ସତ୍ୟନାରାୟଣ ଗନ୍ତାୟତ
ଦ୍ୱିତୀ ଚନ୍ଦ୍ର ସାହୁଙ୍କ ଶଂସିତ ଗଳ୍ପ ସଂକଳନଟିର ନାମ ଯଦିଓ ‘ଦ୍ୱିତୀୟ ବାଟ’, ଏହା କିନ୍ତୁ ଗାଳ୍ପିକଙ୍କ ତୃତୀୟ ଗଳ୍ପ ପୁସ୍ତକ । ପୂର୍ବରୁ ‘ଅଦେଖା ଭବିଷ୍ୟ’ ଓ ‘ହଜି ଯାଇଥିବା ଠିକଣା’ ଶୀର୍ଷକ ଦୁଇଟି ଗଳ୍ପ ପୁସ୍ତକର ସ୍ରଷ୍ଟା ଭାବରେ ସେ ପାଠକ ମହଲରେ ବେଶ୍ ସୁପରିଚିତ । ଏହି ଗଳ୍ପ ପୁସ୍ତକ ପାଠ କରିବା ପରେ ଲାଗେ ଯେ ଗଳ୍ପ ଲେଖିବାର ପ୍ରବଳ ପ୍ରବଣତା ଭରପୁର ବୋଲି ହିଁ ସେ ଗାଳ୍ପିକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । କିଛି ଐକାନ୍ତିକ ପର୍ଯ୍ୟାୟର ଅନୁଭବ ତାଙ୍କୁ ଗଳ୍ପ ଲେଖିବାକୁ ପ୍ରବର୍ତ୍ତାଇ ଥାଏ ଓ ସେହି କାରଣରୁ ହିଁ ସେ ନିୟମିତ ବ୍ୟବଧାନରେ ଗଳ୍ପ ବି ଲେଖି ଆସୁଛନ୍ତି ।
ଭାତହାଣ୍ଡିରୁ ଗୋଟିଏ ପରଖିବା ପରି ଯଦି ଏହି ପୁସ୍ତକରେ ସଙ୍କଳିତ ପ୍ରଥମ ଗଳ୍ପ ‘ଦ୍ୱିତୀୟ ବାଟ’, ଯାହାନୁଯାୟୀ ପୁସ୍ତକର ନାମକରଣ ହୋଇଛି, ପାଠ କଲେ ଅକ୍ଳେଶରେ ଜାଣିହୁଏ ଯେ ଦ୍ୱିତୀ ଚନ୍ଦ୍ରଙ୍କ ଗଳ୍ପର କାନଭାସ କେତେ ବ୍ୟାପକ ! ଛୋଟ ମାପର କଥକତା ଭିତରେ କେତେ ଅନୁପମ ଭାବରେ ସେ ବଖାଣିଛନ୍ତି ଆଙ୍ଗୁଠି ଗଣତି ଦୁଇ ତିନୋଟି ଚରିତ୍ରଙ୍କ ସାମଗ୍ରୀକତାକୁ । ଚରିତ୍ରଙ୍କ ସ୍ୱାଭାବିକ ଅବତାରଣା ସହ ସ୍ୱଚ୍ଛନ୍ଦ ବଖାଣ ବେଶ୍ ପ୍ରଭାବୀ ଏହି ଗପରେ । ଛତ୍ରେଛତ୍ରେ ପାଠକୀୟ ଆଗ୍ରହକୁ ଉତ୍କଣ୍ଠାର ପରଶ ଦେଇ ଆଗେଇ ନେଇଛନ୍ତି ଗାଳ୍ପିକ । ପ୍ରେମ, ଭିନ୍ନ ଜାତି ବିବାହାଦି ଗତାନୁଗତିକତା ଗଳ୍ପର ଶୀର୍ଷ ବିନ୍ଦୁ ଯଦିଓ ହୋଇଛି, ହେଲେ ସର୍ବାଧୁନିକ ଚିତ୍ରାୟନ ଅବଶେଷରେ ଅତ୍ୟନ୍ତ ଅଭାବିତ ଓ ସରଳ ସମାଧାନ କରି ଦର୍ଶାଇଛି ତଥା ଈପସିତ ଦ୍ୱିତୀୟ ବାଟକୁ !
ଆବେଗ ଚିରକାଳ ପାଠକଙ୍କୁ ବାନ୍ଧି ଆସିଛି । ସୁତରାଂ ଗଳ୍ପ କଳାର ଏକ ବଡ଼ ବିଭବ ଆବେଗ । ଏ ଦିଗରେ ଶଂସିତ ଗଳ୍ପ ସଙ୍କଳନଟି ବେଶ୍ ସମୃଦ୍ଧ । ପ୍ରାୟ ପ୍ରତିଟି ଗଳ୍ପ ଆବେଗାଶ୍ରୟୀ ମନେ ହୁଅନ୍ତି । ‘ଦୁଇଟି ହାତ’ ଶୀର୍ଷକ ଗଳ୍ପଟି ଲାଗେ ଲେଖକୀୟ ଅନ୍ତଃକରଣକୁ ଚିପୁଡ଼ି ପକାଇଛି ଓ ତଜ୍ଜନିତ ସୃଜନର ଫଳଶ୍ରୁତି ସ୍ୱରୂପ ପାଠକ ଅଶ୍ରୁଳ ଆବେଗରେ ଜୁଡୁବୁଡୁ ହୋଇ ଯିବାକୁ ବାଧ୍ୟ ଏ ଗଳ୍ପ ପଢିଲେ ।
ସଙ୍କଳିତ ଅଧିକାଂଶ ଗଳ୍ପ।ପାଠ କଲେ ମନେହୁଏ ସେମାନେ ଅତି ଅନ୍ତରଙ୍ଗତାର ସହ ଆନୀତ ସମସାମୟିକ ଗ୍ରାମ୍ୟ ଜୀବନରୁ,ବହୁ ସ୍ଥଳେ ଆଦିମ ଜନ ଜୀବନର ବିବିଧ ବୈଚିତ୍ର୍ୟରୁ ! ଏହି ଅନନ୍ୟ ଅସାମାନ୍ୟ ଚରିତ୍ର ମାନେ ବି ଆପଣାର ଚିନ୍ତା ଚେତନାରେ ସତେଜ ହୋଇ ନିଜ ମତେ ଜୀବନ ଜୀଇବାକୁ ପଣ କରିଥିବା ଜଣେ ଜଣେ ଦୃଷ୍ଟାନ୍ତ ଯୋଗ୍ୟ ବ୍ୟକ୍ତିତ୍ୱର ଅଧିକାରୀ ପାଲଟିଛନ୍ତି ପ୍ରାୟ ପ୍ରତି ଗଳ୍ପରେ । ସୁତରାଂ ଏ ଦିଗରୁ ବିଚାର କଲେ କାନ୍ତେ ସାରାକା,ସମ୍ବୁରୁ, ଚଇତା, ରାମୁଲୁ ଓ ସାମନ୍ତ ଜାକେସିକା ଭଳି ଚରିତ୍ର ମାନେ ବ୍ୟକ୍ତିଗତ ପ୍ରେମ, ଗୋଷ୍ଠୀଗତ ଐକ୍ୟ ତଥା ସାମାଜିକ କ୍ଷେତ୍ରର ପ୍ରତିଟି ଆହ୍ୱାନ ପାଇଁ ଭିନ୍ନ ଧରଣର ଉନ୍ମୁଖତା ଭିତରେ ସତତ ଚଳଚଞ୍ଚଳ ଥାଆନ୍ତି । ଏଭଳି ପରିବେଷଣ ଅତ୍ୟନ୍ତ ଗ୍ରହଣୀୟ ଭାବେ ପାଠକକୁ ଛୁଇଁଯାଏ ଏହି ବବିବିଧତାକୁ ଭିତ୍ତି କରି ଲିଖିତ ଗଳ୍ପମାନ ପାଠ କରିବାବେଳେ ।
‘ଭୋଟର’ ଶୀର୍ଷକ ଗଳ୍ପଟି ନଜରକୁ ଆସେ ଏକ ପୃଥକ ପର୍ଯ୍ୟାୟର ଗଳ୍ପ ଭାବରେ । ଏ ଗଳ୍ପଟିରେ ରାଜନୈତିକ ଘନଘଟାର ବାସ୍ତବିକ ଉପସ୍ଥାପନ ମିଳିଥାଏ । ‘ମୁକ୍ତିର ବାଟ’, ‘ନିଜ ଭିତରେ ନିଜେ’, ‘ପ୍ରତ୍ୟୟ ଓ ସମୟର ଶୋକ’ ପ୍ରଭୃତି ଗଳ୍ପ ମାନ ଜୀବନର ଅନୁଭବରେ ସିଦ୍ଧ କଥକତାର ବାହକ ଭଳି ମନେ ହୁଅନ୍ତି ।
ତେବେ ସମଗ୍ର ଗଳ୍ପ ପୁସ୍ତକର ଓ ଗାଳ୍ପିକୀୟ ଦକ୍ଷତାର ସର୍ବୋତ୍ତମ ପରିପ୍ରକାଶ କ୍ରମେ ଅନ୍ତିମ ଗଳ୍ପ ‘କମ୍ବଳ’ କୁ ନିର୍ବିବାଦରେ ନିଆ ଯାଇପାରେ । କାରଣ ଏହି ସ୍ମରଣୀୟ ଗଳ୍ପଟିରେ ସାର୍ଥକ ଗଳ୍ପ କଳାର ସବୁ ଗୁଣ ଏକୀଭୂତ ହୋଇ ରହିଛି । ହଁ, ଆବେଗ କେମିତି ଆତ୍ମାକୁ ଅକ୍ତିଆର କରିପାରେ ଏ ଗଳ୍ପରୁ ଅକ୍ଳେଶରେ ଜାଣି ହୋଇଥାଏ । ଦ୍ୱିତୀ ଚନ୍ଦ୍ର ସାହୁ ସମସାମୟିକ ସୃଜନ ଜଗତରେ ନିୟମିତତା ସହ ନିଷ୍ଠାଭରେ ଲେଖୁଥିବା ପ୍ରତିଭା । ସ୍ତମ୍ଭକାର ଭାବେ ସେ ବେଶ୍ ଜଣାଶୁଣା । ତେବେ କିଞ୍ଚିତ୍ ସଚେତନତା ଆପଣେଇ ଗଳ୍ପ ଗଠନବେଳେ ଗଳ୍ପ କଳା ଓ କଥନ ରୀତିରେ ପରିଦୃଷ୍ଟ ସାମାନ୍ୟ ବର୍ଣ୍ଣନା ବାହୁଲ୍ୟ ଓ କେତେକତ୍ର ଫିଚରୀୟ ଶୈଳୀର ପୌନଃପୁନିକ ପରିବେଷଣ ବାଦ୍ ଦେଇ ପାରିଲେ ସେ ଯେ ଏକାନ୍ତ ନିଜସ୍ୱ ଏକ ଗଳ୍ପକଳା ପାଇଁ ମୌଳିକ ଉତ୍କର୍ଷରେ ଆହୁରି ଉଦ୍ଭାସିତ ହେବେ, ଏ ପ୍ରତ୍ୟୟ ତାଙ୍କର ଏହି ଆଲୋଚ୍ୟ ଗଳ୍ପ ବହି “ଦ୍ୱିତୀୟ ବାଟ”ରୁ ସ୍ୱତଃ ମିଳୁଛି ।
“ସୁହାସିତମ୍”, କସ୍ତୁରୀ ନଗର, ରାୟଗଡା: ୭୬୫୦୦୧, ମୋବାଇଲ -୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା ସହ ସ୍ତମ୍ଭ ନିବନ୍ଧାଦି ବିବିଧ ବିଷୟକ ଗଦ୍ୟ ରଚନାରେ ରୁଚି ରଖି ଆସିଥିବା ଲେଖକଙ୍କ “ଥୁଣ୍ଟାଗଛ” ଓ “ଛବିର ମଣିଷ” ଶୀର୍ଷକ ଦୁଇଟି କବିତା ବହି ପ୍ରକାଶିତ । ଏଲ.ଆଇ.ସି, ରାୟଗଡ଼ା ଶାଖାର ସେବାରତ ଲେଖକ ସମ୍ପ୍ରତି ନିଜ ଦିବଙ୍ଗତ ଅନୁଜ ଗନ୍ତାୟତ ଶିବପ୍ରସାଦ ଓ ଅଗ୍ରଜା ନିର୍ମଳାଙ୍କ ଅପ୍ରକାଶିତ ରଚନାବଳିଙ୍କ ସଙ୍କଳନ ଓ ସଂକରକ୍ଷଣର ଭଳି ସାରସ୍ୱତ କର୍ମରେ ନିମଗ୍ନ ।
ସୁନ୍ଦର ସମୀକ୍ଷା ଗଳ୍ପବହି କୁ ପଢ଼ିବାର ଉତ୍କଣ୍ଠାକୁ ଚରମରେ ପହଞ୍ଚେଇ ଦେଉଛି !’ଉଭୟଙ୍କୁ ଗଭୀର ସମ୍ମାନ ସହ ଅନେକ ଅଭିନନ୍ଦନ
ଶ୍ରୀ ସତ୍ୟ ନାରାୟଣ ସାର୍ ଙ୍କ ଅଭିମତଟିକୁ ପଢିବା ପରେ ପୁସ୍ତକ ପ୍ରତି ଆଗ୍ରହ ବହୁଗୁଣିତ ହୋଇଗଲା । ଅଜସ୍ର ଅଭିନନ୍ଦନ ସ୍ବନାମଧନ୍ଯ କଥାକାର ଶ୍ରୀ ଦ୍ବିତୀ ଚନ୍ଦ୍ର ସାହୁଙ୍କୁ ।