ସୌମ୍ୟ ରଞ୍ଜନ ବିହାରା
ପୁସ୍ତକ: ମୃଣାଳଙ୍କ ନିର୍ବାଚିତ ଗଳ୍ପ ସଙ୍କଳନ- ଶ୍ରେଷ୍ଠ ଗଳ୍ପ
ଲେଖକ: ମୃଣାଳ
ପ୍ରକାଶକ: ଟାଇମ୍ପାସ୍
ପୃଷ୍ଠା: ୨୫୫
ମୂଲ୍ୟ: ୨୨୫ ଟଙ୍କା
ସମୀକ୍ଷା: ସୌମ୍ୟ ରଞ୍ଜନ ବିହାରା
ବଛା ବଛା ତିରିଶଟି ଗପ । କେହି କାହାଠୁଁ କମ୍ ନୁହେଁ । ଗପଗୁଡ଼ିକରେ ସାମାଜିକ ଚିତ୍ର, ଚରିତ୍ରସବୁ ପରସ୍ପର ଏମିତି ଭାବରେ ଗୁନ୍ଥି ହୋଇ ରହିଛନ୍ତି ଯେ, ପାଠକ ନିଜ ଭିତରେ ଓ ତା’ ଚାରିପାଖରେ ସେଗୁଡ଼ିକୁ ଖୋଜିବାକୁ ଚେଷ୍ଟା କରିବ । ସବୁ ଗପରେ ରହିଛି ଭିନ୍ନ ସ୍ୱାଦ । ଆଉ ମଝିରେ ମଝିରେ ଶବ୍ଦ ଚାତୁରୀର ପ୍ରୟୋଗରେ ବ୍ୟଙ୍ଗର ଛୁଙ୍କ ଗପକୁ ଆହୁରି ପାଠକୀୟ କରିଛି । ବିଶିଷ୍ଟ କଥାକାର ମୃଣାଳଙ୍କ ଏମିତି କିଛି ଗପକୁ ନେଇ ପ୍ରକାଶିତ ହୋଇଛି ପୁସ୍ତକ ‘ଶ୍ରେଷ୍ଠ ଗଳ୍ପ’ । ଟାଇମ୍ପାସ୍ ପ୍ରକାଶନ ସଂସ୍ଥା ପକ୍ଷରୁ ପୁସ୍ତକଟି ପ୍ରକାଶିତ କରାଯାଇଛି ।
ପୁସ୍ତକରେ ଗାଳ୍ପିକ ମୃଣାଳଙ୍କ ଦ୍ୱାରା ବିଭିନ୍ନ ସମୟରେ ଲେଖା ଯାଇଥିବା ଗପ ସ୍ଥାନ ପାଇଛି । ପ୍ରତିଟି ଗପ ପଢ଼ିବାବେଳେ ମନ ସତେଜ ହୋଇଯିବ ନିଶ୍ଚୟ । ଆଉ ଗୋଟିଏ ପରେ ଗୋଟିଏ ଗପ ପଢ଼ିବାକୁ ଇଚ୍ଛା ହେବ । ଏହା ହିଁ ମୃଣାଳଙ୍କ ସ୍ୱତନ୍ତ୍ରତା । ଏହାକୁ ମୃଣାଳୀୟ ଲେଖା ଶୈଳୀ କହିଲେ ଭୁଲ ହେବନି । ଗପଗୁଡ଼ିକରେ ଗାଳ୍ପିକ ବେଶ୍ ସରଳ ଓ ସାବଲୀଳ ଶବ୍ଦ ବ୍ୟବହାର କରିଛନ୍ତି । ଯେକୌଣସି ପାଠକ ଏହାକୁ ସହଜରେ ବୁଝିପାରିବେ । ଗପର ଚିତ୍ର ଓ ଚରିତ୍ରକୁ ସେ ଏପରି ଭାବେ ଥୋଇଛନ୍ତି ଯେ, ସାଧାରଣ ପାଠକଙ୍କୁ କେହି କାହାଣୀ କହୁଥିବା ପରି ଅନୁଭବ ହେବ ।
ଗଳ୍ପ ସଙ୍କଳନ ଆରମ୍ଭରେ ରହିଛି ଗାଳ୍ପିକଙ୍କ ବହୁଚର୍ଚ୍ଚିତ ଗଳ୍ପ ‘ଯମରାଜ ଛୁଟିରେ’ । ଗପଟି ପୁରାଣର ଏକ କାଳ୍ପନିକ କଥାବସ୍ତୁ ଉପରେ ଆଧାରିତ ହୋଇଥିଲେ ମଧ୍ୟ ବର୍ତ୍ତମାନ ସମୟର କିଛି ବାସ୍ତବ ଚରିତ୍ରଙ୍କ ସ୍ୱଭାବ ଏଥିରେ ପ୍ରତିଫଳିତ ହୋଇଛି । କାହାଣୀ ଗତି କରିଛି ଯମରାଜଙ୍କ ପାଖରୁ । ଭଗବାନ ବିଷ୍ଣୁଙ୍କୁ ସାକ୍ଷାତ କରି ଯମରାଜ କହୁଛନ୍ତି ତାଙ୍କର ମାସେ ଛୁଟି ଦରକାର । ବହୁ ବିଚାର ବିମର୍ଶ ପରେ ଯମରାଜ ଛୁଟିରେ ଯାଆନ୍ତି । ଏହି ସମୟ ମଧ୍ୟରେ ଧରାପୃଷ୍ଠରେ କେଉଁ ଲୋକଙ୍କର ମୃତ୍ୟୁ ହୁଏନି । ହାସପାତାଳରେ ସିରିୟସ୍ ଅବସ୍ଥାରେ ଚିକିତ୍ସିତ ହେଉଥିବା ରୋଗୀର ମୃତ୍ୟୁ ହେଉନି । ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଡାକ୍ତର । କିନ୍ତୁ ମନେ ମନେ ଖୁସି ହେଉଛନ୍ତି । କାରଣ ରୋଗୀ ବଞ୍ଚିକି ରହିଲେ ତାଙ୍କ ନର୍ସିଂହୋମ୍ର ବିଲ୍ ବଢ଼ି ବଢ଼ି ଯିବ । ଏପଟେ ଶ୍ୱଶୁରଙ୍କ ଦେହାନ୍ତ ହେଉନଥିବାରୁ ଜ୍ୱାଇଁ ସତ୍ୟବାଦୀଙ୍କ ମନ ଦୁଃଖ । ଅନ୍ୟ ଏକ ସ୍ଥାନରେ ହାସପାତାଳରେ ଭର୍ତ୍ତି ହୋଇଥିବା ବୃଦ୍ଧା ମା’ଙ୍କୁ ନେଇ ଝଗଡ଼ା । ଏମିତି କିଛି ସାଧାରଣ ଚରିତ୍ରକୁ କାହାଣୀରେ ଯୋଡ଼ି ଗପକୁ ଖୁବ୍ ମନମୁଗ୍ଧକର କରିଛନ୍ତି ଗାଳ୍ପିକ ।
ଅନ୍ୟ ଏକ ଗଳ୍ପ ‘ଧାର୍ମିକ ଲୋକମାନେ’ରେ ଗାଁ ଯୁବକଙ୍କ ଦୁର୍ଗାପୂଜା ଆୟୋଜନ, ଚାନ୍ଦା ଆଦାୟକୁ ନେଇ ଅଭିଯୋଗ, ମନ୍ତ୍ରୀଙ୍କ ପୂଜା ଉଦ୍ଘାଟନ ଆଦି କଥା ପ୍ରସଙ୍ଗ ଛଳରେ ମଣିଷର ଭଦ୍ରମୁଖା ତଳର ଅସଲ ରୂପ ଦେଖେଇବାକୁ ଚେଷ୍ଟା କରିଛନ୍ତି ଲେଖକ । ‘ସାପ’ ଗପଟି ବେଶ୍ ସୁନ୍ଦର ହୋଇଛି । ଏକ ସରକାରୀ ଅଫିସ୍ରେ ଦିନେ ସାପ ବାହାରେ । ତାକୁ ନେଇ ନାନା ଝାମେଲା ସୃଷ୍ଟି ହୁଏ । ସାପ କାହିଁକି ପଶିଲା, ଏଥିପାଇଁ ଦାୟୀ କିଏ, ସାପ ନ ପଶିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ଆଦି ବିଷୟରେ ଆଲୋଚନା କରୁ କରୁ ଲେଖକ ବ୍ୟବସ୍ଥାର କେତୋଟି ବାସ୍ତବ ତ୍ରୁଟି ବିଚ୍ୟୁତିକୁ ଦର୍ଶାଇଛନ୍ତି ।
‘ପ୍ରେମ’ ଗପଟି ମଧ୍ୟ ଖୁବ୍ ବାସ୍ତବଧର୍ମୀ ମନେହେବ । ସୁଦେଷ୍ଣା ଓ ଜଟିଆ କେହି କାହାରିକି ପ୍ରେମ ନିବେଦନ କରିପାରୁନାହାନ୍ତି । କିନ୍ତୁ ମନେ ମନେ ଉଭୟ ଉଭୟଙ୍କ ପ୍ରେମରେ ପଡ଼ିଯାଆନ୍ତି । ତେବେ ସୁଦେଷ୍ଣା ଆଉ ଜଟିଆଙ୍କ ପ୍ରେମ କାହାଣୀ ଆଉ ଆଗକୁ ବଢ଼ିପାରେନି । ସୁଦେଷ୍ଣା ବିଦେଶ ପଳାଏ ଆଉ ଜଟିଆ ଛକରେ ଗୋଟେ ଷ୍ଟେସନାରୀ ଦୋକାନ ଖୋଲି ବସେ । ଦଶ ବର୍ଷ ପରେ ସୁଦେଷ୍ଣା ଦେଶକୁ ଫେରେ । ଆଉ ତା’ପରେ ଜଟିଆ ସହ ଦେଖାହୁଏ । ଦେଖାହେବାର ସେହି ମୁହୂର୍ତ୍ତକୁ ଗାଳ୍ପିକ ବେଶ୍ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ।
ବର୍ତ୍ତମାନ ସମୟରେ ପିଲାମାନେ କିପରି ନିଜର ଜନ୍ମକଲା ବାପାମାଆଙ୍କୁ ଭୁଲି ଯାଉଛନ୍ତି, ସେମାନଙ୍କୁ ହତାଦର କରୁଛନ୍ତି, ଆଉ ଟଙ୍କା ପଛରେ ଧାଇଁଛନ୍ତି ସେସବୁର ନିଛକ ଚିତ୍ର ଦେଖିବାକୁ ମିଳିଛି ‘ବାପା’ ଗପରେ । ଜୀବନସାରା ତ୍ରିପାଠୀ ବାବୁଙ୍କୁ ଦହଗଞ୍ଜ କରୁଥାଏ ତାଙ୍କ ପୁଅ । ଅତ୍ୟାଚାର କରିବାକୁ ପଛାଏ ନାହିଁ । ଶେଷରେ ତ୍ରିପାଠୀ ବାବୁଙ୍କୁ ସାହା ହୁଏ ଏକ ବୃଦ୍ଧାଶ୍ରମ । ଆଉ ଶେଷ ବୟସରେ ସେ ଯେଉଁ କିଛିଟା ଶାନ୍ତି ପାଇଛନ୍ତି ତାହା ଏହି ବୃଦ୍ଧାଶ୍ରମରେ । ତଥାପି ପୁଅର ସବୁ ଦୋଷକୁ ଭୁଲି ତ୍ରିପାଠୀ ବାବୁ ତାଙ୍କ ପୁଅ ନାଁରେ ନିଜର ସବୁ ସମ୍ପତ୍ତି, ଘରବାଡ଼ି କରିଦିଅନ୍ତି । ଜଣେ ବାପାଙ୍କ ତ୍ୟାଗ ଓ ମହାନତାକୁ କେବଳ ଏହି ଗପରେ ଦର୍ଶାଯାଇନି, ବରଂ ମଣିଷ ଯେ ଏତେ ନିଷ୍ଠୁର ହୋଇପାରେ, ସ୍ଵାର୍ଥ ପାଇଁ କିଛି ବି କରିପାରେ ତାକୁ ମଧ୍ୟ ଉଲ୍ଲେଖ କରାଯାଇଛି ।
‘ଦାହ’ ଗପରେ ବର୍ତ୍ତମାନର ମାର୍କେଟିଂ କୌଶଳକୁ ସଫଳ ଭାବେ ବଖାଣିଛନ୍ତି ଗାଳ୍ପିକ । ଆଜିକାଲି କିପରି ବିଭିନ୍ନ କମ୍ପାନୀ ବା ବଡ଼ ସୋ’ରୁମ୍ ପକ୍ଷରୁ ଗ୍ରାହକଙ୍କୁ ଅର୍ଥ ଲୋଭ ଦେଖାଯାଉଛି ତାହା ରହିଛି ଗପରେ । ସେହିପରି ‘ଭୋଳୁ’ ଶୀର୍ଷକ ଗପରେ ଗୋଟେ ଷଣ୍ଢ ମୁଖ୍ୟ ଚରିତ୍ର ହୋଇଥିଲେ ମଧ୍ୟ କଥା ଛଳରେ ଲେଖକ ସମାଜ ବ୍ୟବସ୍ଥା, ସାମାଜିକ ଚଳଣି ଆଦିର କଥା କହିଛନ୍ତି । ‘ବୃକ୍ଷରୋପଣ’ ଗପଟି ମଧ୍ୟ ଭଲ ଲାଗୁଛି । ବନମହୋତ୍ସବ କିପରି ଆୟୋଜନ କରାଯାଏ, ପୁଣି ମନ୍ତ୍ରୀ ଯଦି ସେହି କାର୍ଯ୍ୟକ୍ରମକୁ ଆସନ୍ତି, ତେବେ ସରକାରୀସ୍ତରରେ କିପରି ପ୍ରସ୍ତୁତ ହେବାକୁ ପଡ଼େ, ତା’ର ଚିତ୍ର ବାଢ଼ିଛନ୍ତି ଲେଖକ ।
ଅନ୍ୟ ଗପଗୁଡ଼ିକ ମଧ୍ୟ ବେଶ୍ ଉଚ୍ଚକୋଟୀର । ‘ଏଟା କ’ଣ ମନୋଜ ପୃଷ୍ଟିଙ୍କ ଫୋନ ନମ୍ବର?’, ‘ଏକ ସୁନ୍ଦର ଚାନ୍ଦିନୀ ରାତିରେ’, ‘ହସ’, ‘କୁକୁର’, ‘ଗଣେଶଙ୍କ ମୂଷା’, ‘ପ୍ରେମ ଡଟ୍ କମ୍’, ‘ବିଧୁମୁଖୀ’, ‘ଭରତପୁରର ଭୂତ’, ‘ପିମ୍ପୁଡ଼ି’ ଆଦି କାହାଣୀର ସ୍ଵାଦ ସମ୍ପୂର୍ଣ୍ଣ ଭିନ୍ନ । ଏମିତି ଏକ ଗଳ୍ପ ସଙ୍କଳନ ନିଶ୍ଚିତ ଭାବରେ ଅଗଣିତ ପାଠକଙ୍କ ଦ୍ଵାରା ଆଦୃତ ହେବ ।