ଅଭିନୟ ଆଦିତ୍ୟ ନାୟକ
ଅଳିଆ ଗଦାରୁ ଜାତ ମୁଁ । ବାପା କିଏ ବୋଉ କିଏ ମୁଁ ଜାଣିନି । ମୋର କାନ୍ଦ ଶୁଣି ସବିତା ଦେବୀ ମତେ କୋଳେଇ ନେଇଥିଲେ । ସେ ୪୫ ବର୍ଷର ବିଧବା ସ୍ତ୍ରୀ ଲୋକ । ତାଙ୍କର ଛୁଆ ପିଲା କିଛି ନଥିଲା । ମତେ ତାଙ୍କ ପାଖରେ ରଖିଲେ। ପାଖାପାଖି ୧୦ ବର୍ଷ ପରେ ସେ ବି ଆଖି ବୁଜିଲେ । ମତେ ବି ସେତିକି ବର୍ଷ । ଗାଁ ରେ ଯିଏ ଯାହା କାମ କରିବାକୁ କୁହେ ମୁଁ କରେ । ଭୋଜି ଭାତରେ ପତ୍ର ଗୋଟେଇଲେ ୧୫୦ ଟଙ୍କା ମିଳେ । ଯାହାର ଯାହା କାମ ଆବଶ୍ୟକ ହୁଏ ସେ ମତେ ଖୋଜେ । ଖୁସିରେ ଯିଏ ଯାହା ଦିଏ ମୁଁ ଗ୍ରହଣ କରେ ଏମିତି ୭ ବର୍ଷ ବିତିଗଲା । କଣ କରିବି କଣ ନାହିଁ ପାଠ ତ ସପ୍ତମ ଶ୍ରେଣୀ ଯାଏଁ ପଢିଲି ଆଉ ଆଗକୁ ପାରିଲିନି । ହିସାବ ପତ୍ର ଟିକେ ଜାଣିଛି । ମନରେ ଗୁଡ଼େ ଅସୁମାରୀ ସ୍ୱପ୍ନ ସେଇ ସହର ବାହାରିଲି । କାମ ଖୋଜିବା ପାଇଁ । ବହୁତ ଖୋଜାଖୋଜି କଲା ପରେ ଜଣେ ସହୃଦୟ ବ୍ୟକ୍ତିଙ୍କ ହାବୁଡ଼ରେ ପଡିଲି । ମତେ ସେ ନିଜ କାରଖାନାରେ କାମ କରିବା ପାଇଁ କହିଲେ । ଟଙ୍କା ୩ ହଜାର ଦରମା ତା ସହିତ ଖାଇବା ପିଇବା । ବହୁତ ଭଲ ପାଇଲେ ମତେ ଛୁଟି ଦିନରେ ତାଙ୍କ ଘର କାମ ମଧ୍ୟ କରେ । ସେତେବେଳେ ମୁଁ ୨୪ ବର୍ଷର ଯବାନ ଟୋକା । ୫ ବର୍ଷ କାମ କଲା ପରେ ବାବୁଙ୍କର ମୁଁ ପୁଅ ଭଳି ହୋଇଯାଇଥିଲି । ଘରର ଟିକି ନିକି କାମ ସବୁ କରେ । ବାବୁଙ୍କ ଝିଅଙ୍କୁ ମୁଁ ସବୁବେଳେ କଲେଜ ନବା ଆଣିବା କରେ । ସେ ବି ଯୌବନରେ ପାଦ ଥାପି ସାରିଥିଲା । ଏମିତି କଥା ବାର୍ତା ଅତ୍ୟନ୍ତ ମିଳାମିଶା ସହିତ ପରେ ପ୍ରେମ ହୋଇସାରିଥିଲା । ମୋ ଅସ୍ତିତ୍ବ କୁ ଭୁଲିଯାଇଥିଲି । କଲେଜ ଛାଡିବା ବାହାନାରେ ବହୁତ ସମୟ ଆମେ ପାର୍କରେ ବସି କଥା ହେଉ । ଥରେ କଣ ହେଇଛି ବାବୁ ଆମକୁ ଗଛ ମୂଳେ ବସିଥିବାର ଦେଖିବାକୁ ପାଇଥିଲେ । ମୋ କୋଳରେ ସାଲିନି ସୋଇଥିଲା । ସେଠି ତ କିଛି କହିଲେନି । ଘରକୁ ଆସିବା ପରେ କିଛି ନକହି ମତେ ବହୁତ ବାଡେଇ ଥିଲେ । ସେ କିଛି ନକହିଥିଲେ ମଧ୍ୟ ଏହାର ଅର୍ଥ ମୁଁ ବୁଝି ସାରିଥିଲି । ମୁଁ କିଛି ନକହି ଚୁପ ରହିଲି କାରଣ ମୋରି ଭୁଲ ଥିଲା । ବାମନ ହେଇ ଚନ୍ଦ୍ରକୁ ହାତ ବଢେଇବାର ଦୁଃସାହାସିକତାର କାମ ମୁଁ କରିଥିଲି । ବାବୁ ମୋର ହିସାବ କିତାବ କରି ଚାକିରୀରୁ ଛଟେଇ କରିଦେଲେ । ସାଲିନି କି ମଧ୍ୟ ମୁଁ ଦେଖା କଲି ନାହିଁ । ଏଥିପାଇଁ ତା ପାଠ ପଢ଼ାରେ ମଧ୍ୟ ରୋକ ଲାଗିଗଲା । ବାବୁ ଭାରି ଜିଦିଆ ଲୋକ ମାରିଦେବେ ପଛେ ମୋ ସହିତ ସମ୍ପର୍କ ଯୋଡିବାକୁ ଅନୁମତି ଦେବେ ନାହିଁ । ମୁଁ କୁଆଡେ ଯିବି ଗାଁକୁ ବି କାଇଁ ଯିବି କଣ ଅଛି ସେଠି । ସେ ଯେଉଁ ଚାଳ ଛପର ଖଣ୍ଡକ ଅଛି କି ତାର ବି ଅସ୍ତିତ୍ବ ଗଲାଣି କିଏ କହିବ । ସେହି ସହରରେ ଘର ଖଣ୍ଡେ ଭଡାରେ ନେଇ ରହିଲି କାଳେ କେବେ କେଉଁ ପରିସ୍ଥିତିରେ ସାଲିନି ସହିତ ଦେଖା ହେବ । ଏମିତି ଥରେ ମନ୍ଦିରକୁ ସେ ତା ମା ସହିତ ଆସିଥିଲା । ମୁଁ ତାକୁ ଦେଖିଲି ଆଉ ନିଯେ ସମ୍ଭାଳି ନ ପାରି ତାକୁ ଯାଇ କୁଣ୍ଢାଇ ପକାଇଲି । ସେ ହଠାତ ଚମକି ପଡିଲା କିନ୍ତୁ ପରେ ତା ଆଖି ଜକେଇ ଆସିଲା । ତା ମା ଏଗୁଡା ସବୁ ଦେଖୁଥାଏ । ଆମ ପ୍ରେମକୁ ଦେଖି ସେ କହିଲେ ସମସ୍ତିଙ୍କ କଥା ମୁଁ ବୁଝିବି ଚାଲ ଘରକୁ ଚାଲ ସେଇଠି କଥା ହେବା । ତୁମ ଦୁଇ ଜଣଙ୍କ ବାହାଘର ମୁଁ କରିବି । ଏହା ଶୁଣି ଆମେ ଦୁଇ ଜଣ ବହୁତ ଖୁସି ହେଇଗଲୁ । ଖୁସିରେ ତାଙ୍କ ଘରକୁ ଗଲୁ । ମା’ ବଢ଼ିଦେଲେ ଆମେ ବସି ଖାଉଥାଉ । ବାବୁ ଆସିଲେ । ସେ ମତେ ଦେଖି ରାଗରେ ପୁରା ଜର୍ଜରିତ । ମୋତେ ହାତ ଉଠେଇବାକୁ ଆସୁଥିଲେ ମା’ ତାଙ୍କୁ ନେଇ ରୁମ ଭିତରକୁ ଗଲେ । ସେଠି କଣ କଥାବାର୍ତ୍ତା ହେଲେ ଠିକ ଅଧଘଣ୍ଟା ପରେ ପୋଲିସ ଗାଡି ପହଁଚିଲା । ମୁଁ ବୁଝିଗଲି ମାଙ୍କ ଏତେ ଭଲ ପାଇବା ପଛର ରହସ୍ୟ । ପୋଲିସ ମତେ ବଳାତ୍କାର ଓ ହତ୍ୟା ଉଦ୍ୟମ କେଶ ରେ ୧୦ ବର୍ଷ ପାଇଁ ଗିରଫ କଲା । ଜେଲରୁ ମୁକୁଳିବା ପରେ ଏହାରି ଭିତରେ କଣ ଘଟିଛି ସାଲିନି ବାହା ହେଲା କି ନାହିଁ, ବାବୁ ଓ ମା’ କେମିତି ଅଛନ୍ତି ଏ ସବୁ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଥିଲା । ଜେଲର ଦୁଆର ମୁହଁରେ ଶାଢ଼ୀ ଟିଏ ପିନ୍ଧି ସାଲିନି ଠିଆ ହୋଇଛି । ମୋର ହଠାତ ତା’ ମୁଣ୍ଡକୁ ଆଉ ହାତକୁ ନଜର ଗଲା ନାଁ ଅଛି ସିନ୍ଦୁର ନାଁ ଅଛି ଶଙ୍ଖା । ଟିକେ ଆଶ୍ଚର୍ଯ୍ୟ ହେଲି ତା’ ପାଖକୁ ଗଲି ପଚାରିଲି ଏଠି କ’ଣ କରୁଛ ? ସେ ଉତ୍ତର ଦେଲା ତୁମ ଅପେକ୍ଷାରେ । ପଚାରିକି ବାହା ହେଇନ ସେପଟୁ ଉତ୍ତର ଆସିଲା ନାଁ । କହିଲା ତୁମେ ଗଲା ପରଠୁ ମୁଁ ଆତ୍ମହତ୍ୟା ଉଦ୍ୟମ କଲି କିନ୍ତୁ ପାରିଲି ନାହିଁ । ଘର ଛାଡ଼ି ପଳେଇ ଆସିଲି । ପରେ ଜାଣିବାକୁ ପାଇଲି ବାବା ଓ ମମିଙ୍କ ଦୁର୍ଘଟଣାରେ ମୃତ୍ୟୁ ହେଇଛି । ସମସ୍ତ ବେପାର ବଣିଜ ମୁଁ ସମ୍ଭାଳୁଛି । ତୁମକୁ ଅପେକ୍ଷା କରିଛି । ସେତବେଳକୁ ମୋ ଯୌବନ ଚାଲି ଯାଇଥିଲା । ଦୀର୍ଘ ୧୦ ବର୍ଷ ଜେଲରେ ବିତାଇବା ପରେ ଏସବୁ ସମାଜ ସମ୍ପର୍କ ଉପରୁ ଭରସା ତୁଟି ଯାଇଥିଲା । କିନ୍ତୁ ସାଲିନି ମୁହଁକୁ ଦେଖି ସବୁ ପାସୋରି ଗଲି । ଦୁଃଖ ଲାଗିଲା ବାବୁ ଓ ମା’ଙ୍କ ପାଇଁ । ଯିଏ ମତେ ମଣିଷ କରିଥିଲେ ରୋଜଗାରକ୍ଷମ କରାଇଥିଲେ ତାଙ୍କୁ ଶେଷ ମୁହୂର୍ତ୍ତରେ ଦେଖି ପାରିଲିନି । ହାତ ଯୋଡି ଭଗବାନଙ୍କୁ ପ୍ରାର୍ଥନା କଲି ଦୁଇ ଜଣଙ୍କ ଆତ୍ମାର ସଦଗତି ପାଇଁ । ଶେଷରେ ସାଲିନି ଓ ମୁଁ ଉଭୟ ବିବାହ କଲୁ । ସେହି ବେପାରକୁ ସମ୍ଭାଳି ଖୁସିରେ ରହିଲୁ ।
—
ଅଭିନୟ ଆଦିତ୍ୟ ଏବେ ସାମ୍ବାଦିକତା କରୁଛନ୍ତି । ସେ ଭାରତୀୟ ଜନ ସଂଚାର ସଂସ୍ଥାନ, ଢେଙ୍କାନାଳରୁ ସାମ୍ବାଦିକତା ଶିକ୍ଷା ଲାଭ କରିଛନ୍ତି । ସାମ୍ବାଦିକତା ସହିତ ଲେଖାଲେଖି କରୁଛନ୍ତି ।