତ୍ର ଅଙ୍ଗରେ ପରିଧାନ
ଶରତ ସନ୍ଧ୍ୟା ଆଜି ପୁଲକିତ ମନେ
କରନ୍ତି ଦେବୀର ଶ୍ରୀଚରଣ ଦର୍ଶନ ।

ଦେବୀ ମାଆ ଦୂର୍ଗା ଅସୁର ଦଳନୀ ଆଜି
ମରତେ ଆଗତ ପରିବାର ତାଙ୍କ ସାଥେ
ରଣଂଦେହୀ ଯେ ଆସିଛି ଶତ୍ରୁ ଖୋଜି
ନାଶ କରିଦିଅ ଦୈତ୍ୟ ଦାନବ ମା’ତେ ।

ପ୍ରଣମି ହେ ମାତା ଚିନ୍ମୟୀ ସ୍ୱରୂପା ଦେବୀ
ଦୂର କର ଦୂଃଖ ଦୁଃର୍ଦଶା ସହିତ କ୍ଳେଶ
ଆଶା ଭରସାର ଆଙ୍କିଛି ହୃଦୟେ ଛବି
ଦୂରୀଭୂତ ହେଉ ମରତେ ଦ୍ଵନ୍ଦ ଦ୍ୱେଷ ।

ଯାଜପୁର ରୋଡ଼, ଯାଜପୁର

ଲେଖକ ପରିଚୟ

କବିତା ଏକ ଅନ୍ତରାତ୍ମାରୁ ପ୍ରବାହିତ ଝରଣା । ଗତି କେବେ ଧୀର, କେବେ ଚଞ୍ଚଳ, ସବୁବେଳେ ଅନାବିଳ । ମୋର ହୃଦୟରୁ କବିତା ମଧ୍ୟେ ମଧ୍ୟେ ପ୍ରବାହିତ ହୁଏ, ପ୍ରବାହର ଉତ୍ସ କହିବାକୁ ଗଲେ, ଉତ୍କଳ ଜନନୀର ଆଂଚଳ । ଏଠାକାର ମାଟି, ପାଣି, ପବନ, ପାହାଡ଼, ପର୍ବତ, ନଦୀ, ସମୁଦ୍ର, ଦେବାଦେବୀ, ଜନସମାଜ ସବୁ କିଛି ମୋତେ ମୋହିତ କରିଛି । ଫଳସ୍ୱରୂପ ମୁଁ ଚାଳିଶି ବର୍ଷ ବୟସରେ ବର୍ଣ୍ଣବୋଧ ପଢି ଓଡ଼ିଆରେ ଲେଖିବା ପଢିବା ଶିଖି ଚାରିଖଣ୍ଡ କବିତା ବହି ଲେଖିଛି । ମୋର ପାଠପଢା ବଙ୍ଗଳା ମାଧ୍ୟମରେ, ପଶ୍ଚିମବଙ୍ଗର ଏକ ଗାଆଁରେ ମୋର ଶୈଶବ ଅତିବାହିତ । କର୍ମକ୍ଷେତ୍ରରେ ସାହିତ୍ୟ ପ୍ରୀତି ଏବଂ ସାହିତ୍ୟ ସାଧନା ।

Related Posts

Leave a Reply

Your email address will not be published. Required fields are marked *