ଶେଷ ରାତ୍ରର ସ୍ଵପ୍ନ

ପ୍ରଦେଶ ପ୍ରଧାନ

ଝିଙ୍କାରିର ଶବ୍ଦ
ଗାଁମୁଣ୍ଡ ମଶାଣିରୁ ଶୃଗାଳର ଶୋକ
ଗଭୀର ଅନ୍ଧାର ଭେଦି
କେହିଜଣେ ପଢ଼ୁଥିଲା
ଏକାନ୍ତରେ
ସ୍ମୃତିର ପୃଷ୍ଠା ପରେ ପୃଷ୍ଠା ।

ସମର୍ପିତ ବୟସ
ସମର୍ପିତ ସବୁ ପୁଣ୍ୟ, ଯାହା ଅର୍ଜିତ
କ୍ଷଣିକ ସମୟେ
କାହାର ମଙ୍ଗଳ ମନାସି
ପାହାଚ ପରେ ପାହାଚ ଅତିକ୍ରାନ୍ତ
ଦେବାଳୟେ
ଏହି ନାସ୍ତିକ ଜୀବନେ ।

ସମ୍ପର୍କର ନାହିଁ
କିଛି ପରିଚୟ, ନାହିଁ ସ୍ୱାର୍ଥ କିଛି
ତଥାପି ଆତ୍ମୀୟତା ଭାବନାରେ
ଗଢ଼ିଚାଲେ ବାରମ୍ବାର
ବାଲିର ଘରଟିଏ
ସାଗର ବେଳାରେ
ଭାଙ୍ଗିଯାଉ ପଛେ କିଛି ମୁହୂର୍ତ୍ତ ପରେ ।

ସରିଯାଉ ସମୟ
ନାହିଁ ଅବସୋସ, ହିସାବ ଖାତାରେ
ଶୂନ ହେଉ ଭାଗଶେଷ
ନାହିଁ ଅବସାଦ
ଶେଷ ସ୍ଵପ୍ନ ପୁଣି ମୁଠାଏ ହସ
ତା ଓଠରେ
ଅସରନ୍ତି ହେବା ନିଶାରେ ।

ଅନ୍ଧାର ଯାଏ ଦୂରେ
ନୂତନ ସକାଳ ଆଲୋକ ପଢେ
ଲୁହରେ ହଜିଥିବା
ଭିଜିଥିବା ପୃଷ୍ଠା ସବୁ
ଯେଉଁଠାରେ ନାହିଁ ଏକ ବି ଅକ୍ଷର
ସବୁ ଶୂନ୍ୟ ଆଉ ଶୂନ୍ୟ
କାହା ଇଙ୍ଗିତରେ
ଶେଷ ରାତ୍ରର ସ୍ଵପ୍ନର ସହରେ ।

ଅସ୍ତରଙ୍ଗ, ପୁରୀ

ଲେଖକ ପରିଚୟ

ସ୍କୁଲ ପଢିଲା ସମୟରୁ ଲେଖାଲେଖି କରେ । ମାତ୍ର ପ୍ରକାଶନ ପାଇଁ କେବେ ଆଗ୍ରହ ବଳାଇନି । ମୋତେ ଲାଗେ ଲେଖନୀ ପାଇଁ ସର୍ବୋଚ୍ଚ ପ୍ରୋତ୍ସାହନ ଆମରି ଜୀବନ । ସେ ହିଁ ଦିଏ ଶବ୍ଦ, ଦିଏ ଭାବ, ଦିଏ ବି ଲେଖିବାକୁ ପ୍ରେରଣା । ଏଯାବତ କୌଣସି ପୁସ୍ତକ ପ୍ରକାଶିତ ହୋଇନାହିଁ ହେଲେ ସମସ୍ତ ପୁସ୍ତକ ପ୍ରତି ମୋର ଏକ ଅହେତୁକ ଦୁର୍ବଳତା ରହିଛି । ପଢିବାକୁ ଖୁବ ଭଲପାଏ । ଅନେକଥର ରାତି ପାହି ସକାଳ ହୁଏ ସିନା ହେଲେ ବହି ପଢିବା ସରେନା ।

Related Posts

Leave a Reply

Your email address will not be published. Required fields are marked *