ଓମକାର ମିଶ୍ର
ଅନେକ ଦିନ ହେଲାଣି ସ୍କୁଲ ବନ୍ଦ l ଘର ବାହାରକୁ ଯାଇ ସାଙ୍ଗମାନଙ୍କ ସହ ଖେଳି ହେଉନାହିଁ l ଫୁଟବଲ, କ୍ରିକେଟ, ଲୁଚକାଳି ସବୁ ଖେଳ ବନ୍ଦ l କୋରନା ଭୟରେ ଘର ଲୋକ ବାହାରକୁ ଛାଡୁନାହାନ୍ତି l ଘରେ ରହି ଅନଲାଇନ କ୍ଳାସ କରି ବୋର୍ ହୋଇଗଲେଣି l ଟିଭି, ମୋବାଇଲି କେତେ ଦେଖିବ l ସେଥିରେ ପୁଣି ସବୁବେଳେ କହୁଥିବ – “ଆରେ ! କ୍ଳାସ ମିସ୍ କରେନି l ହୋମ୍ ୱାର୍କ କରେ l ପାଠ ପଢେ l ଏଇସବୁ କଥା ଶୁଣିଶୁଣି ବିରକ୍ତ ଲାଗୁଛି l”
ଦିନେ ମାମା ସକାଳୁ ସକାଳୁ ଡାକିଲା ଗେଟ୍ ବାହାରେ ଷଣ୍ଢ ଠିଆ ହୋଇଛି, ତାକୁ କିଛି ଖାଇବାକୁ ଦେଇ ଦେ । ମୁଁ ଗେଟ୍ ପାଖରେ ଦେଖିଲି ଗୋଟିଏ ଛୁଆ ଷଣ୍ଢ ଥିଲା l ତାର ମୁହଁ ଟିକେ ବଙ୍କା ଥିଲା l ମୁଁ ତାକୁ କହିଲି ତୋତେ କୋଉଠି ଖାଇବାକୁ ମିଳୁ ନଥିବ । ତୁ ସବୁଦିନେ ଆସିଲେ ମୁଁ ତୋତେ ରୁଟି, ଫଳ, ପେଜ, ପ୍ରସାଦ ହେଉଥିବା ଫଳ ଖାଇବାକୁ ଦେବି l ଆଜିଠାରୁ ତୁ ଚୁନୁ l ତା ମୁଣ୍ଡରେ ହାତ ମାରିବାକ୍ଷଣି ସେ ଡରୁଥିଲା l ତା ପରଦିନ ସେ ଆମ ଘର ଆଗରେ ଠିଆ ହୋଇଛି l ତାକୁ ମୁଁ ଦେଖି ଭାରି ଖୁସି ହେଲି l ପ୍ରତିଦିନ ସେ ଆସୁଥାଏ, ତାକୁ ମୁଁ ଖାଇବାକୁ ଦେଉଥାଏ ।
ଧୀରେଧୀରେ ସେ ମୋର ସାଙ୍ଗ ହୋଇଗଲା, ମୁଁ ତାକୁ ଗେଲ କଲି ଆଉ ଆଉଁସିଲି ମଧ୍ୟ l ଯେଉଁଦିନ ସେ ଆସେ ନାହିଁ, ମୋତେ ଭାରି ବ୍ୟସ୍ତ ଲାଗେ l ମୁଁ କଲୋନୀର ସବୁ ଗଳିକନ୍ଦି ଖୋଜିବାକୁ ପଳାଇଯାଏ l କାଳେ ତା ସହିତ କିଛି ଅଘଟଣ ଘଟିଛି କି ଭାବିଭାବି ମନରେ ଏକ ଅଜଣା ଭୟ ଆସେ l ମୁଁ ତାକୁ ଦେଖିବାକ୍ଷଣି ଟିକେ ଦୀର୍ଘ ନିଶ୍ୱାସ ଛାଡ଼େ ।
କିଛିଦିନ ଗଲାପରେ ଆମକୁ ସେହି ଭଡ଼ାଘର ଛାଡ଼ିବାକୁ ପଡ଼ିଲା l ମୋତେ ବହୁତ ଦୁଃଖ ଲାଗିଲା । ଘର ଛାଡ଼ିବା ପରେ ମୁଁ ତାକୁ ଦେଖା କରିପାରିବି ନାହିଁ, କି ଖାଇବାକୁ ଦେଇପାରିବିନି l ସେ ମୋତେ ଅନେକ ଖୋଜିବ l ମୋ ଅପେକ୍ଷାରେ ମୋ ସାଙ୍ଗ ପ୍ରତିଦିନ ଗେଟ୍ ଆଗରେ ଖାଇବା ପାଇଁ ଅପେକ୍ଷା କରି ଠିଆହେବ l କେଜାଣି ତାକୁ ଆଉ କିଏ ଖାଇବାକୁ ଦେବ ? ମୋତେ ସେ ଭୁଲ ନବୁଝୁ l
ସାଇ ଇଣ୍ଟରନ୍ୟାସନାଲ ସ୍କୁଲ, ଆଦର୍ଶ ବିହାର, ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ଓଡ଼ିଆ ଭାଷାକୁ ନୂଆ କରି ପାଦ ଥାପିଥିବା କଅଁଳ ହାତରେ କ୍ଷୁଦ୍ର ଗପ ଓ କବିତା ଲେଖୁଥିବା ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଙ୍କ ସ୍ଵପ୍ନ ଆହୁରି ଅଧିକରୁ ଅଧିକ ଲେଖିବାକୁ ।