ଚାରୁ ଚନ୍ଦନ ଦାଶ
ସମ୍ପୂର୍ଣ୍ଣା କେବେ ସେ ଚୁଲବୁଲି କେବେ ଆନମନା । ସେ ଭାରି ଲାଜକୁଳି । ପାଟିରୁ କଥା କମ୍ ହସ ବାହାରେ ତା’ର । ପାଠ ବି ଭଲ ପଢ଼େ । ଯୌବନର ମଧ୍ୟାନ୍ତରରେ ପହଞ୍ଚି ସାରିବା ପରେ ବି ଏ ଯାଏଁ ତା’ର ପିଲାଳିଆମି ଗଲାନି । ଦେଖିବାକୁ ଭାରି ସୁନ୍ଦରୀ । କଲେଜର ୪-୫ ଟୋକା ତା’ ପଛରେ । ହେଲେ କାହାରିକୁ ଖାତିର ନାହିଁ । ଛତରାଗୁଡ଼ାକ ପାଠ ପଢ଼ିବାକୁ ଆସୁଛନ୍ତି ନା ଲାଇନ ମାରିବାକୁ? ସବୁବେଳେ ସମ୍ପୂର୍ଣ୍ଣା ମୁହଁରୁ ଏଇ କଥା ପଦକ ବାହାରୁଥାଏ ।
ସମୟ ଏବଂ ପ୍ରେମ, ଏଇ ଦୁଇଟି କେତେବେଳେ ଯେ କାହାକୁ ଏକାଠି କରେ କହି ହୁଏନା । ଆଉ ପୁଣି ଏ ଯୌବନାବସ୍ଥାରେ!
ପରଜାପତି ପରି ଏ ଗଛରୁ ସେ ଗଛକୁ ଉଡି଼ ବୁଲୁଥାଏ ଖୁସିରେ ସମ୍ପୂର୍ଣ୍ଣା । ଯେଉଁ ଝିଅ ପିଲାଙ୍କୁ ଛତରା ଆଉ ପ୍ରେମକୁ ଶହେ ହୁଜାର କରୁଥିଲା ସେଭଳି ଝିଅ ପୁଣି ପ୍ରେମର ଦୁନିଆରେ ଉଡି଼ ବୁଲିବ କିଏ ଜାଣିଥିଲା?
ସଂଯୋଗ ବଶତଃ ଆସି ସମ୍ପୂର୍ଣ୍ଣା ସାଙ୍ଗରେ ଯେ ଯୋଡି଼ ହେଇଯିବ ଏ କଥା ସମ୍ପୂର୍ଣ୍ଣା ଭାବନାର ବାହାରେ ଥିଲା । କରିଡରରେ ବସିଥିଲା ସମ୍ପୂର୍ଣ୍ଣା ଆଉ ରାସ୍ତା କଡ଼ରେ ଷ୍ଟାଣ୍ଡ୍ ମାରିଦେଇ ବାଇକ୍ ଉପରେ ବସିଥିଲା ସଂଯୋଗ । କେଡ଼େ ସୁନ୍ଦର ସେ ଦୃଶ୍ୟ, ଲାଗୁଥାଏ ସତେ ଯେମିତି ଏକ ଅଜଣା ଦୁନିଆରେ ଅଛନ୍ତି ସେମାନେ । ନୀଳ ରଙ୍ଗର ଟପ୍ଟା ପିନ୍ଧି ହାତରେ ବହି ଖଣ୍ଡେ ଧରି ସମ୍ପୂର୍ଣ୍ଣା ବସିଥିଲା କରିଡରରେ । ବସନ୍ତ ଆସି ସାରିଥାଏ । ଗଛରେ କୋକିଳର କୁହୁତାନ କମ୍ପି ଉଠୁଥାଏ । ଆମ୍ବ ବଉଳର ବାସ୍ନା କୋଉ ଅତରଠାରୁ କମ୍ ନୁହେଁ । ବସନ୍ତର ବାସ୍ନା ସାଙ୍ଗକୁ ପ୍ରେମର ବାସ୍ନା ସମ୍ପୂର୍ଣ୍ଣା ଏବଂ ସଂଯୋଗ ଦୁଇ ଜଣଙ୍କୁ ସୁବାସିତ କରୁଥାଏ । ବାସ୍, କେତେ ଆରାମରେ ଉଡି଼ ବୁଲୁଥାନ୍ତି ପ୍ରେମୀ ଯୁଗଳ । ବସନ୍ତର ସୁଲସୁଲିଆ ପବନରେ ସମ୍ପୂର୍ଣ୍ଣାର କେଶ ଉଡି଼ ବୁଲୁଥାଏ । ନୂଆ ଷ୍ଟାଇଲ କରିଥିବା କେଶରୁ ଦୁଇ ଚାରିଟା ଆସି ଆଖି କଡ଼ରେ ଲାଖି ଯାଉଥାଏ । ଯାହାକି ସମ୍ପୂର୍ଣ୍ଣାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରି ଦେଉଥାଏ ପ୍ରକୃତିର ବର୍ଣ୍ଣନା ବଡ଼ ବିଚିତ୍ର, ସିଏ ପୁଣି ଆଜି କାଲିକା ଟୋକାଙ୍କ ପ୍ରେମ । ଫାଇଲିନ, ହୁଡ୍ହୁଡ୍ ଭଳି କୁଆଡୁ ଆସି କୁଆଡ଼େ ପଳାଇବ ତା’ର ଠିକ୍ ଠିକଣା ନାହିଁ । ଅମାନିଆ ପବନଟା ନ ମାନିକି ଖାଲି ଦେହଟାକୁ ତତ୍ଲା କରିଦେଉଥିବ । ସମ୍ପୂର୍ଣ୍ଣାର କୋମଳ ଗୋରା ରଙ୍ଗର ଦେହଟା, ତତ୍ଲା ପବନରେ ଝାଉଁଳି ଯିବନି ତ! ହେଲେ କିଏ ଜାଣିଥିଲା, ସେହି ବସନ୍ତର ସୁଲ୍ସୁଲିଆ ପବନ ଯେ ଦିନେ ବୈଶାଖର ତତ୍ଲା ପବନ ପରି ସମ୍ପୂର୍ଣ୍ଣାର ସେଇ କୋମଳ ଦେହଟାକୁ ଝାଉଁଳାଇ ଦେବ ।
ମଡର୍ଣ୍ଣ ଦୁନିଆର ମଡର୍ଣ୍ଣ ଟୋକା ମାନେ ଖାଲି ଟାଇମ୍ ପାସ୍ କରିବାରେ ଲାଗିଛନ୍ତି । କିଏ ଜାଣିଥିଲା, ଏକଦା କଲେଜର ହିରୋଇନ ଥିବା ସେଇ ସମ୍ପୂର୍ଣ୍ଣାର ଜୀବନ କାହାଣୀଟା ଆଜି ଅସମ୍ପୂର୍ଣ୍ଣ ହେଇଯିବ । ଜୀବନର କାହାଣୀକୁ ସମ୍ପୂର୍ଣ୍ଣ କରିବାକୁ ଆଜି ବି ପ୍ରତୀକ୍ଷାରେ ଅଛି ସମ୍ପୂର୍ଣ୍ଣା ।
ଚାରୁ ଚନ୍ଦନ ଜଣେ ଯୁବ ସାମ୍ବାଦିକ । ସାହିତ୍ୟରେ ରୁଚି ରଖନ୍ତି । କବିତା, ଉପନ୍ୟାସ ରଚନା କରୁଛନ୍ତି । ବିଶେଷ ଭାବେ ଇଣ୍ଟରନେଟ୍ ମାଧ୍ୟମରେ ବେଶି ଲେଖାଲେଖି କରି ପାଠକୀୟ ଆଦୃତି ପାଇପାରିଛନ୍ତି ।