ଚିନ୍ମୟୀ ବାରିକ

ଆମର ସେତେବେଳେ କେହି ପଡ଼ୋଶୀ ନଥିଲେ । ଲମ୍ବା ଲମ୍ବା ଇଉକାଲିପଟାସ୍ ଗଛର ଗହଣରେ ବିରାଟ ଏକ ପାଚେରୀ ଭିତରେ ଆମ ଘର ଥିଲା । ପାଚେରୀ ସେପଟରେ ଗୋଟିଏ ଅଣଓସାରିଆ ପିଚୁ ରାସ୍ତା ସାପ ପରି ବଙ୍କି ବଙ୍କି ଆଗକୁ ଯାଇଥିଲା । ସେହି ରାସ୍ତା ଦେଇ ଖୁବ୍ କମ୍ ଲୋକ ଯିବାଆସିବା କରୁଥିଲେ, ଆଉ ଗାଡ଼ିମୋଟର ବି । ମୁଁ ମୋ ଅବସର ସମୟରେ ସେହି ଲମ୍ବା ପାଚେରୀ ଉପରେ ବସେ ଆଉ ସେହି ରାସ୍ତା ଦେଇ ଯାଉଥିବା ଲୋକମାନଙ୍କୁ ଗଣେ । ପ୍ରାୟତଃ ଅଧିକ ପୁରୁଷ ଥାଆନ୍ତି । ମହିଳା କହିଲେ ଯେଉଁମାନେ ମୁଣ୍ଡରେ କାଠବୋଝ ରଖି ଜଙ୍ଗଲରୁ ଫେରୁଥାଆନ୍ତି ଘରମୁହାଁ ହୋଇ ।ସେମାନଙ୍କ ପିଠି ପଛପଟେ ଗୋଟେ ଗୋଟେ ଛୋଟ ଛୁଆ କପଡ଼ାରେ ବନ୍ଧା ହୋଇ ଝୁଲୁଥାଆନ୍ତି ।
ମୋର ସେଠି ସାଙ୍ଗ କହିଲେ “ମୋତି” ହିଁ ଏକା ଥିଲା । ସେ ଗୋଟିଏ ଦେଶୀ କୁକୁର । ତା’ର ଚାରୋଟି ଛୋଟ ଛୋଟ ଛୁଆ ଥିଲେ । ମୁଁ ସେମାନଙ୍କର ନାମ ରଖିଥିଲି “ମଲ୍ଲି, ଜୁଲୁ, ସୁଲୁ ଓ ପିଲୁ”। ଏବେ ମୁଁ ସେମାନଙ୍କ ସହ ପାଚେରୀ ଉପରେ ବସେ । ମୋ ଫ୍ରକ୍ ର ଅଣ୍ଟିରେ ଥିବା ମୁଢିତକ ସେମାନଙ୍କ ଭାଗରେ ଥାଏ । ସେମାନେ ମୋ ସହ ଦୋସ୍ତି କରି ନେଇଥିଲେ ।
ଦିନେ ଆମ ବିରାଟ ଲୁହା ଗେଟ୍ ଖୋଲି ଜଣେ ଦମ୍ପତ୍ତି ପଶି ଆସିଲେ । ମୁଁ ପାଚେରୀ ଡେଇଁ ତଳକୁ ଆସିବା ଆଗରୁ ହିଁ ମୋତି ଗୋଟିଏ ଡିଆଁରେ ସେମାନଙ୍କ କାନ୍ଧରେ ଗୋଡ଼ ରଖି ଭୁକିବାକୁ ଆରମ୍ଭ କରି ଦେଇଥିଲା । ସେମାନେ ଉଭୟେ ଖୁବ୍ ଡରି ଯାଇ ସହାୟତା ଉଦ୍ଦେଶ୍ୟରେ ମୋ ଆଡ଼କୁ ଅନାଇଲେ । ମୁଁ ମୋତିକୁ ଜୋରରେ ଡାକିଲି ଆଉ ମୋ ପାଖକୁ ଆସିବାକୁ ଇସାରା ଦେଲି । ସେ ଦୁଇ ଚାରିଥର ମୋତେ ଅନାଇ ଚୁପଚାପ୍ ମୋ ପାଖକୁ ଚାଲି ଆସିଲା ।ଦମ୍ପତ୍ତି ଜଣଙ୍କ ମୋତେ ଅନାଇ କହିଲେ “ଆମେ ତୁମର ପଡ଼ୋଶୀ “।
ଆମ ପଡ଼ୋଶୀ ? ଖୁସିରେ ଫାଟି ପଡ଼ିଥିଲି ଆଉ ଘରକୁ ଡାକିନେଲି । ବାବା, ମାମା ଖୁବ୍ ଖୁସିରେ ସେମାନଙ୍କ ସହ କଥା ହେଉଥିଲେ । ସେହି ଜାଗାରେ ରହିବା ଦିନରୁ ଆମ ଘରକୁ କେହି କେବେ ଆସି ନଥିଲେ । ଯେହେତୁ ସେମାନେ ଆମର ପ୍ରଥମ ପଡ଼ୋଶୀ ତେଣୁ ଆମେମାନେ ଖୁବ୍ ଖୁସି ଥିଲୁ ସେମାନଙ୍କୁ ପାଇ । ମୋ ଭଉଣୀମାନେ ବି ତାଙ୍କ ସହ ବହୁତ ମିଶିଗଲେ । ମୁଁ କିନ୍ତୁ ଚୁପ୍ ହୋଇ ବସିଥିଲି କିଛି ଦୂରରେ । ସେମାନଙ୍କୁ ଦେଖୁଥିଲି । ଅଙ୍କଲ ଜଣଙ୍କ ବନ ବିଭାଗର ଅଫିସର୍ ଥିଲେ ଆଉ ଆଣ୍ଟି ଜଣେ ସାଧାରଣ ଗୃହିଣୀ ଥିଲେ । ଅଙ୍କଲ୍ ଦେଖିବାକୁ ଖୁବ୍ ହ୍ୟାଣ୍ଡସମ୍ ଥିଲେ ଆଉ ଆଣ୍ଟି ଶ୍ୟାମଳ ବର୍ଣ୍ଣର ହୋଇ ଟିକେ ମୋଟି ଥିଲେ । ସେ ଗୋଟିଏ ସ୍ଲିଭଲେସ୍ ବ୍ଲାଉଜ୍ ସହ ହାଲ୍କା ଗୋଲାପୀ ରଙ୍ଗର ଗାର୍ଡେନ୍ ସିଲ୍କ ଶାଢୀ ପିନ୍ଧିଥିଲେ । ବାଳକୁ ସୁଗଠିତ ଭାବରେ ବେକମୂଳରୁ ଉଠାଇ ଗୋଟିଏ ସୁନ୍ଦର ଖୋସା କରିଥିଲେ ଓ ଖୋସା ଭିତରେ ଗୋଟିଏ ଧଳା ଗୋଲାପ ଫୁଲ ଖୋସିଥିଲେ । ମୋତେ ତାଙ୍କ ପରିପାଟୀ ଖୁବ୍ ଭଲ ଲାଗିଥିଲା କିନ୍ତୁ ଅଙ୍କଲ୍ ଙ୍କ ଠାରୁ କମ୍ । ଅଙ୍କଲ୍ ଙ୍କର ମାପଚୁପ କଥା ଓ ଓଠଚିପା ହସ ମୋତେ ବେଶୀ ମୁଗ୍ଧ କରୁଥିଲା ।
* * * * *
ସେମାନେ ପ୍ରତି ରବିବାର ଆମ ଘରକୁ ଆସୁଥିଲେ । ଆମ ଘରେ ସେମାନେ ଖାଉଥିଲେ । ସେତେବେଳେ ପ୍ରତି ରବିବାର ବାବା ନିଜେ ରାନ୍ଧୁଥିଲେ ।ସେମାନେ ବାବାଙ୍କ ହାତରନ୍ଧା ଖାଇ ଖୁବ୍ ପ୍ରଶଂସା କରୁଥିଲେ ଯଦିଓ ଏଥିଲାଗି ମାମା ଟିକେ ଇର୍ଷାନ୍ୱିତ ହେଉଥିଲେ ଆଉ କଥାକଥାରେ କହୁଥିଲେ ବାବା କେମିତି ବେଶୀ ତେଲମସଲା ଦେଇ ରାନ୍ଧନ୍ତି ଆଉ ତାହା ଦେହ ପାଇଁ ଅସ୍ୱାସ୍ଥ୍ୟକର ବୋଲି । ଅଙ୍କଲ, ଆଣ୍ଟି ମାମାଙ୍କ କଥା ନଶୁଣି ବାବାଙ୍କ ରନ୍ଧା ଖାଦ୍ୟକୁ ଖୁବ୍ ଆନନ୍ଦର ସହ ଖାଉଥିଲେ । ଗଲାବେଳେ ସେମାନେ ଆମମାନଙ୍କୁ ବହୁତ ଗେଲ କରୁଥିଲେ ।
ଦିନେ ମାମା ଅନେକ ପ୍ରକାର ରାନ୍ଧି ଗୋଟିଏ ଟିଫିନ୍ ରେ ଭର୍ତ୍ତିକରି ମୋ ହାତରେ ତାଙ୍କ ଘରକୁ ପଠାଇଲା । ମୋ ସହ ଆମ ପିଅନ୍ ବି ଥିଲା । ମୁଁ ଟିଫିନ୍ ନେଇ ବାହାରିଲି ତାଙ୍କ ଘରକୁ । ତାଙ୍କ ଘର ଆମ ଘରଠାରୁ ଟିକେ ଦୂରରେ ଥିଲା । ସେମାନଙ୍କ ଘର ବି ଅନେକ ଗଛଲତାରେ ଭର୍ତ୍ତି ଗୋଟିଏ ବିରାଟ ପାଚେରୀ ଭିତରେ ଥିଲା । ବାହାରକୁ ତାଙ୍କ ଘର ଆଦୌ ଦେଖାଯାଉ ନଥିଲା । ସେଠି ଯାଇ ପହଞ୍ଚି ଦେଖିଲି ତାଙ୍କ ଘରଟି ଗୋଟିଏ ବିରାଟ ବଂଲୋ । ହାତୀ ରହିପାରିବା ଭଳି ଉଚ୍ଚାଉଚ୍ଚା ଛାତ । ଘର ଭିତରେ ଅନେକ କୋଠରୀ । କୋଠରୀ ଭିତରେ ଭିତରେ ଆହୁରି କୋଠରୀ । ଶେଷରେ ତାଙ୍କର ଶୋଇବା ଘର ।ଆଣ୍ଟି ମୋତେ ନେଇ ସିଧା ତାଙ୍କ ଶୋଇବା ଘରକୁ ନେଇଗଲେ ଯେଉଁଠି ଅଙ୍କଲ୍ ଗୋଟିଏ ଝୁଲା ଚେୟାରରେ ବସି ବହି ପଢୁଥିଲେ । ଅଙ୍କଲ୍ ମୋତେ ଦେଖି ଖୁସି ହୋଇଗଲେ ଆଉ ତାଙ୍କ ପାଖକୁ ଡାକିଲେ । ମୁଁ ତାଙ୍କ ପାଖରେ ବସିଥିଲି । ସେ ଗୋଟିଏ ଆଲବମ୍ ଆଣି ଦେଖାଇଲେ ଯେଉଁଥିରେ ଅନେକ ପଶୁପକ୍ଷୀଙ୍କ ସହ ତାଙ୍କର ଫଟୋସବୁ ଥିଲା । କୁନିକୁନି ବାଘଛୁଆଙ୍କୁ ଧରି ଉଠାଇଥିବା ତାଙ୍କର ଫଟୋଟି ମୋତେ ବେଶୀ ଭଲ ଲାଗିଥିଲା । ମୁଁ ସେଇ ଫଟୋଟି ଉପରେ ହାତ ରଖି ଟିକେ ଛୁଇଁଲି ସେ କଅଁଳ ବାଘ ଛୁଆମାନଙ୍କୁ । ଅଙ୍କଲ ମୋ ପାଖକୁ ଘୁଞ୍ଚି ଆସିଲେ ଓ ମୋ ସ୍ପ୍ରିଂ ଭଳି ଚୁଟିରେ ହାତ ମାରି କହିଲେ “ତୁ ବାଘ ଛୁଆଙ୍କ ସହ ଖେଳିବୁ ?”
-ହୁଁ …. ।
-ଠିକ୍ ଅଛି । ପୁଣି କେବେ ବାଘ ଛୁଆ ପାଇଲେ ମୁଁ ନିଶ୍ଚୟ ତୋତେ ଡାକି ଫଟୋ ଉଠାଇବି ।
ମୁଁ ଅଙ୍କଲଙ୍କ କଥାରେ ଖୁବ୍ ଖୁସି ହୋଇ ଯାଇଥିଲି । ସେତେବେଳେ ଆଣ୍ଟି ମୋ ପାଇଁ ଆଇସ୍କ୍ରିମ୍ ନେଇ ଆସି ପହଞ୍ଚିଲେ । ମୁଁ ଖୁସିରେ ସେତକ ଖାଇ ଘରକୁ ଆସିବାକୁ ବାହାରିଲି । ଅଙ୍କଲ୍ ମୋତେ ଗେଟ୍ ଯାଏଁ ଛାଡ଼ିବାକୁ ଆସିଲେ ଓ ମୋ ହାତରେ ଟିଫିନ୍ ଧରାଇଦେଲେ । ମୁଁ ଡେଇଁଡେଇଁ ଖୁସିରେ ଘରକୁ ଫେରିଲି । ଘରେ ପହଞ୍ଚି ଦେଖିଲି ମୋ ଟିଫିନ୍ ଭିତରେ କିଛି ଚିନିଚମ୍ପା ଫୁଲ ଥିଲା । ଘର ସାରା ସୁଗନ୍ଧରେ ଫାଟି ପଡ଼ିଲା ।
* * * * *
ଆମେ ଆମ ପଡ଼ୋଶୀଙ୍କୁ ନେଇ ଖୁବ୍ ଖୁସିଥିଲୁ । ଦିନେ କିନ୍ତୁ ଗୋଟିଏ କଥା ମୋତେ ଦ୍ୱନ୍ଦରେ ପକାଇଲା । ସେଦିନ ବି ରବିବାର ଥିଲା । ସେମାନେ ଆମ ଘରକୁ ଆସିଥିଲେ । କଥା ହେଉହେଉ ଅଙ୍କଲ୍ ଗୋଟିଏ ଅଜବ କଥା କହିଲେ । ସେ କହିଲେ ଯେ ଆଜିକାଲି ଆଣ୍ଟି କାଳେ ରାତିରେ ଖୁବ୍ ଡରୁଛନ୍ତି । ବିଶେଷ କରି ଘରେ ଅଙ୍କଲ୍ ଟୁର୍ ରେ ଯାଇଥିଲାବେଳେ । ଏତେ ବଡ଼ ଘରେ ପିଅନ୍ ମାନେ ଥିଲେ ବି ସେମାନେ ତାଙ୍କ କ୍ୱାର୍ଟରରେ ରୁହନ୍ତି । ତେଣୁ ସେ ଗୋଟିଏ ଅନୁରୋଧ କଲେ ଯେ “ମୁଁ କାଳେ ରାତିରେ ଯାଇ ଟିକେ ଶୋଇବି ଆଣ୍ଟିଙ୍କ ପାଖରେ, ଯେତେବେଳେ ଅଙ୍କଲ୍ ବାହାରକୁ ଯାଇଥିବେ ।” ଆଣ୍ଟି ମଧ୍ୟ ଖୁବ୍ ଗୋଟିଏ ନୀରିହ ଆଖିରେ ସେହି ଅନୁରୋଧରେ ସାମିଲ୍ ଥିଲେ । ତାଙ୍କ କଥା ଶୁଣି ବାବାମାମା ବିଚାର ବିମର୍ଷ କଲାପରେ ନିଷ୍ପତ୍ତି ନେଲେ ଯେ ମୁଁ ଯିବି ଆଣ୍ଟିଙ୍କ ପାଖକୁ ଯେବେ ଅଙ୍କଲ୍ ନଥିବେ । ମୋର ଏଥିରେ ଇଛା ଅଛି କି ନାହିଁ ଏକଥା କେହି ବି ପଚାରି ନଥିଲେ । ଓଲଟା ସେମାନେ ମୋତେ ବୁଝାଇ ଦେଇଥିଲେ ଯେ ସୁବିଧା ଅସୁବିଧାରେ ପଡ଼ୋଶୀଙ୍କର ସାହାଯ୍ୟ କରିବା ଜରୁରୀ ।
ବୟସ ସେତେବେଳେ ମୋର ବାର କି ତେର ହେବ । ମୋର କେତେ ସାହାସ ଥିବ ଯେ ମୁଁ ଆଉ ଜଣଙ୍କୁ ଜଗିବାକୁ ଯିବି ? ତଥାପି ଗଲି । ମାସରେ ପନ୍ଦରରୁ ଅଧିକ ଦିନ ମୁଁ ତାଙ୍କ ଘରକୁ ଯାଏ । ରାତି ଏଗାରଟା ପରେ ତାଙ୍କ ପିଅନ୍ ଆସି ଆମ ଘରେ କଲିଂବେଲ୍ ମାରେ । ମୁଁ ଅଧା ନିଦରେ ଢୁଳାଇ ଢୁଳାଇ ଉଠେ ଆଉ ତାଙ୍କ ପିଅନ୍ ପଛେ ପଛେ ଚାଲେ । ତାଙ୍କ ଗେଟ୍ ଭିତରେ ପଶିଲାବେଳେ ବଡ଼ବଡ଼ ଗଛସବୁ ଭୂତ ଭଳି ମୋତେ ଲାଗନ୍ତି । ମୁଁ ସେ ପିଅନ୍ ର ହାତ ଧରି ପକାଇ କୁହେ “ଜଲ୍ଦି ଚାଲ ।” ଆମେ ଏକପ୍ରକାର ଦୌଡ଼ିବାକୁ ଆରମ୍ଭ କରୁ । ବଂଲୋର ପଛ କବାଟ ଦେଇ ମୁଁ ପଶେ । କାରଣ ସାମ୍ନା କବାଟ ତାଙ୍କର ଖୁବ୍ କମ୍ ଖୋଲାଯାଏ । ପଛ କବାଟ ଦେଇ ପଶିଲାବେଳକୁ ଆଣ୍ଟି ମୋତେ ଅପେକ୍ଷା କରିଥାଆନ୍ତି । ମୋ ହାତ ଧରନ୍ତି । କୋଠରୀ ପରେ କୋଠରୀ ଅତିକ୍ରମ କରି ଆମେ ଭିତରକୁ ଯାଉ । ଶୋଇବା ଘରେ ଗୋଟିଏ ବିରାଟ ପଲଙ୍କ । ତା’ଉପରେ ମୋଟା ଗଦି । ଗପ ଶୁଣିବାରେ ମୋର ପ୍ରବଳ ଆଗ୍ରହ ଥିବାରୁ ସେ ଗପ କହିବା ଆରମ୍ଭ କରନ୍ତି । ମୁଁ ଗପ ଶୁଣୁଶୁଣୁ ଢୁଳାଇ ପଡ଼େ । ସେ ମୋତେ କାନ୍ଥ କଡ଼କୁ ଶୁଆଇ ଦିଅନ୍ତି । ତାଙ୍କର ଆଉ ମୋ ମଝିରେ ଗୋଟିଏ ବଡ଼ ଲମ୍ବା ତକିଆ ଥାଏ କାରଣ ମୋର ରାତିରେ ଅନ୍ୟ ଉପରେ ଗୋଡ଼ ପକାଇବାର ଅଭ୍ୟାସ ଥାଏ ବୋଲି ।
ଦିନେ ରାତିରେ କାହାର କାନ୍ଦଣା ଶୁଣି ମୋ ନିଦ ଭାଙ୍ଗିଗଲା । ମୁଁ ଧଡ୍ କରି ଉଠି ବସିଲି । ଦେଖିଲି ଆଣ୍ଟି କାନ୍ଦୁଛନ୍ତି ଖୁବ୍ ବିକଳରେ । ପଚାରିଲି “କଣ ହୋଇଛି ?” ସେ କିଛି କହିଲେନି । ମୁଁ ଡରିଗଲି । କଣ କରିବି ଭାବି ପାରିଲିନି । ପିଅନ୍ ଙ୍କ କ୍ୱାଟର୍ ଦୂରରେ । ମୋତେ ଡର ଲାଗିବ ସେଠାକୁ ଯିବାକୁ । ମୁଁ କିଛି କହିଲିନି, ରେଜେଇ ଘୋଡ଼େଇ ହୋଇ ସେଇମିତି ଶୋଇ ପଡ଼ିଲି । ଯେମିତି ସକାଳ ହୋଇଛି ମୁଁ ଏକମୁହାଁ ହୋଇ ଘରକୁ ଦୌଡ଼ିଲି । ମାମା ଆଗରେ ସବୁ ବଖାଣିଲି । ମୋ କଥା ଶୁଣି ମାମା ଲ୍ୟାଣ୍ଡ୍ ଲାଇନ୍ ରେ ଆଣ୍ଟିଙ୍କ ପାଖକୁ ଫୋନ୍ ଲଗାଇଲେ । ଆଣ୍ଟି କହିଲେ “ସେମିତି କିଛି ହୋଇନି, ବୋଧ୍ ହୁଏ ମୁଁ ସ୍ୱପ୍ନ ଦେଖି ଡରିଯାଇଛି ।”
ମୁଁ ସେଦିନ ସ୍ୱପ୍ନ ଦେଖିଥିଲି ନା ସତରେ ଦେଖିଥିଲି ? ଏ ଦ୍ୱନ୍ଦ ମୋତେ ମନେମନେ ଖାଇ ଯାଉଥିଲା । ମୁଁ ଆଉ ତାଙ୍କ ଘରକୁ ଯିବାକୁ ଚାହୁଁ ନଥିଲି । କିନ୍ତୁ ବାବାମାମା ମୋତେ ବାଧ୍ୟ କରୁଥିଲେ ସେଠାକୁ ଯିବାକୁ । ମୁଁ ଏଥର ଯାଏ ଆଉ ଭଗବାନଙ୍କୁ ଡାକି ଡାକି ଶୁଏ । ଏଥର ବେଳେବେଳେ ଅଙ୍କଲ୍ ରାତିରେ ଫେରିଆସନ୍ତି । ମୋତେ ଭଲ ଲାଗେନି ଅଥଚ ଏତେ ରାତିରେ ଘରକୁ ଫେରି ପାରେନି । ଅଙ୍କଲ୍ ଅନେକ ରାତି ଯାଏ ତାଙ୍କ ପଢା ରୁମ୍ ରେ ଥାଆନ୍ତି । ସେ ବେଡରୁମ୍ କୁ ଆସିଲା ବେଳକୁ ମୁଁ ଶୋଇ ସାରିଥାଏ ।
ଅଙ୍କଲ୍ ଙ୍କର ଫୁଲ ଗଛ ଲଗାଇବା ଖୁବ୍ ପସନ୍ଦ । ତାଙ୍କ ଘରେ ଜାତିଜାତିକା ପାଞ୍ଚଶହରୁ ଉର୍ଦ୍ଧ୍ୱ ଫୁଲ ଗଛ । ସେ କିନ୍ତୁ କୁହନ୍ତି ଚିନିଚମ୍ପାର ମହକ ସବୁଠୁ ଅଧିକ ।ସେ ଫୁଲ ଖୁବ୍ କମ୍ ଫୁଟେ ଆଉ ଯେତେବେଳେ ବି ଫୁଟେ ସେଥିରୁ ଗୋଟିଏ ସେ ମୋ ପାଇଁ ରଖି ଥାଆନ୍ତି । ଦିନେ ସେ ମୋତେ ଗୋଟିଏ ଦୀର୍ଘ ମୟୂର ପୁଛଟିଏ ଦେଲେ । ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ସେ ତାଙ୍କ ହାତ ମୁଠାରେ ମୋ ହାତ ରଖି ବାଡ଼ି ପଟକୁ ନେଇଗଲେ । ପାଚେରୀ ଉପରେ ଗୋଟିଏ ବିରାଟ ମୟୂର ବସିଥିଲା । ମୁଁ ଖୁସିରେ ଫାଟି ପଡ଼ି ଲି ।ଏହା ପୂର୍ବରୁ ମୁଁ ଏତେ ବଡ଼ ଲମ୍ବା ପୁଛବାଲା ମୟୂର କେବେ ଦେଖି ନଥିଲି । ଅଙ୍କଲ୍ ଫିସ୍ ଫିସ୍ ହୋଇ କହିଲେ “ଫଟୋ ଉଠାଇବା ?” ମୁଁ ମୁଣ୍ଡ ହଲାଇ “ହଁ” କହିଲି । କୋଡାକ୍ କ୍ୟାମେରା ଆଣି ଦୂରରୁ ସେ ମୟୂରର କେତୋଟି ଫଟୋ ଉଠାଇଲେ ଆଉ ମୋର ବି କେତୋଟି ଫଟୋ ଉଠାଇଲେ । ମୁଁ ଖୁସିଥିଲି ।
ମୋର ଏହି ସମୟରେ ହିଁ ଆଣ୍ଟିଙ୍କ କଥା ମନେପଡ଼ିଲା । ମୁଁ ଥଙ୍ଗେଇ ଥଙ୍ଗେଇ ଅଙ୍କଲଙ୍କୁ ସବୁକଥା କହିଲି । ସେ ମୋ କଥା ଶୁଣି କିଛି ନଜାଣିଲା ପରି ହସିଲେ । ଯେମିତିକି ମୁଁ ବୋଧେ କିଛି ଭୁଲ୍ କି ମିଛ କଥା କହୁଛି । ମୁଁ ଏଠି ମଧ୍ୟ ନିରାଶ ହେଲି । ମୋ କଥା ଶୁଣିବାକୁ କେବଳ ଜଣେ ବାକି ଥିଲା ,ସେ ହେଉଛି ମୋ ସାଙ୍ଗ “ମୋତି”। ମୋତି ପାଖରେ ଯେତେବେଳେ ସବୁକଥା କହିଲି ସେ ବୋଧେ ମୋ କଥା ବୁଝିପାରିଲା ଓ ମୁଣ୍ଡ ବି ଟୁଙ୍ଗାରିଲା ।
* * * * *
ଏ ଘଟଣାର କିଛିଦିନ ପରେ ଅଙ୍କଲ୍ ଆଣ୍ଟି ମାସେ ପାଇଁ କୁଆଡ଼େ ବାହାରକୁ ଯାଇଥିଲେ । ମୁଁ ବି ଏସବୁରୁ ନିସ୍ତାର ପାଇଗଲି ଭାବୁଥିଲି । କିନ୍ତୁ ଦିନେ ରାତିରେ ସେଇ ପୂର୍ବବତ୍ କଲିଂ ବେଲ୍ ବାଜିଲା । ମୋତେ ଆଣ୍ଟିଙ୍କ ଘରକୁ ଯିବାକୁ ହେଲା । ସେଦିନ ମୁଁ ତାଙ୍କ ଘରେ ପହଞ୍ଚିଲାବେଳକୁ ଦେଖିଲି ଅଙ୍କଲ୍ ଅଛନ୍ତି । ତେବେ ମୋତେ କାହିଁକି ଡାକିଲେ ଜାଣି ପାରିଲିନି । ମୁଁ ଫେରି ଆସିବାକୁ ବାହାରିଲା ବେଳକୁ ଅଙ୍କଲ୍ ମୋତେ ଅଟକାଇଲେ । ମୁଁ ଆଣ୍ଟି କାହାନ୍ତି ପଚାରିବାରୁ ସେ ଚୁପ୍ ରହିଲେ । ମୁଁ ଦୌଡ଼ିଯାଇ ଶୋଇବାଘର ଦେଖିଲି । ସେ ନଥିଲେ । ମୁଁ କାନ୍ଦ କାନ୍ଦ ହୋଇ ପଚାରିଲି । ଅଙ୍କଲ୍ ମୋତେ ଆଉ ଗୋଟିଏ କୋଠରୀକୁ ନେଇଗଲେ ଯେଉଁଠି ମୁଁ କେବେ ବି ଯାଇ ନଥିଲି । ସେଠି ପହଞ୍ଚି ମୁଁ ହତବାକ୍ ହୋଇଗଲି । ଏ କଣ ? ଆଣ୍ଟି ଶୋଇଛନ୍ତି ଗୋଟିଏ ବେଡ୍ ଉପରେ ଆଉ ତାଙ୍କର ସାଲାଇନ୍ ଚାଲିଛି । ତାଙ୍କ ହାତଗୋଡ଼ ଖଟରେ ବାନ୍ଧି ଦିଆଯାଇଛି । ତାଙ୍କ ପାଖରେ ଜଣେ ଲେଡି ଡକ୍ଟର୍ ବସିଛନ୍ତି । ମୁଁ ଏମିତି ଗୋଟିଏ ଘଟଣାକୁ କେବେ ସ୍ୱପ୍ନରେ ବି ଭାବିପାରି ନଥିଲି । ମୁଁ କାନ୍ଦ କାନ୍ଦ ହୋଇ ଆଣ୍ଟିଙ୍କ ପାଖକୁ ଗଲି । ତାଙ୍କ ହାତକୁ ଛୁଇଁଲି । ଆଣ୍ଟି ଆଣ୍ଟି ଡାକିଲି ହେଲେ ସେ କଛି ବି ଜବାବ୍ ଦେଲେନି ।
ଅଙ୍କଲ୍ ମୁଣ୍ଡରେ ହାତ ଦେଇ ବସିଥିଲେ ।
ପରଦିନ ଆଣ୍ଟିଙ୍କୁ ପାଖ ହସ୍ପିଟାଲ୍ ନିଆ ଯାଇଥିଲା । ବାବାମାମା ବି ଯାଇଥିଲେ । ଅଙ୍କଲ୍ କହୁଥିଲେ ଯେ ଦ୍ୱିତୀୟଥର ଗର୍ଭପାତ ହେଲା ପରେ ଆଣ୍ଟି କାଳେ ଅଚାନକ ବଦଳି ଯାଇଛନ୍ତି । ରାତିସାରା ଶୋଉ ନାହାଁନ୍ତି । ନିଜ ଅଜଣାତରେ ହସୁଛନ୍ତି ,କାନ୍ଦୁଛନ୍ତି । ଡକ୍ଟର କହୁଛନ୍ତି ଏବେ ହସ୍ପିଟାଲ୍ ରେ ଟ୍ରିଟମେଣ୍ଟ ଚାଲିବ ।ତାଙ୍କ ଅବସ୍ଥା ଖୁବ୍ ଖରାପ ।
ଦରକାର ପଡିଲେ ଇଲେକ୍ଟ୍ରି ସକ୍ ବି ଦିଆଯାଇ ପାରେ । ମୁଁ ସେମାନଙ୍କ କଥା ଶୁଣି କିଛି ବୁଝି ପାରୁ ନଥିଲି ହେଲେ ପରେ ଘରେ ଆଲୋଚନା ହେଲାବେଳେ ଶୁଣିଶୁଣି ସବୁ ବୁଝିଗଲି । ଏତକ ବୁଝିଲି ଯେ ଆଣ୍ଟି ଏବେ ମୋଟେ ବି ସୁସ୍ଥ ମାନସିକତାରେ ନାହାଁନ୍ତି । ତାଙ୍କର ଶ୍ୱାସନଳୀ ମଧ୍ୟ ନିସ୍ତେଜ ହୋଇ ଆସୁଛି ।ଭେନ୍ଟିଲେଟର୍ ରେ ତାଙ୍କୁ ସବୁବେଳେ ରଖାଯିବ ।
ରାତିରେ ଆଣ୍ଟିଙ୍କ ଘରକୁ ଯିବା ବନ୍ଦ ହୋଇଗଲା ।
ଅଙ୍କଲ୍ ପ୍ରାୟ ସମୟରେ ହସ୍ପିଟାଲରେ ଥାଆନ୍ତି । ଥରେ ଦିନ ସମୟରେ ଆଣ୍ଟିଙ୍କ ଘରକୁ ଯାଇଥିଲି । ଅଙ୍କଲ୍ ଥିଲେ । ସବୁଥର ପରି ସେ କିଛି ଗୋଟିଏ ପଢୁଥିଲେ । ମୁଁ ନିଃଶବ୍ଦରେ ତାଙ୍କ ପାଖରେ ପହଞ୍ଚିଲି । କାନ୍ଥକୁ ଆଉଜି ଠିଆ ହେଲି । ଅଙ୍କଲ୍ ମୋତେ ମୁହଁ ବୁଲାଇ ଅନାଇଲେ ଆଉ ସିଧା ଆସି ମୋ ଆଗରେ ଆଣ୍ଠୁମାଡି ବସି ମୋ ପେଟରେ ମୁହଁ ରଖି ଛୋଟ ଛୁଆ ଭଳି କଇଁ କଇଁ ହୋଇ କାନ୍ଦି ଉଠିଲେ । ମୁଁ ନିର୍ବାକ ହୋଇ ଯାଇଥିଲି । ସେମିତି ଚୁପ୍ ଚାପ୍ ଠିଆ ହୋଇଥିଲି । କିଛି ସମୟ ପରେ ସେ ନିଜ ଲୁହ ପୋଛି ଉଠିଲେ ଆଉ ତାଙ୍କ କାଠ ଆଲମାରୀରୁ କିଛି ଚୋକଲେଟ୍ କାଢି ମୋତେ ଦେଲେ ।
ଏବେ ମୁଁ ସ୍କୁଲ୍ ରୁ ଆସିଲା ପରେ ସବୁଦିନ ଏକା ଏକା ହସ୍ପିଟାଲ୍ ଯାଏ । ଆଣ୍ଟିଙ୍କ କ୍ୟାବିନ୍ ଆଗରେ ଥିବା ବେଞ୍ଚରେ ବସେ । ଆଣ୍ଟିଙ୍କ ହାତଗୋଡ଼ ଖଟରେ ବାନ୍ଧି ଦିଆ ଯାଇଥିବାର ଦେଖେ । ଭେନ୍ଟିଲେଟର୍ ଲାଗିଥାଏ । ସାଲାଇନ୍ ବି ଚାଲିଥାଏ । ବେଳେବେଳେ ଆଣ୍ଟି ଆଣ୍ଟି ବୋଲି ଫିସ୍ ଫିସ୍ ହୋଇ ଡାକେ । ସେ ଟିକିଏ ମୁଣ୍ଡ କଡ଼େଇ ମୋତେ ଦେଖନ୍ତି । ନର୍ସକୁ କିଛି କୁହନ୍ତି । ନର୍ସ ମୋତେ ତାଙ୍କ ପାଖକୁ ନେଇଯାଏ । ମୁଁ ତାଙ୍କ ଗାଲକୁ, ହାତକୁ ଛୁଏଁ । ଆଣ୍ଟି ଫିସ୍ ଫିସ୍ ହୋଇ କୁହନ୍ତି “ଖୁବ୍ କଷ୍ଟ ହେଉଛି । ମୁଣ୍ଡ ଫାଟି ପଡୁଛି । ବିଚଳିତ ଲାଗୁଛି । ଇଲେକ୍ଟ୍ରି ସକ୍ ବି ମୁଁ ଆଉ ସହି ପାରୁନି ।” ମୁଁ ସବୁ ଶୁଣେ ଅଥଚ କିଛି କହିପାରେନି । ଥରେ ନର୍ସ କହୁଥିବାର ଶୁଣିଛି ଯେ ଆଣ୍ଟି ଅନେକ ସମୟରେ କିଛି ଜାଣିପାରୁ ନାହାଁନ୍ତି । ତେଣୁ ତାଙ୍କୁ ସବୁବେଳେ ହାଲ୍କା ଭାବରେ ବାନ୍ଧିକି ରଖାଯାଉଛି । ମୁଁ ଏତେ କଥା ଶୁଣିଲା ପରେ ଜୋରରେ କାନ୍ଦିବାକୁ ଇଛା ହୁଏ କିନ୍ତୁ କାହିଁକି କେଜାଣି କାନ୍ଦି ପାରେନି ।
ଦିନେ ମୁଁ ଆଣ୍ଟିଙ୍କ ପାଖରେ ଏକା ବସିଥିଲି । ଆଣ୍ଟି ମୋତେ ପାଖକୁ ଘୁଞ୍ଚି ଆସିବାକୁ କହିଲେ । ମୁଁ ତାଙ୍କର ପୁରା ପାଖକୁ ଗଲାରୁ ସେ ଅସ୍ପଷ୍ଟ ସ୍ୱରରେ କହିଲେ “ଶୋଇବା ଘର ଆଲମାରୀର ତିନି ନମ୍ବର ଥାକରେ ଗୋଟିଏ ଛୋଟ ତକିଆ ଅଛି । ସେଇ ତକିଆ ଭିତରେ ଅନେକ ସୁନା ଗହଣା ଅଛି । ଗୋଟିଏ ହୀରାନାକ ଫୁଲ ବି ଅଛି । ସେ ସବୁ ତୋର ।
–କିନ୍ତୁ ?
-କିନ୍ତୁ ଫିନ୍ତୁ କିଛି ନୁହଁ । ତୁ ମୋର ସୁନାଝିଅ । ମୋର ଗୋଟିଏ କାମ କରିବୁ ?
-ହଁ, କୁହ ଆଣ୍ଟି ।
-ମୋତେ ଟିକେ ବିଷ ଆଣି ଖୁଆଇ ଦେଇପାରିବୁ ? ମୁଁ ଆଉ ସହି ପାରୁନି ।
ଆଣ୍ଟିଙ୍କର ଏଭଳି କଥା ଶୁଣି ଡରରେ ଥରିବାକୁ ଲାଗିଲି । ଏକା ଡିଆଁରେ ଘରେ ଆସି ପହଞ୍ଚିଗଲି । ରାତିସାରା ଆଣ୍ଟିଙ୍କ ଯନ୍ତ୍ରଣାସିକ୍ତ ମୁହଁ ମୋତେ ଦେଖା ଯାଉଥିଲା । ସତ କହିବାକୁ ଗଲେ ମୋତେ ଜ୍ୱର ହିଁ ହେଇଗଲା ସେଇଦିନ ରାତିରେ ।
* * * * *
ଏଇ ଯେଉଁ ମୋ ସହ ଘଟଣାଟି ଘଟିଲା କେବଳ ମୋ ସହ ନୁହଁ, ସମସ୍ତଙ୍କ ସହ ହେଉଥିଲା । ଯେଉଁମାନେ ବି ଆଣ୍ଟିଙ୍କୁ ଦେଖା କରିବାକୁ ଯାଉଥିଲେ ସେ ସମସ୍ତଙ୍କୁ ସେଇ ଏକାକଥା କହୁଥିଲେ । ନର୍ସ, ଡକ୍ଟର, ପଡୋଶୀ, ସଂପର୍କୀୟ ସମସ୍ତଙ୍କୁ ।” ମୋ ସୁନା ଗହଣା ସବୁ ନେଇଯାଅ ହେଲେ ମୋତେ ଟିକେ ବିଷ ଆଣି ଦେଇଦିଅ । ମୁଁ ଆଉ ସହି ପାରୁନି ।”
ଆଣ୍ଟିଙ୍କର ଏପରି ପାଗଳାମୀ ଦେଖି ଅଙ୍କଲ୍ ଗୋଟିଏ ପ୍ରାଇଭେଟ୍ ନର୍ସକୁ ମୋଟା ଅଙ୍କର ପଇସା ଦେଇ ଚବିଶ୍ ଘଣ୍ଟା ଆଣ୍ଟିଙ୍କ ପାଖରେ ରହିବାର ବ୍ୟବସ୍ଥା କରିଦେଲେ ।
ଦିନ ଗଡୁଥିଲା । ଅପେକ୍ଷା ଥିଲା କେବେ ଆଣ୍ଟି ଭଲ ହୋଇ ଆସିବେ ବୋଲି ।
ସେଦିନ ରବିବାର ଥିଲା । ମୁଁ ଟିକେ ଅଧିକ ସମୟ ଆଣ୍ଟିଙ୍କ ପାଖରେ ରହିବାକୁ ଚାହୁଁଥିଲି । ଜଲ୍ଦି ଖାଇସାରି ହସ୍ପିଟାଲ୍ ଗଲି । କ୍ୟାବିନ୍ ଭିତରେ ଥିବା ନୂଆ ନର୍ସ ଜଣଙ୍କ ମୋତେ ତାଙ୍କ ପାଖକୁ ଯିବାକୁ ଅନୁମତି ଦେଲାନି । ଆଣ୍ଟି ଆଖି ବୁଜି ଶୋଇଥିଲେ । କାଚ କବାଟ ଏପଟରେ ଥିବା ବ୍ୟାଞ୍ଚ୍ ଉପରେ ମୁଁ ବସିଥିଲି ।ଜାଣିଥିଲି ଆଉ କିଛି ସମୟ ପରେ ଅଙ୍କଲ୍ ନିଶ୍ଚୟ ଆସିବେ ଆଉ ମୋତେ ସାଙ୍ଗରେ ନେଇ ଭିତରକୁ ଯିବେ । ଅନେକ ସମୟ ବସିଲା ପରେ ବି ଅଙ୍କଲ୍ ଆସି ନଥିଲେ । ମୁଁ ବାଧ୍ୟ ହୋଇ ଘରକୁ ଫେରିବାକୁ ବାହାରିଲି । କବାଟ ପାଖରେ ଆଣ୍ଟିଙ୍କୁ ପୁଣିଥରେ ଦେଖିଲି । ନର୍ସ ଜଣଙ୍କ ଢୁଳାଇ ପଡ଼ିଥିଲେ । ଆଣ୍ଟିଙ୍କ ହାତଗୋଡ଼ ଜୋରରେ ହଲୁଥିଲା । ବୋଧହୁଏ ତାଙ୍କୁ କଷ୍ଚ ହେଉଥିଲା । ମୁଁ ଏତକ ଭାବିଲା ବେଳକୁ ଆଣ୍ଟି ଅଚାନକ ଗୋଟିଏ କାଣ୍ଡ କରି ବସିଲେ । ସେ ତାଙ୍କର ଡାହାଣ ହାତଟା କେମିତି ବନ୍ଧା ହୋଇଥିବା କପଡ଼ାରୁ ମୁକୁଳାଇ ଆଣିଥିଲେ ଆଉ ଅଚାନକ ତାଙ୍କ ନାକରୁ ଭେଣ୍ଟିଲେଟର୍ ଟି ଟାଣିଦେଲେ । ମୁଁ ଛୋଟ ଥିଲି । ଭେଣ୍ଟିଲେଟର୍ କାଢିଦେଲେ କଣ ହୁଏ ଜାଣି ନଥିଲି । ଦେଖିଲି ଆଣ୍ଟିଙ୍କର ଆଖି ବଡ଼ବଡ଼ ହୋଇଗଲା । ଜୋରରେ ଜୋରରେ ନିଃଶ୍ୱାସ ନେଲେ । ସେ ଆକଚା ଅନୁଭବ କରୁଥିଲେ ବୋଧେ । ମୁଁ ଏଥର ପାଟି କରି ଉଠିଲି । ଗୋଟିଏ ଧକ୍କାରେ କବାଟ ଖୋଲି ଆଣ୍ଟି ଆଣ୍ଟି ଡାକ ପକାଇଲି । ନର୍ସ ଜଣଙ୍କ ମୋ ଆବାଜ୍ ଶୁଣି ଚଟ୍ କରି ଉଠି ପଡ଼ିଲେ ଆଉ ମାଡ଼ି ବସି ତାଙ୍କ ନାକରେ ଭେଣ୍ଟିଲେଟର୍ ଲଗାଇ ତାଙ୍କର ହାତକୁ ଜୋରରେ ଭିଡ଼ି ପୁଣି ଖଟରେ ବାନ୍ଧି ଦେଲେ ।
ଏତେ କମ୍ ସମୟ ଭିତରେ କଣ ହୋଇଗଲା ଯେ ମୁଁ ଭାବି ପାରୁ ନଥିଲି । ଏକଦମ୍ ଥରୁଥିଲି । ଆଣ୍ଟିଙ୍କ ନିଃଶ୍ୱାସ ସ୍ୱଭାବିକ ହୋଇଗଲା । ସେ ତାଙ୍କ ମୁଣ୍ଡକୁ ଗୋଟିଏ ଆଡ଼କୁ ଢଳାଇ ଦେଲେ । ତାଙ୍କ ଆଖି ମୋ ଆଖି ସହ ମିଶି ଗଲା । ତାଙ୍କ ଆଖିରୁ ଦୁଇଧାର ଲୁହ ଗଡ଼ି ଆସିଲା ।
ମୋତେ ଲାଗୁଥିଲା ଏ ଲୁହ ଦୁଇ ଠୋପା ଯେମିତି ଗୋଟିଏ ଅଭିଶାପର ଲୁହ, ଯନ୍ତ୍ରଣାର ଲୁହ ।
ମୁଁ ଅପରାଧୀଙ୍କ ଭଳି ଠିଆ ହୋଇଥିଲି ଆଉ ମନେମନେ କହୁଥିଲି “ମୋତେ କ୍ଷମା କରିଦିଅ ଆଣ୍ଟି “।
ପାଣିକୋଇଲି, ଯାଜପୁର
ଲେଖକ ପରିଚୟ
ଗପ କେମିତି ଲେଖାଯାଏ ତା’ର କିଛି ନିୟମ କି ଧାରା କି ପ୍ରଣାଳୀ ଜଣା ନଥିଲେ ବି ମନକୁ ଯାହା ଆସେ ମୁଁ ଲେଖିଦିଏ । ଭାବେ ଏହା ବୋଧେ ଗପ । କିନ୍ତୁ ଅସଲ ଗପ ତ ସେତେବେଳେ ହୁଏ ଯେତେବେଳେ ତାହା ପାଠକ ହୃଦୟକୁ ଛୁଇଁଯାଏ । ଗପ ଯଦି କାହାକୁ ଅନ୍ୟମନସ୍କ ନକରାଇଲା ତାହେଲେ ସେ କି ଗପ ? ଜାଣେନି ମୋ ଗପ କାହାକୁ ଅନ୍ୟମନସ୍କ କରାଏ କି ନାହିଁ, ହେଲେ ଭଲ ଗପଟିଏ ଜନ୍ମ ଦେବାକୁ ସବୁବେଳେ ଚେଷ୍ଟା କରିଥାଏ ।