ଶିବାଶିଷ ପାଢ଼ୀ
ଫଗୁଣ ଆସିଲେ ପଳାଶ ଫୁଟେ ଆଉ ଏ ପଳାଶକୁ ଦେଖିଲେ ମନର କେଉଁ କୋଣରେ ଛପିଥିବା ସେ ତୀବ୍ର ଅଭାବବୋଧ ହଠାତ ଲାର୍ଭା ଭଳି ଫୁଟି ବାହାରିଯାଏ ଅନୁରାଧାର ଛାତି ଫଟାଇ । ମନେ ପଡ଼ିଯାଏ ସ୍କୁଲରେ ପଢିବା ସମୟରେ ଏଇ ଲାଲ ଟହଟହ ପଳାଶର ତୀବ୍ର ଆକର୍ଷଣ ପାଇଁ ଫଗୁଣର ଆଗମନକୁ ଚାହିଁ ରହୁଥିଲା ସେ । ଘର ଛାତ ଉପରୁ ଅନାଇ ରହୁଥିଲା ଅନେକ ସମୟ ଯାଏ । ହେଲେ ସେ କ’ଣ ଜାଣିଥିଲା ଏଇ ପଳାଶ ସହ ଦିନେ ନିଜକୁ ତୁଳନା କରିବାକୁ ପଡିବ ବୋଲି !
ଥରେଥରେ ଲାଗେ କାହିଁକି ଭଗବାନଙ୍କ ଏ ନିରର୍ଥକ ସୃଷ୍ଟି । କ’ଣ ତାଙ୍କର ଉଦେଶ୍ୟ ! ଖୁବ ଆକର୍ଷଣୀୟ ରୂପ ଅଛି, ଗାଢ଼ ରଙ୍ଗ ଅଛି, ହେଲେ ବାସ୍ନା ନାହିଁ, ଯେଉଁଥିପାଇଁ ଠାକୁର ପୂଜାରେ ଲାଗେ ନାହିଁ ସେ, ଠିକ ତାରି ପରି ! ରୂପ, ଗୁଣ, ଧନରତ୍ନରେ ଅଭାବ ନାହିଁ । କୋଟିଏରେ ଗୋଟିଏ ପରି ସ୍ୱାମୀ ବି ତ ପାଇଛି, ହେଲେ କାହିଁକି ଚିରଶୂନ୍ୟ ତା’ ଗର୍ଭ !
“ମାଡ଼ାମ ! ମୁଁ ପାଣି ବୋତଲ ସବୁ ନେଇକି ଆସୁଛି” ଗାଡ଼ି ରଖି ଚାଲିଯାଇଥିଲା ଡ୍ରାଇଭର ନରେନ୍ଦ୍ର । ଅନୁରାଧା ମିଠା ପ୍ୟାକେଟ ସବୁକୁ ଆଉଥରେ ଚେକ୍ କରିଦେଇ ମୋବାଇଲକୁ ଧ୍ୟାନ ଦେଉଥିଲେ । କିନ୍ତୁ ଆଜି ମୋବାଇଲ ତାଙ୍କୁ ବାନ୍ଧି ରଖି ପାରୁନଥିଲା । ମନ ଫେରିଯାଉଥିଲା ତିରିଶ ବର୍ଷ ତଳକୁ ।
ଏକ ବଡ଼ ବ୍ୟବସାୟୀ ପରିବାରର ଚାରିପୁଅରେ ସାନ ପୁଅ ଅରବିନ୍ଦଙ୍କ ହାତଧରି ବୋହୂ ସାଜିଥିଲା ଅନୁରାଧା । କେତେକେତେ ଆଶା, କେତେ ଯୋଜନା ନେଇ ନିଜକୁ ପ୍ରସ୍ତୁତ କରୁଥିଲା ମା’ର ଭୂମିକା ପାଇଁ । ହେଲେ ବର୍ଷ ପରେ ବର୍ଷ ଗଡ଼ି ଚାଲିଲା ପରେବି ଆଶା, ଆଶାରେ ହିଁ ରହିଗଲା । ଗାଁ ଗହଳିର ଛୋଟ କବିରାଜଠୁ ନେଇ ଦିଲ୍ଳୀ ଏମ୍ସ ପର୍ଯ୍ୟନ୍ତ କୌଣସି ଡାକ୍ତରଖାନା ଯାଇନି ସେକଥା ନୁହେଁ ହେଲେ ସବୁଠି ଶୁଣୁଥିଲା ସେଇ ଗୋଟିଏ କଥା- “ସମସ୍ୟା କିଛି ନାହିଁ, ହେବ ।“
ସଂସାରର କୌଣସି ଓଷାବ୍ରତ ବି ତ ଛାଡ଼ି ନଥିଲା ସେ ! ମନେ ପଡୁଥିଲା ଶାଶୁଙ୍କ କଥା-
“ଆରେ ! ତୋର ନହେଲେ କ’ଣ ହୋଇଗଲା ? ଯଦି ନାତି କି ନାତୁଣୀ ହେବ ସେ ପରା ମୋର ଆଠ ନମ୍ବର ହେବ । ବାକି ସାତ ତ ଅଛନ୍ତି ନା !”
ଏଇଟା ସମବେଦନା କି ତାଚ୍ଛଲ୍ୟ କିଛି ବୁଝି ପାରୁ ନଥିବା ଅନୁ କିନ୍ତୁ ଦୁଃଖି ହେଉଥିଲା । କେବେ କେମିତି ମନ ଦୁଃଖ ତ ଅରବିନ୍ଦ ବି କରୁଥିଲେ । ହେଲେ ଦିନ ରାତି ବଢ଼ି ଚାଲୁଥିବା ନିଜ ଠିକାଦାରୀରୁ ଫୁରସତ ନଥିଲା ତାଙ୍କର । କହୁଥିଲେ-
“ଆମ ତରଫରୁ ତ ସବୁ ଚେଷ୍ଟା ଚାଲିଛି । ବାକି ଭଗବାନଙ୍କ ଇଛା । ବ୍ୟସ୍ତ କାହିଁକି ହେଉଛ ? ଆଜିକାଲି ଯାହା ଚାଲିଛି ନହେଲେ ବି ଭଲ । ମୁଁ ତ ଅଛି !” ନିଜ ସାଙ୍ଗ ସାଥିଙ୍କ କୁପୁତ୍ରମାନଙ୍କ ଉଦାହରଣ ଦେଇ ମନକୁ ବୁଝାଇ ଦେଉଥିଲେ ସେ ।
ଆଜି ଅନୁ ଭାବୁଥିଲା ସେ କେତେ ପଛରେ ରହିଗଲାଣି ! ପାଖ ପଡ଼ୋଶୀ, ନଣନ୍ଦଯା’ଙ୍କ ଟାହିଟାପରା ଆଉ ଶୁଭୁନି । ଗାଁ ଛାଡ଼ି ଏଇ ସହରକୁ ଆସିବା, ନିଜନିଜ ସ୍ୱାର୍ଥପୂରଣରେ ବିଫଳ ହୋଇ ଭାଇମାନଙ୍କଠୁ ଦୂରେଇ ଯିବାପରେ ବି ଜୀବନ ଚାଲିଛି । ଆଉ ଜୀବନ ତ ଚାଲିବ, କାରଣ ତାର ବ୍ୟବସ୍ଥା ବି ସେ ହିଁ କରିଥାଏ !
ସେଦିନ ଗାଡ଼ି ଖରାପ ଯୋଗୁଁ କିଛି ସମୟ ଅଟକି ଯାଇଥିବା ସେଇ “ନିର୍ମାୟା” ଅନାଥାଶ୍ରମ ଆଜି ଅନୁରାଧାର ଘର ପାଲଟି ଯାଇଛି । ପ୍ରତ୍ୟେକ ପର୍ବପର୍ବାଣିକୁ ଛାଡ଼ିଦେଲେ ସପ୍ତାହକୁ ତିନିଦିନ ନିଶ୍ଚୟ ଆସେ ସେ । ସେଇ ଦିନଠୁ ଏଇ ଆଶ୍ରମର ଖର୍ଚ୍ଚ ଚଳାଉଥିବା ଅରବିନ୍ଦ ବି ଆସି ଯାଆନ୍ତି କେବେକେମିତି ଫୁରସତ ଦେଖି ।
ଗାଡ଼ିର ହର୍ଣ୍ଣ ଶୁଣି ଭାବନା ରାଜ୍ୟରୁ ଫେରି ଆସୁଥିଲା ଅନୁ । ଆଜି ହୋଲି ପାଇଁ ରଙ୍ଗ ଅବିର ନେଇ ଆସିଥିବା ଅନୁ ଜାଣିଛି, ତା’ ବାଟ ଚାହିଁ ରହିଥିବ ପଚିଶ ଯୋଡ଼ା ଆଖି । ଗାଡ଼ିରୁ ଓହ୍ଲାଉଓହ୍ଲାଉ ନଜର ପଡ଼ିଲା ବାରଣ୍ଡାରେ ଏକ ଟେବୁଲରେ ସଜା ହୋଇଥିବା ରାଧାମାଧବଙ୍କ ଯୁଗଳ ଚିତ୍ର ଉପରେ । ପେନ୍ଥାପେନ୍ଥା ପଳାଶ ଫୁଲରେ ଭାରି ସୁନ୍ଦର ଦେଖାଯାଉଥିଲେ ଠାକୁର । ମା, ମା କହି ଅନୁକୁ ଦେଖି ଦୌଡ଼ି ଆସୁଥିଲେ ଛୁଆସବୁ । ସେମାନଙ୍କୁ ଟିକେଟିକେ ଅବିର ଲଗେଇ ଦେଇ ପଚିଶ ଛୁଆଙ୍କ ମା ଅନୁ ଚିନ୍ତା କରୁଥିଲା- “ପଳାଶ ବି ତୋର ସୃଷ୍ଟି । ମୁଁ ବି ତୋର ସୃଷ୍ଟି । ଆଉ ଉଭୟ ସୃଷ୍ଟି ନିରର୍ଥକ ନୁହେଁ !”
ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮
ଲେଖକ ପରିଚୟ
ପ୍ରାୟତଃ ତିନି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ଚାରୋଟି ଗଳ୍ପ ସଂକଳନ ପ୍ରକାଶିତ ହୋଇସାରିଛି । ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁ କଳେବରରେ ଛୋଟ ନିଶ୍ଚେ କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ । ‘ଚିହ୍ନା ଚିତ୍ର ଅଚିହ୍ନା ଚରିତ୍ର’ ମାଧ୍ୟମରେ ଅନେକ କିଛି ଅନାଲୋଚିତ ଅବହେଳିତ ଚରିତ୍ରଙ୍କ ସହ ମୁହାଁମୁହିଁ ହେବାର ସୁଯୋଗ ଆଣିଦେବ ବୋଲି ଆଶା !!!