ବହି: କିଞ୍ଚିତ କଥା
ଲେଖକ: ରୁଦ୍ରପ୍ରସନ୍ନ ରଥ
ପ୍ରକାଶକ: ପେନ୍ ଇନ୍ ବୁକ୍ସ
ମୂଲ୍ୟ: ୨୭୯ ଟଙ୍କା । ପ୍ରଥମ ପ୍ରକାଶ: ୨୦୨୧
ରୁଦ୍ରପ୍ରସନ୍ନ ରଥ କେଇ ବର୍ଷ ହେଲା ଗଣମାଧ୍ୟମରେ ସ୍ତମ୍ଭ ଓ ପ୍ରବନ୍ଧ ଲେଖୁଛନ୍ତି । ଖେଳ ବିଷୟରେ ତାଙ୍କର ଲେଖା ପ୍ରବନ୍ଧକୁ ନେଇ ଏକ ସଙ୍କଳନ ମଧ୍ୟ ପ୍ରକାଶିତ ହୋଇଯାଇଛି । ତେବେ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ଲେଖାଗୁଡ଼ିକୁ ନେଇ ଏହା ତାଙ୍କର ପ୍ରଥମ ବହି ।
‘କିଞ୍ଚିତ କଥା’ ଲେଖକଙ୍କର ରେ ସ୍ଥାନିତ ଲେଖାଗୁଡ଼ିକ ରମ୍ୟରଚନା ଆଉ ଲଳିତ ନିବନ୍ଧର ମଝାମଝି ପର୍ଯ୍ୟାୟର । ରମ୍ୟରଚନାରେ ଚଟୁଳତା ଏକ ବିଶେଷ ଆବଶ୍ୟକତା । ଲଳିତ ନିବନ୍ଧରେ ଗଦ୍ୟ ପଦ୍ୟ-ମୁଖୀ । ରୁଦ୍ରନାରାୟଣ ରଥଙ୍କର ଲେଖାରେ ସ୍ଥାନ ବିଶେଷରେ ଚଟୁଳତା ରହିଛି, ପୁଣି ସ୍ଥାନ ବିଶେଷରେ ଗାମ୍ଭୀର୍ଯ୍ୟ ରହିଛି । ଖବରକାଗଜ ପାଇଁ ଏ ଶୈଳୀ ଖୁବ ଉପଯୋଗୀ । ଏ ପୁସ୍ତକରେ ସ୍ଥାନିତ ଅଧିକାଂଶ ଲେଖା ଖବରକାଗଜମାନଙ୍କରେ ପ୍ରକାଶିତ । କେତେକ ଲେଖା ସାମ୍ପ୍ରତିକ ଘଟଣା ପରିପେକ୍ଷୀରେ ଲେଖା । କେତେକ ଲେଖାର ପ୍ରେକ୍ଷାପଟଟି ସର୍ବକାଳୀନ । କେତେକ ଲେଖାରେ ସାମ୍ପ୍ରତିକ ସମାଜରେ ପରିଦୃଶ୍ୟ ପ୍ରସଙ୍ଗ ଓ ସମସ୍ୟା ରହିଛି, କେତେକ ସ୍ଥାନରେ ବ୍ୟକ୍ତିଗତ ଚିନ୍ତା ଭାବନା, ଟୀକା ଟିପ୍ପଣୀ ।
କେତୋଟି ଉଦାହରଣ ଦେବା ଉଚିତ ହେବ । ‘ଆତ୍ମପ୍ରଶଂସାର ଚାରିଦିଗ’ ଶୀର୍ଷକ ଲେଖାରେ ଆତ୍ମପ୍ରଶଂସାରେ ଆତ୍ମବିଶ୍ୱାସ ଏବଂ ଆତ୍ମଶ୍ଳାଘା ଭିତରେ ପାର୍ଥକ୍ୟଟି ଦର୍ଶାଇଛନ୍ତି ଲେଖକ । ଶେଷ କେଇ ଧାଡ଼ି ପ୍ରଣିଧାନଯୋଗ୍ୟ: ଯଦି କୌଣସିଠାରେ ଆତ୍ମପ୍ରଶଂସା କରିବାକୁ ଯାଉଛନ୍ତି, ତେବେ ନିଜର ସମୀକ୍ଷା କରିନିଅନ୍ତୁ । ଯଦି ଆପଣ ନିଜେ ସନ୍ତୁଷ୍ଟ ଯେ ଆପଣ ଠିକ୍ ବାଟରେ ଅଛନ୍ତି, ଆଉ ଆତ୍ମପ୍ରଶଂସା ଆପଣଙ୍କୁ ଆତ୍ମବିଶ୍ୱାସ ଦେଉଛି, ତେବେ ଆପଣଙ୍କୁ ରୋକିବାକୁ ମୁଁ କିଏ? ଆପଣ ନିଜର ଆତ୍ମପ୍ରଶଂସା ଜାରୀ ରଖନ୍ତୁ । ‘ଖଟିଖିଆ ଓ ଖଟି’ ଲେଖାରେ ସେ ବନ୍ଧୁମାନଙ୍କ ସହ ସାମାଜିକ ମିଳାମିଶାର ସକାରାତ୍ମକ ଦିଗଟିକୁ ସୁନ୍ଦର ଭାବେ ଉପସ୍ଥାପନ କରିଛନ୍ତି ।
ସଙ୍କଳିତ କେତେକ ଲେଖାରେ ବର୍ତ୍ତମାନ ସମୟର ସମସ୍ୟା ଓ ସମ୍ଭାବନା କଥା ଆଲୋଚନା କରାଯାଇଛି । ଲେଖକ କେତେକ ପରାମର୍ଶ ମଧ୍ୟ ରଖିଛନ୍ତି । ‘କୃଷିକ୍ଷେତ୍ର ଓ ଷ୍ଟାର୍ଟ ଅପ୍ ଇଣ୍ଡିଆ’ ଲେଖାରେ କୃଷିକ୍ଷେତ୍ର ଏବଂ ଷ୍ଟାର୍ଟ ଅପ୍ ପରସ୍ପରର ପରିପୂରକ ହେବା ଉପରେ ଜୋର ଦେଇଛନ୍ତି । ‘ଲିଙ୍ଗ ନିରୁପଣର ଜଟିଳ ଦିଗ’ ଲେଖାରେ ଏ ସମ୍ପର୍କିୟ ଆଇନ ଲାଗୁ କରିବାରେ ସାମାଜିକ ଦିଗଗୁଡ଼ିକ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ‘ବିଲୁପ୍ତି ପଥରେ ମାତୃଭାଷା’ ଶୀର୍ଷକ ଲେଖାରେ ମାତୃଭାଷାକୁ ରକ୍ଷା କରିବାର ଉପାୟ ସମ୍ପର୍କରେ ଆଲୋଚନା କରାଯାଇଛି । ୨୦୧୬ରେ ପ୍ରଥମ ପ୍ରକାଶିତ ଏ ଲେଖାରେ ମାତୃଭାଷାରେ ଶିକ୍ଷା ଦାନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଥିଲା । ନୂତନ ଶିକ୍ଷା ନୀତି ୨୦୨୦ ରେ ତାହା କାର୍ଯ୍ୟରେ ରୂପାୟିତ କରାଗଲା । ଏହି ଧାରାରେ ଆଉ ଏକ ଲେଖା ହେଲା ‘ଇଣ୍ଟରନେଟ୍ରେ ଓଡ଼ିଆ ଭାଷା ଏବଂ ଏହାର ପ୍ରାୟୋଗିକତା’ । ବର୍ତ୍ତମାନ ସମୟରେ ଓଡ଼ିଆ ଭାଷାକୁ ତିଷ୍ଠି ରହିବାକୁ ଏବଂ ଅଧିକ ଗ୍ରାହ୍ୟ ହେବା ପାଇଁ ଇଣ୍ଟରନେଟ୍ ବ୍ୟବହାର ଯୋଗ୍ୟ କରିବା ଉପରେ ସେ ଜୋର ଦେଇଛନ୍ତି । ‘ନଗଡ଼ାରୁ ନଅଟି ପ୍ରଶ୍ନ’ ଲେଖାଟିରେ ଆମ ପ୍ରଶାସନିକ ବ୍ୟବସ୍ଥାର ତୃଟି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି ।
ତାଙ୍କର କେତେକ ଲେଖାରେ ବ୍ୟଙ୍ଗ ଓ ଶ୍ଲେଷ ପ୍ରଚ୍ଛନ୍ନ ଭାବରେ ରହିଛି । ‘ଆମ ପ୍ରଶାସନିକ ବ୍ୟବସ୍ଥାରେ ଫାଇଲ’ ଲେଖାରେ ସେ ବ୍ୟବସ୍ଥାର ପରିବର୍ତ୍ତନର ଆବଶ୍ୟକତା ସମ୍ପର୍କରେ କହିଛନ୍ତି । ଫାଇଲ୍ ଏଠାରେ ଏକ ରୂପକ । ‘ପାଦ ଛୁଇଁ ପ୍ରଣାମ’ ଲେଖାରେ ଆମ ପାରମ୍ପରିକ ପ୍ରଥାଗୁଡ଼ିକ କେମିତି ହଜି ଯାଉଛି ଏବଂ ତାର ପ୍ରଭାବ କଣ ହେବ- ସେ ସମ୍ପର୍କରେ ଆଲୋଚନା କରାଯାଇଛି । ଏ ପ୍ରକାର ଲେଖାରେ ଶ୍ଲେଷ ଓ କିଛି ହଜାଉଥିବାର ବେଦନା ମିଶାମିଶି ହୋଇ ରହିଛି । ସମାନ କଥା ‘ପର୍ବର ଜଗତୀକରଣ’ରେ ।
ରୁଦ୍ର ପ୍ରସନ୍ନ ରଥଙ୍କ ଲେଖାରେ ସମାଜ ପାଇଁ ଚିନ୍ତା ଏବଂ ସକାରାତ୍ମକ ଏବଂ ରୂପାୟନ-କ୍ଷମ ପରାମର୍ଶ ରହିଛି । ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରି ନିଜ ଯୁକ୍ତିକୁ ସବଳ କରିବାର କୌଶଳ ସେ ଜାଣନ୍ତି । ଏବଂ ଅନେକ ଲେଖାରେ ତାହା ପ୍ରୟୋଗ କରିଛନ୍ତି । ସାବଲୀଳ ଭାବେ ତାହା ଉପସ୍ଥାପନା କରାଯାଇଛି । ବିଷୟ ଭାରି ହେଲେ ଯେ ତାହା ପଢ଼ିବାକୁ କ୍ଳିଷ୍ଟ ଲାଗିବା ଜରୁରୀ- ଏ ମନୋଭାବଠୁଁ ସେ ଦୂରରେ । ତେଣୁ ତାଙ୍କ ଲେଖା ପଢ଼ିବାକୁ ସୁଖ ଲାଗେ । ସରଳ ଲାଗେ ।
ତାଙ୍କର ଏ ସଙ୍କଳନଟି ସମାଜ-ମନସ୍କ ସମସ୍ତେ ପଢ଼ିବା ଦରକାର ।
++