ସତ୍ୟନାରାୟଣ ଗନ୍ତାୟତ

ଉପନିଷଦରେ “ସତ୍ୟଂ ବଦ, ଧର୍ମଂ ଚର” ବୋଲି ଉପଦେଶ ଦିଆଯାଇଛି । ଅର୍ଥାତ ମଣିଷ ସର୍ବଦା ସତ୍ୟ କହିବା ସହ ଧର୍ମାଚରଣ କରିବା ଚାହି । ତଥାପି ମିଥ୍ୟା ବି ସମତାଳରେ ରହିଛି । କାରଣ କଦା କଦା କିଆଁ ବରଂ ବହୁଧା ମିଥ୍ୟା ପ୍ରବେଶି ଯାଉଛି ଉଚ୍ଚାରଣରେ ! ସୁତରାଂ ଧର୍ମକୁ ଆଖି ଠାର ମାରି କର୍ମମାନ ହେଉଛି ।
ସତ୍ୟ କହିବା ସହଜ ମନେ ହୁଏ ସିନା, ତାହା ଶୁଣି କାହା କାହା ଅକଲ ଗୁଡୁମ୍ ହୋଇଯାଏ । ତେଣୁ ସତ୍ୟ ନକହି ମିଥ୍ୟା ଆପଣେଇ ଏମିତି କୁହାଯାଏ ଯେମିତି ସତ୍ୟ ଲଜ୍ଜାନତ ହୋଇ ଲାଙ୍ଗୁଳ ଯାକି ସେ ଠାବରୁ ଛାଏଁ ଛୁ’ ମାରିବ ! ମିଥ୍ୟା ଶୁଣିବା ଜନଙ୍କ କଥା ଆଉ କଣ ବା କହିବା ? ଏକାନଟେ ସେମାନେ ଗରବେ ଛାତି ଫୁଲାଇ ଗଦଗଦ ହୋଇଯିବା ଥୟ ।
କଥା ହେଉଛି ପ୍ରାୟତଃ ସଭିଏଁ ଆପୀଣା ପ୍ରଶଂସା ଶୁଣିବାକୁ ଭାରି ପସନ୍ଦ କରିଥାନ୍ତି । କେହିକେହି ତ ସଦା ସର୍ବଦା ସଭିଙ୍କ ମୁହଁରୁ ନିଜ ପ୍ରଶଂସା ଶୁଣିବାଭ୍ୟାସ ଏତେ ସରି ପକାଇଥାନ୍ତି ଯେ, ସେମାନଙ୍କ କାନଟି ମାନ କନକନ ହୋଇ ରହିଥିବା ସାଙ୍ଗକୁ ମନ ବି ଉଚ୍ଛନ୍ନ ହୋଇ ରହିଥାଏ । ପ୍ରଶଂସା ଯୋଗ୍ୟ ବ୍ୟକ୍ତିଙ୍କୁ ଯଥାର୍ଥ କ୍ଷେତ୍ରରେ ପ୍ରଶଂସା ସତସତିକା ହୋଇଥାଏ । କିନ୍ତୁ ଅନ୍ୟଥା ମିଛେମିଛେ ପ୍ରଶଂସାରେ ପୋତି ପକାଇବା ନାକରା ଅଟଇ । ଆଉ ଏହି ମହାର୍ଘ କର୍ମଟିକୁ ଲାଗିପଡ଼ି ଗଳଦଘର୍ମ ହୋଇ ଯେଉଁମାନେ ସମ୍ପାଦି ଚାଲିଥାନ୍ତି, ଚାଟୁକାର ବୋଇଲେ ସେମାନଙ୍କୁ ହିଁ ବୁଝାଇଥାଏ ।
ଏବେ ପଚାରି ପାରନ୍ତି, କେଉଁମାନେ କିଆଁ ଏଇଆ ହୋଇଥାନ୍ତି ? ଆମ ବିଚାରରେ ଅତି ନିଃସ୍ୱ ଓ ନିଉଛୁଣା ଜାତୀୟ ଥୋକେ ଏ ଦିଗରେ ଅତି ଆଗ୍ରହ ଦେଖାଇ ବଡ଼ବଡ଼ିଆଙ୍କ ଆଖପାଖରେ ଆତଯାତ ହୋଇ ଯେନତେନ ପ୍ରକାରେଣ ସେମାନଙ୍କ ନଜରକୁ ଆସିଯାନ୍ତି । ଥରେ ପରିଚିତ ହୋଇଗଲେ ସେମାନଙ୍କ ଶତୃମାନଙ୍କ ନିନ୍ଦା ଗାନ ସହ ସମତାଳରେ ଏହାଙ୍କ ଗୁଣ କୀର୍ତ୍ତନ ନିୟମିତ କରି, ସେ ନଲୋଡୁଥିଲେ ହେଁ ମୌକା ଉଣ୍ଡି ଯାଇ ତାଙ୍କ ପାଖେ ଠିଆ ହୋଇଯାଇ ନିଜ ଫଟୋ ଉଠାନ୍ତି । ଏପରିକି ବଡ଼ବଡ଼ିଆ ଜଣକ ଯେ ତାଙ୍କ ପାରିବାରିକ ମିତ୍ର, ଏହା ଦର୍ଶାଇବାକୁ ଯାଇ ନିଜ କୁଟୁମ୍ବର ଅଣ୍ଡା ବଚ୍ଚା ମହିଳା ପୁରୁଷ ନିର୍ବିଶେଷରେ ସଭିଙ୍କ ସହ ଫଟୋ ଉଠାଇ ତାହାର ବ୍ୟାପକ ପ୍ରଚାର କରି ବଡ଼ବଡ଼ିଆଙ୍କ କୃପାଧନ୍ୟ ହୋଇ ତୁଚ୍ଛା ମାଗତା ପରଶୁରୁ ମହାନ୍ ପର୍ଶୁରାମ ବାବୁ ପାଲଟି ଯାଇ ଚାଳଘରୁ ତ୍ରିତଳ ହର୍ମ୍ୟ ନିବାସୀ ବନିଯାଆନ୍ତି ।

ହେଲେ ସମ୍ପୃକ୍ତ ବଡ଼ବଡ଼ିଆଙ୍କ ଯେବେ ଦୁର୍ଦ୍ଦଶା ପଡ଼େ, ଏମାନେ ହିଁ ପହିଲେ ତାଙ୍କ ପାଖ ଛାଡ଼ି ବରଂ ତାଙ୍କ ଚିର ନିନ୍ଦୁକ ଓ ନିଛକ ଶତୃମାନଙ୍କ ଶିବିରରେ କୌଣସିନା କୌଣସି ଗଳାବାଟ ଦେଖି ଚୋର ପ୍ରାୟେ ଅନ୍ଧାରି ବିଜେ କରି ଡିଟୋଡିଟୋ ଚାଟୁକାରିତା ସୁରୁ କରି ଦିଅନ୍ତି । କାରଣ ଏମାନେ ସବୁବେଳେ ଅନ୍ତଃସାର ଶୂନ୍ୟ, ନିର୍ଲଜ ଓ ଅମେରୁଦଣ୍ଡୀ ଜାତୀୟ ହୋଇଥାନ୍ତି ।
ଆଉ ଥୋକେ ଚାଟୁକାର କିନ୍ତୁ ଏମାନଙ୍କ ଠଉଁ ଭିନ୍ନ ପ୍ରଜାତିର । ଏମାନେ ଛୋଟକୁ ମୋଟ ଓ ନଗଣ୍ୟଙ୍କୁ ଅଗ୍ରଗଣ୍ୟ କରାଇବାରେ ଲାଗି ପଡ଼ିଥିବା ଦେଖାଯାଏ । ଏମାନଙ୍କ ବିଚରଣ ସାହିତ୍ୟ ସଂସ୍କୃତି କ୍ରୀଡା ସମାଜସେବା ଆଦି ବିବିଧ କ୍ଷେତ୍ର । ମୁଖ୍ୟତଃ ଥିଲାବାଲା ଓ ପ୍ରଭାବୀ ଅଯୋଗ୍ୟମାନଙ୍କୁ ସୁଯୋଗ୍ୟ ଭାବେ ପ୍ରଚାର ପ୍ରସାର କରିବାର ଦାୟିତ୍ୱ ଏମାନେ ନିଜର ମୌଳିକ ମୂର୍ଖତା ଦ୍ୱାରା ପରିଚାଳିତ ହୋଇ ନିଜେ ନିଜେ ମୁଣ୍ଡାଇ ନେଇଥାନ୍ତି । ବାବୁ ଓ ବାବୁଆଣୀଙ୍କ ଖୋଷଣି ଫିଟା ବଦଳରେ କଣ ନାମକୁ ମାତ୍ର କିଛି ହାସଲ କରୁକରୁ ତାହା ଏକ ଅତ୍ୟନ୍ତ ଉଲ୍ଲେଖଯୋଗ୍ୟ କୃତିତ୍ୱ ଓ ଏଯାବତ କେହି ସେମିତି ହାସଲ କରି ନଥିବା ଭଳି ଭ୍ରମ ସୃଷ୍ଟି କରନ୍ତି ।
ଏଥକୁ ଆପଣ ପୁଚ୍ଛି ପାରିବେ, ଏମାନଙ୍କ ମାଧ୍ୟମରେ କି ଲାଭ ହୁଏ ଯେ ଏମାନଙ୍କ କଥା ଅଲଣା ବୋଲି ଜାଣି ବି ବାବୁ ବାବୁଆଣୀମାନେ ଏମାନଙ୍କୁ କରାୟତ୍ତ କରି ରଖି ସର୍ବସମ୍ମୁଖରେ ଏମାନଙ୍କ ଉଚ୍ଚାରିତ “ମୋ ଗୁରୁ”, “ମୋ ଦେବୀ ପ୍ରତିମା” ଆଦି ଡାକ ଯେତେ ଅବାନ୍ତର ଓ ଅରୁଚିକର ପ୍ରତେ ହେଉଥିଲେ ହେଁ କିଛି ନକହି ମନେମନେ ମୁଆଁ ଖାଇବା ପରି ଉଲ୍ଲସିତ ହୋଇ ଶୁଣୁଥାନ୍ତି ? ଆଉ ଏ ଧରଣର ଚାଟୁକାରିତା ମୁଖ୍ୟତଃ ବିଭିନ୍ନ ସଭାସମିତି, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମାଦିରେ ଅନ୍ୟମାନେ ଶୁଣି କେଉଁ ଗରଜରେ ନାନା ଢଙ୍ଗେ ନିଜ ପସନ୍ଦ ଜାହିର କରତଃ ଏକଦମ୍ ଆକାଶ ଛୁଆଁ ଭାବମୂର୍ତ୍ତୀ ସୃଷ୍ଟି କରି ଦିଅନ୍ତି ?
ଠିକ କହିଲେ ଆଜ୍ଞା, ଏହି ଭାବମୂର୍ତ୍ତୀ ଟିକକ ପାଇଁ ହିଁ ତ ସେମାନେ ସାହିତ୍ୟ ସଂସ୍କୃତି କ୍ରୀଡ଼ା ଆଦି କ୍ଷେତ୍ରରେ ଅଳ୍ପ ବୁଣି ଏହି ଚାଟୁକାର ମାନଙ୍କ ଉପରେ ମଧ୍ୟେମଧ୍ୟେ ଫଳେ ପୁଷ୍ଫ ଫୋପାଡ଼ି ବେଶୀ ଅମଳ କରିଥାନ୍ତି । ଆଉ ଏହି ଚାଟୁକାରିତାକୁ ଲାଇକ କମେଣ୍ଟ ସେୟାର ଆଦି ସହ ଯତ୍ର ତତ୍ର ସର୍ବତ୍ର ଏମାନଙ୍କ ସାମାନ୍ୟ ପ୍ରାପ୍ତିକୁ ମହାନ ଭାବେ ପ୍ରଦର୍ଶନ ପୂର୍ବକ ପ୍ରାପ୍ତିର ସୂଚନାଠୁ ଆରମ୍ଭ କରି ଅସଲ ପ୍ରାପ୍ତି ବେଳର ଦୃଶ୍ୟ, ପ୍ରାପ୍ତିର ଖବର ପ୍ରକାଶ ଆଦି ପ୍ରତ୍ୟେକ ଘଟଣାକୁ ମହାନ କରି ଏମିତି ସ୍ତୁତି ଗାନ କରାଯାଏ ଯେ କିଞ୍ଚିତ ବୁଦ୍ଧି ଶୁଦ୍ଧି ଥିବା ଲୋକ ଲାଜେଇ ଯିବା ଥୟ । ବଦଳରେ ସଭାରେ ବସିବା, ଚବ୍ୟ ଚୋଷ୍ୟ ଲେହ୍ୟ ସମ୍ବଳିତ ଭୋଜନ ଗେଫି ସେଲଫି ଉଠାଇ ସାମାଜିକ ଗଣମାଧ୍ୟମରେ ଗହଳି କରିବା ସୁଯୋଗ ଏହି ଚାଟୁକାର ଦଳଙ୍କୁ ଅବଶ୍ୟ ଯୋଗାଇ ଦିଅନ୍ତି ମହାଭାଗ ।
ଥରେ ଭାବନ୍ତୁ ତ, ଜଣେ ଚାଟୁକାର ଦଳଙ୍କ ସାମୂହିକ ଯୋଗଦାନ ମାଧ୍ୟମରେ କିଞ୍ଚିତ ବିନିମୟରେ ଅବାଞ୍ଛିତ ହେଉପଛେ ମଦ ବେପାରୀଟେ ବା ଟେଣ୍ଡର ଫିକ୍ସରଟେ ବା ମାମୁଲି କପିପେଷ୍ଟ ଲେଖାଳିଟେ ବା ଯାହିତାହି ଜାତୀୟ ବକ୍ତାରୁ ଜଣେ ତୁରିତେ “ସୁମହାନ ସ୍ରଷ୍ଟା, ପ୍ରଖ୍ୟାତ ସମ୍ପାଦକ, ଅସାଧାରଣ ବାଗ୍ମୀ, ସୁଦକ୍ଷ ସଙ୍ଗଠକ ଓ ସୁଖ୍ୟାତ ସମାଜସେବୀ ପାଲଟି ଯିବା କଣ କମ୍ କଥା ସତରେ ?
ଏତଦବ୍ୟତୀତ ରାଜନୈତିକ ଚାଟୁକାରମାନେ ଫେର୍ ଅଛନ୍ତି, ଯେଉଁମାନେ ଦଳୀୟ ମୁଖ୍ୟଙ୍କ ଗୁଣ ଗାନରେ ଶତ ନୁହଁ ସହସ୍ରାଧିକ ମୁଖ ବୋଲି ଜାଣନ୍ତୁ । ଏମାନେ ଖଣ୍ଟ ଦଲାଲ ଡକାୟତ ଜାତୀୟ ଜୀବଙ୍କୁ ବି ମହାପୁରୁଷଙ୍କ ଅବତାର ଭାବେ ଭଜନ କରନ୍ତି । ତାଙ୍କ ଛିଙ୍କିବା କାଶିବା ସୁଦ୍ଧା ପବିତ୍ର ଓ ଜନ ହିତ ପାଇଁ ହିଁ ଉଦ୍ଦିଷ୍ଟ ବୋଲିବାଠୁ ଆରମ୍ଭ କରି ସେ ହିଁ ଜଗତ ନାଥ ହୋଇ ଜଗତ ରକ୍ଷା କରିବାର୍ଥେ ଉପୁଜିଛନ୍ତି ଏବଂ ତାଙ୍କ କୁନ୍ଥନ ସୃଷ୍ଟ ପ୍ରତି ପଦୁ କେମନ୍ତ ଗଳଗଳ ହୋଇ ଶୁଦ୍ଧ ମକରନ୍ଦ ଗଳିଥାଏ ବର୍ଣ୍ଣି ଚାଲନ୍ତି ।
ତେବେ ସେଇ ଏକା କଥା ରାଜେନ୍ଦ୍ରାସନେ ବିରାଜି ଥିବା ଯାଏ ଇ’ ଏ ଚାଟୁ ବଚନ ! ଦୈବାତ ରାଜନୈତିକ କଚଡ଼ା ଖାଇ ଆସନ ଦୋହଲିବାର ପ୍ରାକ୍ ସୂଚନା ମିଳୁମିଳୁ ଏଇ ଚାଟୁକାରମାନେ ପହିଲେ ପଦାଘାତ କରି ଅନ୍ୟ ମହାପ୍ରୁଙ୍କ ସନ୍ଧାନରେ ବେଳହୁଁ ଆଡ଼େଇ ଛାଡ଼ି ଯାଆନ୍ତି ।
ତଦୁତ୍ତାରେ ତ ଜାଣିବା କଥା, ଚାଟୁ କଥା ପାଲଟିଯାଏ କଟୁ କଥା, ଯାହା ହୁଏତ ସତ୍ୟ ଏବଂ ବହୁ ଆଗରୁ କହିବା ଉଚିତ ସଦାକାଳେ !! ତେବେ ଆମେ ସିନା ଏଡ଼େ ଘାଏଁ କହିପକାଉ ଥାଇଁ, ହେଲେ ସତ୍ୟ ପରା ସତତ ସାଙ୍ଘାତିକ ! ସେଇଆ କହିଲେ ପଛନ୍ତେ ଆମ ନିରୀହ ପିଠିରେ ପଡ଼ିବ ବା କିଏ ? ସୁତରାଂ ଅନେକ ଏକଥା ହେଜି ଜାଣିଶୁଣି ଊଣାଅଧିକେ ମିଛରେ ହିଁ ମହୁ ବୋଳି ଧାରେ ମିଛ ହସ ସହ ବାଧ୍ୟ ବାଧକତା ଦାୟରେ ବରଂ ନାମକୁ ମାତ୍ର ଚାଟୁକାରଟେ ହୋଇ ଯାଇ ଆପ୍ୟାୟିତ କରିଦେଲେ ଯାଏ ମଣିଥାନ୍ତି !! ଜୟ ଚାଟୁକାର ମହାଜାତିର ଜୟ !!
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।
