ଶୁଭ ନାରାୟଣ ସ୍ଵାଇଁ
ଓଡ଼ିଆ ଗଳ୍ପ ସାହିତ୍ୟରେ ଶ୍ରୀଯୁକ୍ତ ରବି ପଣ୍ଡା ଜମାରୁ ନୂଆ ନୁହଁ । ଦୀର୍ଘ ୩୦ ବର୍ଷ ଧରି ଲେଖି ଆସୁଥିବା ଗାଳ୍ପିକ ଶ୍ରୀଯୁକ୍ତ ପଣ୍ଡାଙ୍କ ଗପରେ ଜୀବର ବ୍ୟାପ୍ତି, ବିଶାଳତା, ଆଶା ଓ ଆନନ୍ଦକୁ ଯେମିତି ବିସ୍ତାର ଭାବେ ଦେଖିହୁଏ ଠିକ୍ ସେମିତି ଦେଖି ହୁଏ ସାମାଜିକ ବିପର୍ଯୟ ଓ ସମ୍ପର୍କର ସୁକ୍ଷ୍ମ ଚିତ୍ରକୁ ।
ପ୍ରାୟ ତିନି ମାସ ତଳେ କିଣିଥିଲି ତାଙ୍କର ସଦ୍ୟତମ ଗଳ୍ପ ସଂକଳନ “କେମିତି ବଦଳି ଯାଏ ମଣିଷ ” । Black Eagle Books (USA) ଦ୍ଵାରା ପ୍ରକାଶିତ ୨୨୩ ପୃଷ୍ଠାର ଏ ବହିର ମୂଲ୍ୟ ୨୫୦ ଟଙ୍କା । ବହିଟି ମୋତେ ଖୁବ୍ ଭଲ ଲାଗିଲା । ବହିରେ ସ୍ଥାନିତ ୧୬ଟି ଯାକ ଗପ କେହି କାହାଠୁ କମ୍ ନୁହନ୍ତି ।
ମଣିଷ କେତେବେଳେ କେମିତି ବଦଳିଯାଏ ସେକଥା ସେ ନିଜେ ଜାଣି ପାରେନା । ସେ ଜାଣି ପାରେନା କେତବେଳେ ସେ ମଣିଷରୁ ପଶୁ ପାଲଟି ଯାଏ ପୁଣି କେତେବେଳେ ପଶୁରୁ ମଣିଷ । ଏଠି ମଣିଷଟିଏ ନିଜର ପରିଚୟ ମଣିଷ ବୋଲି କହିଲେ ସମାଜ ତାକୁ ସ୍ୱୀକାର କରିପାରେନା । ଏଣୁ ମଣିଷକୁ ନିଜ ଉପରେ ସବୁବେଳେ ଢାଙ୍କିବାକୁ ପଡେ ଆଉ ଏକ ପରିଚୟର ଢାଙ୍କୁଣି । ଏଇ ଯେମିତି ନେତା, ଅଫିସର, ଵ୍ୟଵସାୟୀ, କବି, ଲେଖକ ବା ଅନ୍ୟ କିଛି ।
ଆଦିତ୍ୟ ନିଜ ପରିଚୟର ଖୋଳପା ଖୋଜୁଖୋଜୁ ନିଜ ଦେହରେ ଢାଙ୍କି ଦିଏ ଗୋଟିଏ କବି ଓ ଲେଖକର ଖୋଳପା । ଝରକା ଖୋଲି ଦେଲେ ଘର ଭିତରକୁ ପଶି ଆସୁଥିବା ଗଙ୍ଗଶିଉଳି ବାସ୍ନାର ପ୍ରେମରେ ପଡିଯାଏ ସେ । ଝରକା ସେପଟେ ଠିଆ ହୋଇଥାଏ କୁନି ଝିଅ କୁନୁମୁନ୍ ଏବଂ କହୁଥାଏ ଅଙ୍କଲ୍, ମୋ ମମିକୁ ନେଇ ଗପଟେ ଲେଖ । ଏପଟେ ଆଦିତ୍ୟର ମନେ ପଡୁଥାଏ ତା’ ହଜିଲା ପ୍ରେମ ଏବଂ ସେପଟେ କୁନୁମୁନ୍ ର ବାପା ଆଖିରେ ଠିଆ ହେଉଥାଏ ସନ୍ଦେହର ପାଚେରୀ । ତାଙ୍କ ଘରଆଡୁ ଫୁଲର ବାସ୍ନା କାଳେ ଏପଟକୁ ଚାଲିଆସିବ ଭାବି ସେ ସନ୍ଦେହୀ ମଣିଷଟା କାଟିଦିଏ ଗଙ୍ଗଶିଉଳି ଗଛଟାକୁ ଏବଂ ଝରକା ସାମ୍ନାରେ ଠିଆ କରାଇ ଦିଏ କାନ୍ଥଟିଏ । ଏମିତିରେ ଆଦିତ୍ୟ ଭାବୁଥାଏ ସତରେ “କେମିତି ବଦଳି ଯାଏ ମଣିଷ” । ଏ ଗପଟିର ଆରମ୍ଭ ସେତେଟା ଆକର୍ଷଣୀୟ ଲାଗୁ ନଥିଲେବି ଗପଟିରେ ଗୋଟିଏ ଚମକପ୍ରଦ ନିର୍ଯ୍ୟାସ ଅଛି, ଗପଟିର ପରିଣତ ଖୁବ୍ ଚମତ୍କାର ହୋଇଛି ।
ଏଠି ଖାଲି କୁନୁମୁନ୍ ର ବାପା କି ଆଦିତ୍ୟ ବଦଳି ଯାଏନି, ବଦଳିବି ଯାଏ ସମୟ ଏବଂ ସମୟର ସାଥିରେ ବଦଳିଯାଏ ସିରଷୁ ଓରଫ୍ ବିକ୍ରମ, ଜସ୍ମନୀ ଓରଫ୍ ସମରୀ ଏଵଂ ବଦଳିବି ଯାଉଥାଏ ନିଜେ ମୁଁ । ଯଦି ମୁଁ ନିଜ ବଦଳୁ ନଥାନ୍ତି ତାହେଲେ ହୁଏତ ଆଖିକୁ ନିଦ ଆସୁଥିଲେ ବି ଆଖିର ନିଦକୁ ଆଖିରେ ମାରି ରାତି ତିନିଟାରେ ମୁଁ ପଢୁନଥାନ୍ତି “ଆଗ୍ନେୟ ଅଭିଷାର” ଗପକୁ । ଏଗପଟି ହୁଏତ ଏ ସଂକଳନର ଶେଷ ଗଳ୍ପ, କିନ୍ତୁ ମୋତେ ଲାଗିଲା ଏହା ଏକ ଆରମ୍ଭ ଗଳ୍ପ । ଏଇଠୁ ପଢା ଯାଇପାରେ ଗାଳ୍ପିକଙ୍କର ଗଳ୍ପ ବିନ୍ୟାସର ପରିପକ୍ଵତାକୁ, ଏଇଠୁ ପଢା ଯାଇପାରେ ଗଳ୍ପର ଚମତ୍କାର ଆରମ୍ଭ ଓ ଅତି ଚମତ୍କାର ପରିଣତିର କଳାକୁ ।
ଏଇଠି ପଢା ଯାଇପାରେ ନକ୍ସଲବାଦ ଭିତରକୁ ଭୁଲରେ ପଶି ଯାଉଥିବା ବେକାର ଯୁବକଯୁବତୀ ମାନଙ୍କ ମରିଯାଉଥିବା ବିଶ୍ଵାସ ଓ ପ୍ରେମକୁ । ଏଇଠି ପଢା ଯାଇପାରେ ମଣିଷରୁ ଅମଣିଷ ପାଲଟି ନାରୀକୁ କେବଳ ଉପୋଭୋଗର ବସ୍ତୁ ଭାବୁଥିବା ଜାନୁଆର୍ ମାନଙ୍କୁ କେମିତି ଚରମ ଶାସ୍ତି ଦେଇପାରେ ନାରୀଟିଏ ଏବଂ କେମିତି ସେ ନିଜେ ନିଜକୁ ମୁକୁଳାଇ ପାରେ ନକ୍ସଲଙ୍କ କବଳରୁ ।
ସତରେ ଗାଳ୍ପିକ ଶ୍ରୀଯୁକ୍ତ ପଣ୍ଡାଙ୍କ ଏ ଗଳ୍ପ ସଙ୍କଳନ ଖୁବ୍ ଭଲ ଲାଗିଛି ମୋତେ । ସମସ୍ତେ ଥରେ ପଢି ଦେଖନ୍ତୁ, ନିଶ୍ଚିତ ଏକ ଆତ୍ମସନ୍ତୋଷ ମିଳିବ ବୋଲି ମୋର ଆଶା ।
ଶୁଭ ନାରାୟଣ ସ୍ଵାଇଁ, ଜନ୍ମ : ୧୨ ଫେବୃଆରୀ ୧୯୮୧, କୋରାପୁଟ୍, ମୋବାଇଲ – ୮୪୮୦୧୯୬୫୩୨
ଲେଖକ ପରିଚୟ
କବିତା ଓ ଉପନ୍ୟାସ ଲେଖା ସହ ଭଲ ବହିକୁ ପଢି ନିଜର ମତାମତ ବାଢିବା ମୋର ନିଶା । ୨୦ ବର୍ଷ ତଳୁ ଲେଖା ଲେଖି ଆରମ୍ଭ କରିଥିଲି । ମୋର ପ୍ରକାଶିତ ପୁସ୍ତକଗୁଡ଼ିକ ଭିତରେ ୭ ଟି କବିତା ପୁସ୍ତକ, ୨ ଟି ଉପନ୍ୟାସ, ୨ ଟି ଅନୁବାଦ ପୁସ୍ତକ ଏବଂ ଗୋଟିଏ ଆଲୋଚନାମୂଳକ ପୁସ୍ତକ ରହିଛି ।
ଗାଳ୍ପିକ ରଵି ପଣ୍ଡାଙ୍କ ଗପ ଵହି ” କେମିତି ଵଦଳି ଯାଏ ମଣିଷ ” ଉପରେ ମୋର ପାଠକୀୟ ମତାମତକୁ ଓଡ଼ିଶା ସାହିତ୍ୟର ପୁସ୍ତକ ସମୀକ୍ଷା ପୃଷ୍ଠାରେ ସ୍ଥାନିତ କରିଥିବାରୁ ଏହାର ସମ୍ପାଦିକା ଭଉଣୀ ନିବେଦିତାଙ୍କୁ ଅଶେଷ ଧନ୍ୟବାଦ।