ସତ୍ୟବତୀ ସ୍ଵାଇଁ
ମୋର ଅପେକ୍ଷା ଥିଲା ତାକୁ । ଡେରି ହେଉଥିଲା ତାର ଆସିବା । ବ୍ୟଗ୍ରତା କୂଳ ଲଂଘୁଥିଲା ମୋର । ତା’ ସହ ଭେଟହେବା ବେଗର ତୀବ୍ରତା ମୋତେ କରୁଥିଲା ଚଗଲି ଅଭିମାନ ବି । ସେ ଆସିଲା, କିନ୍ତୁ ମୁଁ ନଥିଲି । ତିନିଦିନ ପରେ ତାକୁ ଦେଖି ବିଭୋର ହେଲା ପ୍ରାଣ । ଟିକେ ମୁଣ୍ଡରେ ମାରିଲି ଏବଂ ଛାତିକୁ ଲଗେଇ ଦେଲି । ତାପରେ ଆସ୍ତେଆସ୍ତେ ଛୁଇଁଗଲି ସର୍ବାଙ୍ଗ ତାର । ଚମତ୍କୃତ କଲା ତା’ ଲୋଭନୀୟ ଭିତର । ହଜିଲି ଏକଦମ । ଭିଜିଲି ପୁରା । ଅନୁଭୂତି ସାଇତି ରଖିଲି ମନ-ମସ୍ତିଷ୍କ ସିନ୍ଦୁକରେ । ପ୍ରାୟତଃ ମାଟି, ମାଆ ସମ୍ପର୍କ, ବର୍ତ୍ତମାନର ସମୟ, ସାମାଜିକତା ଏବଂ ନିରୁତା ସ୍ୱର୍ଗୀୟ ପ୍ରେମ ସହ ଭେଟହେଲା ତା’ ଭିତରେ ।
ସେଇ ଅପେକ୍ଷିତ ପ୍ରିୟଟି ଭିତରେ ଯାହା ଦେଖି ଅଭିଭୂତ ହେଲି, ସ୍ପର୍ଶ କରି ଯେଉଁ ପୁଲକ, ଶିହରଣ ଅନୁଭବ କଲି, ତାହା ଆପଣମାନଙ୍କ ପାଖେ ବାଢୁଛି ।
ସମସାମୟିକ କ୍ଷୟବର୍ଦ୍ଧଷ୍ଣୁ ସାମାଜିକ ଜୀବନରେ କୁଢ଼କୁଢ଼ ଅବିଶ୍ଵାସ ଆବର୍ଜନା, ବିକଳାଙ୍ଗ ସମ୍ପର୍କର ଚିତ୍ର, ଘଟଣା ଦୁର୍ଘଟଣାର କୋଡ଼ିଏଟି ଗପର ଦୃଶ୍ୟ ଅଛି ସେଥିରେ । ପ୍ରଥମରୁ ‘ଅକ୍ଟୋପାସ’ ମୋତେ ଜାବୁଡି ଧରିଲା । ଛପଟପ ହେଉଛି କଅଁଳ ଶୈଶବର ଶେଷପାହାଚ ଏବଂ ଆଦ୍ୟ କୈଶୋର ପ୍ରାଣର କୋମଳ ଜିଜ୍ଞାସା ଝିଅର । ନିଜ ଘରେ ମଣୁଛି ଅସୁରକ୍ଷିତ ନିଜକୁ । ସେ ଭରସା ତୁଟେଇ ଦେଉଛି ନିଜ ଲୋକଙ୍କ ଉପରୁ । ବିଶେଷ କରି ବାପା; ଯିଏ ତା ଆଗରେ ମର୍ତ୍ତ୍ୟର ଚଳନ୍ତି ଦେବତା । ସେ କ’ଣ ସେଇ ଛାଇ ଯେ ରାତିର ଗାଢ଼ ଅନ୍ଧକାରରେ ଠିଆ ହୋଇଥିଲେ ରାଜିଅପାକୁ ଲାଗି ! ଝିଅଟି ବାରମ୍ବାର ଦେଖୁଛି ଗୋଟାଏ ଛାଇର ସ୍ୱପ୍ନ । ସେ ଅକ୍ଟୋପାସ ହୋଇ ଲମ୍ବେଇ ଆଣୁଛି ତାର ବଳିଷ୍ଠ ଶିକାରୀ ହାତ ଓ ଆଖି ଝିଅଟିର ଶୈଶବ ଓ କୈଶୋରକୁ ଆକ୍ତାମାକ୍ତା କରି ।
ଦ୍ଵିତୀୟ ଦୃଶ୍ୟରେ ରୋମିଓ ଜୁଲିଏଟ୍ ଦେବଦାସ ପାରୋଙ୍କ ଠାରୁ ଏକ ବଳିଷ୍ଠ ନିରୁତା ଆଶ୍ଚର୍ଯ୍ୟ ପ୍ରେମ କାହାଣୀ ଅଛି । ପଶୁ ଓ ମଣିଷ ଭିତର ଅଭେଦ ପ୍ରେମ । ହଳେ ପ୍ରେମପକ୍ଷୀଙ୍କ ଅଦ୍ଭୁତ ପ୍ରେମରସ ଆସ୍ଵାଦନ କରୁକରୁ ଗପର ଶେଷରେ ଚମକି ପଡ଼ିବେ । ପ୍ରେମୀ କାହ୍ନା ଫୁଙ୍କୁଥିଲା ପ୍ରେମର ବଂଶୀ । ‘ବଂଶୀର ବିଳାପ’ ଥରାଉଥିଲା ହୃଦୟ । ତାର କରୁଣ ମୂର୍ଚ୍ଛନାରୁ ଝରୁଥିଲା ଥୋପାଥୋପା ରକ୍ତ ! ଡାକୁଥିଲା ରାଣୀ.. ଏ ରାଣୀ । ଶେଷରେ ଗହନ ଜଙ୍ଗଲ ଭିତରୁ ମିଳିଛି ଗୋଟେ ବଇଁଶୀ ଏବଂ ଗୋଟେ ପଘା ଖୁଣ୍ଟ ସହିତ । ସାଆନ୍ତଙ୍କ ଚକ୍ରାନ୍ତରେ ସମାଧି ନେଇଛି ଗାଈ ରାଣୀ ଓ କାହ୍ନାର ପ୍ରେମ ଜରଜର ନିରୁତା କାହାଣୀ । ଦୋହଲାଇଦେବ ଏ ନିଃସର୍ତ୍ତ ସ୍ୱର୍ଗୀୟ ପ୍ରେମ ।
ତୃତୀୟ ଦୃଶ୍ୟରେ ‘ଷ୍ଟେସନ’ ଟିଏ ଯହିଁ ଅଛି ଯବାନର ପୁଅ ଜଣେ ମିଲିଟାରୀ ଯବାନ’ ମାନବ’ର ପାଇବାର ମୋହ ଏବଂ ହଜେଇବାର କୋହ । ଆହାଃ ! ଶବ୍ଦରେ କି ସମ୍ମୋହନର ଯାଦୁ ! ମାଆ, ମାଟି ଓ ମାୟା । ଅଭିଭୂତ ହେଲି ମାନବର ଘର ଲେଉଟାଣି ମାୟା ମଗ୍ନ ସ୍ୱପିଳ ପ୍ରେମିଳ ଅଭିଆଡା ସୈନିକ ଯୁବ ପ୍ରାଣର ଆବେଦନ ପାଖରେ । ଛିଃ, ପ୍ରତାରଣା କଲା ମାୟା ! ଏତେ ସ୍ୱାର୍ଥପର ସେ ? ମାୟା ତ ମାୟା । ବାସ୍ତବ ଥିଲା କିନ୍ତୁ ବିଧବା ହେଉପଛେ ମୁଗ୍ଧା ସ୍ୱାର୍ଥରହିତ ମାନବ ମାଆ ପ୍ରତି ସେବା ଓ ଭଲପାଇବା । ଶେଷରେ ମାନବ ନିଜର କରି ନେଇଛି ମୁଗ୍ଧାକୁ । ଜଳଜଳ ଦିଶିଲା ସମାଜ ସଂସ୍କାରର ବାର୍ତ୍ତା ।
ଚତୁର୍ଥ ‘ଛୁଆଁ’ରେ ଦେଖିଲି ଆତ୍ମବଡ଼ିମାରେ ଅନ୍ଧ ଜଣେ ଅହଙ୍କାରୀ ପିତାକୁ । ଯିଏ ପୁଅଝିଅଙ୍କ ସୁଖ ଅପେକ୍ଷା ନିଜର ବଂଶ ମର୍ଯ୍ୟାଦାକୁ ବଡ଼ ଭାବନ୍ତି । ବଳି ପଡ଼ିଛି ସୁଲଗ୍ନା । ପିନ୍ଧିଛି ସୁଖୀ ମଣିଷର ଖୋଳପା । ସ୍ତବ୍ଧ ହେବେ ସୁଲଗ୍ନା ଦେହର ବୁଟ୍ ଓ ବେଲ୍ଟର ରକ୍ତାକ୍ତ ହସ୍ତାକ୍ଷର ଦେଖି । ଚମକି ପଡ଼ିବେ ନୃଶଂସତାର ଅତ୍ୟାଚାରର ଚରମ ସୀମାକୁ କେମିତି ଲଙ୍ଘିପାରେ ! ନାରୀଟିଏ ପତ୍ନୀଟିଏ କେତେ ସହିପାରେ !! ସର୍ବଂସହା ଧରିତ୍ରୀ ଜଣେ ପତ୍ନୀ ରୂପ । ବାହୁନି ଉଠିବ ହୃଦୟ ଏ ଗପ ପାଠ କରି ।
ପଞ୍ଚମ ଦୃଶ୍ୟ ‘ଡାହାଣୀ ‘ଅନ୍ଧବିଶ୍ୱାସର, କୁସଂସ୍କାର । ପ୍ରେମ ଏକ ଭୟଙ୍କର ଅପରାଧ ସମୟର କଥା । ଗୋଟେ ଛାତିଥରା ଅସଫଳ ପ୍ରେମ କାହାଣୀର ସମାଧି । ପାପଗର୍ଭ ବୋଲି ଲଳିତା ନାନୀର ଅପମୃତ୍ୟୁ ହତ୍ୟା କି ଆତ୍ମହତ୍ୟା ଆପଣମାନେ କହିବେ । ମୃତ୍ୟୁପରେ ମଧ୍ୟ ପ୍ରେମ ବଞ୍ଚିଛି ଅଶରୀରି ହୋଇ । ମୃତ ପ୍ରେମୀଯୁଗଳ ବାସ କରନ୍ତି ଗୋଟିଏ ସାହାଡ଼ା ଗଛରେ !! ପ୍ରେମ ସତରେ ଅମର ଅଜର ।
ଷଷ୍ଠରେ ‘ବିଡ଼ମ୍ବନା’ । ଝିଅଟିଏ ବାହାରକୁ ଯିବ ନିଶ୍ଚିତ । ଫେରିଆସିବ ବି । କିନ୍ତୁ କିଏ କହିବ ଫେରିଲେ ଅକ୍ଷତ ଥିବ ! ସେମିତି ଘଟିଛି ରୋମା ସହ । ନିଶାରେ ଚୁର୍ ସ୍ଖଳିତ ବର୍ତ୍ତମାନ ଯୁବସମାଜ କୁତ୍ସିତ ରୂପ । ନିଶାଡ଼ି ନିଜ ଭାଇ ଭିକି ଉପସ୍ଥିତରେ ତା’ ସାଙ୍ଗମାନଙ୍କ ଦ୍ୱାରା ଧର୍ଷଣ ହୋଇଛି ଭଉଣୀ ରୋମା । ହୋସ୍ ଆସିଲା ପରେ ନିଖୋଜ ଭାଇ । ଗଳିତ ଶବ ଉଦ୍ଧାର । ସେଇ ଶବର ବ୍ରେସଲେଟ୍ ରେ ଲେଖା ଭିକି । ଡାକରେ ଚିଠି ଆସେ ଦିଦିକୁ ଶେଷ ପ୍ରଣାମ ସହ । ଓଃ ! ରୁନ୍ଧି ହେବା ଦୃଶ୍ୟ ।
ସପ୍ତମରେ ‘ଜାତି’ । ଉତ୍କଟ ଜାତିଗତ ବୈଷମ୍ୟର ନଗ୍ନ ରୂପ । ପ୍ରେମର ତୀବ୍ରତା ଜାତି ପାଖେ ହାରିଯାଇଛି । ଅତୀତ କିନ୍ତୁ ପିଛାକରି ପହଞ୍ଚିଯାଇଛି ବର୍ତ୍ତମାନର ଦ୍ୱାର ଦେଶରେ । ପ୍ରେମିକାର ଝିଅ ଲବ୍ ମ୍ୟାରେଜ କରୁଛି ପ୍ରେମିକର ପୁଅକୁ ! ଅପସରି ଯାଉଛି ସାମାଜିକତାର ଲକ୍ଷ୍ମଣ ଗାର । ଶୁଭ ଲକ୍ଷଣ; ବଦଳୁଛି ଆମ ସମାଜ ଏବଂ ଆମ ମାନସିକତା ।
ଅଷ୍ଟମ ଦୃଶ୍ୟରେ ଥରିଲି ‘ଏନକାଉଣ୍ଟର’ ଶବ୍ଦକୁ ଦେଖି । ଥମଥମ ନୀରବତା ଭିତରେ ଗହମ ନିଦରେ ଅଚେତ ଜନପଦ । ଯାହା ଦିନର ଆଲୁଅରେ ନିଷିଦ୍ଧ ତାହା ରାତିର ଘନତାରେ ସମ୍ଭବ ! ସରଳ ନିରୀହ ପିଲାଟିଏ ପାଠ ପଢିବାକୁ ଯାଇ ନିଜ ଆଖିରେ ଦୁଷ୍କର୍ମ ଦେଖି ଏନକାଉଣ୍ଟର କରିଦେଇଛି ସମ୍ପର୍କୀୟ ରୋହନ ଭାଇ ଓ ତା ସାଙ୍ଗଙ୍କୁ । ଆତ୍ମସମର୍ପଣ କରିନେଉଛି ନିଜକୁ ପୋଲିସ ହାତରେ ।
ନବମ ଦୃଶ୍ୟରେ ‘ଚଉକି’ ଟିଏ । ରଙ୍ଗଛଡ଼ା ଚଉକିଟି ଘରର ସୌନ୍ଦର୍ଯ୍ୟ ଏବଂ ସମ୍ମାନ ନଷ୍ଟ କରୁଛି ପିଲାମାନଙ୍କ ଅଭିଯୋଗ । ନିଷ୍ପତ୍ତିରେ ଅଟଳ ବାପା- ଫିଙ୍ଗା ଯିବନି ଚଉକି । ବାପା ଏବେ ଅବର୍ତ୍ତମାନ । ନୂଆ ଘରର ମର୍ଯ୍ୟାଦା ହାନି କରୁଛି ଚଉକିଟି ଯେ ! ନେଇଯିବ ତାକୁ ବୋଲହାକ କରୁଥିବା ବାବୁନା । କିନ୍ତୁ ସାନପୁଅ ଅଭି ଚଉକି ଛଡ଼େଇ ନେଇଯାଇଛି ଘର ଭିତରକୁ । ଚଉକି ବାପାମୟ । ଅଭି ମୁଣ୍ଡ ଚଉକି ଉପରେ ରଖି କଥା ହେଉଥିଲା ଅଦୃଶ୍ୟ ଅଶରୀର ବାପାଙ୍କ ସହ । ସମସ୍ତେ ଭାବିଲେ ଅଭି ପାଗଳ । ତାପର ଦିନ ଆମ୍ବୁଲାନ୍ସ ଠିଆ ହୋଇଥିଲା ତାଙ୍କ ଘର ଆଗରେ ।
ଅନ୍ୟ ଏକ ସାବିତ୍ରୀ, ଋଣ, ଧୋ’ରେ ବାଇଆ ଧୋ, ଲଢେଇ, ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି, ଜୋତା, ଅନ୍ଧାରର ଇତି କଥା, ଚୁପ୍, ଆହୁରି କେତେ ଯେ ବାକି, ପକ୍ଷୀ ଆଉ ଫେରେନାହିଁ, ଭାଇ ଭାଗ ଆଦି ଗପର ଦୃଶ୍ୟ ଦେଖିବେ ମୋ ଅପେକ୍ଷତି ପ୍ରେମିକଟି ଭିତରେ । ସବୁଠାରୁ ଚକିତ କରିବ ପ୍ରତିଟି ଗପର ଶେଷ । ଗଳ୍ପରେ ଖୁନ୍ଦିଖୁନ୍ଦି ରହିଛି ଢେର୍ ଉତ୍ସୁକତା ଏବଂ ସସପେନ୍ସ ।
ଆରେ କ’ଣ ଏମିତି ହଜିକି ପଢୁଛନ୍ତି ? ଯେଉଁ ଗପର ଦୃଶ୍ୟ ଅବତାରଣା କରିଛି ସେସବୁ କାହାର ଜାଣନ୍ତି ? ଆପଣମାନଙ୍କ ପ୍ରିୟ ଗାଳ୍ପିକା ସୁନନ୍ଦା ବି ମହାପାତ୍ରଙ୍କର ପଶ୍ଚିମା ପବ୍ଲିକେସନ୍ ଗଳ୍ପ ସଂକଳନ “ଝଞ୍ଜାବର୍ତ୍ତ” । କଭର୍ ଡିଜାଇନ୍ ଯେତିକି ଚମତ୍କାର ତତୋଧିକ ଏହାର ପ୍ରତୀକାତ୍ମକ ଚିତ୍ର । ପୁସ୍ତକଟି ଛୁଇଁଲେ ଖୁସି ଲାଗିବା ଥୟ ।
‘ଝଞ୍ଜାବର୍ତ୍ତ’ ଛୁଇଁବ ସମଗ୍ର ଆର୍ଯ୍ୟାବର୍ତ୍ତର ମନ ଓ ମସ୍ତିଷ୍କ । ବିହ୍ଵଳିତ କରିବ ସବୁ ଗପର ଚରିତ୍ର । ବିସ୍ମିତ ହେବେ ଶବ୍ଦ ଏବଂ ବାକ୍ୟର ଚାତୁର୍ଯ୍ୟ ପାଖରେ । ପାଠକଙ୍କୁ ଶେଷପର୍ଯ୍ୟନ୍ତ ବାନ୍ଧି ରଖିବାର ସାମର୍ଥ୍ୟ ରଖେ ଝଞ୍ଜାବର୍ତ୍ତର ସମସ୍ତ ଗଳ୍ପ । ପଢିଲେ ହଜିବେ, ଭାବିବେ ଏବଂ ଓଦା ହେବେ । ପକ୍କା ।
ଶିକ୍ଷୟତ୍ରୀ, ଜଗତସିଂହପୁର
ଲେଖକ ପରିଚୟ
ଜଣେ ବିଦଗ୍ଧ ପାଠକ କହିଲେ ବେଶି ଠିକ ହେବ । ଜୀବନ, ଜଗତ ଓ ଜିଇଁବାକୁ ଲେଖେ । ଏଯାବତ ୪ ଖଣ୍ଡ କ୍ଷୁଦ୍ରଗଳ୍ପ ସଂକଳନ ପ୍ରକାଶିତ ହୋଇଛି ଏବଂ ଡିଜିଟାଲ ସାହିତ୍ୟ ପୋର୍ଟାଲ “ପ୍ରତିଲିପି”ରେ ଏକ ଧାରାବାହିକ ଉପନ୍ୟାସ ଲେଖି ପ୍ରଥମ ସ୍ଥାନ ଅଧିକାର କରିଥିଲି । ବାରମ୍ବାର ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇଲା ପରେ ସେମାନେ “ସାରସ୍ଵତ ଗାଳ୍ପିକା ସମ୍ମାନ”ରେ ମଧ୍ୟ ଭୂଷିତ କରିଛନ୍ତି ।