ବିନୟ ମହାପାତ୍ର

ଅଂଶୁମାନ ଅଫିସ ଗେଟ ପାଖର ସେଇ କୃଷ୍ଣଚୁଡ଼ା ଗଛ ତଳ ଛାଇରେ କାରଟାକୁ ପାର୍କିଂ ଲଗାଇ ଦେଇ ତା’ଉପରେ ଆଉଜି ଠିଆ ହୋଇଗଲା । ରୁଚି ଏବେ ଆସୁଥିବ, ତାର ଛୁଟି ହେବାର ସମୟ ବି ହୋଇଗଲାଣି । ମୋବାଇଲ ଖୋଲି ସମୟ ଦେଖିଲା, ଛଅଟା ବାଜିବାକୁ ଆଉ ମାତ୍ର ପାଞ୍ଚ ମିନିଟ ବାକି ଅଛି । ଅଂଶୁମାନର ଅଫିସ ସାଢେ ପାଞ୍ଚଟାରେ ଛୁଟି ହୋଇଯାଏ, ରୁଚିର ଅଫିସ ଛଅଟା ବେଳେ । ଭୂବନେଶ୍ୱର ସାଇବର ସିଟିରେ ଦୁହିଙ୍କର ଅଫିସ । ପାଖାପାଖି ନହେଲେ ବି ବେଶି ଦୂରତା ନଥିଲା ସେମାନଙ୍କ ଅଫିସ ମଧ୍ୟରେ । ଅଂଶୁମାନର ଅଫିସ ଜଲଦି ଛୁଟି ହୋଇଯାଏ, ସେଥିପାଇଁ ସେ ରୁଚିର ଅଫିସ ପାଖକୁ ଚାଲିଆସେ । ତାର ଛୁଟିହେବା ପର୍ଯ୍ୟନ୍ତ ସେଇଠି ଅପେକ୍ଷା କରେ ରୁଚିକୁ । ରୁଚି ଆସିଗଲା ପରେ ଦୁହେଁ କାରରେ ବାହାରି ପଡନ୍ତି । କିଟ୍ ରାସ୍ତା ଦେଇ ଗଲାବେଳେ କିଟ୍ ଛକ ପୂର୍ବରୁ ମାରୁତି ଭିଲ୍ଲା ହାଉସିଂ କଲୋନି ଭିତରେ ରୁଚିର ଘର, ରାସ୍ତାରେ ତାକୁ ଡ୍ରପ କରି ଦେଇ ଅଂଶୁମାନ ନନ୍ଦନକାନନ ରାସ୍ତାରେ ନିଜ ଘରକୁ ଚାଲିଯାଏ । ବେଳେବେଳେ କିଟ୍ ଜଗନ୍ନାଥ ମନ୍ଦିର ପାଖରେ ଦୁହେଁ କିଛି ସମୟ ସାଥି ହୋଇ ବସି ଯାଆନ୍ତି । ସେଦିନ କିନ୍ତୁ ଅଂଶୁମାନକୁ ଲାଗୁଥିଲା, ସତେଯେପରି ରୁଚିର ଅଧିକ ଡେରି ହେଉଛି । ବିଗ୍ ବଜାର ଫ୍ରି-ଅଫର ପରି ପ୍ରେମିମାନଙ୍କ ହୃଦୟରେ ବୋଧ ହୁଏ ଏପରି ଅଧୈର୍ଯ୍ୟପଣ ଗୋଟାକ ସାଙ୍ଗରେ ଆଉ ଗୋଟାଏ ଫ୍ରି-ଅଫର ପରି ମିଳିଯାଏ ! ଏଇ ଅଧୈର୍ଯ୍ୟପଣ ଅଂଶୁମାନକୁ ଆହୁରି ଅଧିକ ବିବ୍ରତ କରି ଦେଉଥିଲା । ଅଧୈର୍ଯ୍ୟ ହୋଇ ସେ ମୋବାଇଲ ଦେଖିଲା, ଛଅ ବାଜିବାକୁ ଆଉ ଦୁଇ ମିନିଟ ବାକି ଅଛି, ତଥାପି ସେ ଅଧୈର୍ଯ୍ୟ ହୋଇ ପଡୁଥିଲା । ଅଂଶୁମାନ ରୁଚିକୁ ମୋବାଇଲ ମିଳେଇବାକୁ ଯାଉଛି, ଠିକ୍ ସେତିକିବେଳେ ଅଫିସ ସାମ୍ନାରେ ଠିଆ ହୋଇ ରୁଚି ହାତ ହଲାଇ ହାଏ କହିବାର ଦେଖିଲା ।

ରୁଚି ପାଖକୁ ଆସିଗଲା ପରେ ଅଂଶୁମାନ କାରର ଡୋର ଖୋଲି ବସି ପଡ଼ିଲା, ଏବଂ ରୁଚି ବସି ଗଲାପରେ ସେ ଗାଡ଼ି ଷ୍ଟାର୍ଟ କରି ଚାଲିବା ଆଗରୁ ରୁଚିର ମୁହଁକୁ ଅନାଇ ପଚାରି ବସିଲା,

– ଆଚ୍ଛା ରୁଚି ତୁମେ ମୋତେ ପ୍ରେମ କର ?

ଅଂଶୁମାନ କାରର ଗିୟର ପକାଇ ଆଗକୁ ବଢିବା ପୂର୍ବରୁ ରୁଚି କହିଲା,

– ନା’ ବାବା ନା’ ! ମୁଁ କାହାକୁ କିଛି ପ୍ରେମ ଫ୍ରେମ କରେନି !

– କାହିଁକି ? ଅଂଶୁମାନ ଗିଅର ଚେଞ୍ଜ କରୁ କରୁ ପଚାରିଲା ଆଉ କହିଲା,

– ମୋ ପରିକା ପୁଅକୁ ପ୍ରେମ କରିବା ପାଇଁ ଝିଅଙ୍କର ଲାଇନ ଲାଗିଯାଉଛି, ଆଉ ତୁମେ କହୁଛ କଣନା ତୁମେ ମୋତେ ପ୍ରେମ କରନି ! କିନ୍ତୁ କାହିଁକି, କାରଣଟା ଜାଣିପାରେ କି ?

ଅଂଶୁମାନର ଗାଡ଼ି ଆଗକୁ ମାଡ଼ି ଚାଲିଥାଏ । ଭୂବନେଶ୍ୱରର ଚିକ୍କଣ ସଡ଼କ ଉପରେ ମଝିରେ ମଝିରେ ଚକୁଳିଆ ପଣ୍ଡାଙ୍କ ମଥାର ଚନ୍ଦନ ତିଳକ ପରି ତିନି ଲାଇନ ବହୁତ ଗୁଡ଼ାଏ ବାଲା ହମ୍ପସ, ଗାଡ଼ିର ସ୍ପିଡ ବଢିବା ପୂର୍ବରୁ ସ୍ପିଡ ବ୍ରେକର ଆସିଯାଏ । ବିଶେଷ କରି କିଟ୍ ରାସ୍ତାରେ ତ ଅଗଣିତ ସ୍ପିଡ ବ୍ରେକର । ସ୍ପିଡ ବ୍ରେକର ଉପରେ ଗାଡ଼ି ଦୋଳି ଖେଳିଲାବେଳେ ଅଂଶୁମାନକୁ ଲାଗୁଥିଲା ରୁଚିକୁ ବୋଧ ହୁଏ ପ୍ରେମରେ ଏମତି ଦୋଳି ଖେଳିବାରେ ମଜା ଆସୁଛି । ସ୍ପିଡ ବ୍ରେକରର ଦୋଳି ଖେଳ ସରିବା ପରେ ଅଂଶୁମାନ ରୁଚିର ମୁହଁକୁ ଚାହିଁଲା, ତା ପ୍ରଶ୍ନର ଉତ୍ତର ଏବେ ବି ବାକି ଅଛି ରୁଚି ପାଖରେ, ପଚାରିଲା,

– କିଛି କହିଲନି ଯେ ?

ରୁଚି ଟିକିଏ ହସି ଦେଇ କହିଲା,

– କାରଣଟା ବଡ଼ ସିମ୍ପଲ । କାରଣ, ତୁମେ ମୋତେ ପ୍ରେମ କରନି, ସେଇଥିପାଇଁ ମୁଁ ବି ତୁମକୁ ପ୍ରେମ କରେନି । ତୁମେ ମୋତେ ପ୍ରେମ କରୁଥିଲେ ସିନା ମୁଁ ତୁମକୁ ପ୍ରେମ କରନ୍ତି ! ତୁମେ ମୋତେ ଭଲପାଅନି, ତା ହେଲେ ମୁଁ କାହିଁକି ଭଲପାଇବି ?

ଅଂଶୁମାନ ରୁଚିର କଥା ମଝିରେ କହିଲା,

– ଆଚ୍ଛା, ଏଇ କଥା, ତାହେଲେ ! ଏବେ ଯଦି ମୁଁ ତୁମକୁ ଠିକ୍ ସେଇ କଥା କହିବି !

ରୁଚି ଚୁପ୍ ହେଇଗଲା, ଟିକିଏ ରହି ଅଂଶୁମାନ ଆଖିକୁ ଚାହିଁଲା । ଅଂଶୁମାନ ଆଖିରେ ଦୁଷ୍ଟାମୀର ହସ ସହିତ ଏକ ବିଜେତାର ଭାବକୁ ସ୍ପଷ୍ଟ ଭାବରେ ସେ ଦେଖି ପାରୁଥିଲା । ରୁଚି କ୍ଷଣେ ଗମ୍ଭୀର ହେବାର ଅଭିନୟ କରି ପୁଣି ଫିକ୍ କିନା ହସି ଦେଲା ଆଉ କହିଲା,

– ତୁମେ ଭାବୁଛ ତୁମେ ଜିତି ଗଲ ବୋଲି, ନାହିଁ ? ପ୍ରଶ୍ନ କଲା ରୁଚି । ଆଚ୍ଛା, ଠିକ୍ ଅଛି । ତୁମ କଥା ଅନୁସାରେ, ତୁମେ ମୋତେ ପ୍ରେମ କରୁନ ! ମାନିନିଅ ଏ ପରିସ୍ଥିତିରେ ମୁଁ ଯଦି ତୁମକୁ ପ୍ରେମ କରିବା ଆରମ୍ଭ କରିଦେବି, ତାପରେ ? ତାପରେ ତୁମେ ମୋ ପ୍ରେମକୁ କଣ କହିବ ? ମୋ ପ୍ରେମର ସଜ୍ଞା ହୋଇଯିବ ଏକ ପାଖିଆ ପ୍ରେମ । ମୁଁ ବୁଝିପାରେନି, ପ୍ରେମରେ ଏଇ ନେଣଦେଣ, ହିସାବକିତାବ ଲୋକେ କେମିତି କରିପାରନ୍ତି ? ପ୍ରେମରେ ଏଇଟା ଏକ ସର୍ତ୍ତ, ଜଣେ ପ୍ରେମ କଲେ ତା’ ବଦଳରେ ଆଉଜଣେ ପ୍ରେମ କରିବ, ନହେଲେ ନାହିଁ । ପ୍ରେମ କଣ ନିସର୍ତ୍ତ, ନିସ୍ୱାର୍ଥ, ନିର୍ଲୋଭ ହୋଇ କରିହେବନି ?

ଭକ୍ତିରେ ସବୁବେଳେ ପ୍ରାପ୍ତିର ଇଚ୍ଛା ଥିଲେ ସେ କେଉଁ ପ୍ରକାରର ଭକ୍ତି ? ଭକ୍ତି କରି ପ୍ରଭୂଙ୍କୁ କୃପା ପ୍ରଦାନ କରିବା ପାଇଁ ବାଧ୍ୟ ତ କରାଯାଇ ପାରିବନି ନା’ ? ସେହିପରି ପ୍ରେମରେ ମଧ୍ୟ । ରାଧାକୃଷ୍ଣଙ୍କ ପ୍ରେମରେ, ପ୍ରେମ ଥିଲା, ଭକ୍ତି ବି ଥିଲା, ମୀରାର ପ୍ରେମରେ ନିରୁତା ପ୍ରେମ ଥିଲା, ସେମାନଙ୍କର ପ୍ରେମ କେବେ କାହାର ସ୍ୱୀକୃତି, ସହମତି ଚାହିଁ ନଥିଲା । କୃଷ୍ଣ ମୀରାକୁ ପ୍ରେମ କରୁଥିଲେ କି ନାହିଁ ତାହା ନଜାଣି ବି ମୀରା କୃଷ୍ଣ ପ୍ରେମରେ ବୁଡ଼ି ରହିଥିଲେ । ପ୍ରେମରେ ପାଇଯିବାର ମୋହ ନଥାଏ, ଥାଏ କେବଳ ଦେଇଦେବାର ତୀବ୍ର ପିପାଶା । କିନ୍ତୁ ମଣିଷ ଜଣକୁ ପ୍ରେମ କରି, ପାଇଯିବାର ମୋହରୁ ନିଜକୁ ଅଲଗା କରିପାରେନା, ସେଇଥିପାଇଁ ତା ମନରେ ସନ୍ଦେହ ଆସିଯାଏ । ସେ ମୋତେ ପ୍ରେମ କରୁଛି କି ନାହିଁ ?ର ପ୍ରଶ୍ନ ଉଙ୍କି ମାରେ । କୃଷ୍ଣ ମୀରାକୁ ପ୍ରେମ କରୁଥିଲେ କି ନାହିଁ ଏଥିରେ ମୀରା ପ୍ରେମରେ କଣ କିଛି ଫରକ ପଡୁଥିଲା ? ଗୀତାର କର୍ମଯୋଗର ଜ୍ଞାନ ପରି ପ୍ରେମଜ୍ଞାନ ଠିକ୍ ସେଇ କଥାକୁ ଇଙ୍ଗିତ କରେ, ତୁମ ପ୍ରେମ, ତୁମ ଅଧିକାର କ୍ଷେତ୍ର ଭିତରେ ସୀମିତ, ତୁମେ କାହାକୁ ପ୍ରେମ କରିବ ନକରିବ ସେଇଟା ତୁମର ଇଚ୍ଛାଧୀନ ।

ମନେକର ତୁମେ ଯଦି କାହାକୁ ପ୍ରେମ କରି ବସିଲ, କେବଳ ପ୍ରେମ କରିବା ତୁମ ଅଧିକାର, ତୁମ ପ୍ରେମର ପରିସୀମା ସେଇଠି ସମାପ୍ତ । ତୁମେ ଯାହାକୁ ପ୍ରେମ କରୁଛ, ସେ ତୁମ ପ୍ରେମ ବଦଳରେ ତୁମକୁ ପ୍ରେମ କରିବ ବା ନକରିବ ସେଇଟା ତାର ଇଚ୍ଛାଧୀନ, ନା କଣ କହୁଛ ? କିନ୍ତୁ ହୁଏ କଣ ? ଆମେ କର୍ମ କରି ସାଙ୍ଗେସାଙ୍ଗେ ଫଳ ପ୍ରାପ୍ତିର ଇଚ୍ଛା ରଖିଲା ଭଳି, ପ୍ରେମ କରି ତା ବଦଳରେ ପ୍ରେମ ମାଗିବା ଆରମ୍ଭ କରିଦେଉ । ତେବେ ଏଇଟାକୁ ତୁମେ କଣ କହିବ ? ପ୍ରେମରେ ବଣିଜ ? ଆଉ ସବୁଠାରୁ ବଡ଼ ଇଣ୍ଟେରେଷ୍ଟଙ୍ଗ କଥା କଣ ଜାଣିଛ ? ଦୁନିଆର ନବେ ପ୍ରତିଶତରୁ ଅଧିକ ପ୍ରେମ ଏଇ କାରଣରୁ ବିଫଳ ହୋଇଯାଆନ୍ତି । ପ୍ରେମ ବଦଳରେ ପ୍ରେମ ନପାଇ ଯୁବକ ଯୁବତୀ ଆତ୍ମହତ୍ୟା କରିଦିଅନ୍ତି । ତୁମକୁ ଏକଥା କିଛି ଅଜବ୍ ଲାଗୁନି ଅଂଶୁ ?

ଅଂଶୁମାନ ରୁଚିର ମୁହଁକୁ ଦେଖିଲା, ତା’ ଓଠରେ ସ୍ମିତ ହସର ପତଳା ରେଖାଟିଏ ସ୍ପଷ୍ଟ ବାରି ହୋଇ ଯାଉଥିଲା । ରୁଚି ଏଥର ବି ଜିତିଗଲା, ସବୁବେଳେ ସେ ଏମିତି ଜିତିଯାଏ, ଭାରି ଇଣ୍ଟେଲିଜେଣ୍ଟ ଝିଅ । ହଁ କାହିଁକି ଜିତିବନି, ଯେତେ ହେଲେ ସହରୀ ଝିଅ, ଅଂଶୁମାନ ପରି ସେ କଣ କେଉଁ ମଫସଲ ଗାଆଁରୁ ଆସିଛି ! ପିଲାଦିନୁ ସହରରେ ରହି ଆସିଛି, ପବ୍ଲିକ ସ୍କୁଲରେ ପଢିଛି । ଅଂଶୁମାନର ଅଧା ଜୀବନ ସେଇ ଗାଁର ଓଡ଼ିଆ ମିଡ଼ିୟମ ସ୍କୁଲରେ କଟିଛି । କଲେଜ ପଢିବା ପାଇଁ ସହରକୁ ଆସିଲା, ଆଉ ଭୂବନେଶ୍ୱରରେ ଇଜିନିୟରିଂ କରିବା ସମୟରେ ରୁଚି ସହିତ ତାର ଚିହ୍ନାଜଣା ହୋଇଥିଲା । ତା’ପରେ ବନ୍ଧୁତା । କିନ୍ତୁ ତାଙ୍କର ଅସଲ ପ୍ରେମ କାହାଣୀ ଉଭୟଙ୍କର ଚାକିରି ପାଇବାପରେ ହିଁ ଆରମ୍ଭ ହୋଇଥିଲା ।

ଅଂଶୁମାନ ମଧ୍ୟ କିଛି କମ୍ ଇଣ୍ଟେଲିଜେଣ୍ଟ ନଥିଲା । ସେ ସଙ୍ଗେସଙ୍ଗେ ରୁଚିକୁ କହିଲା,

– ରୁଚି ! ମୁଁ ଯଦି ଏବେ କହେ, ‘ହଁ ମୁଁ ତୁମକୁ ଭଲପାଏ’ ତାହେଲେ ତୁମେ କଣ କହିବ ? ଏଇଟା ମୋର ଏକ ପାଖିଆ ପ୍ରେମ ନା ଆଉ କିଛି ?

ରୁଚି ଟିକିଏ ହସିଲା, ଏଇ କଥାର ଉତ୍ତର ଲଜିକାଲି କଣ କହି ପୁଣିଥରେ ଅଂଶୁମାନକୁ ଚିତପଟାଙ୍ଗ କରିବ ଭାବୁଥାଏ । କିନ୍ତୁ ସେମିତି କିଛି ବଳିଷ୍ଟ ଯୁକ୍ତି ତା ମୁଣ୍ଡକୁ ଜୁଟୁ ନଥାଏ । ଭାବିବାକୁ କିଛି ସମୟ ନେବାପାଇଁ କଥାର ମୋଡ଼ ବଦଳାଇ ରୁଚି କହିଲା,

– ବହୁତ ଦିନ ହେଲା ଜଗନ୍ନାଥ ଦର୍ଶନ ହୋଇନି, ଆଜି ଚାଲ । ସେଇଠି ଦି’ ଘଡ଼ି ବସିବା । କିଛି ସମୟ ପରେ ସଂଧ୍ୟା ଆରତି ବି ଆରମ୍ଭ ହୋଇଯିବ । ସାଥି ହୋଇ ସଂଧ୍ୟା ଆରତୀ ଦେଖିବା ଆଉ ତା’ପରେ ଘରକୁ ଯିବା ।

ରୁଚିର କଥା ଶୁଣି ଅଂଶୁମାନ ଶିଖରଚଣ୍ଡି ଟର୍ଣିଂ ପରେ କିଟ୍ ଜଗନ୍ନାଥ ମନ୍ଦିର ଆଡ଼କୁ ତାର କାର ମୋଡ଼ି ଦେଲା । କାରରୁ ଓହ୍ଲାଉ ଓହ୍ଲାଉ ରୁଚି ମନେମନେ ଟିକିଏ ହସି ପଚାରିଲା,

– ଆଚ୍ଛା ଅଂଶୁମାନ ! ତୁମେ କହୁଛ ତୁମେ ମୋତେ ଭଲପାଅ, କିନ୍ତୁ କେତେ ? କେତେ ଭଲପାଅ ମୋତେ ? ପ୍ରଥମ ବାଜି ଜିତିବାର ନିଶା ତାର ଏବେ ବି ସରି ନଥିଲା । ମନେମନେ ଭାବିଥିଲା ଏଇ ବାଜିଟିରେ ବି ତାର ଜିତାପଟ ନିଶ୍ଚୟ । ଅଂଶୁମାନ ମଧ୍ୟ ହଠାତ ଏପରି ଏକ ପ୍ରଶ୍ନ ପାଇଁ ଆଗରୁ ପ୍ରସ୍ତୁତ ନଥିଲା । ରୁଚିର ପ୍ରଶ୍ନ ଶୁଣି ଅଂଶୁମାନ କହିଲା,

– କେତେ ପ୍ରେମ ମାନେ ? ପ୍ରେମ କଣ ମାପି ହୁଏ ?

ରୁଚି ସତେ ଜାଣିଥିଲା ଅଂଶୁମାନ ତାର ପ୍ରଶ୍ନର ଉତ୍ତରରେ ଏକଜାକଟ୍ଲି ଏଇ ପ୍ରଶ୍ନ ପଚାରିବ, ସେଥିପାଇଁ ସେ ପୁରା ପ୍ରସ୍ତୁତ ଥିଲା । ସାଙ୍ଗେସାଙ୍ଗେ ହାତ ଦେଖାଇ କହିଲା,

– କେତେ ମାନେ, ଏତେ, ଏ…ତେ, ଏ…..ତେ, ନା’ ଏଏଏଏଏଏ…ତେ ?

ଶେଷବେଳକୁ ତାର ଦୁଇ ହାତ, ତାର ପୁରା ଶରୀର ସହିତ ୧୮୦ ଡିଗ୍ରୀର କୋଣ ଆଙ୍କି, କ୍ରୁଶବିଦ୍ଧ ଯିଶୁଙ୍କ ପରି, ମିଶାଣ ଚିହ୍ନର ସିମ୍ବଲ ଆଙ୍କି ସାରିଥିଲା । ଅଂଶୁମାନ ଟିକିଏ ହସି ରୁଚିର ହାତ ଦୁଇଟାକୁ ତଳକୁ କରି ତାକୁ ସାବଧାନ ପୋଜକୁ ନେଇଆସିଲା । କହିଲା,

– ଚାଲ, ସେଇ ଆନନ୍ଦବଜାର ଗେଟ ପାଖରେ ବସିବା ।

ଦୁହେଁ ଗେଟ ପାଖରେ ଥିବା ସିମେଣ୍ଟ ବେଞ୍ଚରେ ଯାଇ ବସି ପଡ଼ିଲେ । ରୁଚି ତାର ଭ୍ୟାନିଟରୁ ଦୁଇଟି କାଡ଼ବରି ଚକୋଲେଟ ବାହାର କରି ଗୋଟିଏ ଅଂଶୁମାନ ହାତକୁ ଦେଇ ନିଜର ଚକୋଲେଟ ଖୋଲିବାକୁ ଯିବାବେଳେ ଅଂଶୁମାନ ତା ହାତକୁ ଅଟକେଇ ଦେଇ କହିଲା,

– ରୁହ ସେଇଟା ପରେ ଖାଇବା । ଆଗ ମୋ ଚକୋଲେଟଟା ଖାଇବା କହି, ନିଜ ଚକୋଲେଟର ରାପର୍ ଖୋଲି ରୁଚି ଓଠ ଆଗକୁ ବଢାଇ ଦେଲା । ରୁଚି ଗୋଟିଏ ବାଇଟ ଖାଇବା ପରେ ଅଂଶୁମାନ ମଧ୍ୟ ଗୋଟିଏ ବାଇଟ ନେଇ କହିଲା,

– ଆଚ୍ଛା ରୁଚି ! ମୋତେ ଟିକିଏ ବୁଝେଇ କହିବ, ଲୋକେ ପ୍ରେମକୁ ମାପନ୍ତି କେମିତି ? କିଏ କେମିତି କହିପାରିବ ସେ କେତେ ଭଲପାଏ ବୋଲି ? ପ୍ରେମକୁ ମାପ କରିବାର ୟୁନିଟି କଣ ? ଇଞ୍ଚ, ଫୁଟ, ମିଟର, କିଲୋ, ଲିଟର କିମ୍ବା ଶତକଡା ହିସାବ ପରି ଏତେ ପରସେଣ୍ଟ ସେତେ ପରସେଣ୍ଟ ନା’ ଆଉ କିଛି ? କେମିତି ମାପନ୍ତି ପ୍ରେମକୁ ?

କଥାଟିକୁ ଆଉ ଟିକେ ସରଳ କରି ଅଂଶୁମାନ କହିଲା,

– ପ୍ରେମ ହେଉଛି ଜୀବନ, ଜୀବନଟା ହେଉଛି ପ୍ରେମ ଏବଂ ଏଇ ଜୀବନ ଓ ପ୍ରେମ ହେଉଛି ଏଇ କାଡ଼ବରି ଚକୋବାର । ରାପର୍ ଖୋଲି ଗଲାପରେ ଗୋଟେ ବାଇଟ୍ ତୁମର, ଗୋଟେ ବାଇଟ୍ ମୋର, କିଛି ତୁମର, କିଛି ମୋର ଏବଂ ପୁରାଟା ଆମ ଦୁଇ ଜଣଙ୍କର । କିଛି ପ୍ରେମ ତୁମେ କରିବ, କିଛି ପ୍ରେମ ମୁଁ କରିବି ଏବଂ ଆମ ଦୁଇଜଣଙ୍କ ପ୍ରେମ ମିଶିଲେ ଗୋଟାଏ ସମ୍ପୂର୍ଣ୍ଣ ପ୍ରେମ କାହାଣୀ ହେବ । ସେଇ ପ୍ରେମ କାହାଣୀଟି ଆମର ଜୀବନ ହେବ । ମୋ ହୃଦୟ ତୁମ ଛାତି ଭିତରେ ଧକ୍ ଧକ୍ କରୁଥିବ ଆଉ ତୁମ ହୃଦୟ ମୋ ଛାତି ଭିତରେ ଠିକ୍ ସମତାଳରେ ସ୍ପନ୍ଦିତ ହେଉଥିବ । ପ୍ରେମରେ ମାପ ହୁଏନା, ପ୍ରେମ ନିର୍ମାଲ୍ୟ ପରି ପବିତ୍ର, ପ୍ରେମ ଅମୃତ ପରି ପ୍ରାଣ ସଂଜୀବନୀ, ସେଥିରୁ କାଣିଚାଏ ବି ନିର୍ମାଲ୍ୟ ପରି ସେତିକି ପବିତ୍ର ଏବଂ ପ୍ରାଣଦାତ୍ରୀ । ପ୍ରେମ ଶୁଷ୍କ ତରୁ ଡାଳରେ ନବ ପଲ୍ଲବର ସୃଜନ କରିଯାଏ । ମୁଁ ଜାଣେନା ମୋ ଭିତରେ କେତେ ପ୍ରେମ ଅଛି । କିନ୍ତୁ ଏତିକି ଜାଣିଛି ମୋ ଭିତରେ ଯେତେ ବି ପ୍ରେମ ଅଛି ପ୍ରତିଟି ବୁନ୍ଦା କେବଳ ତୁମ ପାଇଁ ହିଁ ଝରି ଆସିବ ।

ଅଂଶୁମାନର କଥା ଶୁଣିବା ପରେ ରୁଚି ପାଖରେ କହିବାକୁ କିଛି ଶବ୍ଦ ନଥିଲା । ସେ କେବଳ ନିର୍ବାକ ହୋଇ ଅଂଶୁମାନର ମୁହଁକୁ ଚାହିଁ ରହିଥାଏ । ଅଂଶୁମାନକୁ କଥାରେ ଜିତିବାର ତାର ନିଶା ତା ମନରେ ଆଉ କାଣିଚାଏ ବି ବାକି ନଥିଲା । ସତରେ ପ୍ରେମର ଏ ନିଆରା ଅନୁଭୂତି, ଜିତିଯିବା ପରେ ବି ହାରିଗଲା ପରି ଲାଗେ ଏବଂ ହାରିଗଲା ପରେ ବି ଜିତିବାର ସମସ୍ତ ସ୍ପୃହା ସମାପ୍ତ ହୋଇଯାଏ । ଏଇ ହାରିବାରେ ବି ଜିତିବାର ଏକ ଅପୂର୍ବ ଆନନ୍ଦ ମିଳିଥାଏ । ଅଂଶୁମାନ ପାଖରୁ ହାରି ମଧ୍ୟ ସେ ଅଂଶୁମାନକୁ ସମ୍ପୂର୍ଣ୍ଣ ଭାବରେ ପାଇ ଯାଇଥିଲା । ଆଉ କଣ ଅଧିକା ଚାହିଁ ପାରିଥାନ୍ତା ରୁଚି ? ଏଇ ପାଇବାର ଖୁସି ଏତେ ପ୍ରବଳ ଥିଲାଯେ ରୁଚିର ଆଖିରେ ଲୁହ ଜକେଇ ଆସିଲା, ଯେଉଟା ଅଂଶୁମାନର ଦୃଷ୍ଟିକୁ ଏଡ଼ାଇ ଯାଇ ପାରିନଥିଲା । ଚାରି ଆଖି ଏକ ହୋଇ ଯାଇଥିଲେ ସେତେବେଳକୁ । ଅଂଶୁମାନ ତାର ବାହୁ ପଶାରି ରୁଚିକୁ ନିଜ ଛାତି ଉପରକୁ ଆଉଯାଇ ନେଲା । ଦୁହେଁ ନିର୍ବାକ ଥିଲେ, କିନ୍ତୁ ସେମାନଙ୍କର ହୃଦୟର ସ୍ପନ୍ଦନ ପରସ୍ପର ସହିତ ବହୁତ କିଛି ବାର୍ତ୍ତା ବିନିମୟ କରୁଥିଲେ । ଏକଥା କିନ୍ତୁ ବୁଝି ହେଉ ନଥିଲା କାହା ହୃଦୟ କାହା ଛାତି ଭିତରେ ସ୍ପନ୍ଦିତ ହେଉଥିଲା ।

ଭୁବନେଶ୍ଵର

ଲେଖକ ପରିଚୟ

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

Related Posts

Leave a Reply

Your email address will not be published. Required fields are marked *