ଭାଷାକୁ ନେଇ ଏବେ ଚାରି ଆଡ଼େ ଚର୍ଚ୍ଚା । ଓଡ଼ିଆ ଭାଷା ହଜି ଯାଉଛି, ଓଡ଼ିଆ ଭାଷା କ୍ରମଶଃ ଲୋପ ପାଇ ଯାଉଛି, ପାଠକେ ଆଉ ବହି ପଢୁ ନାହାନ୍ତି, ପତ୍ରିକା ସଂଖ୍ୟା କମି କମି ପ୍ରାୟ ନଥିଲା ପରି ଅବସ୍ଥାକୁ ଆସି ଗଲାଣି- ଆଦି ବିଷୟକୁ ନେଇ ଚର୍ଚ୍ଚା ଓ ଆଲୋଚନା ବଢୁଛି ସିନା ଛିଡ଼ିବାର ନାଁ ନେଉନାହିଁ । ସେମିତି ଆମ ବିଛଣା ଉପରେ କି ଦାଣ୍ଡ ଘରେ ସବୁବେଳେ ଦେଖିବାକୁ ମିଳୁଥିବା ସାହିତ୍ୟ ବହି, ତେଣିକି ତାହା ଉପନ୍ୟାସ ହେଉ କି କବିତା କି ଗପ କି ଆଉ କିଛି, ଏଣିକି ଆମ ସଂସାରରୁ ଉଭାନ୍ ।
ଭାଷା ପ୍ରତି ଆମେ କ୍ରମଶଃ ବିମୁଖ ହୋଇ ପଡ଼ୁଛୁ । ଆମ ଭାଷା ଆମେ କହୁନାହୁଁ । କେମିତି ଗୋଟେ ବିକୃତ ଭାଷା ଆମେ ବ୍ୟବହାର କରୁଛୁ । ଯେଉଁଥିରେ ଓଡ଼ିଆ ଅଛି ଆଉ ପୁଣି ନାହିଁ ।
ତେବେ ସେସବୁ ଖୁବ ବଡ଼ ଓ ବ୍ୟାପ୍ତ ପରିଧିକୁ ଯିବାର ଆମର ଦୁଃସାହସ ନାହିଁ । ଛୋଟିଆ ପ୍ରୟାସଟେ ଆମେ କିଛି ଜଣ ମିଶି ଆରମ୍ଭ କରିଛୁ । ଏହାଦ୍ୱାରା ଯେ ସାହିତ୍ୟର ଖୁବ କିଛି ଉନ୍ନତି ହେବ, ସେ ଆଶା ବି ଆମେ କରିନୁ । କି କରିବାର ସାହସ ରଖିନୁ । ବରଂ ରାଜ୍ୟର କି ରାଜ୍ୟ ବାହାରେ କୋଣ ଅନୁକୋଣରେ ଥିବା ଲେଖକମାନଙ୍କୁ ଗୋଟେ ଖୁବ ଛୋଟ ପ୍ଲାଟଫର୍ମ ଯୋଗାଇ ଦେବା ଆମ ଉଦ୍ଦେଶ୍ୟ । ମୁଁ ନିଜେ ଅନେକ ଲେଖା ଫେସବୁକରେ ଲେଖି ପକାଏ । ଲକ୍ଷ ଲକ୍ଷ ଲୋକ ଲେଖନ୍ତି । ସେ ଲକ୍ଷେ ଯେ ଏଇଠି ଲେଖିବେ, କଥା ଆଦୌ ତାହା ନୁହେଁ । କିନ୍ତୁ ଗୋଟିଏ ଜାଗାରେ ସେ ଲେଖା ପ୍ରକାଶିତ ହେଲେ, ହୁଏତ ନୂଆ ଲେଖକଙ୍କୁ ଖୁସି ଲାଗିବ । ନିଜ ଲେଖା, ତା’ ସାଙ୍ଗେ ନିଜ ନାଁ ଦେଖିଲେ କେମିତି ଗୋଟେ ତୃପ୍ତି ଆସେ ଭିତରେ । ଉଦ୍ଦେଶ୍ୟ ସେତିକି ।
ସେମିତି ରାଜ୍ୟର ପ୍ରତିଷ୍ଠିତ ଲେଖକମାନେ ଆମକୁ ଏଥିରେ ସହଯୋଗ କରିବେ ବୋଲି ସେମାନଙ୍କ ନିକଟରେ ମୋର ପ୍ରାର୍ଥନା ଓ ଦାବି ମଧ୍ୟ । ଦାବି ଏଇଥି ପାଇଁ ଯେ, ପ୍ରତିଷ୍ଠିତ କିଛି ପତ୍ରିକାକୁ ଛାଡ଼ି ଦେଲେ ଅନ୍ୟ ଖୁବ ଛୋଟ, ନଗଣ୍ୟ ଆମ ପରି ନୂଆ, ଛୁଆ ସଂସ୍ଥା ବଞ୍ଚିବାର ହକ୍ ରଖନ୍ତି। ଓ ସେଥିପାଇଁ ଆମକୁ ସାହାଯ୍ୟ କରିବା ପାଇଁ ମୁଁ ନିବେଦନ କରିବି ।
ଆଜି ବସନ୍ତ ପଞ୍ଚମୀରେ ଏଇଟି ଆରମ୍ଭ ହେଉଛି । ଜଲଦିରେ କରିଛୁ । ଭୁଲତ୍ରୁଟି ଅନେକ ରହିଥିବ । ସେଥିପାଇଁ ଆମେ କ୍ଷମାପ୍ରାର୍ଥୀ । ଆଗାମୀ ଦିନରେ ସେସବୁ ଯେମିତି ଯଥା ସଂଭବ କମ ହେବ, ସେ ଦିଗରେ ପ୍ରଗାଢ ଉଦ୍ୟମ କରିବୁ ନିଶ୍ଚିତ ।
ଏହା ଏକ ଉଚ୍ଚକୋଟୀର ପଦକ୍ଷେପ ।ଆମ ଓଡ଼ିଆ ଭାଷା ଓ ସାହିତ୍ୟ ଜଗତର ସଙ୍କଟାପନ୍ନ ଅବସ୍ଥାରେ
ଦିଗବାରେଣି ସାଜିବ । ଭବିଷ୍ୟତରେ ଏହି ଅନୁଷ୍ଠାନ ସମସ୍ତ ଓଡ଼ିଆ ମାନଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାର ଗୁରୁ ଦାୟିତ୍ବ ବହନ କରିବ ।