ଖାସ୍ ତୁମେ ଆସୁଛ ବୋଲି

ଅମିତା ମହାନ୍ତି

ଦେଖୁନ !
କେମିତି କୋଇଲି ସ୍ୱର
ଅଧୁରା ମନେହେଉଛି
ହେନା, ଗୋଲାପର ବାସ୍ନା
ଫିକାଫିକା ଲାଗୁଛି
ଆଉ ସହରଟା ଖୁବ୍ ନୀରବ
କାହିଁକିନା ତୁମେ ଆସୁଛ ବୋଲି ..

ମନରେ ପ୍ରଶ୍ନ ଅସୁମାରି
କାହିଁ କେତେ ଦୂରରେ
ପରଫର ନେତ ଉଡୁଛି
ଅପହଞ୍ଚ ଇଲାକାରେ
ରୂପା ନଈ ଘୁଞ୍ଚି ଘୁଞ୍ଚି ଯାଉଛି
ଖାସ୍ ତୁମେ ଆସୁଛ ବୋଲି..

ମିଠା ସ୍ୱର ଘୁରି ବୁଲନ୍ତି ଆତ୍ମାରେ
ଫେଣ୍ଟି ହୋଇଯାଉଛି
ମହମହ ବାସ୍ନା
ବାଟବଣା ହୁଏ ପ୍ରଜାପତି
ଶୁଣୁଛି ତୁମେ କାଳେ ଆସୁଛ ବୋଲି..

କେମିତି ଘେରି ରହିଛି
ପୃଥିବୀର ତାତି
ଜହ୍ନ ଆଲୁଅ ଛୁଇଁ ଯାଏ
ଦେହ ମୋର
ପାଦ ହୁଏ ଟଳମଳ
ଭାବୁଛି ବସି ତୁମେ କାଳେ ଆସୁଛ ବୋଲି..

ତୁମ ପାଇଁ ବିଛେଇ ଦେଇଛି
ମୋ ଅସଜଡ଼ା ଭାଗ୍ୟ
ମୋର ସାରା ଜନ୍ମର
ପ୍ରତିଶୃତି ସାଇତି ରଖିଛି
ତୁମପାଇଁ ଭେଟି ଦେବି
ଖାସ୍ ତୁମେ ଆସୁଛ ବୋଲି !!

ସେକ୍ଟର ୭ ସିଡ଼ିଏ, କଟକ

ଲେଖକ ପରିଚୟ

କଟକ ମାଟିରେ ଜନ୍ମ ନେଇଥିବାରୁ ନିଜକୁ ଭାଗ୍ୟବାନ ମନେକରେ । ଜୀବନମୟତାରେ ବିଶ୍ୱାସ ରଖୁଥିବା କମ୍ ଶବ୍ଦରେ ଖୁବ୍ ସରଳ ଭାବରେ ଜୀବନକୁ ବୁଝି ବଞ୍ଚିପାରିଲେ ମଧୁମୟ ହୁଏ ଜୀବନର ପରିଭାଷା । ଭାବ ଓ ଶବ୍ଦର ଯୁଗଳବନ୍ଦୀରେ ଦୁଇଟି କବିତା ସଂକଳନ ‘ପ୍ରତିଧ୍ଵନି’ ଓ ‘ଶବ୍ଦର ଆବାହନ’ ପ୍ରକାଶ ପାଇଛି । ଜଞ୍ଜାଳମୟ ଜୀବନରେ ସାହିତ୍ୟକୁ ଆପଣେଇବାର ନିଶା ସମାଜକୁ ନୂତନ ବାର୍ତ୍ତା ଦେବାର ଛୋଟ ପ୍ରୟାସ ।

Related Posts

Leave a Reply

Your email address will not be published. Required fields are marked *