ଶରତ କୁମାର ରାଉତ

“ମୋ କଥା ମାନିବ?” କିଛିକ୍ଷଣ ପୂର୍ବରୁ ବାହାରୁ ଫେରି ଘରେ ନିରବରେ ବସିଥିବା ସାଗରର ଡ଼ାହାଣ ହାତ ପାପୁଲି ଧରି ଖୁବ୍ ନରମ ସ୍ୱରରେ କହିଲା ଶର୍ମିଳା । ଏଭଳି କି କଥା ହୋଇପାରେ ଯେ, ହଠାତ୍ ଶର୍ମିଳା କଥାଟେ ମାନିବାକୁ ଅନୁରୋଧ କରୁଛି । ବିନା ଅନୁରୋଧରେ ତ ସେ ଯେତେବେଳେ ଯାହା କହିଛି, ସାଗର ମାନିଛି! ଏପରିକି ବେଳେବେଳେ ଏଥିପାଇଁ ସାଗରକୁ ହଜାର ହଜାର ଟଙ୍କାର କ୍ଷତି ସହିବାକୁ ବି ପଡ଼ିଛି! କିନ୍ତୁ ଶର୍ମିଳା କେବେ ଜାଣିବାକୁ ଚାହିଁନି ସାଗରର ଅବସ୍ଥା । ତିନିତୁଣ୍ଡରେ ଛେଳି କୁକୁର ଭଳି ସେ ମାନି ନେଇଛି ଶର୍ମିଳାର ସବୁ କଥା! ଚାହିଁଥିଲା ଫ୍ରିଜ୍‌,ଏସି, ରଂଗିନ୍ ଟି.ଭି.,ଗ୍ରାଇଣ୍ଡ୍‌ର,ସୋଫାସେଟ୍‌,ଦାମିକା ପଲଙ୍କ,ଭଲ ଭଡ଼ାଘର, ଗାଡ଼ି ଆଉରି କେତେ କ’ଣ – ସବୁ ପୂରଣ କରିଛି! ତା’ ଭାଇ ଶିଶିରର ଆର୍ଥିକ ଅବସ୍ଥା କଥା ବର୍ଣ୍ଣନା କରି ସାହାଯ୍ୟ କରିବା ପାଇଁ କହିଥିଲା,ତାହା ବି ପୂରଣ କରିଛି! କିଛି ନଗଦ ଟଙ୍କା ସହ ବାହାଘର ବେଳେ ତାଙ୍କ ଘରୁ ପାଇଥିବା ସୁନାଚେନ୍ ଓ ମୁଦିଟା ବି ଦେଇଛି! ମାସେ ତଳେ ଶିଶିର ଆସିଥିଲା । ଜାଲିଆତି କରି ପନ୍ଦର ହଜାର ଟଙ୍କା ନେଇଗଲା ସାଗର ଠାରୁ! ସେକଥା ମନେ ପଡ଼ିଲେ, ସାଗରର ରାଗ ଚରମ ସୀମା ଟପିଯାଏ । ହେଲେ ଘରେ ପାଦଦେବା ମାତ୍ରେ ସ୍ୱାଭାବିକ ଅବସ୍ଥାକୁ ଫେରି ିଆସେ । ଛିଃ, ଏତେ ନୀଚ ହୋଇପାରେ ମଣିଷ! ଦାରିଦ୍ର‌୍ୟତା’ ସବୁ ମଣିଷର ରହିଛି ! ଜୀବନ ସହ ସମସ୍ୟା ତ ଓତଃପ୍ରୋତ ଭାବେ ଜଡ଼ିତ । ସମୟ ସହ ମୁକାବିଲା ନ କରି ଚୋରଙ୍କ ପରି ବିଶ୍ୱାସ ଘାତକତା କ’ଣ ମାନବିକତା? …ତଥାପି ସାଗର ସେଦିନ ପାଟି ଖୋଲି ନଥିଲା । କାଳେ ଶର୍ମିଳା ଦୁଃଖ କରିବ ! ସେ ତ କଦାପି ଦେଖିପାରିବନି ଶର୍ମିଳାର ଆଖିର ଲୁହକୁ! ବିଚାରର ଭାର ଶର୍ମିଳା ଉପରେ ନ୍ୟସ୍ତ କରିଥିଲା ସିଏ । ସିଏ କାହିଁକି କହିଥା’ନ୍ତା ସଂପର୍କ ଛିନ୍ନ କରିବା ଶିଶିର ସହ! ଏଘଟଣାକୁ ଶର୍ମିଳା ଯଦି ମାନିନେବ, ସେ କ’ଣ ପାରିବନି?….. ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉଚିତ୍ ବୁଝାମଣାରେ ତ ସୁନାର ସଂସାର ତିଆରି ହୋଇଥାଏ । ଶର୍ମିଳା ଯଦିଓ ନିଜ ସଂସାରର ଉନ୍ନତି ନଚାହୁଁଛି, ଭବିଷ୍ୟତ ଅବସ୍ଥା ଚିନ୍ତା ନକରୁଛି, ତା’ର କ’ଣ ଅଛି କହିବାରେ!……ହୁଏତ ଏହା ତା’ର ଅଭିମାନ କିମ୍ବା ଶର୍ମିଳାକୁ ଅତି ଭଲ ପାଇବା ହୋଇପାରେ! ଶର୍ମିଳା ମୁହଁରେ ଭାଷା ନଥିଲା ଅନ୍ୟ କଥା ଭଳି ଚଳେଇ ନେବାକୁ ଭାଇର ପକ୍ଷ ଧରି । ଯେହେତୁ ଅନ୍ୟ କଥା ଓ ଏକଥା ଭିତରେ ଥିଲା ଆକାଶ-ପାତାଳ ଫରକ୍‌! ତା’ର ନରମ ଭାବ ଯୋଗୁଁ ଶିଶିର ଏତେବାଟ ଆଗେଇ ଯାଇଛି ବୋଲି ଭାବି ନିଜକୁ ଅପମାନ ବୋଧ କରୁଥିଲା ଶର୍ମିଳା । ମନେ ମନେ କାନ୍ଦିଥିଲା ଯେତିକି, ଶିଶିରକୁ ଗାଳି କରିଥିଲା ସେତିକି । ବଡ଼ ଭାଇ ହୋଇ ନଥିଲେ ହୁଏତ ସେ ତା’କୁ ଶାସନ କରି ପାରିଥା’ନ୍ତା ! ତଥାପି କିଛିଦିନ ଅପେକ୍ଷା କରିବାକୁ ଭାରି ହୃଦୟରେ କହିଥିଲା ଶର୍ମିଳା । ଆଉ କୌଣସି ପ୍ରତିକ୍ରିୟା ପ୍ରକାଶନକରି ସେକଥା ବି ମାନିନେଇଥିଲା ସାଗର ବାଧ୍ୟ ଶିଶୁଭଳି । ଆଶ୍ଚର୍ଯ୍ୟ ହୋଇଥିଲା ଶର୍ମିଳା । ଏତେବଡ଼ ଘଟଣାରେ କୌଣସି ପ୍ରତିକ୍ରିୟା ପରିବର୍ତ୍ତେ ସାଗରର ସେଇ ଶାନ୍ତ, ସରଳ ବ୍ୟବହାରରେ ସ୍ତବ୍‌ଧ ହୋଇଯାଇଥିଲା ସିଏ । ପୂର୍ବ କଥାଗୁଡ଼ିକୁ ମନେ ପକାଇ ଅନୁତପ୍ତ ହୋଇ ଥିଲା । ଶିଶିରର ଏଭଳି କାଣ୍ଡ ପାଇଁ ସେ ନିଜେ ଦାୟୀ ବୋଲି ଅନୁଭବ କରୁଥିଲା । ସେ କରିଛି କ’ଣ ସ୍ତ୍ରୀ ହିସାବରେ? ଖାଲି ପ୍ରତାରଣା କରିଛି,ସବୁବେଳେ ବାପ ଘରକୁ ଉପରେ ରଖି ଶାଶୂ ଘରକୁ ନୀଚ ଦେଖିଆସିବା ପ୍ରତାରଣା ନୁହେଁ ତ ଆଉ କ’ଣ ?…… ପଇସା କ’ଣ ସଂପର୍କଠୁ ବି ଉଚ୍ଚରେ? କୋଉ ଭାଇ କ’ଣ ତା’ ସାନ ଭଉଣୀର ସୁଖର ସଂସାର ଭାଙ୍ଗିବାକୁ ଚାହିଁବ? ତା’ର ଅତି ଆପଣାର ଭାଇ ଯେ ତା’ ସ୍ୱାମୀଙ୍କୁ ବାରମ୍ବାର ପ୍ରତାରଣା କରିଚାଲିଛି, ତା’ର ଆଉ ବୁଝିବାରେ ବାକି ନଥିଲା । ଶିଶିର….ତା’ର ଅତି ଆପଣାର ଭାଇ, ପିଲାଦିନେ ଯିଏ ତା’ ପାଇଁ ସବୁକିଛି ସହିପାରେ, ତା’ର ସବୁ ଅଳି-ଅଝଟ ଯିଏ ପୂରଣ କରେ, ତା’ର ଟିକେ ଦୁଃଖ ଦେଖି ଯିଏ କାନ୍ଦି ପକାଏ, କ’ଣ ହୋଇଛି ବୋଲି ବାରମ୍ବାର ପଚାରି ବ୍ୟସ୍ତ ହୋଇପଡ଼େ- ଯେମିତି ଆକାଶରୁ ଚାନ୍ଦ ଆଣି ଦେଇ ପାରିବ!!!…ଅଥଚ ସେହି ଭାଇ ଆଜି ତା’ ଅବସ୍ଥା କଥା ଟିକେ ଭାବୁନି?….ହୋଇଛି କ’ଣ ତା’ର??….ସେ କ’ଣ ଏତିକି ଚିନ୍ତା କରିପାରୁନି, ସାଗର ଯଦି ମୋ ଭଉଣୀକୁ କିଛି ଗାଳି କରେ କି ଅତ୍ୟାଚାର କରେ!… ପିଲାଦିନୁ ବାହାହେବା ପର୍ଯ୍ୟନ୍ତ ତା’ ପ୍ରତି ଶିଶିରର ଅନାବିଳ ସ୍ନେହ-ଶୟଦ୍ଧା ଓ ଏବେର ଆଚରଣକୁ ସେ ତା’ ଜ୍ଞାନରେ ତଉଲୁଥିଲା । ଶେଷକୁ ଅନୁମାନ କରିଥିଲା, ଶିଶିରର ତା’ପ୍ରତି ପିଲାବେଳ ଭଳି ସ୍ନେହ ନାହିଁ, ଶ୍ରଦ୍ଧା ନାହିଁକି ଶୁଭେଚ୍ଛା ନାହିଁ । ବରଂ ସାନ ଭଉଣୀର ସଂସାର ଉଜାଡ଼ି ଦେଇ ସେ ନିଜ ସଂସାର ପ୍ରତିଷ୍ଠା କରିବାକୁ ଚାହୁଁଛି !…. ନା, ବହୁତ ହୋଇଗଲା, ଆଉ ସେ ଭାଇକୁ କ୍ଷମା ଦେବନି! ଦରକାର ଯଦିଓ ମାଗିଥିଲେ ଦିଆଯାଇଥାନ୍ତା!!…ହେଲେ…..! ଖୁବ୍ ଅନୁତପ୍ତ ହୋଇଥିଲା ଶର୍ମିଳା । ତଥାପି ଏକଥା ଭୁଲିଯିବା ପାଇଁ ଶର୍ମିଳା ଅନୁନୟ ହୋଇ କହିଥିଲା ସାଗରକୁ । କ୍ଷମା ମାଗି ନେଇଥିଲା ନିଜର ଦୋଷ ପାଇଁ! ଏହା ମଧ୍ୟ ସାଗର ମାନି ନେଇଥିଲା ବିନା ଦ୍ୱିଧାରେ । ହେଲେ ପୁଣି କି କଥା ମାନିବାକୁ ପଡ଼ିବ ବୋଲି ଭାବି ସନ୍ଦିହାନ ହୋଇଗଲା ସାଗର । ଏଥର ସାଗର ଶର୍ମିଳାକୁ କୋଳେଇ ଆଣିଲା । ତା’ ମୁହଁକୁ ଖୁସିରେ ଚାହିଁଦେଇ କହିଲା, “ଆରେ, ଶିଶିର ଭାଇ ହୁଏତ ଅସୁବିଧାରେ ପଡ଼ି ଏମିତି କରିଛନ୍ତି ! ମୁଁ ତ ସେକଥା ଭୁଲି ସାରିଲିଣି! ଦେଖିବ ରୁହ, ଦିନେ ଦୁଇଦିନ ଭିତରେ ଆସି ସେ ନିଜ ଭୁଲ୍ ସବୁଥର ଭଳି ସ୍ୱୀକାର କରିବେ ! ଯେତେହେଲେ ତ ସେ ତମ ବଡ଼ଭାଇ ! ଏଥର କ’ଣ କୁହ, ମୁଁ ତମ କଥା ମାନିବି ନିଶ୍ଚୟ ! କୋଉ କଥା ମାନିନି କି? ପରସ୍ପର ଭିତରେ ଉଚିତ ବୁଝାବଣାରେ ତ ସ୍ୱାମୀ-ସ୍ତ୍ରୀର ସୁନାର ସଂସାର! କୁହ, ନିଶ୍ଚୟ ମାନିବି!” କିଛିଦିନ ହେଲା ଶର୍ମିଳା ଅନ୍ୟ ମନସ୍କ ରହୁଛି । କିଛି ଗୋଟେ ଭାବନାରେ ମଗ୍ନ ରହୁଛି । ହୁଏତ ଭାଇକୁ ଡ଼କେଇ ଆଣିବା ପାଇଁ କିମ୍ବା ତାଙ୍କ ଘରକୁ ବୁଲିଯିବା ପାଇଁ ଶର୍ମିଳା କହିବ ବୋଲି ସାଗର ନିଶ୍ଚିତ ଥିଲା । “ସତ କହୁଛ, ମାନିବ?” ଶର୍ମିଳା ପୁଣି ଥରେ ଦୋହରାଇଲା ନିଜର ଅଭିଳାଷ । “ମୁଁ ଜାଣେ, ତମେ କେବେ ଭୁଲ୍ କଥା କହିବନି! ଏଣୁ ନ ମାନିବାର ପ୍ରଶ୍ନ ଆସିଲା କୋଉଠୁ?”ସାଗର ଶପଥବଦ୍ଧ ଭଳି ପ୍ରତିଶ୍ରୁତି ଦେଲା । “ମୁଁ ସତ କହୁଛି, ସଂପର୍କ କାଟିଦେବା ଆମ ଘର ସହ! ଜୀବନରେ କାହାରି ମୁହଁ ବି ଚାହିଁବିନି! ଚିରଦିନ ପାଇଁ ଭୁଲିଯିବି ଯେ, ମୋର ବାପଘରଟିଏ ଅଛି ବୋଲି । କ’ଣ କହୁଛ ?” ଶର୍ମିଳାର କଥା ଶୁଣି ମନେ ମନେ ହସରେ ଉଡ଼େଇ ଦେଲା ସାଗର । ମୁଣ୍ଡଟା ବୋଧେ ବିଗିଡ଼ି ଯାଇଛି ଶର୍ମିଳାର । ତାନହେଲେ ବାପ ଘରକୁ ଛାଡ଼ି ରହିପାରିବ ଏମିତି ! ବାପ ଘରର ଅଭୁଲା ସ୍ମୃତି ଓ ଭବିଷ୍ୟତ ସଂପର୍କରେ ଟିକେ ବି ଧାରଣା ନାହିଁ ତା’ର! ଯେତେଯାହା ହେଲେ ବି ବାପଘରକୁ ଛାଡ଼ି କୌଣସି ଝିଅ କ’ଣ କେବେ ସୁଖରେ ବଞ୍ଚିପାରେ?…… ଏହା ତା’ର ଏକ ସାମୟିକ ନିଷ୍ପତ୍ତି ବୋଲି ସାଗର ନିଶ୍ଚିନ୍ତ ଥିଲା । ଅନେକ ବୁଝେଇଥିଲା ସାଗର । ମାନିନଥିଲା ଶର୍ମିଳା । ଏହା ହିଁ ତା’ର ଶେଷ ନିଷ୍ପତ୍ତି ବୋଲି ଶର୍ମିଳା କହିଥିଲା ସଫା ସଫା । ମାତ୍ର ଏଇ ନିଷ୍ପତ୍ତିର କୌଣସି ସ୍ଥାୟିତ୍ୱ ନଥିବା ସାଗର ନିଃସନ୍ଦେହ ଥିଲା । ସାଧାରଣତଃ ଝିଅଟି ଯେତେ ବଡ଼ ଘରେ ବାହା ହେଲେ ବି, ସ୍ୱାମୀ ଯେତେ ବଡ଼ ପଦବୀରେ ଥିଲେ ବି, ମନରେ ଭାସି ଉଠେ ବାପଘରର ସ୍ମୃତି! ଶାଶୂଘରେ ହଜାର ହଜାର ଟଙ୍କାର ଶାଢୀ ପିନ୍ଧୁଥିଲେ ବି, ତା’ ମନ ଉଡ଼ିବୁଲେ ବାପଘରର ସୂତା ଶାଢୀ ଖଣ୍ଡକ ପାଇଁ! ଆଉ ମାଂସ ପଲଉ ଖାଉଥିଲେ ବି ବାପଘରର ତୋରାଣୀ କଥା ମନେପଡ଼େ!ସର୍ବୋପରି ପୂନେଇ ପର୍ବକୁ ବାପଘରର ଖଇ ମୁଠାକୁ ଅପେକ୍ଷା କରେ ଚାତକୀ ପରି! ଶର୍ମିଳା ଏଥିରୁ ବାଦ୍ ପଡ଼ନ୍ତା ବା କିପରି?…. ସେଥିପାଇଁ ପର୍ବପର୍ବାଣୀରେ ମଳିନ ପଡ଼ିଯାଏ ତା’ ମୁହଁ! କାହାକୁ ଅପେକ୍ଷା କରିବା ଭଳି ଜଣାଯାଏ! …ଏହା ଅନୁଭବ କରିପାରେ ସାଗର । ସାଗର ଓ ରବି ବସିଛନ୍ତି ଡ଼୍ରଇଁ ରୁମ୍‌ରେ । ଏମିତି ସେ ଆସେ ସବୁଥର ଭୁବନେଶ୍ୱରରୁ ଆସିଲେ । ସେ ସାଗରର ବାଲ୍ୟସାଥୀ-ସହପାଠୀ ଓ ଏକମାତ୍ର ଅନ୍ତରଙ୍ଗ ମଧ୍ୟ । ଡ଼ାଏନିଙ୍ଗ୍ ଟେବୁଲ୍ ଉପରେ ଚା’ କପ୍ ରଖୁଥିବା ବେଳେ ହଠାତ ଶର୍ମିଳାର ପୁରୁଣା ସ୍ମୃତି ଖିଆଲ ଆସିଲା । ଏମିତି ସେ କେତେଥର ଚା’କପ୍ ଆଣି ଥୋଇଛି ସାଗର ଓ ତା’ଭାଇ ସାମ୍ନାରେ । କେତେ ଆଳାପ-ଆଲୋଚନା କରିଛି ସେମାନଙ୍କ ସହ । ଆଜି ହଠାତ୍ ତା’ ମୁହଁରୁ ‘ଭାଇ ଡ଼ାକ ଉତୁରି ପଡ଼ି ଅଟକିଗଲା ପାଟି ପାଖରେ । ଭ୍ରମିଗଲା ତା’ ମନ । ପୁଣି ସ୍ମୃତି ରାଜ୍ୟରେ ଭାସି ବୁଲିଲା ସିଏ । …..ଟିକେ ସମୟ ପରେ ସାଗରକୁ ଡ଼ାକି ଆରପଟ ଘରେ ଅନୁନୟ ଭାବେ କହିଲା ତା’ ମନର କଥା! ଏକଥା ମଧ୍ୟ ମାନିନେଲା ସାଗର ବିନା କୌଣସି ପ୍ରତିକ୍ରିୟାରେ । ଯେମିତି ହେବା କଥା, ସେହି ପର୍ବଟି ଶେଷ ହେଲା । ରବି ଆନନ୍ଦରେ ଗ୍ରହଣ କରିନେଲା ଶର୍ମିଳାକୁ ଭଉଣୀ ଭାବରେ! ଏବେଠାରୁ ରବି ଓ ସାଗର ଭିତରେ ପୁରୁଣା ସମ୍ବୋଧନ ପରିବର୍ତ୍ତେ ଆରମ୍ଭ ହୋଇଗଲା ଏକ ସଶକ୍ତ ବନ୍ଧୁତ୍ୱର ସଂପର୍କ! ଧୀରେ ଧୀରେ ବଦଳିବାକୁ ଲାଗିଲା ଶର୍ମିଳାର ମନ । ଭାଇ ଭଳିଆ ଭାଇଟି ପାଇଛି! ପ୍ରଥମ ଭେଟରେ ଅନୁଭବ କରିପାରିଛି ଭାଇର ସ୍ନେହ! ସବୁ ପୂନେଇ ପର୍ବକୁ ଖୋଜିବ ବୋଲି କହିଛି! ତା’ କଅଁଳା ଝିଅ ଲୁସିକୁ ଗେଲ କରି ଯେତେବେଳେ କହୁଥିଲା,ମୋର ତ ଭଉଣୀ ନାହିଁ,ହେଲେ ଲୁସିର ‘ମାମୁଁ’ ଡ଼ାକରେ ମୁଁ ଯେ କେତେ ଖୁସି ହେବି, ସେକଥା ଏବେ ଭାବିପାରୁନି ! ଆଉ ଆମର ନୀତୁ ତ ଭାଣିଜୀକୁ ଦେଖି ଅଡ଼ି ବସିବ, ମୁଁ ଆଦୌ ଛାଡ଼ିବିନ-ଲୁସି ମୋର ଝିଅହୋଇ ରହିବ!…ସେତେବେଳେ ଶର୍ମିଳାର ମନ କୋଉ ଦୂର ଆକାଶରେ ଉଡ଼ୁଥିଲା କେଜାଣି!!….ସେଦିନୁ ତା’ ମନ ଭଲ ନାହିଁ । ଆତ୍ମା ଉଡ଼ିବୁଲୁଛି ରବି ଭାଇ ପାଖରେ! ଭୁବନେଶ୍ୱର ଯିବ । ତା’ ଭାଇ ବଡ଼ ଠିକାଦାର, ନୀତୁ ଭାଉଜ କୁଆଡ଼େ ବହୁତ ଭଲ! ଚିଠି ଦେଇଛନ୍ତି ଯିବାକୁ! ନଣନ୍ଦ-ଭାଉଜ କେତେ ଆଡ଼େ ବୁଲିବେ!ବାପଘର ଖାନା ଖାଇ ରନ୍ଧାବଢାରୁ ତ ଟିକେ ନିସ୍ତାର! ବସା ଘରେ ନିତି ବନ୍ଧୁବାନ୍ଧବ! ଭିଡ଼ ଏମିତି ଯେ ବିରକ୍ତି ଲାଗିଲେ ବି ସାଗର ମୁହଁରେ କିଛି କହିପାରୁନି । ତାଙ୍କ ଘର ସହ ଭଲ ଥିଲେ କେତେ ଥର ବୁଲି ଆସନ୍ତାନି! ଧରମ ଭାଇ ହେଲେ ବି ବାପଘର ତ! ଭୁବନେଶ୍ୱର ଯିବାକୁ ଶର୍ମିଳା ଲଗେଇଲା ସାଗର ସାଙ୍ଗରେ । “ଆରେ ଶର୍ମିଳା, କ’ଣ ଭାବୁଛ ଏ ଦୁନିଆକୁ?..ନିଜର ଯେତେବେଳେ ପର ହେଲେ,ପର ଯେନିଜର ହୋଇ ରହିବେ, ଏକଥା ଭାବିପାରୁଛ କେମିତି??…”ସାଗର ମୁହଁରୁ କଥା ଛଡ଼େଇ ନେଇ ଶର୍ମିଳା ଚଟ୍ କିନା କହିଲା, “କି ହୋ, ପର କିଏ? କାହାକୁ କହୁଛ ପର?…ମୋ ଭାଇ ପାଖକୁ ମୁଁ ଯିବି, ଏଥିରେ ଭାବିବାର କ’ଣ ଅଛି?….ଜାଣିଛ, ମୋ ଭାଇର ଶାଢୀଟା ମତେ କେମିତି ସାଜିବ!ମୋ ଭାଉଜ ହାତରେ କିଣା ଡ଼୍ରେସ୍ ତମ ଝିଅକୁ କେମିତି ସାଜିବ, ଜାଣ! ଆଉ ନିଜ ବାପଘର ନଦେଲେ କ’ଣ ହେଲା, ମୋ ଭାଇ ଯେ ତମକୁ ଦାମିକା ଡ଼୍ରେସ୍ ଦେବେ!….” ଖୁବ୍ ଭାବ ବିହ୍ୱଳ ହୋଇ କହିଥିଲା ଶର୍ମିଳା । ଆଉ ତା’ କଥାକୁ କାଟିବାର ସାମର୍ତ୍ୟ ନଥିଲା ସାଗରର । ପହଞ୍ଚ୍‌ôଲେ ଭୁବନେଶ୍ୱରର ଓମ୍‌ଫେଡ଼୍ ଛକରେ । ତାପରେ ବିଡ଼ିଏ କଲୋନୀ ଭିତରେ ଏମ୍ ଆଇଜି ୧/୭୬ ନମ୍ବର କ୍ୱାର୍ଟର । ରବି ଘରେ ନଥିଲା ନୀତୁ ସେମାନଙ୍କୁ ଚିହ୍ନିବାରେ ବ୍ୟତିକ୍ରମ ନଥିଲା ।……ଆଶ୍ୱସ୍ତ ହେଲା ଶର୍ମିଳା । ଉନ୍ମନା ହୋଇ ଉଠିଲା ସୁସ୍ଥ-ସୁନ୍ଦର ପରିବେଶରେ । ସନ୍ଧ୍ୟାକୁ ରବି ଆସିବା ପରେ ଆଉରି ଉଦ୍ଦୀପନାରେ ଉଛୁଳି ଉଠିଲା ପରିବେଶ! କିନ୍ତୁ ଶର୍ମିଳା ମନରେ ଆଘାତ ଲାଗିଥିଲା ଯେତେବେଳେ ରବି ଓ ନୀତୁ କହିଥିଲେ,ଏବେ ସେମାନେ ଭାରି ବ୍ୟସ୍ତ! ଏଇ ଦୁଇଦିନ ଭିତରେ ଗୋଟେ ବଡ଼ କାମର ଟେଣ୍ଡର ଧରାଯିବ! ସହଜେ କାଲି ସନ୍ଧ୍ୟାରେ ନୀତୁର ବଡ଼ ଭିଣୋଇ,ଯିଏ ଝାରସୁଗୁଡ଼ାରେ ବିଦ୍ୟୁତ୍ ନିର୍ବାହୀ ଯନ୍ତ୍ରୀ ଗୋଟେ ଜରୁରୀ କାମରେ ଏଠି ପହଞ୍ଚିବେ! ଆଠ ଦଶ ଦିନ ରହି ପାରନ୍ତି!…… ସେମାନେ ଆସିବାର ଚାରି ଦିନ ହୋଇ ଗଲାଣି । ୟା’ ଭିତରେ ସାଗର ଶର୍ମିଳା ଓ ଲୁସିକୁ ଧରି ମନ୍ଦିରମାଳିନୀ ଭୁବନେଶ୍ୱରର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲି ସାରିଛନ୍ତି! ଖୁବ୍ ଆତ୍ମସନ୍ତୋଷ ପାଇଛନ୍ତି ଲିଙ୍ଗରାଜ ମନ୍ଦିର, ଧଉଳିଗିରି ଓ ଖଣ୍ଡଗିରି ଓ ନନ୍ଦନକାନନ ବୁଲି ଦେଖିଲାବେଳେ!… ସକାଳୁ ମୂଷଳ ଧାରାରେ ବର୍ଷା ବର୍ଷୁଛି । ତଥାପି ସେମାନେ ନିଜ କର୍ମସ୍ଥଳ କେନ୍ଦ୍ରାପଡ଼ାକୁ ଫେରି ଆସିବାକୁ ପ୍ରସ୍ତୁତ ହେଲେ । ବିଦାୟ ସମ୍ବର୍ଦ୍ଧନା ପର୍ବ ସରିଲା ପରେ ବାହାରି ଆସିଲେ ସେମାନେ । ଇତିମଧ୍ୟରେ ପ୍ରାୟ ଏକ ଘଣ୍ଟା ବିତି ଯାଇଥିଲେ ବି କେହି କାହା ସହିତ କଥା ହେଉନଥିଲେ । କଳାହାଣ୍ଡିଆ ବାଦଲ ପରି ମଳିନ ପଡ଼ି ଯାଇଥିଲା ଶର୍ମିଳାର ମୁହଁ! ଦ୍ରୁତ ଗତିରେ ଗଡ଼ି ଚାଲିଥିବା ବସ୍ ଭିତରେ ସାଗର ଶର୍ମିଳାର ମୁହଁକୁ ଟିକେ ଚାହିଁ ଦେଇ ପୁଣି ନିଜ ମୁହଁ ତଳକୁ ମାଡ଼ି ଦେଉଥିଲା । କିଛି ସମୟ ଧରି ଏଇ ଅବସ୍ଥା ଚାଲି ରହିଥିଲା । ଏପର୍ଯ୍ୟନ୍ତ ସାଗର ନିଜକୁ ଆୟତ୍ତରେ ରଖିଥିଲେ ହେଁ ପାଟି ଖୋଲିଥିଲା । ଯାହା ଶର୍ମିଳା ପାଇଁ ଅତି ମର୍ମାନ୍ତିକ ବୋଲି ସାଗର ଜାଣିଥିଲା, ସେହି କଥା ହିଁ ସେ ପଚାରିଲା, “ଭାଇ-ଭାଉଜ କେମିତି ଲାଗିଲେ ଶର୍ମିଳା?…” ଭିତରେ ଭିତରେ ଅନୁତପ୍ତ ହୋଇ ଚାଲିଥିବା ଶର୍ମିଳାକୁ ଏଭଳି ପରିହାସ ମୂଳକ ପ୍ରଶ୍ନ ଘା’ରେ ଚୁନ ଦେବା ଭଳି ଖୁବ୍ ବାଧିଲା । ମାତ୍ର ଏଥିରେ ମଣିଷ ଜୀବନର ଚଲାପଥରେ ଅନେକ କିଛି ଶିଖିବାର ଓ ମଣିଷ ପଣିଆକୁ ଚିହ୍ନିବାର ଅଛି ବୋଲି ସେ ପରକ୍ଷଣରେ ଭାବିଲା । ମନେ ମନେ ସେ ସାଗରର ପ୍ରଶ୍ନକୁ ସ୍ୱାଗତ କଲା ! ଏହାର ଉତ୍ତର ସେ ମୂଳରୁ ଶେଷ ପର୍ଯ୍ୟନ୍ତ ଟିକିନିଖି କହିବ! ହେଲେ କ’ଣ କହିବ?…..ମନ ଭିତରେ ସ୍ମୃତି ମନ୍ଥନ କରି ସାଉଁଟିବାକୁ ଲାଗିଳା ସେହି ଚାରିଦିନର ଘଟଣାବଳୀକୁ ।… ନୀତୁର କୁତ୍ସିତ ବ୍ୟବହାର ସବୁ ପ୍ରଥମେ ଗୋଟି ଗୋଟି କରି କହି ଦେବାକୁ ତା’ର ଇଚ୍ଛା ହେଲା । ଲୁସି ପରିସ୍ରା କରିଦେଲେ କିପରି ସେ ମୁହଁ ଛିଞ୍ଚାଡ଼ି କଥା କହେ ଆଉ ସାଗର ରବି ଭାଇ ସହିତ ମାର୍କେଟକୁ ଯାଇଥିଲା ବେଳେ କାଲି ସନ୍ଧ୍ୟାରେ ଲୁସିକୁ ଖଟରୁ ନୀତୁ ଭାଉଜ ନିଜେ ତଳେ ପକାଇ ଦେଇଥିଲେ ଓ ମୁଁ ତା’ କାନ୍ଦ ଶୁଣି ବାଥ୍‌ରୁମ୍‌ରୁ ଆସିବାପରେ କିପରି ସେ ପାଖରେ ଛିଡ଼ା ହୋଇ ଦେଖୁଥିଲା, ଏସବୁ କହିଦେବାକୁ ବି ଇଚ୍ଛା ହେଉଥିଲା । ସେମାନେ ହୋଟେଲ୍ ରୁ ମଗେଇ ଖାଆନ୍ତି ଅଥଚ ସେମାନଙ୍କ ପାଇଁ ରାନ୍ଧିବାକୁ ପଡ଼ୁଥିବାରୁ ସେ ଅସୁସ୍ଥ ବୋଲି କିପରି ମୁହଁ ହଲେଇ କହେ, ଏକଥା ମଧ୍ୟ କହିଦେବାକୁ ଭାବୁଥିଲା ।…ପୁଣି ଆଗତୁରା ସଫେଇ ଦେବାକୁ ଚାହୁଁଥିଲା, ଏମାନେ ଆମକୁ ଜାଣନ୍ତିନି, ଏବେ ବି ଆମ ବସାରେ କେତେ ଲୋକ ଖାଉଥିବେ! ହେଲେ ଆମକୁ କେଇଦିନ ଦେଇ ଏମାନେ ଚିତ୍‌ପଟାଙ୍ଗ୍‌! କ’ଣ ନା ଆମର ଅଧିକ ଖର୍ଚ୍ଚ!….ଛିଃ, ଆଉ ଦିନେ ବି କୋଉଠିକୁ ଯିବିନି!…ଇୟେ ଚାରି ଦିନ ଯେମିତି ବ୍ରିଟିସ୍ ସରକାରର ଶାସନାଧୀନ ଥିବା ପରି ଲାଗିଲା!…ଇୟେ ଏତେ ଛୋଟ ଲୋକ! ମଣିଷର କାମରେ ତ ଛୋଟ ବଡ଼ ଜଣାପଡ଼େ! ଆଉ ଏମାନେ ନିଜକୁ ବଡ଼ଲୋକ କିପରି ଭାବୁଛନ୍ତି କେଜାଣି! ନିଜର ଭାଉଜ ବୋଲି ଭାବି ନଣନ୍ଦର ଭୂମିକା କଲାବେଳକୁ ସେ ଭାବୁଛି କ’ଣ ନା, ଇୟେ ବେକୁବ୍‌..ଛୋଟଲୋକ-କିଛି ଜାଣିନି!….ଆଉ ତା’ର ପ୍ରବଳ ଇଚ୍ଛା ବି ହେଉଥିଲା କହିବାକୁ, ସବୁ କଥା ଛାଡ଼, ମୋ କଅଁଳା ଛୁଆଟା ପାଇଁ ଦଶ ଟଙ୍କିଆ ଚଡ଼ିଟେ ଦେବା ପାଇଁ ଯାହା ପାଖରେ ଅକଲ ନାହିଁ…… ସାଗର ଶର୍ମିଳା ମୁହଁକୁ ଅନେଇ କ’ଣ ସବୁ ଭାବୁଥିଲା । ଲୁସିର ଅତର୍କିତ କାନ୍ଦଣାରେ ଦୁହେଁ ଫେରି ଆସିଲେ ସେମାନଙ୍କ ନିତି ଦିନିଆ ସଂସାରକୁ! ସେତେବେଳକୁ ମଧ୍ୟ ସାଗର ତା’ ପ୍ରଶ୍ନର ଉତ୍ତର ପାଇ ନଥିଲା ଶର୍ମିଳା ଠାରୁ । ତଥାପି ସେ ସେ ନିଜ ପ୍ରଶ୍ନକୁ ଆଡ଼େଇ ଯାଇ ବରଂ ଶର୍ମିଳାକୁ ସାନ୍ତ୍ୱନା ଦେବା ଢଙ୍ଗରେ କହିଲା, “ସେମାନେ ଯଦିଓ ଏତିକି ଚିନ୍ତା କଲେନି ଯେ ଇୟେ କେତେ ଛୋଟ କଥା, ତେବେ ଆମର କ’ଣ ହୋଇ ଯାଇଛି ଯେ, ଚାଲ…ମୟୁରୀ ଶାଢୀ ଓ ଡ଼୍ରେସ୍ ସୋ’ରୁମ୍ ରୁ ଆମ ସମସ୍ତଙ୍କ ପାଇଁ ଡ଼୍ରେସ୍ କିଣି ନେବା!…..” ଲୁସିକୁ ବୋଧ ଦେଉ ଦେଉ ସାଗର ଭିତରୁ କ’ଣ ସବୁ ଖୋଜୁଥିଲା ଶର୍ମିଳା ।


କୋରିଆପଲ୍ଲା, ଓଉପଦା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ମୋ-୯୩୩୭୩୬୯୪୪୮

Related Posts

Leave a Reply

Your email address will not be published. Required fields are marked *