ବିଜୟ ମହାପାତ୍ର

ହାତ ଟେକିଦେଲି
ଆକାଶ ଓ ସମୁଦ୍ର ଆଡ଼କୁ
ମୋ ପାଦ ତଳର ପୃଥିବୀ
ଏବେ ତରଳୁଛି
ଭିଟାମାଟି କିଛି ନାଇଁ
ମୁଁ ବନ୍ଜର
ଯେମିତି ଅସଂଖ୍ୟ ତାରା କି
ଲିଭାଇ ପାରନ୍ତି
ପୁରାପୁରି ଅନ୍ଧାର !
ଅନ୍ଧାର ତିନି ଭାଗ
ଆଲୁଅ ଏକ ଭାଗ
ଭିତରେ ମୁଁ ବଂଚେ
ମୁଁ ଗୀତ ଗାଏ
ନିଅଣ୍ଟ ହୁଏ
ଆଉ କିଛି ଆକାଶର ନିରବତା
ଆଉ କିଛି ସମୁଦ୍ରରେ
ଶୋଷି ହୋଇଯିବାର
ନିଃଶେଷ ହୋଇଯିବାର
ଅପୂର୍ଣ୍ଣତା ।
ମୁଁ ଲଟକିଯାଏ
ହାତ ଟେକି ଦିଏ
ମୁଁ ନାହିଁ ଓ ନଥିବାର
ଶେଷ ସ୍ତବ କରେ
ମୁଁ ମରେ ଓ ଜିଏଁ
ତରଳିବାର ମଧୁକୈଟଭରେ
ମୁଁ ମରେ କି ?
ମୁଁହାଣେ ପ୍ରେମ ଦେଲା ପରେ
ତତେ ଯଦି
ଅଘଟ ହେଲା ସମୁଦ୍ର
ଯଦି ନିଅଣ୍ଟ ହେଲା
ମୋ ଆକାଶର ବିସ୍ତାର
ଯଦି ନିଅଣ୍ଟ ହେଲା !
ମହାଲକ୍ଷ୍ମୀବିହାର, ଭୁବନେଶ୍ୱର, ମୋ – ୮୨୪୯୦୭୯୮୫୩
ଲେଖକ ପରିଚୟ
ଏଯାବତ୍ ୪ ଟି କବିତା ବହି ଯଥା “ଭ୍ରମ ଭ୍ରମଣ”, “ଗଭୀର ହେବାଯାଏ”, “ଅଶ୍ରୁ ଅନଳ” ଓ “ହାରିବାର ବିବିଧତା” ସହିତ ଏକ ଭିନ୍ନ ଢଙ୍ଗର ଆଲୋଚନା ପୁସ୍ତକ “ମୟୂରକଣ୍ଠି ନୌକାଟିଏ” ପ୍ରକାଶିତ ହୋଇସାରିଛି । ପ୍ରକାଶଉନ୍ମୁଖ ଅନ୍ୟ ଏକ କବିତା ସଂକଳନ “ଅଳ୍ପ ଅଳ୍ପ ଫୁଟୁଥାଏ” ଏବଂ ଏକ ଅନୁଦିତ ଇଂରାଜୀ କବିତା ସଂକଳନ “what the river says” ମଧ୍ୟ ରହିଛି ।