ଭୁବନେଶ୍ଵର : ‘ଝରଣା ସାହିତ୍ୟ ସଂସଦ’ ତରଫରୁ ‘ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ‘ଝରଣା’ ଓ ‘ଚିରସମର୍ଥା’ ପତ୍ରିକାର ସମ୍ପାଦକ ମନୋଜ କୁମାର ଜେନାଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଭାଷାବିତ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗ ଦେଇ ଅଭିମନ୍ୟୁ ସାମନ୍ତସିଂହାରଙ୍କ ଭାଷା ଶୈଳୀ ଅସାଧାରଣ ଓ ଅତୁଳନୀୟ ବୋଲି କହିଥିଲେ ।
ଅନ୍ୟାନ୍ୟ ଅତିଥି ଭାବେ ଗବେଷକ ଡ. ଇନ୍ଦ୍ରମଣି ଜେନା, ପ୍ରଫେସର ଶରତ ଚନ୍ଦ୍ର ରଥ, ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆର ଟ୍ରଷ୍ଟି ସୌରେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ଅଭିମନ୍ୟୁଙ୍କର ଅମ୍ଳାନ ସାରସ୍ଵତ ସୃଷ୍ଟିର ତୁଳନା ନାହିଁ ବୋଲି କହିଥିଲେ । ଏହି ଅବସରରେ ‘ଝରଣା’ ପତ୍ରିକାର ଦୋଳପୂର୍ଣ୍ଣିମା ସଂଖ୍ୟା ଉନ୍ମୋଚିତ ହୋଇଥିଲା । କାର୍ଯକ୍ରମରେ ଭାଷାବିତ ଦେବାଶିଷ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଦ୍ଵିତୀୟ ଅଧିବେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବହୁ କବି କବିତା ଆବୃତ୍ତି କରିଥିଲେ । ସୁନୀଲ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
